ପ୍ରବନ୍ଧ

ୟା ଦେବୀ ସର୍ବଭୂତେଷୁ….

Manas Ranjan Nayak's odia prose Yaa Debi Sarbabhooteshu

ୟା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ଯୈ ନମସ୍ତସ୍ଯୈ ନମସ୍ତସ୍ଯୈ ନମୋ ନମଃ।

ୟା ଦେବୀ ସର୍ବଭୂତେଷୁ....

ଆଖିରେ ପାଣି, ଧମନୀରେ ରକ୍ତ… ଜୀବନ ଏହି ପାଣିରୁ ରକ୍ତ ପୁଣି ରକ୍ତରୁ ପାଣି ମଧ୍ଯରେ ଆବର୍ତ୍ତି ହେଉଥାଏ କାଳ ଅକାଳ । ସମୟର ସ୍ବାକ୍ଷରରେ ସ୍ବପ୍ନରୁ ବାସ୍ତବତାର ବାଟ ଖୋଜୁଥାଏ ନିରୁଦ୍ଦିଷ୍ଟ ପାହାନ୍ତାରୁ ଗୋଧୂଳି ଯାଏଁ….. ଅଭୀପ୍ସାର ଉଡାଣ ଭରୁଥାଏ ଭୂମିରୁ ଭୂମା ଯାଏଁ । ଜୀବନ ଜଞ୍ଜାଳରେ ନିଜ ଅସ୍ମିତାକୁ ଜଳାଞ୍ଜଳି ଦେଇ ଗଢି ଚାଲିଥାଏ ସ୍ମୃତି କୋଣାର୍କ। ମୋହର ପରଳ ତଳେ ଚେତନାର ଦିଗନ୍ତ ଦିଶେ ଧୂମ୍ରାଭ। ଜୀବନର ଅମୃତ ଆଶ୍ଳେଷ ଟିକକ ଦ୍ରବୀଭୂତ ହେଉଥାଏ କେଉଁ ମୋହିନୀ ମାୟାର ମନ୍ତ୍ର ମୂର୍ଚ୍ଛନାରେ ଅହର୍ନିଶ । ମହାଜାଗତିକ ଧାରାର ସମ୍ଯକ ଚେତନାମନସ୍କତା ତା’କୁ କ୍ଷଣିକ ଆନ୍ଦୋଳିତ କଲେହେଁ ପର ମୁହୂର୍ତ୍ତରେ ଦେବାଳୟରେ ଧ୍ଯାନପୂର୍ବକ ମାଗିବସେ ଆଞ୍ଜୁଳାଏ ପାର୍ଥିବ ଐଶ୍ବର୍ଯ୍ଯ । ଭୋଗ ଓ ଭାବର ଚାଲିଥାଏ ଏକ ଶୀତଳ ଯୁଦ୍ଧ କେଉଁ ଆବାହମାନ କାଳରୁ, ରାମ ରାବଣ ଅବା ଦୁର୍ଗା ମହିଷାସୁର ମାନଙ୍କ ରୂପରେ । ଅବଶେଷରେ ଚତୁର୍ଦ୍ଦିଗ ପ୍ରତିଧ୍ଵନିତ ହୁଏ ମହାଶକ୍ତିର ଆବାହନରେ, ପ୍ରକମ୍ପିତ ହୁଏ ଓମ୍ କାରର ଅମୃତ ମୂର୍ଚ୍ଛନା, ସଂଚରିଯାଏ ଜୀବନର ଅପରାଜୟ ଉଚ୍ଛ୍ବାସ ଟିଏ ମନରୁ ଚେତନାକୁ । ସମାଧିସ୍ଥ ହୁଅନ୍ତି ଦାନବତ୍ବର ପ୍ରତିଟି ଉଦଗିରଣ ଆଉ ଏକ ଜୀବନ୍ନ୍ଯାସର ଅପେକ୍ଷାରେ ।

ପବିତ୍ର ମହାଳୟାରୁ ଅଭିମନ୍ତ୍ରିତ ହୋଇଉଠେ ଆମର ପ୍ରତିଟି ସ୍ପନ୍ଦନ ମା’ର ଆବାହନୀ ଉଚ୍ଚାରଣରେ। ସକଳ ଦେବତ୍ବର ପରିପ୍ରକାଶରେ ପରିପୂର୍ଣ୍ଣ ମା’ର ନବ ରୂପକୁ ଆମେ ଶ୍ରଦ୍ଧା,ଭକ୍ତି ଓ ସମର୍ପଣର ଉଲ୍ଲାସରେ ନାଚିଉଠୁ ନବରାତ୍ରିର ଆଡମ୍ବରରେ । ବିଜୟାଦଶମୀର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆମନ୍ତ୍ରଣ, ଅଭିବାଦନ ଓ ଦଶହରା ଭେଟି ସଙ୍ଗକୁ ରାବଣପୋଡିର ଉତ୍ସୁକତା କ’ଣ ଖାଲି ଏକ ଆଡମ୍ବରର ଉପଢୌକନ ହୋଇ ଉତୁରିଯାଏ ପରଦିନ ସକାଳକୁ ? ପୁନର୍ବାର ମହିଷାସୁର, ରାବଣ ମାନେ ଜାଗି ଉଠନ୍ତି ଆମର ଅନ୍ତର୍ମନରେ? “ୟା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା” ….. ମନ୍ତ୍ରର ପ୍ରତିଧ୍ଵନି ନସରୁଣୁ ମା’ର ମୃଣ୍ମୟୀ ତଳେ ହୁଏ ନାରୀର ଶୀଳ ହରଣ। ତାହେଲେ ମା’ର ପୂଜା ଅର୍ଚ୍ଚନା କ’ଣ ଖାଲି ଏକ ପ୍ରହେଳିକା, ପାର୍ବଣର ହାଲୁକା ପୁଲକତା ?

ଭୌତିକବାଦ୍‌ର ଅନ୍ଧ ଅନୁଶୀଳନରେ, ଯାନ୍ତ୍ରିକ ପ୍ରଗତିର ଉଚ୍ଚାଟରେ ଉନ୍ମାଦିତ ଏ ଜାତି କ’ଣ ନିଜର ମହାନ ସଂସ୍କୃତି ପରମ୍ପରାର ବିସ୍ମୃତିର ପାଦଦେଶରେ? ଆତ୍ମଘୋଷିତ ପ୍ରଜ୍ଞାପୀଢି ଏବେ ବିଜ୍ଞତାର ଦ୍ବାହି ଦେଇ ଦେବୀଙ୍କର ପଶୁବଳି ଆଦିକୁ କୁସଂସ୍କାରର କୁତ୍ସାରଟନା କଲାବେଳେ କୁଆଡେ ଯାଉଛି ନିଜର ଦୈନନ୍ଦିନ ଅନୁଶୀଳନରେ ସେ ବିଜ୍ଞତାର ପ୍ରତିଫଳନ ? ରାସ୍ତା ଘାଟ ଜନଗହଳି ସମ୍ମୁଖରେ ପଶୁ ପକ୍ଷୀ ମାନଙ୍କର ଜିଅନ୍ତା ମାଂସର ଭୋଜି କ’ଣ ଦିବ୍ୟ ଚେତନାର ପତିତପାବନ ବାନା ? ଦୀପ ତଳ ଅନ୍ଧାର ପରି ଚେତନାର ସ୍ତର ଏବେ ରସାତଳଗାମୀ ମନେହୁଏ । ବିକାଶଶୀଳ ବୈଜ୍ଞାନିକ ଅନ୍ବେଷଣ ସହ ଅନ୍ତର୍ମୁଖୀ ହୋଇ ଚେତନାର ସୁପ୍ତ ଆସ୍ତରଣଟିକୁ ଅନୁସନ୍ଧାନ କରି ପାରିଲେହିଁ ଏକ ଅତିମାନବୀୟ ସତ୍ତାର ଅଭ୍ଯୁଦୟ ହୋଇପାରିବ ଏହି ଦିବ୍ୟ ଭୂମି ଭାରତବର୍ଷରେ, ତାହାହିଁ ହେବ ସର୍ବଶକ୍ତିମୟୀ ମା’ଙ୍କ ପ୍ରତି ବିଜୟାଦଶମୀର ଆମର ସଶ୍ରଦ୍ଧ ଆବାହନୀ ଉଚ୍ଚାରଣ….. ୟା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ଯୈ ନମସ୍ତସ୍ଯୈ ନମସ୍ତସ୍ଯୈ ନମଃ ନମଃ।

ଲୋକପ୍ରିୟ ଲେଖା

To Top