ଅନୁବାଦ ସାହିତ୍ୟ

ଗାନ୍ଧୀଜୀଙ୍କ ବଡ଼ ରାଜେନୈତିକ ଭୁଲ

କାଶ୍ମୀର ବିଷୟରେ ଗାନ୍ଧୀଜୀଙ୍କ ସଦା ପରାମର୍ଶ ଥିଲା ଯେ ସତ୍ତା ଶେଖ ଅବଦୁଲ୍ଲାଙ୍କ ସପର୍ପି ଦିଆଯାଉ ।

ଗାନ୍ଧୀଜୀଙ୍କ ବଡ଼ ରାଜେନୈତିକ ଭୁଲ

(୬୯) ବତିଶ ବର୍ଷ ଯାଏଁ ଗାନ୍ଧୀଜୀ ମୁସଲମାନଙ୍କ ପକ୍ଷ ନେଇ କାର୍ଯ୍ୟ କରିବା ଏବଂ ଶେଷରେ ପାକିସ୍ତାନକୁ ୫୫ କୋଟି ଟଙ୍କା ପ୍ରଦାନ ନିମନ୍ତେ ଅନଶନ ପାଇଁ ତାଙ୍କ ନିଶ୍ଚୟ, ମୋତେ ବାଧ୍ୟ କଲା ଗାନ୍ଧୀଜୀଙ୍କ ଜୀବନ ଅନ୍ତ ନିମନ୍ତେ ପଦକ୍ଷେପ ନେବା ପାଇଁ । ନିଜ ନିର୍ଣ୍ଣୟକୁ ସର୍ବୋପରି ଭାବୁଥିଲେ ଗାନ୍ଧୀଜୀ । ଭାରତ ଆସିବା ପଶ୍ଚାତ୍ ନିଜସ୍ୱ ନୀତିରେ କାର୍ଯ୍ୟ କଲେ । ନିଜକୁ ଅପରିହାର୍ଯ୍ୟ ମାନୁଥିବା ଗାନ୍ଧୀଜୀ ଚାହୁଁଥିଲେ ଯଦି ଦେଶ ଲାଗି ତାଙ୍କ ନେତୃତ୍ୱ ଆବଶ୍ୟକ ତାହେଲେ ସମସ୍ତେ ତାଙ୍କ କହିବାନୁସାରେ ପରିଚାଳିତ ହେବେ ଅନ୍ୟଥା ସେ କଂଗ୍ରେସରୁ ପୃଥକ ହୋଇ ନିଜସ୍ୱ ଢଙ୍ଗରେ ବ୍ୟକ୍ତିଗତ ରୂପରେ ଚାଲିବେ । ଏପରି ପରିସ୍ଥିତିରେ ତାଙ୍କର ସମସ୍ତ ବିଚାର ଭଲ ହେଉ ବା ମନ୍ଦ ମାନି ନିଆଯାଉଥିଲା ଏବଂ ତାଙ୍କର ଦୃଷ୍ଟିକୋଣ ଅନୁସାରେ କାର୍ଯ୍ୟ କରାଯାଉଥିଲା । ପ୍ରତ୍ୟେକ ନିର୍ଣ୍ଣୟ ସେ ସ୍ୱୟଂ ନେଉଥିଲେ । ଅସହଯୋଗ ଆନ୍ଦୋଳନର ମୁଖ୍ୟ ପୁରୋଧା ସେ ହିଁ ଥିଲେ । ସବୁ ଅଧିକାର ନିଜ ପାଖରେ ରଖୁଥିଲେ ଏବଂ କୌଣସି କାର୍ଯ୍ୟ କେବେ ଆରମ୍ଭ ବା ସମାପ୍ତ କରାଯିବ କେବଳ ସେ ହିଁ ନିର୍ଦ୍ଧାରିତ କରୁଥିଲେ । ଆନ୍ଦୋଳନ ସଫଳ ହେଉ ବା ବିଫଳ ଏବଂ ଫଳସ୍ୱରୂପ ଯେଉଁ ବିପତ୍ତି ଆସୁ ନା କାହିଁକି, ଗାନ୍ଧୀଜୀ ନିଜ ଜିଦରୁ ପଛକୁ ହଟୁନଥିଲେ । ଅନ୍ୟ କାହାର ବିଚାର ବା ନେତୃତ୍ୱରେ ପରିଚାଳିତ ଆନ୍ଦୋଳନର ରୂପରେଖାକୁ ଦୃଶ୍ୟ ହେବାକୁ ଦେଉନଥିଲେ । ତାଙ୍କର ସିଦ୍ଧାନ୍ତ ଥିଲା କୌଣସି ସତ୍ୟାଗ୍ରହୀ କେବେ ଅସଫଳ ହେବ ନାହିଁ କିନ୍ତୁ ସତ୍ୟାଗ୍ରହର ପରିଭାଷା ସେ କେବେ ସ୍ପଷ୍ଟ କଲେ ନାହିଁ । ଗାନ୍ଧୀଜୀ ସମସ୍ତ ବିଷୟର ପରାମର୍ଶଦାତା ସ୍ୱୟଂ ଥିଲେ ଏବଂ ସ୍ୱୟଂ ନିର୍ଣ୍ଣୟକର୍ତ୍ତା । ଗାନ୍ଧୀଜୀଙ୍କ ଉତ୍ତମ ଚରିତ୍ର ଏବଂ ଅନବରତ କାର୍ଯ୍ୟ କ୍ଷମତା କାରଣରୁ ତାଙ୍କର ଏହିସବୁ କଥାକୁ ସମସ୍ତେ ମାନିନେଉଥିଲେ । କେହି ତାଙ୍କୁ ଟକ୍କର ଦେବାକୁ ସାହସ କରୁନଥିଲେ । କଂଗ୍ରେସର ବହୁତ ଲୋକ ଜାଣିଥିଲେ ଯେ ଗାନ୍ଧୀଜୀଙ୍କ ନୀତି ଠିକ୍ ନୁହେଁ, କିନ୍ତୁ ଏପରି ଲୋକଙ୍କ ଲାଗି କେବଳ ଏକ ହିଁ ମାର୍ଗ ଥିଲା, ସେମାନେ କଂଗ୍ରେସ ଛାଡ଼ିଦିଅନ୍ତୁ ନତୁବା ନିଜକୁ ନିଜେ ଗାନ୍ଧୀଜୀଙ୍କ ଯୋଜନା ସମ୍ମୁଖରେ ସମର୍ପିତ କରି ଦିଅନ୍ତୁ । ଏପରି ଦଶାରେ ଗାନ୍ଧୀଜୀ ଭୁଲ କରିଚାଲିଲେ, ଅସଫଳତା ପରେ ଅସଫଳତା ଭୋଗିଲେ ଏବଂ ବିପତ୍ତିକୁ ସ୍ୱୟଂ ନିମନ୍ତ୍ରଣ କଲେ । ନିମ୍ନରେ ମୁଁ ତାଙ୍କର ସେହିସବୁ ଭୁଲର ବର୍ଣ୍ଣନା କରିବି ଯାହା ସେ ତାଙ୍କର ବତିଶ ବର୍ଷର ନେତୃତ୍ୱ ଦ୍ୱାରା କରିଥିଲେ, ଯେବେ ତାଙ୍କୁ ସାମ୍ନା କରିବା ଭଳି କେହି ନେତା ନଥିଲେ ।

(୭୦) ଗାନ୍ଧୀଜୀଙ୍କ ସ୍ଲୋଗାନ ଦେଶ ପାଇଁ କେତେ ହାନିକାରକ ସିଦ୍ଧ ହେଲା, ଅନ୍ତରେ ଏହାର ପରିଣାମ କେତେ ଭୟାନକ ହେଲା, ସେ ସ୍ୱୟଂ କଳ୍ପନା ବି କରିନଥିବେ ।

    (କ) ଖିଲାପତ :
    ପ୍ରଥମ ବିଶ୍ୱଯୁଦ୍ଧ ଯୋଗୁଁ ତୁର୍କୀର ଅନେକାଂଶ ଯଥା ଉତ୍ତର ଆଫ୍ରିକା, ମଧ୍ୟପୂର୍ବ ଅଞ୍ଚଳ, ୟୁରୋପର ଅଧିକୃତ ପ୍ରାନ୍ତ ଆଉ ତା’ଅଧିନରେ ନଥିଲା ଏବଂ କେଇଖଣ୍ଡ ଭୂମି ମାତ୍ର ଅବଶେଷ ଥିଲା । ତୁର୍କୀ ନବଯୁବକଗଣ ତାଙ୍କର ସୁଲତାନଙ୍କୁ ଦେଶ ଛାଡ଼ିବା ପାଇଁ ବାଧ୍ୟ କଲେ ଏବଂ ଏହା ସହିତ ଖିଲାପତ ଆନ୍ଦୋଳନର ପରିସମାପ୍ତି ଘଟିଲା । ଭାରତୀୟ ମୁସଲମାନ ଖିଲାପତ ଆନ୍ଦୋଳନକୁ ସମର୍ଥନ କରୁଥିଲା, ଅନେକ ଉତ୍ସାହିତ ଥିଲେ । ଇଂରେଜ ହିଁ ତୁର୍କୀ ସୁଲତାନଙ୍କ ପତନ ଓ ଖିଲାପତ ଆନ୍ଦୋଳନର କାରଣ । ତେଣୁ ସେମାନେ ଏହି ଆନ୍ଦୋଳନକୁ ପୁନଃ ପ୍ରାରମ୍ଭ କରିବାକୁ ଚେଷ୍ଟିତ ହେଲେ । ଗାନ୍ଧୀଜୀ ବିଚାର କଲେ ଯେ ଯଦି ସେ ଖିଲାପତ ଆନ୍ଦୋଳନର ପକ୍ଷ ନେବେ, ଭାରତର ମୁସଲାମାନଙ୍କ ମନ ଜିଣିହେବ । ସେମାନଙ୍କର ନେତୃତ୍ୱ ନେବା ସହଜ ହେବ ଏବଂ ଏହି ପ୍ରକାର ଯଦି ହିନ୍ଦୁ ମୁସଲମାନଙ୍କ ମଧ୍ୟେ ଏକତା ହୋଇଗଲା ତା’ହେଲେ ଶୀଘ୍ର ସ୍ୱରାଜ୍ୟ ମିଳିଯିବ । ଗାନ୍ଧୀଜୀ ଖିଲାପତ ଆନ୍ଦୋଳନରେ କଂଗ୍ରେସକୁ ସାମିଲ କଲେ । ଏହି ଯୋଗୁଁ ରାଜେନୈତିକ ଆନ୍ଦୋଳନରେ ସାମ୍ପ୍ରଦାୟିକତା ଦେଖା ଦେଲା । ଭାରତ ପାଇଁ ଅନର୍ଥକାରୀ ବିପତ୍ତିର କାରଣ ହେଲା । କିଛି ସମୟ ପାଇଁ ଖିଲାପତ ଆନ୍ଦୋଳନ ସଫଳ ହେଉଥିବା ପ୍ରତୀତ ହେଲା । ଯେଉଁ ମୁସଲମାନ ଖିଲାପତ ପକ୍ଷରେ ନଥିଲେ ସେମାନଙ୍କ ଗୁରୁତ୍ୱ ହ୍ରାସ ପାଇଲା ଏବଂ ଯେଉଁମାନେ ଖିଲାପତ ପାଇଁ କାର୍ଯ୍ୟ କରୁଥିଲେ ସେମାନଙ୍କ ମହତ୍ୱ ବଢ଼ିଗଲା । ସେମାନେ ଲୋକପ୍ରିୟ ହୋଇଗଲେ ଯେପରି ଅଲ୍ଲୀ ଭାଇ, ମୌଲାନା ମହମ୍ମଦ ଅଲୀ ଏବଂ ସୌକତ ଅଲି । ସେତେବେଳେ ଜିନ୍ନାଙ୍କ କୌଣସି ଗୁରୁତ୍ୱ ନଥିଲା ଏବଂ ତାଙ୍କୁ କେହି ଧ୍ୟାନ ବି ଦେଉନଥିଲେ । ଏହା ପରେ ଖିଲାପତ ଆନ୍ଦୋଳନକୁ ଦବେଇ ଦିଆଗଲା ଏବଂ ମଣ୍ଟେଗୁ ଚେମ୍ସଫୋର୍ଡ ସୁଧାରର ସହାୟତାରେ ଖିଲାପତର ପ୍ରଭାବକୁ ନଷ୍ଟ କରିଦିଆଗଲା । ମୁସଲମାନ ସବୁବେଳେ କଂଗ୍ରେସ ଏବଂ ଖିଲାପତକୁ ପୃଥକ ବୋଲି ଭାବିଆସୁଥିଲେ । ସେମାନେ ଖିଲାପତ ଆନ୍ଦୋଳନରେ କଂଗ୍ରେସର ସାହାଯ୍ୟ ସ୍ୱୀକାର ତ କରିଥିଲେ ପରନ୍ତୁ ସେମାନେ କଂଗ୍ରେସ ସହିତ ମିଳିତ ହୋଇନଥିଲେ । ଯେବେ ଆନ୍ଦୋଳନ ଅସଫଳ ହେଲା ମୁସଲମାନ ବହୁତ ନିରାଶ ହେଲେ ଏବଂ ସେମାନେ ନିଜ କ୍ରୋଧ ହିନ୍ଦୁଙ୍କ ଉପରେ ସାଧିଲେ । ଭାରତର ବିଭିନ୍ନ ସ୍ଥାନରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ସଙ୍ଘର୍ଷର ସୂତ୍ରପାତ ହେଲା ଏବଂ ପ୍ରତ୍ୟେକ ସ୍ଥାନରେ ହିନ୍ଦୁ ହିଁ ପ୍ରଭୂତ କ୍ଷତି ସହିଲେ । ମହାତ୍ମାଜୀଙ୍କ ହିନ୍ଦୁ ମୁସଲିମ ଏକତା କେବଳ ସ୍ୱପ୍ନ ହୋଇ ରହିଗଲା ।

    (ଖ) ମୋପଲା ବିଦ୍ରୋହ :
    ମାଲାବାର, ପଞ୍ଜାବ, ବଙ୍ଗାଳ ଏବଂ ସୀମାପ୍ରାନ୍ତର ହିନ୍ଦୁଙ୍କ ଉପରେ ଅତ୍ୟଧିକ ଅତ୍ୟାଚାର ହେଲା । ଯେଉଁ ଦୁର୍ଘଟଣାକୁ ମୋପଲା ବିଦ୍ରୋହ ବୋଲି କୁହାଯାଇଛି, ସେଥିରେ ହିନ୍ଦୁଙ୍କ ଧନ, ସମ୍ପତ୍ତି, ଏବଂ ଜୀବନର ହାନୀ ଘଟିଲା । ଶହ ଶହ ହିନ୍ଦୁଙ୍କୁ ବଳପୂର୍ବକ ଇସଲାମ ଧର୍ମରେ ଦୀକ୍ଷିତ କରାଗଲା, ମହିଳାଙ୍କୁ ଅପମାନ ଦିଆଗଲା । ଏହିସବୁ ଘୃଣ କାର୍ଯ୍ୟର ଉତ୍ତରଦାୟୀ ଗାନ୍ଧୀଜୀ ଥିଲେ, ତାଙ୍କ ନୀତି ଯୋଗୁଁ ଏପରି ହେଲା । କିନ୍ତୁ ସେ ମୌନ ରହିଲେ । ଅତ୍ୟାଚାରୀଙ୍କ ବିପକ୍ଷରେ ଗୋଟିଏ ଶବ୍ଦ ବି କହିଲେ ନାହିଁ ନା ଏହିସବୁ କାଣ୍ଡର ଅନ୍ତ ପାଇଁ କାର୍ଯ୍ୟ କରିବାକୁ କଂଗ୍ରେସକୁ କୌଣସ ପରାମର୍ଶ ବା ଅନୁମତି ଦେଲେ, ବରଂ ଅନ୍ୟ ପକ୍ଷେ କହି ବୁଲିଲେ ଯେ ମାଲାବାରରେ ହିନ୍ଦୁଙ୍କୁ ମୁସଲମାନ କରାଯାଇନି । ନିଜ ପତ୍ରିକା ‘ୟଙ୍ଗ ଇଣ୍ଡିଆରେ’ ସେ ଲେଖିଲେ ଯେ କେବଳ ଗୋଟିଏ ମାତ୍ର ଦୁର୍ଘଟଣା ବା ଧର୍ମାନ୍ତକରଣ ହୋଇଛି । ଯଦିଓ ତାଙ୍କରି ମୁସଲମାନ ସହଯୋଗୀମାନେ ସ୍ୱୀକାର କରିଥିଲେ ଯେ ଧର୍ମାନ୍ତରୀକରଣର ଅନେକ ଘଟଣାମାନ ଘଟିଛି । କିନ୍ତୁ ଗାନ୍ଧୀଜୀ ନିଜ ବ୍ୟକ୍ତବ୍ୟକୁ ସୁଧାରିଲେନି ବରଂ ମୋପଲା ମୁସଲମାନଙ୍କ ସହାୟତା ଲାଗି ପାଣ୍ଠି ସଂଗ୍ରହ (ଫଣ୍ଡ) ଆରମ୍ଭ କଲେ । ଏତେ ସବୁ କରିବା ପରେ ବି ହିନ୍ଦୁ ମୁସଳମାନ ଏକତାର ଲକ୍ଷ୍ୟ ତାଙ୍କୁ କେବେ ପ୍ରାପ୍ତ ହେଲା ନାହିଁ ।

    (ଗ) ଆଫଗାନିସ୍ତାନର ଅମୀରଙ୍କୁ ସହାୟତା :
    ଯେବେ ଖିଲାପତ ଆନ୍ଦୋଳନ ଅସଫଳ ହୋଇଗଲା, ଯେତେବେଳେ ଅଲ୍ଲୀ ଭାଇ ନିଶ୍ଚୟ କଲେ ଯେନେତେନ ପ୍ରକାରେ ଖିଲାପତ ଆନ୍ଦୋଳନର ଭାବନାକୁ ଜୀବିତ ରଖାଯିବା ବାଞ୍ଛନୀୟ । ତାଙ୍କର ଉଦ୍ଘୋଷଣା ଥିଲା, ଯିଏ ଖିଲାପତର ଶତ୍ରୁ ସେ ମୁସଲମାନଙ୍କ ଶତ୍ରୁ । ଏବଂ ଇଂରେଜମାନଙ୍କ ଯୋଗୁଁ ତୁର୍କୀର ସୁଲତାନ ପରାସ୍ତ ହୋଇଥିଲେ ଏବଂ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା, ତେଣୁ ପ୍ରତି ମୁସଲମାନ ଇଂରେଜଙ୍କ ଶତ୍ରୁ ଅଟନ୍ତି । ପ୍ରତ୍ୟେକ ମୁସଲମାନର ଏହା ପବିତ୍ର କର୍ତ୍ତବ୍ୟ ଯେ ସେ ଇଂରେଜଙ୍କ ବିରୋଧ କରୁ । ଏହି ଧ୍ୟେୟର ସ୍ଫୂର୍ତ୍ତି ପାଇଁ ଗାନ୍ଧୀଜୀ ଏବଂ ଅଲ୍ଲୀ ଭାଇମାନେ ୧୯୨୧ରେ ଗୁପ୍ତରେ ଆଫଗାନିସ୍ତାନର ଅମୀରଙ୍କୁୁ ଭାରତ ଆକ୍ରମଣ କରିବାକୁ ନିମନ୍ତ୍ରଣ କଲେ, ଏବଂ ତାଙ୍କୁ ସବୁ ପ୍ରକାରର ସହାୟତା ପ୍ରଦାନ ନିମନ୍ତେ ପ୍ରତିଶୃତି ଦେଲେ । ଏହି ଷଡ଼ଯନ୍ତ୍ର ପଶ୍ଚାଦ୍ ରହିଛି ବହୁତ ବଡ଼ ଇତିହାସ । ଅଲ୍ଲୀ ଭାଇ ସ୍ୱୀକାର କରନ୍ତି ଯେ ତାଙ୍କର ଏହି ଷଡ଼ଯନ୍ତ୍ରରେ ହାତ ଅଛି । ଗାନ୍ଧୀଜୀ ହିନ୍ଦୁ ମୁସଲମାନ ଏକତା ପ୍ରାପ୍ତ ପାଇଁ ଅଲ୍ଲୀ ଭାଇଙ୍କୁ ପ୍ରତିଶୃତି ଦେଲେ ଯେ ଖିଲାପତକୁ ପୁର୍ନଜୀବିତ କରିବା ନିମନ୍ତେ ମୁସଲମାନଙ୍କ ପୂରା ସହାୟତା କରିବେ । ଭାରତ ଉପରେ ଆଫଗାନିସ୍ତାନର ଅମୀର ଆଧିପତ୍ୟ ଯୋଜନାରେ ଗାନ୍ଧୀଜୀ ଅଲ୍ଲୀ ଭାଇଙ୍କୁ ପୂରା ସହଯୋଗ ଦେଲେ । ସ୍ୱର୍ଗୀୟ ଶ୍ରୀଯୁକ୍ତ ଶ୍ରୀନିବାସ ଶାସ୍ତ୍ରୀ, ଶ୍ରୀ ସି.ୱାଇ ଚିନ୍ତାମଣି, (‘ଲିଡ଼ରର’ ସମ୍ପାଦକ) ଏବଂ ଗାନ୍ଧୀଜୀଙ୍କ ପରମ ମିତ୍ର ଶ୍ରୀ ସି. ଏଫ ଆଡ୍ରୁଉଜ୍ ସ୍ପଷ୍ପ ରୂପରେ ସ୍ୱୀକାର କଲେ ଯେ ଗାନ୍ଧୀଜୀଙ୍କ ଭାଷଣ ଏବଂ ଲେଖାମାନଙ୍କରୁ ସ୍ପଷ୍ଟ ପ୍ରତୀତ ହୁଏ ଯେ ଅମୀର ଆଫଗାନିସ୍ତାନ ଭାରତ ଉପରେ ଆକ୍ରମଣ ସମ୍ବନ୍ଧରେ ଅଲ୍ଲୀ ଭାଇଙ୍କ ସାଥୀରେ ଥିଲେ । ଗାନ୍ଧୀଜୀଙ୍କ ଏକ ଲେଖାର ଅଂଶ ନିମ୍ନରେ ଦିଆଯାଉଛି ଯାହା ସେ ସେଇଦିନମାନଙ୍କରେ ଲେଖିଥିଲେ । ଏଥିରୁ ଏହା ଜଣାପଡେ଼ ଯେ କେଉଁ ପ୍ରକାରେ ଗାନ୍ଧୀଜୀ ନିଜ ମୁସଲିମ ତୁଷ୍ଟିକରଣ ନୀତି ଅନୁସାରେ ନିଜ ଦେଶକୁ ବି ବଳି ଚଢ଼ାଇଦେଲେ । ସେ ନିଜ ମାତୃଭୂମି ଉପରେ ଆକ୍ରମଣ କରିବାକୁ ଏକ ବିଦେଶୀ ରାଜାଙ୍କୁ ସହାୟତା ଦେବା ପାଇଁ ପ୍ରସ୍ତୁତ ହୋଇଗଲେ । ଗାନ୍ଧୀଜୀଙ୍କ ଲେଖାର ଉଦ୍ଧୃତ ଅଂଶ ନିମ୍ନ ଲିଖିତ ଅନୁସାରେ – ମୁଁ ବୁଝିପାରୁନାହିଁ କାହିଁକି ଅଲ୍ଲୀ ଭାଇଙ୍କୁ କାରାଦଣ୍ଡ ହେବ ଏବଂ ମୁଁ ସ୍ୱତନ୍ତ୍ର ବୁଲିବି? ସେମାନେ ଏପରି କୌଣସି କାର୍ଯ୍ୟ କରିନାହାଁନ୍ତି ଯାହା ମୁଁ ମଧ୍ୟ କରି ପାରିବି ନାହିଁ । ଯଦି ସେମାନେ ଅମୀର ଆଫଗାନିସ୍ତାନକୁ ଆକ୍ରମଣ କରିବା ପାଇଁ ସନ୍ଦେଶ ପଠାଇଛନ୍ତି ତା’ହେଲେ ମୁଁ ବି ତାଙ୍କୁ ସନ୍ଦେଶ ପଠାଇ ପାରିବି, ଯେ ସେ ଭାରତ ଆସିଲେ ଯେତେଦୂର ସମ୍ଭବ, ମୋ କ୍ଷମତାନୁସାରେ ଯେତିକି ପାରିବି ନିଶ୍ଚିତ କରିବି ଯେ ଅମୀରଙ୍କୁ ହିନ୍ଦରୁ ବାହାର କରିବାକୁ ଜଣେ ବି ଭାରତବାସୀ ଯେପରି ସରକାରଙ୍କ ସହାୟତା ନ କରି ପାରିବେ । ବିଟ୍ରିଶ ଗୁପ୍ତଚର ଏହି ଷଡ଼ଯନ୍ତ୍ରର ପର୍ଦ୍ଧାଫାସ କଲେ । ଅଲ୍ଲୀ ବନ୍ଧୁଙ୍କ ମନୋବାଞ୍ଛା ଅତୃପ୍ତ ରହିଗଲା । ହିନ୍ଦୁ ମୁସଲମାନ ଏକତା ପୂର୍ବ ଭଳି ଅଭିଳଷିତ ସ୍ୱପ୍ନ ଭଳି ରହିଲା ।

    (ଘ) ଆର୍ଯ୍ୟ ସମାଜ ଉପରେ ଆକ୍ରମଣ :
    ଗାନ୍ଧୀଜୀ ୧୯୨୪ରେ ମୁସଲମାନଙ୍କ ପ୍ରତି ନିଜ ପ୍ରେମ ପ୍ରଦର୍ଶନ ନିମନ୍ତେ ଆର୍ଯ୍ୟସମାଜକୁ ନିନ୍ଦା କରିବା ଭଳି ଘୃଣିତ କାର୍ଯ୍ୟ ବି କଲେ । ଏହା ଅବାଂଛିତ କାର୍ଯ୍ୟ ଥିଲା କିନ୍ତୁ ଗାନ୍ଧୀଙ୍କ ଲକ୍ଷ୍ୟ ତ କେବଳ ମୁସଲମାନଙ୍କୁ ସନ୍ତୁଷ୍ଟ କରିବା ଥିଲା ସେଥିପାଇଁ ଯାହା ବି କରିବାକୁ ପଡ଼ୁ ପଛେ । ଆର୍ଯ୍ୟସମାଜ ବହୁତ ସଭ୍ୟ ଢଙ୍ଗରେ ଏପରି ନିନ୍ଦାର ଉତ୍ତର ଦେଲେ । ଏହା ପରେ ଗାନ୍ଧୀଜୀଙ୍କ ରାଜନୈତିକ ପ୍ରଭାବ କାରଣରୁ ଆର୍ଯ୍ୟସମାଜର ପ୍ରଭାବ କ୍ଷୁଣ୍ଣ ହେବାକୁ ଲାଗିଲା । ବାସ୍ତବିକତା ଏହା ଯେ ସ୍ୱାମୀ ଦୟାନନ୍ଦଙ୍କ କେହି ବି ଅନୁଗାମୀ ଗାନ୍ଧୀଜୀଙ୍କ ଶିଷ୍ୟ ହେବା ଯୋଗ୍ୟ ନଥିଲେ କାରଣ ଉଭୟ ସ୍ଥିତି ପରସ୍ପରଠାରୁ ଭିନ୍ନ ଥିଲେ କିନ୍ତୁ କିଛି ଲୋକ ନେତା ହେବା ପାଇଁ କପଟତାପୂର୍ଣ୍ଣ ଚାଲ ଖେଳିଲେ । ଏକ ପଟେ ସେମାନେ ଆର୍ଯ୍ୟସମାଜର ଅନୁଗାମୀ ଥିଲେ ଏବଂ ଅନ୍ୟ ପଟେ ଗାନ୍ଧୀବାଦୀ କଂଗ୍ରେସୀ । ଏହାର ପରିଣାମ ଯୋଗୁଁ ଯେବେ ସିନ୍ଧରେ ‘ସତ୍ୟାର୍ଥପ୍ରକାଶ’ରେ(ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ରଚିତ ପୁସ୍ତକ) ପ୍ରତିବନ୍ଧ ଲାଗିଲା, ସେତେବେଳେ ଆର୍ଯ୍ୟସମାଜ ଅଧିକ କିଛି କରିପାରିଲା ନାହିଁ । ଏଥିଯୋଗୁଁ ଆର୍ଯ୍ୟସମାଜର ପ୍ରଭାବ ଆହୁରି ଗୌଣ ହେବାକୁ ଲାଗିଲା । ଆର୍ଯ୍ୟସମାଜର ସଦସ୍ୟ ପକ୍କା ଦେଶ ଭକ୍ତ ଥିଲେ । ଲାଲା ଲାଜପତ୍ ରାୟ ଏବଂ ସ୍ୱାମୀ ଶ୍ରଦ୍ଧାନନ୍ଦ ଉଭୟ ପକ୍କା ଆର୍ଯ୍ୟସମାଜୀ ଥିଲେ କିନ୍ତୁ ଅନ୍ତ ପର୍ଯ୍ୟନ୍ତ କଂଗ୍ରେସର ନେତା ଥିଲେ । ସେମାନେ ଗାନ୍ଧୀଙ୍କ ଅନୁଗାମୀ ନଥିଲେ, ବରଂ ଗାନ୍ଧୀଜୀଙ୍କ ମୁସଲମାନ ପ୍ରୀତି ବିରୁଦ୍ଧରେ ଥିଲେ । କିନ୍ତୁ ସେଇ ମହାପୁରୁଷ ଏବେ ଶାନ୍ତ ହୋଇଯାଇଥିଲେ । ବହୁତ ଆର୍ଯ୍ୟସମାଜୀ ସେଇପରି ରହିଲେ ଯେପରି ସେମାନେ ଥିଲେ । କିନ୍ତୁ ପ୍ରାୟ ସ୍ୱାର୍ଥୀନ୍ୱେଷୀ ମଣିଷ ତାଙ୍କର ମାର୍ଗଦର୍ଶନ କଲେ ଏବଂ ଗାନ୍ଧୀଜୀଙ୍କ କାରଣରୁ ଏବଂ ଗାନ୍ଧୀଜୀଙ୍କ ଯୋଗୁଁ ଆର୍ଯ୍ୟସମାଜ ଶକ୍ତିହୀନ ହୋଇପଡ଼ିଲା । ଆର୍ଯ୍ୟସମାଜର ନିନ୍ଦା କରିବା ସତ୍ୱେ ଗାନ୍ଧୀଜୀ ମୁସଲମାନଙ୍କ ମଧ୍ୟେ ଲୋକପ୍ରିୟ ହୋଇପାରିଲେ ନାହିଁ । ଅପରନ୍ତୁ ତାଙ୍କର ଏପରି କାର୍ଯ୍ୟକଳାପ ମୁସଲମାନଙ୍କୁ ଅଧିକ ପ୍ରୋତ୍ସାହିତ କଲା, ଉସକାଇଲା । ଆର୍ଯ୍ୟସମାଜ ଆମ ସମାଜରେ ଖରାପ ବିଚାର ଖେଲାଉଛି ବୋଲି ଜଣେ ଯୁବକ ଅପପ୍ରଚାର କଲେ । ଏଥିରେ କୌଣସି ସତ୍ୟତା ନଥିଲା । ପ୍ରତ୍ୟେକ ଭାରତୀୟ ଭଲ ଭାବେ ଅବଗତ ଯେ ଆର୍ଯ୍ୟସମାଜ ହିନ୍ଦୁ ଧର୍ମରେ ଅନେକ ସୁଧାରର ପ୍ରଣେତା । ଆର୍ଯ୍ୟସମାଜ ବିଧବା ବିବାହ ପ୍ରାରମ୍ଭ କଲେ । ଆର୍ଯ୍ୟସମାଜ ଜାତି-ଅଜାତି ସମାପ୍ତ କରିବା ନିମନ୍ତେ କ୍ରାନ୍ତିକାରୀ ପଦକ୍ଷେପମାନ ନେଲେ । ଆର୍ଯ୍ୟସମାଜର ସିଦ୍ଧାନ୍ତକୁ ସମ୍ମାନ ଦେଉଥିବା, ନିଜକୁ ସେଇ ବିଚାର ଅନୁରୂପ ଗଢ଼ିବା ପାଇଁ ପ୍ରଯତ୍ନଶୀଳ ବ୍ୟକ୍ତିବିଶେଷ ସେ ହିନ୍ଦୁ ହେଉ ଅବା ଅନ୍ୟ ଜାତିର, ଏକତା ପ୍ରତିଷ୍ଠା ପାଇଁ ସଦା ତତ୍ପର ଥିଲେ । ଲୋକମାନେ କିନ୍ତୁ ଭୁଲିଗଲେ ଯେ ଗାନ୍ଧୀଜୀ ଆର୍ଯ୍ୟସମାଜର କିପରି ହାନୀ କରିଛନ୍ତି । ଆର୍ଯ୍ୟସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ହିଂସା ଏବଂ ଅହିଂସା ସିଦ୍ଧାନ୍ତକୁ ଗୁରୁତ୍ୱ ଦେଉନଥିଲେ । ତାଙ୍କ ଅନୁସାରେ ଯେବେ ଆବଶ୍ୟକତା ହୁଏ ସେତେବେଳେ ଶକ୍ତି ପ୍ରଦର୍ଶନ କରିବାରେ ସର୍ବାଦୌ ଆବଶ୍ୟକ । ଆର୍ଯ୍ୟସମାଜର କଂଗ୍ରେସ ସଭ୍ୟ ଆର୍ଯ୍ୟସମାଜୀ ହୋଇ ରହିବେ ନା କଂଗ୍ରେସର ରହିବେ ଚିନ୍ତାରେ ଘାରି ହେଲେ । ଏହି ଦ୍ୱ୍ୱନ୍ଦ ସେମାନଙ୍କ ପାଇଁ ଧର୍ମ ସଙ୍କଟ ଥିଲା କାରଣ କଂଗ୍ରେସରେ ତ ସେମାନଙ୍କୁ ଅହିଂସା ସିଦ୍ଧାନ୍ତ ସ୍ୱୀକାର କରିବାକୁ ପଡ଼ିଥାନ୍ତା । ପରନ୍ତୁ ସ୍ୱାମୀଜୀଙ୍କ ମୃତ୍ୟୁ ହୋଇସାରିଥିଲା ଏବଂ ଗାନ୍ଧୀଜୀଙ୍କ ନେତୃତ୍ୱ ଅଧିକ ପ୍ରଭାବଶାଳୀ ହୋଇଚାଲିଥିଲା । ତେଣୁ ଲୋକେ ଗାନ୍ଧୀଙ୍କୁ ଅଧିକ ମହତ୍ୱ ଦେଲେ ଏବଂ ଅଧିକ ସଂଖ୍ୟାରେ ତାଙ୍କ ଅନୁଗାମୀ ହେଲେ ।

    (ଡ) ସିନ୍ଧ ପ୍ରାନ୍ତର ବିଭକ୍ତିକରଣ :
    ୧୯୨୮ ସୁଦ୍ଧା ଜିନ୍ନା ଜଣେ ପ୍ରଭାବଶାଳୀ ନେତା ଭାବେ ଉଭା ହୋଇସାରିଥିଲେ । ଗାନ୍ଧୀଜୀ ଦେଶ ଏବଂ ହିନ୍ଦୁଙ୍କ ସାମୂହିକ ସ୍ୱାର୍ଥ ବିପରୀତ କାର୍ଯ୍ୟମାନ କରି ଜିନ୍ନାଙ୍କ ଅନେକ ଅନୁଚିତ ମାର୍ଗ ମାନି ନେଇଥିଲେ । ସିନ୍ଧୁ ବମ୍ବେଠାରୁ ଅଲଗା କରିବା ବିଚାରକୁ ବି ମାନିନେଲେ ଗାନ୍ଧୀଜୀ । ଏବଂ ଏହି ପ୍ରକାରେ ସିନ୍ଧରେ ହିନ୍ଦୁଙ୍କୁ ସାମ୍ପ୍ରଦାୟିକ ଦାନବଙ୍କ ହାତରେ ସମର୍ପି ଦିଆଗଲା । ଅନେକ ଗଣ୍ଡଗୋଳ ହେଲା, କରାଚି, ସକ୍ଖର, ଶୀକାରପୁର ଏବଂ ସିନ୍ଧର ଅନ୍ୟ ସ୍ଥାନରେ ବି ହେଲା ଲୁଟତରାଜ୍ । ଏଥିରେ ହିନ୍ଦୁଙ୍କ ବି ବ୍ୟାପକ ବିନାଶ ହେଲା । ହିନ୍ଦୁ ମୁସଲମାନ ଏକତା ସ୍ୱପ୍ନ ହୋଇ ରହିଗଲା । ମହାତ୍ମା ଗାନ୍ଧୀଙ୍କର ଏହା ଏକ ଭୟଙ୍କର ଭୁଲ ଥିଲା । ହିନ୍ଦୁଙ୍କ ପ୍ରତି ଅବିଚାରର ମୂଳ କାରଣ ଥିଲା ।

    (ଚ) ମୁସଲିମ ଲିଗ କଂଗ୍ରେସରୁ ବିଦା :
    ପ୍ରତ୍ୟେକ ଅସଫଳତା ସତ୍ୱେ ଗାନ୍ଧୀଜୀ ନିରୁତ୍ସାହିତ ନହୋଇ ଅଧିକ ସ୍ଫୂର୍ତ୍ତି ସହ ହିନ୍ଦୁ -ମୁସଲମାନ ଏକତା ପାଇଁ ପ୍ରଯତ୍ନମାନ କଲେ । ହାରିଯାଇଥିବା ଜୁଆଡ଼ି ପରି ସେ ଆହୁରି ପୂର୍ଣ୍ଣପ୍ରାଣ ପ୍ରଚେଷ୍ଟିତ ହେଲେ ଜିନ୍ନାଙ୍କୁ ପ୍ରସନ୍ନ କରିବା ନିମିତ୍ତ ଓ ମୁସଲମାନ ତାଙ୍କର ନେତୃତ୍ୱ ସ୍ୱୀକାର କରନ୍ତୁ ବୋଲି ଅଭିଳାଷ ପୋଷଣ କଲେ । ପରନ୍ତୁ ଦିନକୁ ଦିନ ମୁସଲମାନ କଂଗ୍ରେସ ବିମୁଖ ହୋଇଉଠୁଥିଲେ । ଏପରି ପରିସ୍ଥିତି ହେଲା ଯେ ୧୯୨୮ ପରେ ମୁସଲିମ ଲିଗ କଂଗ୍ରେସ ସହିତ କୌଣସି ସମ୍ବନ୍ଧ ରଖିବା ପାଇଁ ବି ମନା କଲା । ୧୯୨୯ରେ ଯେବେ କଂଗ୍ରେସ ସ୍ୱତନ୍ତ୍ରତା ପ୍ରସ୍ତାବ ଲାହୋରରେ ପାରିତ କରାଇଲେ, ସେତେବେଳେ ମୁସଲମାନ ସେଥିରେ ସମ୍ମଲିତ ନଥିଲେ । ଏହା ପରେ ହିନ୍ଦୁ ମୁସଲମାନ ଏକତା ସ୍ୱପ୍ନ ହୋଇରହିଗଲା । କିନ୍ତୁ ଗାନ୍ଧୀଜୀ ନିଜ ଜିଦ୍ରେ ଅଟଳ ଥିଲେ ଏବଂ ମୁସଳମାନଙ୍କୁ ହିନ୍ଦୁ ହିତ ଲାଗି ଯାହା ଯାହା ଉଦ୍ଧିଷ୍ଟ ସେସବୁ ବଳି ଚଢ଼ାଇଚାଲିଲେ ।

    (ଚ) ଗୋଲ ଟେବୁଲ ସମ୍ମିଳନୀ ଏବଂ ଜାତୀୟତା :
    ଭାରତ ଏବଂ ଇଂଲଣ୍ଡରେ ଯେଉଁ ଇଂରେଜୀ ରାଜନୀତିଜ୍ଞ ଥିଲେ, ବିଚାର କଲେ, ଯେ ଭାରତରେ ସାମ୍ବିଧାନିକ ବିକାଶର ଆବଶ୍ୟକତା ରହିଛି, କାରଣ କେବଳ ବିଭେଦର ମଞ୍ଜି ବୁଣିବା ନୀତିରେ ବି ଇଂରେଜଙ୍କ ଶାସନ ଏଠାରେ ସୁରକ୍ଷିତ ଏବଂ ସ୍ଥାୟୀ ହୋଇପାରୁନଥିଲା । ୧୯୨୯ ଶେଷାର୍ଦ୍ଧରେ ସେମାନେ ଗୋଲ ଟେବୁଲ ବୈଠକର ଆୟୋଜନ ପାଇଁ ନିଷ୍ପତ୍ତି ନେଲେ ଏବଂ ଘୋଷାଣା ବି କଲେ । ଜେମ୍ସ ରାମସେ ମ୍ୟାକଡୋନାଲଣ୍ଡ ପ୍ରଧାନମନ୍ତ୍ରୀ ଥିଲେ ଏବଂ ଲେବଲ ଦଳର ମନ୍ତ୍ରୀମଣ୍ଡଳ ଥିଲା, ତଥାପି ଏହି ସମ୍ମେଳନର ଆୟୋଜନ ନିମିତ୍ତ ପଦକ୍ଷେପ ନେବାପାଇଁ ଅନେକ ବିଳମ୍ବ କରି ଦିଆଗଲା । ସମ୍ମିଳନୀର ଘୋଷଣା ପରେ ଲାହୋରରେ ସ୍ୱାଧୀନତାର ପ୍ରସ୍ତାବ ପାରିତ ହୋଇଗଲା ଏବଂ କଂଗ୍ରେସ ସେହି ସମ୍ମିଳନୀକୁ ବହିଷ୍କାର କରିଦେଲା । କିଛି ମାସ ପରେ ଲୁଣ ସତ୍ୟାଗ୍ରହ ଚାଲିଲା, ବହୁତ ଉତ୍ସାହରେ, ଏବଂ ଲୁଣ କାନୁନ ଭାଙ୍ଗିବାରୁ ପ୍ରାୟ ୭୦ ହଜାର ଲୋକଙ୍କୁ କାରାବାସ ହେଲା,ଏଣୁ କଂଗ୍ରେସ ଉପରୋକ୍ତ ବୈଠକ ବହିଷ୍କାର କରିଥିବା ହେତୁ ପଶ୍ଚାତାପ କଲା । ତେଣୁ ୧୯୩୧ରେ କରାଚିରେ ନିର୍ଣ୍ଣୟ ନିଆଗଲା ଯେ କେବଳ ଗାନ୍ଧୀଜୀଙ୍କୁ କଂଗ୍ରେସ ତରଫରୁ ସମ୍ମିଳନୀକୁ ପଠାଯାଉ । ଯିଏ ବି ଗୋଲଟେବୁଲ ବୈଠକର କାର୍ଯ୍ୟକ୍ରମ ଅଧ୍ୟୟନ କରିବ, ସ୍ୱତଃ ବୁଝିଯିବ ଯେ ଏହାର ଅସଫଳତାର କାରଣ କେବଳ ଗାନ୍ଧୀଜୀ । ସମ୍ମିଳନୀରେ କୌଣସି ନିର୍ଣ୍ଣୟ ଭାରତୀୟ ଜନତାଙ୍କ ସ୍ୱାର୍ଥ ଅନୁକୂଳ ନଥିଲା । ତଥାପି ଗାନ୍ଧୀଜୀ ମ୍ୟାକଡୋନାଣ୍ଡଙ୍କୁ ହିନ୍ଦୁ ଏବଂ ମୁସଲମାନଙ୍କୁ ଅଲଗା ଅଲଗା ନିର୍ବାଚନୀ ଅଧିକାର ଦେବାକୁ କହିଲେ, ଯଦ୍ଧରା ଦେଶରେ ପାରସ୍ପରିକ ବିଭେଦ ଯାହା ଗତ ୨୪ ବର୍ଷରୁ ଚଲିଆସୁଛି ଆହୁରି ଉତ୍କଟ ବା ଉଗ୍ର ହେବା ସମ୍ଭାବନା ଥିଲା । ଏହି ପ୍ରକାର ଗାନ୍ଧୀଜୀ ଭାରତୀୟ ବିଧାନମଣ୍ଡଳୀ ପାଇଁ ହୋଇଥିବା ହିନ୍ଦୁ ମୁସଲମାନଙ୍କ ପୃଥକ ପୃଥକ ନିର୍ବାଚନ ପାଇଁ ଉତ୍ତରଦାୟୀ ହେଲେ । ଗାନ୍ଧୀଜୀ ଏପରି ପୃଥକ ପୃଥକ ନିର୍ବାଚନ ପାଇଁ କୌଣସି ବିରୋଧ ମଧ୍ୟ କଲେ ନାହିଁ । ବରଂ ଏହାର ସଦସ୍ୟଙ୍କୁ ପରାମର୍ଶ ଦେଲେ ଯେ ସେମାନେ ଏହି ବିଷୟରେ ନିରପେକ୍ଷ ରୁହନ୍ତୁ । ଗାନ୍ଧୀଜୀ ଏହିପ୍ରକାର ହିନ୍ଦୁ ମୁସଲମାନ ଏକତା ଉପରେ କୁଠାରଘାତ କଲେ, ଯାହା ସେ ଗତ ୧୫ ବର୍ଷରୁ ସ୍ଥାପିତ କରିବାକୁ ଚେଷ୍ଟିତ ଥିଲେ । ୧୯୩୫ ନିୟମ ଅନୁସାରେ ବିଭିନ୍ନ ଆଞ୍ଚଳିକ ପ୍ରଦେଶ ଏବଂ କେନ୍ଦ୍ରରେ ହିନ୍ଦୁ ଏବଂ ମୁସଲମାନଙ୍କୁ ଅଲଗା ଅଲଗା ଅଧିକାର ଦେବା ଦାବିକୁ ଆମକୁ ମାନିବାକୁ ପଡ଼ିଲା । ଏହା ତ ସ୍ୱାଭାବିକ ଥିଲା ଯେଉଁ ଲୋକ ସାମ୍ପ୍ରଦାୟିକ ରୂପରେ ନିର୍ବାଚିତ ହେଲେ ସେମାନେ ଉଗ୍ର ବିଚାର ସମ୍ପନ୍ନ ଏବଂ ସାମ୍ପ୍ରଦାୟିକ ଝଗଡ଼ାର ଅନ୍ତ ପାଇଁ କୌଣସି ପ୍ରୟାସ କରିବେ ନାହିଁ । ଏପରି ଲୋକ ରାଷ୍ଟ୍ରବାଦୀ କିପରି ହୋଇପାରିବେ? ଏହି ପ୍ରକାର ହିନ୍ଦୁ ଏବଂ ମୁସଲମାନ ଅଲଗା ହେଲେ ଏବଂ ପରିସ୍ପର ବିରୋଧରେ କାର୍ଯ୍ୟମାନ କଲେ । ପ୍ରାୟ ଦେଖାଗଲା ଯେ ସାମ୍ପ୍ରଦାୟିକ ଝଗଡ଼ାରେ ହିନ୍ଦୁଙ୍କ ହିଁ ବେଶୀ କ୍ଷତି ହେଲା । ଲୋକେ ହିନ୍ଦୁ -ମୁସଲମାନ ଏକତା ପ୍ରୟାସରେ ବ୍ୟସ୍ତ ହୋଇପଡ଼ିଲେ, ତଥାପି ଗାନ୍ଧୀଜୀ ନିଜ ସିଦ୍ଧାନ୍ତରେ ସ୍ଥିର ରହିଲେ ।

    (ଛ) ସତ୍ତାଗ୍ରହଣ ଏବଂ ସତ୍ତାତ୍ୟାଗ :
    ୧୯୩୫ର ଅଧିନିୟମ ଅନୁସାରେ, ଅପ୍ରିଲ ୧୯୩୭ରୁ ପ୍ରାନ୍ତ ସବୁକୁ ପୃଥକ ଅଧିକାର ମିଳିଗଲା । ନିୟମରେ ଇଂରେଜଙ୍କ ଅଧିକାର ସଂପୂର୍ଣ୍ଣ ରୂପେ ସୁରକ୍ଷିତ ଥିଲା । ଯେଉଁ ଇଂରେଜ ଯେଉଁ ପଦରେ ଅଧିଷ୍ଠିତ ଥିଲେ ସେହି ପଦ ଅକ୍ଷୁଣ୍ଣ ରହିଲା । ତେଣୁ କଂଗ୍ରେସ ପ୍ରଥମରେ ପଦ ଗ୍ରହଣ କଲେ ନାହିଁ । କିନ୍ତୁ କଂଗ୍ରେସ ଦେଖିଲା ପ୍ରାନ୍ତରେ ମନ୍ତ୍ରୀମଣ୍ଡଳର ଗଠନ ହେଉଛି, ପ୍ରାନ୍ତରେ ଭଲ କାମ ବି ଚାଲୁଛି, ଏବଂ ଛଅ ପ୍ରାନ୍ତରେ ମନ୍ତ୍ରୀମଣ୍ଡଳ ଅଳ୍ପସଂଖ୍ୟକ ହେଲେ ବି ଉତ୍ତମ ରୂପେ କାର୍ଯ୍ୟନିର୍ବାହ କରୁଛନ୍ତ । ତେଣୁ ଦଳ ବିଚାର କଲା ଯେ ଯଦି ସେମାନେ ମନ୍ତ୍ରୀମଣ୍ଡଳରେ ଭାଗ ନ ନେବେ, ତାହେଲେ, ତା’ର ସ୍ଥିତିର କିଛି ମହତ୍ତ୍ୱ ରହିବ ନାହିଁ । ତେଣୁ ସେ ୧୯୩୫ ଜୁଲାଇରେ ପଦ ଗ୍ରହଣ ପାଇଁ ନିର୍ଣ୍ଣୟ କଲା । ପରନ୍ତୁ ପଦ ଗ୍ରହଣ କରିବା ସମୟରେ ସେ ମୁସଲିମ ଲିଗର ମୁସଲମାନଙ୍କୁ ମନ୍ତ୍ରୀ ପଦ ଦେଲା ନାହିଁ । ବରଂ ସେଇ ମୁସଲମାନଙ୍କୁ ଦେଲା ଯେଉଁମାନେ କଂଗ୍ରେସ ଦଳର ସଦସ୍ୟ ଥିଲେ । ଯଦି ନିର୍ବାଚନ ଏକ ସହିତ ସାମୂହିକ ଆଧାରରେ ହୋଇଥାଆନ୍ତା, ତାହେଲେ ଏହି କାର୍ଯ୍ୟ ସେଇ ପରିସ୍ଥିତରେ ତ ଠିକ୍ ଥିଲା । କିନ୍ତୁ ନିର୍ବାଚନ ତ ପୃଥକ ପୃଥକ ସାମ୍ପ୍ରଦାୟିକ ଆଧାରରେ ହେଲା । ଲିଗର ସୁଚୟିତ ପ୍ରତିନିଧିଗଣଙ୍କୁ ମନ୍ତ୍ରୀମଣ୍ଡଳରେ ନ ନେବା ଦ୍ୱାରା ସେଇ ମୁସଲମାନ ନେତଙ୍କ ମନ୍ତ୍ରୀମଣ୍ଡଳରେ କୌଣସି ପ୍ରତିନିଧିତ୍ୱ ରହିଲା ନାହିଁ ଯେଉଁମାନେ ଲିଗର ଆଶାୟୀ ସଦସ୍ୟଙ୍କୁ ଚୟନ କରି ପଠାଇଥିଲେ । ଦେଶରେ ମୁସଲମାନ ଅଳ୍ପସଂଖ୍ୟକ ଥିଲେ, ତେଣୁ ମାତ୍ର କେଇଜଣ ମୁସଲମାନଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ନ ମିଳିବା ଅବାଂଛିତ ଥିଲା । କଂଗ୍ରେସ ମନ୍ତ୍ରିମଣ୍ଡଳରେ ବାସ୍ତବରେ ମୁସଲମାନଙ୍କ ପ୍ରତିନିଧି ହିଁ ନଥିଲେ । ତେଣୁ କଂଗ୍ରେସ ମନ୍ତ୍ରିମଣ୍ଡଳ ସ୍ୱତଃ ହିନ୍ଦୁ ମନ୍ତ୍ରୀମଣ୍ଡଳ ହୋଇଗଲା । ଅନ୍ୟ ପଟେ, ମୁସଲମାନ କଂଗ୍ରେସ ଅଧିନରେ ରହିବାକୁ ପ୍ରସ୍ତୁତ ନଥିଲେ । ମୁସଲମାନଙ୍କୁ ନିଜ ଅଧିକାର ରକ୍ଷାର ଚିନ୍ତା ନଥିଲା । କାରଣ ବ୍ରିଟ୍ରିଶ ସରକାର ମୁସଲିମ ଲିଗର ସହାୟତା ପାଇଁ ସଦା ପ୍ରସ୍ତୁତ ଥିଲେ । ମନ୍ତ୍ରୀମଣ୍ଡଳରେ ଲିଗ ସଦସ୍ୟଙ୍କୁ ସ୍ଥାନିତ ନ କରଯିବାର ପରିଣାମ ସ୍ୱରୂପ ଜିନ୍ନା ବହୁତ ଲାଭ ଉଠାଇଲେ, ଯେବେ ୧୯୩୯ କଂଗ୍ରେସ ତ୍ୟାଗପତ୍ର ଦେଲା । ୧୯୩୫ ଆକ୍ଟର ଧାରା ୯୩ ଅନୁସାରେ ସତ୍ତା ଗଭର୍ଣ୍ଣରଙ୍କ ହାତକୁ ଚାଲିଗଲା ଏବଂ ଶେଷ ପ୍ରାନ୍ତରେ ସତ୍ତାଧାରୀ ମୁସଲିମ ଲିଗର ମନ୍ତ୍ରୀଙ୍କ ହାତରେ ରହିଲା । ଗଭର୍ଣ୍ଣରମାନେ ମୁସଲମାନଙ୍କ ପକ୍ଷ ନେଇ କାର୍ଯ୍ୟ କଲେ, କାରଣ ମୁସଲମାନଙ୍କ ପକ୍ଷ ନେବା ତ ଇଂରେଜଙ୍କ ନୀତିର ପ୍ରମୁଖ ଅଙ୍ଗ ଥିଲା । ହିନ୍ଦୁ-ମୁସଲମାନଙ୍କ ଏକତା କେବଳ ମାତ୍ର ଏକ ସ୍ୱପ୍ନ ଥିଲା । କିଛି ଅଧିକ ନୁହେଁ । ପରନ୍ତୁ ଗାନ୍ଧୀଜୀ ଏହି କଥନ ଉପରେ କେବେ ଧ୍ୟାନ ହିଁ ଦେଇନଥିଲେ ।

    (ଝ)ବିଶ୍ୱଯୁଦ୍ଧର ପରିସ୍ଥିତିରୁ ମୁସଲିମ ଲିଗର ଲାଭ:
    ପାଞ୍ଚଟି ପ୍ରାନ୍ତରେ ତ ମୁସଲମାନ ମନ୍ତ୍ରୀମଣ୍ଡଳ ଥିଲେ, ଏବଂ ଆଉ ଛ’ପ୍ରାନ୍ତରେ ମୁସଲମାନଙ୍କ ପକ୍ଷରେ ଗର୍ଭନର ଥିଲେ । ଏପରି ଦଶାରେ ଶ୍ରୀ ଜିନ୍ନା ଅତି ଦର୍ପରେ ଆଗକୁ ବଢ଼ିଲେ । କଂଗ୍ରେସ କିଛି ନା କିଛି ବାହାନାରେ ଯୁଦ୍ଧର ବିରୋଧ କରୁଥିଲା । କିନ୍ତୁ ଲିଗ୍ ଏବଂ ଜିନ୍ନାଙ୍କ ନୀତି ସ୍ପଷ୍ଟ ଥିଲା । ସେ ନିରପେକ୍ଷ ରହିଲେ । ପରବର୍ଷ ଲାହୋରଠାରେ ଲିଗ ଏକ ପ୍ରସ୍ତାବ ପାରିତ କଲେ ଯେ ଯଦି ଭାରତର ବିଭାଜନ କରି ଦିଆଯାଏ ଏବଂ ପାକିସ୍ତାନ ଦାବୀକୁ ସ୍ୱୀକାର କରାଯାଏ ତା’ହେଲେ ମୁସଲିମ ଲିଗ୍ ଯୁଦ୍ଧରେ ସହଯୋଗ କରିବ, ଅନ୍ୟଥା ନୁହେଁ । ଲାହୋରଠାରେ ଲିଗର ବୈଠକର କିଛି ମାସ ପରେ ଭାଇସରଏ ଲର୍ଡ ଲିନଲିଥଗୋଙ୍କ ଦ୍ୱାରା ସରକାରୀ ନୀତି ବିଷୟରେ ଘୋଷଣା କରାଗଲା; ସବୁ ଦଳର ସହମତି ବିନା ଭାରତ ବିଷୟରେ କୌଣସି ଫଇସଲା କରାଯିବନି । ଏଇ ପ୍ରକାର ଭାଇସରଏଙ୍କ ଘୋଷଣା ଅନୁସାରେ ଲିଗ ଓ ଜିନ୍ନାଙ୍କୁ ଭାରତର ରାଜନୈତିକ ସମସ୍ୟା ସମାଧାନର ଅନ୍ତିମ ନିର୍ଣ୍ଣୟ ମିଳିଗଲା । ଏହା ପଶ୍ଚାଚ୍ ଏ ସବୁ ବିଷୟକ କାର୍ଯ୍ୟଧାରା ଆହୁରି ଗତିତୀବ୍ର ହେଲା । ଲିଗ ମୁସଲମାନଙ୍କୁ ସେନାରେ ଯୋଗ ଦେବାକୁ କୌଣସି ବାଧା ଦେଇନଥିଲେ, ତେଣୁ ଅନେକ ମୁସଲମାନ ସେନାରେ ଭର୍ତ୍ତି ହେଲେ । ପଞ୍ଜାବର ମୁସଲମାନ ଚାହୁଁନଥିଲେ ଯେ ସେମାନଙ୍କ ସଂଖ୍ୟା ସେନାରେ କାହାଠାରୁ ବି କମ୍ ହେଉ । ସେନାରେ ଯୋଗଦାନ କରିଥିବା ମୁସଲମାନ ପାକିସ୍ତାନ ଗଠନରେ ସହମତି ଓ ଗଠନମୂଳକ କାର୍ଯ୍ୟ କରିବା ଆଶାରେ ଲିଗ ସେମାନଙ୍କୁ କୌଣସି ବାଧା ଦେଲେ ନାହିଁ । (ସାର ସିକନ୍ଦର ହୟାତ ଖାଁଙ୍କ ଭାଷଣ ପଢ଼ାଗଲା, ପଞ୍ଜାବର କାର୍ଯ୍ୟକାରୀ ରାଜ୍ୟପାଳ) ସେ କେବଳ ଚାହୁଁଥିଲେ, ତାଙ୍କର ସ୍ୱୀକୃତି ବିନା ଭାରତର ସମ୍ବିଧାନରେ କୌଣସି ପରିବର୍ତ୍ତନ ନ କରାଯାଉ ଏବଂ ୧୯୪୦ରେ ହିଁ ତାଙ୍କର ସବୁଠାରୁ ବଡ଼ ଅଭିଳାଷା, ‘ପାକିସ୍ତାନ ନିର୍ମାଣ’ ସାର୍ଥକ ହେଲା ।

    (ଙ) କ୍ରିସ୍ପ୍ ବିଭାଜନ-ଯୋଜନାକୁ ମାନ୍ୟତା
    ଯୁଦ୍ଧର ପକ୍ଷରେ ରହିବ ନା ବିପକ୍ଷରେ ଏହା ସ୍ୱୟଂ କଂଗ୍ରେସ ନିର୍ଣ୍ଣୟ କରିବାରେ ଅସମର୍ଥ ଥିଲା । ଏପରି ଆଚରଣ କଂଗ୍ରେସ ବାରମ୍ବାର କଲା । କେବେ ଭାଷଣ ରୂପରେ , କେବେ ଲେଖା ମାଧ୍ୟମରେ, ଏବଂ କେବେ ପ୍ରସ୍ତାବ ରୂପରେ । ସରକାର ଜାଣିଥିଲେ ଯେ ସରକାରଙ୍କ ନୀତି ଉପରେ ଟିପ୍ପଣୀ ଅତିରିକ୍ତ କଂଗ୍ରେସ ଭିନ୍ନ କିଛି କରିପାରିବ ନାହିଁ । ୧୯୪୨ ପର୍ଯ୍ୟନ୍ତ ଅନେକ ସଫଳତା ସହିତ ଏବଂ ବିନା କୌଣସି ବାଧାରେ ଯୁଦ୍ଧର ତୀବ୍ର ହେଉଥିଲା । ଯୁଦ୍ଧ ସକାଶେ ସରକାରଙ୍କୁ ଯେତେ ସାମଗ୍ରୀ, ଧନ ଏବଂ ମାନବ ସମ୍ବଳର ଆବଶ୍ୟକତା ହେଲା ସେସବୁ ବିନା ବାଧାରେ ମିଳିଯାଉଥିଲା । ଅର୍ଥ ଋଣ ମଧ୍ୟ ଅନାୟାସରେ ସରକାରଙ୍କୁ ମିଳିଯାଉଥିଲା । ୧୯୪୨ରେ କ୍ରିପ୍ସ ନିଜ ଯୋଜନା ମୁତାବକ ଭାରତ ଆସିଲେ ଏବଂ ଭାରତ ବିଭାଜନ ପ୍ରସ୍ତାବ ଦେଲେ । କ୍ରିପ୍ସଙ୍କ ଯୋଜନା ଅସଫଳ ହେଲା । କିନ୍ତୁ କଂଗ୍ରେସ କାର୍ଯ୍ୟସମିତି ବିଭାଜନ ସିଦ୍ଧାନ୍ତକୁ ସ୍ୱୀକାର କରିନେଲେ । ଏହାର ପଶ୍ଚାତ୍ରେ ଆହ୍ଲାବାଦଠାରେ ଅଖିଳ ଭାରତୀୟ କାର୍ଯ୍ୟକାରୀ ସମିତିର ବୈଠକରେ ବହୁମତରେ ବିଭାଜନ ପ୍ରସ୍ତାବକୁ ଅସ୍ୱୀକାର କରାଗଲା । ଏହି ପ୍ରସ୍ତାବକୁ ଅଗ୍ରାହ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ସ୍ୱଳ୍ପ ଥିଲା, ଏମାନଙ୍କ ମଧ୍ୟରେ ଥିଲେ ରାଜଗୋପାଳଚାର୍ଯ୍ୟ ଏବଂ ତାଙ୍କ ସାଥୀ । ମୌଲାନା ଆଜାଦ ସେଇ ସମୟରେ କଂଗ୍ରେସର ସଭାପତି ଥିଲେ । ଆହ୍ଲାବାଦ ପ୍ରସ୍ତାବର କିଛି ମାସ ଉପରାନ୍ତ, ମୌଲାନା ଆଜାଦ ଘୋଷଣା କଲେ ଯେ କଂଗ୍ରେସ କାର୍ଯ୍ୟସମିତି ପ୍ରଥମେ ଯେଉଁ ପ୍ରସ୍ତାବ ବିଭାଜନ ସିଦ୍ଧାନ୍ତକୁ ମାନି ନେଇ ପାରିତ କରାଇଥିଲେ ତା’ଉପରେ ଆହ୍ଲାବାଦ ପ୍ରସ୍ତାବର କୌଣସି ପ୍ରଭାବ ପଡ଼ିବନି । ସେହି ସମୟରେ କଂଗ୍ରେସ ବୁଝିପାରୁ ନଥିଲା କ’ଣ ଉଚିତ୍ ବା କ’ଣ ଅନୁଚିତ୍ । ମୁସଲମାନ ମନ୍ତ୍ରୀମଣ୍ଡଳ ଏବଂ ମୁସଲମାନଙ୍କ ପକ୍ଷ ନେଉଥିବା ଗଭର୍ନରଙ୍କ ଦ୍ୱାରା ଦେଶ ଉପରେ ସରକାର ଦୃଢ଼ ରୂପେ ଅଧିକାର ଜମେଇ ବସିଥିଲା । ରାଜାମାନେ ଯୁଦ୍ଧରେ ସହାୟତା କରିଥିଲେ । ପୁଞ୍ଜିପତିବର୍ଗ ସେମିତି ବି କଂଗ୍ରେସ ପ୍ରତି ସହାନୁଭୂତି ଦେଖାଉଥିଲେ, ପରନ୍ତୁ ବାସ୍ତବରେ ସରକାରଙ୍କ ଆବଶ୍ୟକତାକୁ ପୂରଣ କରି ସରକାରଙ୍କ ସମର୍ଥନ କରୁଥିଲେ । ଖଦିର ପ୍ରଚାର କରିବା ବାଲା ବି ସରକାରଙ୍କ ହାତରେ କମ୍ବଳ ବିକୁଥିଲେ । କଂଗ୍ରେସ ଦେଖିଲା ତାହାର ପ୍ରଭାବ ଦୁର୍ବଳ ହେଉଛି କାରଣ କଂଗ୍ରେସ ପଦରୁ ତ୍ୟାଗପତ୍ର ଦେଇଥିଲେ ବି ସରକାର ଉତ୍ତମ ରୂପେ ଚାଲୁଥିଲା ।

    (ଟ) କଂଗ୍ରେସର ‘ଭାରତ ଛାଡ଼’ ଏବଂ ଲିଗର ‘ବିଭାଜନ କର’ ଆନ୍ଦୋଳନ :
    ଯେବେ ଗାନ୍ଧୀଜୀ ନିରାଶ ହୋଇଗଲେ ସେତେବେଳେ ସେ ‘ଭାରତ ଛୋଡ଼’ ଆନ୍ଦୋଳନର ଯୋଜନା ପ୍ରସ୍ତୁତ କଲେ ଏବଂ କଂଗ୍ରେସ ଏଥିରେ ରାଜି ହୋଇଗଲା । ଏହି ଆନ୍ଦୋଳନ ବିଦେଶୀ ଶାସନ ବିରୁଦ୍ଧରେ ସବୁଠାରୁ ବଡ଼ ଆନ୍ଦୋଳନ ବୋଲି ଅଭିହିତ ହେଲା । ଗାନ୍ଧୀ ଜନତାଙ୍କୁ କହିଲେ, କର ବା ମର (Do or Die ) । କଂଗ୍ରେସର ଅନେକ ନେତାଙ୍କୁ ସରକାର କାରାଗାରରେ ଭର୍ତ୍ତି କଲେ । କିଛି ସପ୍ତାହ ପର୍ଯ୍ୟନ୍ତ କଂଗ୍ରେସ ନେତା ଗଣ୍ଡଗୋଳ କଲେ, କିଛି ହିଂସ୍ରକ କାର୍ଯ୍ୟରେ ମାତିଲେ । ପରନ୍ତୁ ତିନି ସପ୍ତାହ ମଧ୍ୟରେ ସରକାର ଆନ୍ଦୋଳନକୁ ଚାପିଦେଲେ ଏବଂ ଆନ୍ଦୋଳନର ପରିସମାପ୍ତି ଘଟିଲା । କଂଗ୍ରେସ ପ୍ରତି ସହାନୁଭୂତଶୀଳ ବ୍ୟକ୍ତି ଏବଂ ଅନେକ ସମାଚାର ପତ୍ର ଦଳର ନେତାଙ୍କୁ ମୁକ୍ତ କରିଦେବା ପାଇଁ ଅପିଲ କଲେ । ଗାନ୍ଧୀଜୀ ମୁକ୍ତ ହେବା ପାଇଁ ବ୍ରତ କଲେ କିନ୍ତୁ ଇଂରେଜ ସରକାର ଜର୍ମାନୀ ହାରି ନଗଲା, ଯାଏ ଦୁଇ ସପ୍ତାହ ପର୍ଯ୍ୟନ୍ତ ନେତାଙ୍କୁ ମୁକ୍ତ କଲା ନାହିଁ । ଜିନ୍ନା ‘ଭାରତ ଛାଡ଼’ ଆନ୍ଦୋଳନକୁ ବିରୋଧ କଲେ, କାରଣ ଏହି ଆନ୍ଦୋଳନକୁ ସେ ମୁସଲମାନଙ୍କ ପାଇଁ ହାନୀପ୍ରଦ ବୋଲି ବିଚାର କରୁଥିଲେ । ତେଣୁ ସେ ନାରାବାଜି କଲେ, ଯେ – ଭାରତର ବିଭାଜନ କର ଏବଂ ଯାଅ? ଏହା ହେଲା ଗାନ୍ଧୀଜୀଙ୍କ ହିନ୍ଦୁ ମୁସଲମାନ ଏକତାର ଅନ୍ତ ।

    (ଠ) ହିନ୍ଦୀଙ୍କ ବିରୁଦ୍ଧ ହିନ୍ଦୁସ୍ତାନୀ :
    ରାଷ୍ଟ୍ରଭାଷାର ପ୍ରଶ୍ନ ଉପରେ ଗାନ୍ଧୀଜୀ ଯେଉଁ ପ୍ରକାର ଅନୁଚିତ ପକ୍ଷ ନେଉଥିଲେ ଏପରି ଉଦାହରଣ କେଉଁଠି ବି ଦେଖିବାକୁ ମିଳିବ ନାହିଁ । ଯେକୌଣସି ଦୃଷ୍ଟିରୁ ଦେଖିଲେ ବି ରାଷ୍ଟ୍ରଭାଷାର ମର୍ଯ୍ୟାଦା ପାଇବାକୁ ହିନ୍ଦୀର ପ୍ରଥମ ଅଧିକାର ଅଛି । ଯେବେ ଗାନ୍ଧୀଜୀ ଭାରତରେ ସାର୍ବଜନୀକ କାର୍ଯ୍ୟ ପ୍ରାରମ୍ଭ କଲେ ସେବେ ବି ସେ ହିନ୍ଦୀକୁ ମହତ୍ୱ ଦେଇଥିଲେ । ପରନ୍ତୁ ଯେବେ ସେ ଦେଖିଲେ ଯେ ମୁସଲମାନ ହିନ୍ଦୀକୁ ପସନ୍ଦ କରୁନାହାଁନ୍ତି ସେ ନିଜ ନୀତିରେ ପରିବର୍ତ୍ତନ ଆଣିଲେ । ସେ ଏବେ ହିନ୍ଦୁସ୍ତାନୀର ପ୍ରଚାର ଆରମ୍ଭ କଲେ । ହିନ୍ଦୁସ୍ତାନର ପ୍ରତ୍ୟେକ ବ୍ୟକ୍ତି ନିଶ୍ଚୟ ଅବଗତ ଯେ ହିନ୍ଦୁସ୍ତାନୀ ନାମକ କୌଣସି ଭାଷା ନାହିଁ । ସେପରି ଭାଷାର ନା ଅଛି କୌଣସି ବ୍ୟାଖାରଣ ବା ଶବ୍ଦାବଳୀ । ତାହା କେବଳ ହିନ୍ଦୀ ଏବଂ ଉର୍ଦ୍ଧୁର ମିଶ୍ରଣ । ପୂରା ପ୍ରଯତ୍ନ କରି ବି ଗାନ୍ଧୀଜୀ ଏହି କଥିତ ଭାଷାକୁ ଲୋକପ୍ରିୟ କରାଇ ପାରିଲେନି । ମୁସଲମାନଙ୍କୁ ପ୍ରସନ୍ନ କରିବା ଅଭିପ୍ରାୟରେ ସେ ଯୁକ୍ତି କଲେ ଯେ ହିନ୍ଦୁସ୍ତାନୀକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ପ୍ରାପ୍ତ ହେଉ । ଅନ୍ଧ ଅନୁଗାମୀ ଏହି ଭାଷାର ପ୍ରଚାର କଲେ ଏବଂ ଏହି ଭାଷାର ପ୍ରୟୋଗ ବି କରାଗଲା । ‘ବାଦଶାହ ରାମ’ ଏବଂ ‘ବେଗମ ସୀତା’ ଭଳି ଶବ୍ଦ ବ୍ୟବହାର ହେଲା । କିନ୍ତୁ ମହାତ୍ମା ଗାନ୍ଧୀଙ୍କ ଏତିକି ସାହସ ନଥିଲା ମିଷ୍ଟର ଜିନ୍ନାଙ୍କୁ ମହାଶୟ ଜିନ୍ନା କରି ସମ୍ବୋଦନ କରିବାକୁ ଏବଂ ମୌଲାନା ଆଜାଦଙ୍କୁ ମହାଶୟ ଆଜାଦ । ସେ ଯାହା ବି ପ୍ରଯତ୍ନ କଲେ ହିନ୍ଦୁଙ୍କ ସ୍ୱାର୍ଥର ବଳି ଦେଇ କରିଲେ । ସେ ହିନ୍ଦୁ ମୁସଲମାନ ଏକତାର ସନ୍ଧାନରେ ଆଗକୁ ବଢ଼ି ଚାଲିଲେ । ମୁସଲମାନଙ୍କୁ ପ୍ରସନ୍ନ କରିବା ପାଇଁ ହିନ୍ଦୀର ସୌନ୍ଦର୍ଯ୍ୟ ଏବଂ ମଧୁରତାକୁ ନଷ୍ଟ କରିଦିଆଗଲା ପରନ୍ତୁ ଅନେକ କଂଗ୍ରେସ ସଦସ୍ୟ ଏହି ହିନ୍ଦୀ-ଉର୍ଦ୍ଦୁ ମିଶ୍ରଣକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ଗାନ୍ଧୀଜୀ ନିଜ ହିନ୍ଦୁସ୍ତାନୀ ଭାଷା ଜିଦରେ ଅଟଳ ରହିଲେ । ତଥାପି ହିନ୍ଦୁ ନିଜ ସଂସ୍କୃତି ଏବଂ ମାତୃଭାଷାର ଭକ୍ତିରେ ଅଟଳ ରହିଲେ । ସେମାନେ ଗାନ୍ଧୀଜୀଙ୍କ ପ୍ରରୋଚନାରେ ଫସିଲେ ନାହିଁ । ଏହାର ପରିଣାମ ସ୍ୱରୂପ ହିନ୍ଦୀ-ସାହିତ୍ୟ-ସମ୍ମିଳନୀରେ ଗାନ୍ଧୀଜୀଙ୍କ କଥନକୁ ମହତ୍ୱ ଦିଆଗଲା ନାହିଁ ଏବଂ ତାଙ୍କୁ ସଂସ୍ଥାରୁ ତ୍ୟାଗପତ୍ର ଦେବାକୁ ପଡ଼ିଲା । ତଥାପି ଏବେ ମଧ୍ୟ ଗାନ୍ଧୀଜୀଙ୍କ ବିଚାରକୁ ସରକାର ଏପରି ମହତ୍ୱ ଦେଉଛନ୍ତି ଯେ, ନିର୍ଦ୍ଧାରଣ କରିପାରୁନାହାଁନ୍ତି ଯେ ହିନ୍ଦୀକୁ ରାଷ୍ଟ୍ରଭାଷା କରିବେ ବା ହିନ୍ଦୁସ୍ତାନୀକୁ ? ସାଧାରଣ ଜନତା ବି କହିଦେଇପାରିବେ ଯେ ରାଷ୍ଟ୍ରଭାଷାର ଅଧିକାର ସେଇ ଭାଷାକୁ ଦିଆଯିବା ଉଚିତ ଯାହା ୮୦ ପ୍ରତିଶତ ଜନତାର ଭାଷା । ସେହି ଭାଷାକୁ ନୁହେଁ ଯାହା ୨ଜଣ ଲୋକେ ବି କହିବୁଝି ପାରନ୍ତି ନାହିଁ । ତଥାପି ଗାନ୍ଧୀଜୀ ମୁସଲମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ଏହି ଅନୁଚିତ ପ୍ରୟାସରେ ବ୍ୟାପ୍ତ ରହିଲେ । କେତେ ପ୍ରସନ୍ନତାର କଥା ଯେ ଏବେ କୋଟି କୋଟି ଦେଶବାସୀ ହିନ୍ଦୀ ଏବଂ ଦେବନଗରୀର ପ୍ରଶଂସକ ଅଟନ୍ତି । ଉତ୍ତର ପ୍ରଦେଶରେ ହିନ୍ଦୀକୁ ପ୍ରାନ୍ତୀୟ ଭାଷାର ମର୍ଯ୍ୟାଦା ବି ଦିଆଯାଇଛି । ଭାରତ ସରକାର ଯେଉଁ କମିଟି ଗଠନ କରିଥିଲେ, ସେଥିରେ ସମ୍ବିଧାନର ଶୁଦ୍ଧ ଅନୁବାଦ କରାଯାଇଛି । ଏବେ ଦେଖିବାର ଅଛି ଯେ କଂଗ୍ରେସ ବିଧାନସଭାରେ ହିନ୍ଦୀକୁ ସ୍ୱୀକାର କରୁଛି ବା ଗାନ୍ଧୀଙ୍କ ପ୍ରତି ନିଜ ଶ୍ରଦ୍ଧା ପ୍ରକଟର ଭାବୁକତାରେ ଭାସିଯାଇ ଏକ ବିଦେଶୀ ଭାଷାକୁ ଭାରତ ପରି ବିଶାଳ ଦେଶରେ ଲଦିଦେଉଛି । ବାସ୍ତବରେ ହିନ୍ଦୁସ୍ତାନୀ ଉର୍ଦ୍ଧୁ ଅଟେ । କେବଳ ନାମ-ମାତ୍ର ଭିନ୍ନ ଅଟେ । ଗାନ୍ଧୀଙ୍କଠାରେ ଏତିକି ସାହସ ନଥିଲା ଯେ ସେ ହିନ୍ଦୀର ପ୍ରତିଯୋଗିତାରେ ଉର୍ଦ୍ଧୁର ପ୍ରଚାର କରିପାରିବେ,ତେଣୁ ସେ ହିନ୍ଦୀର ପ୍ରତିଯୋଗିତାରେ ଉର୍ଦ୍ଧୁକୁ ହିନ୍ଦୁସ୍ତାନୀ ନାମରେ ଚଳାଇବା ଭଳି ଘୃଣିତ କାର୍ଯ୍ୟ କଲେ । ଉର୍ଦ୍ଧୁ ଭାଷା ଉପରେ କୌଣସି ଦେଶଭକ୍ତ ପ୍ରତିବନ୍ଧ ଲଗାଇ ନଥିଲେ, କିନ୍ତୁ ଉର୍ଦ୍ଧୁକୁ ହିନ୍ଦୁସ୍ତାନୀ ନାମରେ ଲଦି ଦିଆଯିବା ଧୋକା ଏବଂ ଅପରାଧ ଅଟେ । ହିନ୍ଦୁସ୍ତାନୀ ଏପରି ଭାଷା ଯାହାର କୌଣସି ଅସ୍ତିତ୍ୱ ହିଁ ନାହିଁ । କିନ୍ତୁ ଏହାକୁ ଗାନ୍ଧୀଙ୍କ ପରାମର୍ଶରେ ସ୍କୁଲରେ ପଢ଼ାଗଲା । କୌଣସି ଲାଭ ହେବ ବୋଲି ନୁହେଁ ବରଂ ଏଥିପାଇଁ ଯେ ଏହା ଦ୍ୱାରା ମୁସଲମାନ ଖୁସି ହେବେ । ଏହାଠାରୁ ଅଧିକ ସାଂପ୍ରଦାୟିକ ଅତ୍ୟାଚାର ଆଉ କ’ଣ ହୋଇପାରେ ? ଏହା ଥିଲା ଗାନ୍ଧୀଜୀଙ୍କ ସେବା, ହିନ୍ଦୁ ମୁସଲିମ ଏକତା ପାଇଁ ।

    (ଡ) ‘ବନ୍ଦେମାତରମ୍’ର ଆବୃତି ନହେଉ :
    ଗାନ୍ଧୀଜୀଙ୍କ ସବୁଠାରୁ ବଡ଼ ଭୁଲ ହେଲା ସଂପୂର୍ଣ୍ଣ ହିନ୍ଦୁରାଷ୍ଟ୍ରର ସମ୍ମାନ ଏବଂ ଭାବନାକୁ ଆଘାତ କରି ନ୍ୟାୟ ଏବଂ ଅନ୍ୟାୟର ବିଚାର ନିର୍ବିଶେଷରେ ସେ ମୁସଲମାନଙ୍କ ପାଇଁ ସବୁ କିଛି କରିବାକୁ ତତ୍ପର ରହୁଥିଲେ । ତାଙ୍କର ପ୍ରବଳ ଇଚ୍ଛା ଥିଲା ସେ ମୁସଲମାନଙ୍କ ନେତା ହେବେ । ମୁସଲମାନ ଏହା ପସନ୍ଦ କରୁନଥିଲେ ଯେ ‘ବନ୍ଦେମାତରମ୍’କୁ ରାଷ୍ଟ୍ରୀୟ ଭାଷା କରାଯାଉ । ତେଣୁ ଗାନ୍ଧୀଜୀ ଯେଉଁଠାରେ ବନ୍ଦେମାତରମ ଗାନ କରିପାରିଥାନ୍ତେ ସେଠାରେ ବି ଏହାର ଗାନ ବନ୍ଦ କରିଦେଲେ । ଗତ ୧୦୦ ବର୍ଷରୁ ଏହି ଗୀତ ଦେଶର ଲୋକପ୍ରିୟତା ବଜାୟ ରଖିଅଛି । ବଙ୍ଗାଳି ଭାରତୀୟମାନଙ୍କ ପାଇଁ ଏହା ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ଗୀତ ଲୋକଙ୍କୁ ଦେଶ ପାଇଁ ସଙ୍ଘଠିତ ହେବା ପାଇଁ ପ୍ରେରଣା ଦିଏ । ୧୯୦୫ରେ ଯେବେ ବଙ୍ଗାଳର ବିଭାଜନର ବିରୋଧ ହେଲା, ଯେବେଠାରୁ ଏହି ଗୀତ ବହୁତ ଲୋକପ୍ରିୟ ହୋଇଗଲା । ବଙ୍ଗାଳି ଏହି ଗୀତର ପ୍ରେରଣାରେ ମାତୃଭୂମିର ସେବା ପାଇଁ ଶପଥ ନେଉଥିଲେ । ପ୍ରତ୍ୟେକ ରାଷ୍ଟ୍ରୀୟ ସମାରୋହର ଶୁଭାରମ୍ଭ ଏହି ପବିତ୍ର ଗୀତରୁ ହେଉଥିଲା । ଏହାର ସମ୍ମାନ ରକ୍ଷା ନିମିତ୍ତ ଅନେକ ଦେଶଭକ୍ତ ଅପାର କଷ୍ଟ ସହିଲେ ଏବଂ ନିଜ ପ୍ରାଣଦାନ ଦେଲେ । ଇଂରେଜ ଅଧିକାରୀ ଏହି ଗୀତର ବାସ୍ତବିକ ଅର୍ଥ ବୁଝୁନଥିଲେ । ଏହାର ଅଭିପ୍ରାୟ କେବଳ ମାତଭୂମିର ବନ୍ଦନା । ୪୦ ବର୍ଷ ପୂର୍ବେ କିଛି ସମୟ ପାଇଁ ଏହା ଉପରେ ପ୍ରତିବନ୍ଧ ଲଗାଯାଇଥିଲା । କିନ୍ତୁ ଏହି ପ୍ରତିବନ୍ଧ ଯୋଗୁଁ ଏହି ଗୀତ ସଂପୂର୍ଣ୍ଣ ଭାରତର ଅଧିକ ଲୋକପ୍ରିୟ ହୋଇଗଲା । ସେବେଠାରୁ ଏହି ଗୀତ କଂଗ୍ରେସ ଏବଂ ଅନ୍ୟ ରାଷ୍ଟ୍ରୀୟ ଅଧିବେଶନରେ ଗାନ କରାଗଲା । କିନ୍ତୁ ଯେବେ ଜଣେ ମୁସଲମାନ ଆପତ୍ତି କଲେ, ଗାନ୍ଧୀଜୀ ସାରା ରାଷ୍ଟ୍ରର ଭାବନାକୁ ଦଳିଦେଇ ଚାପ ପ୍ରୟୋଗ କଲେ ଯେ ଏହି ଗୀତ ବିନା କାମ କରାଯାଉ । ତେଣୁ ଆଜି ଆମେ ରବୀନ୍ଦ୍ରନାଥଙ୍କ ‘ଜନ ଗଣ ମନ’ ଗୀତ ଗାଉଅଛୁ ଏବଂ ‘ବନ୍ଦେମାତରମ୍’ ଗାଇବା ବନ୍ଦ କରିଦେଇଛୁ । ଏହାଠାରୁ ଭିନ୍ନ କ’ଣ ପାପ ହୋଇପାରେ ଏପରି ବିଶ୍ୱ ପ୍ରସିଦ୍ଧ ଗୀତକୁ କେବଳ ଏଥିପାଇଁ ବନ୍ଦ କରିଦିଆଗଲା ଯେ ଏକ ଅଜ୍ଞାନୀ ଜିଦଖୋର ସମୂଦାୟ ଏହାକୁ ପସନ୍ଦ କରିନ୍ତି ନାହିଁ । ଯଦି ଏହି ବିଷୟକୁ ଉଚିତ ଢଙ୍ଗରେ ଦେଖାଯାଏ ତା’ହେଲେ ଅଜ୍ଞାନୀଙ୍କ ଅଜ୍ଞାନ ହଟିଯାଇ ଜ୍ଞାନର ପ୍ରକାଶ ଦେଖାଯାଇଥାନ୍ତା, କିନ୍ତୁ ନିଜ ୩୦ ବର୍ଷର ନେତୃତ୍ୱରେ ଗାନ୍ଧୀଜୀଙ୍କ ଏପରି ସାହସ କେବେ ହୋଇନଥିଲା । ତାଙ୍କର ହିନ୍ଦୁ-ମୁସଲମାନ ଏକତାର ସିଧା ଅର୍ଥ ଥିଲା, ମୁସଲମାନଙ୍କ ସାମ୍ନାରେ ମୁଣ୍ଡ ନୁଆଁଇ ସେମାନେ ଯାହା ଦାବୀ କରିବେ ସେ ସବୁ କିଛି ତାଙ୍କୁ ଦେଇ ଦିଆଯାଉ । କିନ୍ତୁ ଏହା ଦ୍ୱାରା ଏକତା ସ୍ଥାପିତ ତ ହେଲା ନାହିଁ ନା କେବେ ଏହା ସମ୍ଭବ ଥିଲା ।

    (ଡ) ଶିବାବାବନୀର ଉପରେ ପ୍ରତିବନ୍ଧ :
    ଗାନ୍ଧୀଜୀ ‘ଶିବାବାବନୀ’ (କବି ଭୂଷଣ ଦ୍ୱାରା ରଚିତ ୫୨ ଛନ୍ଦର କାବ୍ୟ ସଂଗ୍ରହ, ଏଥିରେ ଶିବାଜୀ ମହାରାଜଙ୍କ ଶୌର୍ଯ୍ୟ, ପରାକ୍ରମ ଆଦିର ଭବ୍ୟ ବନ୍ଦନା କରାଯାଇଛି) ପରି ସାହିତ୍ୟିକ ଏବଂ ଐତିହାସିକ ରଚନା ଉପରେ ବି ପ୍ରତିବନ୍ଧ ଲଗାଇଲେ ଯେପରି ଏହା ସର୍ବସାଧାରଣରେ ଆଉ ପଠନ ନ କରାଯାଇ ପାରିବ । ଏଥିରେ ବର୍ଣ୍ଣିତ ଅଛି ଯେ କେଉଁ ପ୍ରକାର ମରାଠା ହିନ୍ଦୁ ଧର୍ମ ଏବଂ ରାଷ୍ଟ୍ରର ରକ୍ଷା କରିଲେ । ‘ଶିବାବାବନୀ’ର ଏକ ଛନ୍ଦ ଅନୁସାରେ ଯେ ଯଦି ଶିବାଜୀ ନଥାଆନ୍ତେ ତା’ହେଲେ ସାରା ଦେଶରେ ଇସଲାମର ପ୍ରଭୁତ୍ୱ ସ୍ଥାପିତ ହୋଇଯାଇଥାନ୍ତା । କୁମ୍ଭକର୍ଣ୍ଣ ଅସୁର ଅବତାରୀ ଔରଙ୍ଗଜେବ, କାଶୀ ପ୍ରୟାଗରେ ପ୍ରାର୍ଥନା କଲେ ଆଲ୍ଲାଙ୍କର । ଭାଙ୍ଗିଦେଲେ ଦେବୀ ଦେଶ ସହର ଏବଂ ମହଲ୍ଲାକୁ, ଲକ୍ଷ ମୁସଲମାନ ଧର୍ମ ଭ୍ରଷ୍ଟ କଲେ ହିନ୍ଦୁଙ୍କର । ‘ଭୂଷଣ’ ଭଣତ ଭାଗ୍ୟ କାଶୀପତି ବିଶ୍ୱନାଥ । ଅଗଣିତ କାଣ୍ଡମାନ କଲେ, ଅସ୍ତବ୍ୟସ୍ତ ହେଲା ଜଗତ । କାଶୀ କର୍ବଲା ହେଲା ମଥୁରା ମଦିନା ଶିବାଜୀ ଯଦି ନ ଥାଆନ୍ତେ ଦିଶାହରା ହୋଇଥାନ୍ତେ ସଭିଁଏ । ଏହି ‘ଶିବାବାବନୀ’ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆନନ୍ଦ ଏବଂ ସ୍ଫୂର୍ତ୍ତିର ସ୍ରୋତ ଏବଂ ସାହିତ୍ୟ ଓ ଇତିହାସରେ ଅନେକ ମହତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଗାନ୍ଧୀଜୀ ତ ହିନ୍ଦୁ-ମୁସଲମାନ ଏକତାରେ ଲାଗିପଡ଼ିଥିଲେ, ଏବଂ ଏହି ଧ୍ୟେୟ ଉପଲବଧି ପାଇଁ ଯେ ହିନ୍ଦୁ ସଂସ୍କୃତି , ଇତିହାସ ଏବଂ ଧର୍ମର ଧମନ ଅତିରିକ୍ତ ତାଙ୍କ ପାଖରେ କୌଣସି ସରଳ ମାର୍ଗ ନଥିଲା ।

    (ଣ) ସୁହରାବର୍ଦ୍ଧିର ସଂରକ୍ଷଣ : ଅନ୍ୟାୟର ପ୍ରରାକାଷ୍ଠା:
    ମୁସଲିମ ଲିଗ ସେଇ ଅସ୍ଥାୟୀ ମନ୍ତ୍ରୀମଣ୍ଡଳରେ ସମ୍ମିଳିତ ହେବା ପାଇଁ ପ୍ରତ୍ୟାଖାନ କଲେ, ଯାହାର ନିର୍ମାଣ ପାଇଁ ଲର୍ଡ ୱାବଲ ନେହେରୁଙ୍କୁ ଆମନ୍ତ୍ରିତ କରିଥିଲେ । କେବଳ ଏତିକି ନୁହେଁ, ମୁସଲିମ ଲିଗ ନେହେରୁ ସରକାରଙ୍କ ବିରୁଦ୍ଧରେ ‘ସିଧା କାର୍ଯ୍ୟନୁଷ୍ଠାନ’ ପାଇଁ କାଉନସିଲ ଗଠନ କଲେ । ନେହେରୁ ମନ୍ତ୍ରୀମଣ୍ଡଳର ନିର୍ମାଣର ଦୁଇ ସପ୍ତାହ ପୂର୍ବରୁ ଅର୍ଥାତ୍ ୧୫ ଅଗଷ୍ଟ ୧୯୪୬ରେ କଲିକତାରେ ହିନ୍ଦୁଙ୍କ ବ୍ୟାପକ ସଂହାର କରାଗଲା ଏବଂ ବିନା କୌଣସି ବାଧାରେ ତିନଦିନ ଅବ୍ୟାହତ ରହିଲା । ଏହି ଦିନମାନଙ୍କର ଭୟାନକ ଘଟଣାର ରୋମାଞ୍ଚକାରୀ ଫଟୋଚିତ୍ର ପ୍ରସିଦ୍ଧ ଇଂରେଜୀ ଦୈନିକ ‘ଷ୍ଟେଟମ୍ୟାନ’ ପ୍ରକାଶିତ କରିଥିଲେ । ସେଇ ସମୟରେ ଏହା ଚିନ୍ତନ କରାଯାଇଥିଲା ଯେ ଯେଉଁ ସରକାରଙ୍କ ଅବଧିରେ ଏପରି ଅତ୍ୟାଚାର କରାଗଲା ସେଇ ସରକାରକୁ ବହିଷ୍କାର କରାଯିବା ଆବଶ୍ୟକ । ଏହି ସମୟରେ ସୁହାରାବର୍ଦ୍ଧି ଶାସନାଧୀନ ଥିଲେ । କିନ୍ତୁ ସାମ୍ୟବାଦୀ ଗଭର୍ନର ଭାରତ ସରକାରଙ୍କ ଆକ୍ଟ ଧାରା ୯୩ ଅନୁସାରେ ସରକାର ସମ୍ଭାଳିବା ପାଇଁ ମନା କରିଦେଲେ । ସେହି ସମୟରେ ଗାନ୍ଧୀଜୀ କଲିକତା ଗଲେ ଏବଂ ଏହିସବୁ ଅତ୍ୟାଚାରର ମୂଳ ସୁହାରାବର୍ଦ୍ଧି ସହିତ ମିତ୍ରତା ସ୍ଥାପନ କଲେ । ବାସ୍ତବରେ ସେଠାକୁ ଗାନ୍ଧୀଜୀ ସୁହାରାବର୍ଦ୍ଧି ଏବଂ ମୁସଲିମ ଲିଗର ସମର୍ଥନରେ ହିଁ ଯାଇଥିଲେ । ଏହି ତିନିଦିନରେ ଯେବେ ବି ସେଠାରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଲା ଲୋକଙ୍କ ରକ୍ଷା ପାଇଁ ପୁଲିସ ଆଦୌ ପ୍ରଯତ୍ନଶୀଳ ନଥିଲେ ଏବଂ ଯେଉଁମାନଙ୍କ କର୍ତ୍ତବ୍ୟ ଜନତାଙ୍କ ରକ୍ଷା କରିବାର ଥିଲା ସେଇମାନଙ୍କ ଆଖି ସାମ୍ନାରେ ହତ୍ୟା ସଙ୍ଘଠିତ ହେଉଥିଲା । ପରନ୍ତୁ ଗାନ୍ଧୀଜୀ ଏପରି ପୈଶାଚିକ କାଣ୍ଡକୁ ସାଧାରଣ ଘଟଣା ବୋଲି ଅଭିହିତ କଲେ । ସେ ସୁହାରାବର୍ଦ୍ଧିର ଅନେକ ପ୍ରଶଂସା କଲେ ଏବଂ ତାଙ୍କୁ ‘ଶହୀଦ’ ଅର୍ଥାତ୍ ‘ହୁତାତ୍ମା’ ବୋଲି ସମ୍ବୋଧନ କଲେ । ଦୁଇ ମାସ ପୂର୍ବରୁ ନୋଆଖାଲୀ ଏବଂ ଟିପ୍ପେରା ଜିଲ୍ଲାରେ ହିଂସ୍ରକ ଘଟଣାମାନ ହେଲା । ଆର୍ଯ୍ୟସମାଜର ପ୍ରତିବୃତ୍ତି ଅନୁସାର ୩୦,୦୦୦ ହିନ୍ଦୁ ସ୍ତ୍ରୀଙ୍କୁ ବଳପୂର୍ବକ ଇସଲାମ ଧର୍ମରେ ପରିବର୍ତ୍ତିତ କରାଗଲା । ତିନି ଲକ୍ଷ ଲୋକ ମୃତ୍ୟୁବରଣ କଲେ ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ଲୁଟ ହେଲା । ଏସବୁ ହୋଇଯିବା ପଶ୍ଚାତ୍ ଗାନ୍ଧୀଜୀ ନୋଖାଲୀ ଗସ୍ତ କରିବାକୁ ନିଷ୍ପତ୍ତି ନେଲେ । ଏମାନେ ଜାଣନ୍ତି ଯେ ସୁହାରାବର୍ଦ୍ଧି ସେଠାରେ ଗାନ୍ଧୀଜୀଙ୍କ ରକ୍ଷା କଲେ, କିନ୍ତୁ ଏତେ ସବୁ ସଂରକ୍ଷଣ ବାଦ୍ ବି ଗାନ୍ଧୀଜୀଙ୍କ ସାହସ ହେଲା ନାହିଁ ଯେ ନୋଖାଲୀ ଦଙ୍ଗା ଉପରେ ନିର୍ଭୟତାପୂର୍ବକ କିଛି କହିପାରିବେ । ଏସବୁ ଅତ୍ୟାଚାର, ସମ୍ପତ୍ତି ଲୁଟ ମନୁଷ୍ୟ ସଂହାର ଆଦି ସୁହାରାବର୍ଦ୍ଧି ପ୍ରଧାନମନ୍ତ୍ରୀ ଥିଲାବେଳେ ହୋଇଥିଲା କିନ୍ତୁ ଏହି ନରସଂହାରର ଆୟୋଜକ ସୁହାରବର୍ଦ୍ଧିକୁ ଗାନ୍ଧୀଜୀ ‘ଶହୀଦ’ର ପଦବୀ ଦେଲେ ।

    (ତ) ହିନ୍ଦୁ ଏବଂ ମୁସଲିମଙ୍କ ରାଜାଙ୍କ ମଧ୍ୟେ ଅନ୍ତର : ଗାନ୍ଧୀଜୀଙ୍କ ଅନୁଗାମୀ ରାଜକୋଟ ଏବଂ ଭାବନଗରର ରାଜାଙ୍କ କଥିତ ଅତ୍ୟାଚାରର ପର୍ଯ୍ୟାପ୍ତ ନିନ୍ଦା କଲେ । ଗାନ୍ଧୀଜୀଙ୍କ ଅନୁଗାମୀଗଣ ହିଁ କାଶ୍ମୀରରେ ମୁସଲମାନଙ୍କୁ ପ୍ରୋତ୍ସାହିତ କଲେ ଯେ ସେମାନେ ହିନ୍ଦୁ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତୁ । କିନ୍ତୁ ଗାନ୍ଧୀଜୀ ଏପରି କୌଣସି କାର୍ଯ୍ୟ ମୁସଲମାନ ଶାସିତ ରାଜ୍ୟରେ କରିନଥିଲେ । ଗ୍ୱୋଆଲିଅରରେ ମୁସଲିମ ଲିଗ ଏକ ଷଡ଼ଯନ୍ତ୍ର ରଚନା କଲେ । ଏହାର ପରିଣାମ ସ୍ୱରୂପ ମହାରାଜା ସିନ୍ଧିଆଙ୍କୁ ବାଧ୍ୟ କରାଗଲା ଯେ ସେ ବିକ୍ରମ ସବତ୍ସରଙ୍କ ଦୁଇଶହ ଜନ୍ମ ବର୍ଷସ୍ଫୂର୍ତ୍ତି ଅବସରରେ କୌଣସି ଉତ୍ସବ ନ ପାଳିବା ଲାଗି । ଏହା ଚାରି ବର୍ଷ ପୂର୍ବର ଘଟଣା । ଏହି ବିଦ୍ରୋହ ସାମ୍ପ୍ରଦାୟିକ ବିଦ୍ୱେଷ ଉଦ୍ଧେଶ୍ୟରେ କରାଯାଇଥିଲା । ସେଠାକାର ରାଜା ବହୁତ ଉଦାର ଏବଂ ଦୂରଦର୍ଶୀ ଥିଲେ । କିନ୍ତୁ କିଛି ସମୟ ପୂର୍ବେ ଯେବେ ଗ୍ୱାଆଲିଅରରେ ଉପଦ୍ରବ ଯୋଗୁଁ ମୁସଲମାନଙ୍କୁ ଅଳ୍ପ କିଛି ହାନି ହେଲା ସେତେବେଳେ ଗାନ୍ଧୀଜୀ ମହାରାଜାଙ୍କ ଅନୁଚିତ ନିନ୍ଦା କଲେ ।

    (ଥ) ଗାନ୍ଧୀଜୀଙ୍କ ଅନଶନ :
    ୧୯୪୩ରେ ଯେବେ ଗାନ୍ଧୀଜୀ କାରାବାସ ସମୟରେ ଅନଶନ କଲେ, ସେତେବେଳେ କୌଣସି ବ୍ୟକ୍ତିଙ୍କୁ ରାଜନୈତିକ ଆଲୋଚନା ପାଇଁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଉନଥିଲା । କେବଳ ତାଙ୍କ ନିକଟ ସମ୍ପର୍କୀୟ ତାଙ୍କ ସ୍ୱାସ୍ଥ୍ୟ ସମ୍ପନ୍ଧୀୟ ବିଷୟ ପାଇଁ ତାଙ୍କୁ ଭେଟୁଥିଲେ । ସେହିଦିନରେ ଶ୍ରୀ ରାଜଗୋପାଲାଚାର୍ଯ୍ୟ ତାଙ୍କୁ ଭେଟିଲେ ଏବଂ ପାକିସ୍ତାନ ନିର୍ମାଣ ପାଇଁ ତାଙ୍କ ସହିତ ପରାମର୍ଶ କଲେ । ଗାନ୍ଧୀଜୀ ତାଙ୍କୁ ଏ ବିଷୟରେ ଜିନ୍ନାଙ୍କୁ ସହିତ କଥାବାର୍ତ୍ତା ପାଇଁ ଅନୁମତି ଦେଲେ । ପୁଣି ୧୯୪୪ରେ ଗାନ୍ଧୀଜୀ ତିନି ସପ୍ତାହ ପର୍ଯ୍ୟନ୍ତ ଜିନ୍ନାଙ୍କ ସହିତ କଥାବାର୍ତ୍ତା କଲେ, ଏବଂ ତାଙ୍କ ସାମ୍ନାରେ ପାକିସ୍ତାନ ଯୋଜନା ବିଷୟରେ କହିଲେ । ଗାନ୍ଧୀଜୀ ପ୍ରତିଦିନ ଜିନ୍ନାଙ୍କ ଘରକୁ ଯାଉଥିଲେ, ତାଙ୍କ ପ୍ରଶଂସା କରୁଥିଲେ, ତାଙ୍କୁ ଆଲିଙ୍ଗନ କରୁଥିଲେ, କିନ୍ତୁ ଜିନ୍ନା ନିଜ ପାକିସ୍ତାନ ଜିଦରୁ ଇଞ୍ଚେ ବି ଓହରିଲେ ନାହିଁ । ଗାନ୍ଧୀଜୀ ହିନ୍ଦୁ ମୁସଲମାନ ଏକତା ଚାହୁଁଥିଲେ, ପରନ୍ତୁ ସବୁକିଛି ଏହାର ବିପରୀତ ହେଉଥିଲା ।

    (ଦ) ଦେଶାଇ ଲିୟାକତ ସନ୍ଧିପତ୍ର :
    ୧୯୪୫ରେ ଦେଶାଇ ଏବଂ ଲିୟାକତଙ୍କ ମଧ୍ୟେ କୁଖ୍ୟାତ ସନ୍ଧି ହେଲା । ଏହାର ପଶ୍ଚାତ୍ କଂଗ୍ରେସ ଆଉ ରାଷ୍ଟ୍ରୀୟ ସଂସ୍ଥା ହୋଇ ରହିନଥିଲା । କେନ୍ଦ୍ରୀୟ ବିଧାନ ପରିଷଦର କଂଗ୍ରେସ ଦଳର ନେତା ଶ୍ରୀ ଭୂଲାଭାଇ ଦେଶାଇ ଏବଂ ମୁସଲିମ ଲିଗ ଦଳର ନେତା ମିଆଁ ଲିୟାକତ ଅଲ୍ଲୀ ଇଂରେଜଙ୍କଠାରେ ଦାବୀ ଉପସ୍ଥାପିତ କଲେ ଯେ ସେସବୁ ସମସ୍ୟାର ସମାଧାନ କରାଯାଉ ଯାହା ଯୁଦ୍ଧ ପରିସମାପ୍ତି ପଶ୍ଚାତ୍ ଉଗ୍ର ରୂପ ଧାରଣ କରୁଅଛି । ଶ୍ରୀ ଦେଶାଇ ଏହି କାର୍ଯ୍ୟ କୌଣସି କଂଗ୍ରେସ ନେତାଙ୍କ ବିନା ପରାମର୍ଶରେ କରିଥିଲେ କାରଣ କଂଗ୍ରେସ ନେତାଗଣ ୧୯୪୨ରେ ଭାରତ ଛାଡ଼ ପ୍ରସ୍ତାବ ଯୋଗୁଁ ବନ୍ଦୀ ଥିଲେ । ଶ୍ରୀ ଦେଶାଇ କହିଲେ ଯେ ସେ ଏହି ଆଧାରରେ ଭାଇସରଏଙ୍କୁ ଭେଟିଲେ ଯେ କଂଗ୍ରେସ ଏବଂ ମୁସଲିମ୍ ଲିଗକୁ ସମାନ ପଦ ମିଳୁ । ଲର୍ଡ ୱାବଲଙ୍କ ନିକଟରେ ଏହି ପ୍ରାର୍ଥନା-ପତ୍ର ପହଞ୍ଚିଲା ମାତ୍ରେ ବିମାନରେ ଲେବର ସରକାରଙ୍କଠାରୁ ଏହି ସମ୍ମିଳନୀର ଆଜ୍ଞା ନେବା ପାଇଁ ଲଣ୍ଡନ ଗଲେ ଏବଂ ଏହି ବିଷୟରେ ଯେଉଁ ଘୋଷଣା ହେଲା ତାହା ସାରା ଦେଶକୁ ଭ୍ରମିତ କଲା । ବସ୍ତୁତଃ ଏହାଦ୍ୱାରା କଂଗ୍ରେସ ପ୍ରଜାତନ୍ତ୍ର ଏବଂ ରାଷ୍ଟ୍ରିୟତା ସହିତ ଧୋକା କଲେ । ଏହାଦ୍ୱାରା ଭାରତରେ ପ୍ରଜାତନ୍ତ୍ରର ଅନ୍ତ ଘଟିଲା ଏବଂ ନ୍ୟାୟ ବିଲୁପ୍ତି ହେଲା । କଂଗ୍ରେସ ଅନୁଗାମୀଙ୍କ ଏହି ଯୋଜନା ମାନିବାକୁ ପଡ଼ିଲା । କିଛି ସମୟ ପଶ୍ଚାତ୍ ଜଣାପଡ଼ିଲା ଯେ ସନ୍ଧିର ଅନ୍ତରାଳେ ଗାନ୍ଧୀଜୀ ଖେଳ ଖେଳୁଛନ୍ତି ଏବଂ ତାଙ୍କର ହିଁ ଆଶୀର୍ବାଦ ଦ୍ୱାରା ଏସବୁ କିଛି ହେଉଛି । ସନ୍ଧି ଏହି ପ୍ରକାର ଥିଲା :

      (୧) କଂଗ୍ରେସ ଏବଂ ଅନ୍ୟ ସବୁ ଦଳ ସେପର୍ଯ୍ୟନ୍ତ ଯୁଦ୍ଧରେ ସହାୟତା ଦିଅନ୍ତୁ ଯେ ପର୍ଯ୍ୟନ୍ତ ଜାପାନ ପରାସ୍ତ ନ ହୋଇଛି ।

      (୨) ଏକ ମିଳିତ ସରକାର ଗଠନ କରାଯାଉ ଯେଉଁଥିରେ କଂଗ୍ରେସ ଏବଂ ମୁସଲିମ ଲିଗର ପାଞ୍ଚ ପାଞ୍ଚ ସଦସ୍ୟ ରହିବେ ଏବଂ ଅଳ୍ପ ସଂଖ୍ୟକ ଜାତି, ଅର୍ଥାାତ୍ ଶିଖ ଏବଂ ଅସ୍ପୃଶ୍ୟ ଜନଙ୍କୁ ପ୍ରତିନିଧି ପୃଥକ ନିଆଯାଉ ।

      (୩) ଭାରତ ଛାଡ଼ ଆନ୍ଦୋଳନକୁ ବିନା ସର୍ତ୍ତରେ ପ୍ରତ୍ୟାହାର କରାଯାଉ । ଜେଲଦଣ୍ଡ ଭୋଗୁଥିବା ନେତାଙ୍କୁ କାରାମୁକ୍ତ କରାଯାଉ ।

      (୪) ଯାହା କିଛି ବି ପରାମର୍ଶ ଅର୍ନ୍ତଭୁକ୍ତ ହେବ ସେସବୁ ୧୯୩୫ ଆକ୍ଟର ସୀମା ବହିର୍ଭୁତ ନହେଉ ।

      (୫) ଭାଇସରଏ ଏବଂ ଗର୍ଭନର ଜେନେରାଲ ପଦବୀ କାଏମ ରହିବ । ଅର୍ଥାତ୍ ସେ ନୂଆ ସରକାରରେ ବି ସର୍ବୋପରି ସତ୍ତାଧାରୀ ରହିବେ ।

      (୬) ଯୁଦ୍ଧ ସମାପ୍ତି ପରେ ସ୍ୱାଧିନତା ସମସ୍ୟା Constituent Assembly ଦ୍ୱାରା ସମାଧାନ କରାଯାଉ ।

      (୭) ଯଦି ବର୍ତ୍ତମାନ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନଆସେ ତାହେଲେ ଭାଇସରଏ ପୁଣି ମନ୍ତ୍ରୀମଣ୍ଡଳ ଗଠିତ କରନ୍ତୁ । ଯାହାର ସଦସ୍ୟ ଭାରତବାସୀ ହେବେ ।

    ଯେଉଁ ଲୋକେ ତିନି ବର୍ଷ ପୂର୍ବ ଭାରତ ଛାଡ଼ ଆନ୍ଦୋଳନ କରିଥିଲେ ଏବଂ କର ବା ମର ର ସିଦ୍ଧାନ୍ତରେ ଅନୁପ୍ରାଣିତ ହୋଇ ବିଦ୍ରୋହ କରିଥିଲେ ସେଇମାନେ ଚୁପଚାପ୍ ଇଂରେଜଙ୍କ ସବୁ ସର୍ତ୍ତ ମାନିନେଲେ । ବାସ୍ତବରେ ଭାରତ ଛାଡ଼ ଆନ୍ଦୋଳନ ଅସଫଳ ହୋଇଥିଲା, କଂଗ୍ରେସ ନିକଟରେ ଭିନ୍ନ ପନ୍ଥା ନଥିଲା । ତେଣୁ ସେହି ସମୟର ସ୍ଥିତି ଅନୁରୂପ କଂଗ୍ରେସକୁ ତାହାହିଁ ସ୍ୱୀକାର କରିବାକୁ ପଡ଼ିଲା । କଂଗ୍ରେସର ଅସ୍ତିତ୍ୱ ପ୍ରାୟ ସମାପ୍ତ ହୋଇସାରିଥିଲା । ଏହା ଦ୍ୱାରା କେବଳ ଜିନ୍ନାଙ୍କୁ ଲାଭ ହେଲା । ଦ୍ୱିରାଷ୍ଟ୍ର ସିଦ୍ଧାନ୍ତ ଏବଂ ପାକିସ୍ତାନ ଦାବୀକୁ ପ୍ରୋତ୍ସାହନ ମିଲିଲା । ତଥାପି କଂଗ୍ରେସ ଅସଫଳ ହେଲା ଏବଂ ଗାନ୍ଧୀଙ୍କୁ ହିନ୍ଦୁ ମୁସଲମାନ ଏକତା କେବେ ପ୍ରାପ୍ତ ହେଲା ନାହିଁ ।

    (ଧ) କ୍ୟାବିନେଟ ମିଶନ ଯୋଜନା :
    ୧୯୪୬ର ଆଦ୍ୟ କାଳରେ ‘କ୍ୟାବିନେଟ ମିଶନ’ର ଭାରତ ଆଗମନ ହେଲା । ଏଥିରେ ଇଂଲଣ୍ଡର ଭାରତ ମନ୍ତ୍ରୀ ଶ୍ରୀ ଲରେଞ୍ଜ, ଶ୍ରୀ ଆଲେକଜେଣ୍ଡର ଏବଂ ଶ୍ରୀ କ୍ରିପ୍ସ ଥିଲେ । ମିଶନର ଭାରତ ଆସିବା ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ଆଟଲୀ ସଂସଦରେ ଏକ ଭାଷଣ ଦେଲେ । ସେ କହିଲେ, ଇଂରେଜ ସରକାର ଭାରତର ଶାସନ ଭାର ଭାରତବାସୀଙ୍କୁ ହିଁ ପ୍ରଦାନ କରିବାକୁ ଇଚ୍ଛୁକ । କିନ୍ତୁ ଏଥିପାଇଁ ସମସ୍ତ ଭାରତବାସୀ ଏକ ନିର୍ଣ୍ଣୟ ନେବେ । ସବୁ ଦଳ ନିଜ ନିଜ ମଧ୍ୟେ ସନ୍ଧି କରିନିଅନ୍ତୁ, ଏହାର ମିଶନର ଘୋଷିତ କାର୍ଯ୍ୟର ଅଭିପ୍ରାୟ ଥିଲା କିନ୍ତୁ ସେମାନେ ଯାହା କିଛି କଲେ ତାହା ଭାରତ ପାଇଁ ହାନୀକାରକ ସିଦ୍ଧ ହେଲା । କଂଗ୍ରେସ ସଙ୍ଘଠିତ ଭାରତ ଚାହୁଁଥିଲା ପରନ୍ତୁ କଂଗ୍ରେସକୁ ନିଜ ଧ୍ୟେୟ ଏବଂ ନିଜ ଦାବୀ ଉପରେ ଆତ୍ମବିଶ୍ୱାସ ନଥିଲା । ଅନ୍ୟ ପକ୍ଷେ ଜିନ୍ନା ବିଭାଜିତ ଭାରତ ଚାହୁଁଥିଲେ ଓ ସେ ନିଜ ଜିଦ୍ରୁ ଓହରିବାକୁ ରାଜି ନଥିଲେ । ଏହି ସମସ୍ୟାର ସମାଧାନ ବହୁତ କଠିନ ଥିଲା । ତେଣୁ ମିଶନ ସମସ୍ତଙ୍କ ସହିତ ଆଲୋଚନା କଲେ, ଏବଂ ୧୫ ମଇ ୧୯୪୬ରେ ନିଜ ନିଷ୍ପତ୍ତି ଶୁଣାଇଲେ । ମିଶନ ପ୍ରତ୍ୟକ୍ଷ ରୂପରେ ସଙ୍ଘଠିତ ଭାରତ ପ୍ରତି ଶୁଭକାମନା ପ୍ରକଟ କଲେ କିନ୍ତୁ ପ୍ରକାନ୍ତରରେ ନିଜ ଯୋଜନା ପାକିସ୍ତାନର ନିର୍ମାଣକୁ ମହତ୍ତ୍ୱ ଦେଲେ । ସେମାନଙ୍କ ୬ ଧାରା ଅନୁସରଣ ଦ୍ୱାରା ଭାରତର ବିଭାଜନ ନିଶ୍ଚିତ ଥିଲା । ସେଇ ବିଧାନ ପରିଷଦ ଚୟିତ ବ୍ୟକ୍ତି ଦ୍ୱାରା ନିର୍ମାଣ କରାଯାଇଥାଉ ପଛେ କିନ୍ତୁ ତାହା ଦ୍ୱାରା ପୂର୍ଣ୍ଣ ସ୍ୱତନ୍ତ୍ରତା ବିଧାନ ହୋଇପାରିନଥାନ୍ତା । ‘ଭାରତ ଛାଡ଼’ ଆନ୍ଦୋଳନର ଅସଫଳତା ପରେ କଂଗ୍ରେସ ଏପରି ନିରାଶ ହୋଇଯାଇଥିଲା ଯେ ରାଷ୍ଟ୍ରିୟତାର ଝଲକ ଥିବା ଯେକୌଣସି ଯୋଜନାକୁ ମାନିବା ପାଇଁ ତତ୍ପର ଥିଲା । ତେଣୁ ଏହାକୁ ସ୍ୱୀକାର କରି କଂଗ୍ରେସ ପ୍ରକାନ୍ତରରେ ପାକିସ୍ତାନର ନିର୍ମାଣକୁ ସହମତି ପ୍ରଦାନ କଲା । କିନ୍ତୁ ଯୋଜନାରେ ପାକିସ୍ତାନର ନାମ ନଥିବାରୁ ସେ ସନ୍ତୁଷ୍ଟ ଥିଲା । କଂଗ୍ରେସ ଯୋଜନାକୁ ସ୍ୱୀକାର କରିନେଲା, କିନ୍ତୁ କେନ୍ଦ୍ରୀୟ ସରକାର ଗଠନ ପାଇଁ ପ୍ରସ୍ତୁତ ନଥିଲା । ଅନ୍ତରେ କଂଗ୍ରେସକୁ ସରକାର ଗଠନ କରିବାକୁ ପଡ଼ିଲା ଏବଂ ବିନା ସର୍ତ୍ତ ସମସ୍ତ ଯୋଜନାକୁ ସ୍ୱୀକାର କରିବାକୁ ପଡ଼ିଲା । ଜିନ୍ନା ଇଂରେଜଙ୍କୁ ଅନ୍ୟାୟୀ କହି ତାଙ୍କର ନିନ୍ଦା କଲେ । ସେପଟେ ମୁସଲିମ ଲିଗ ସିଧା କାର୍ଯ୍ୟ ଆରମ୍ଭ କଲେ । ବଙ୍ଗାଳ, ପଞ୍ଜାବ, ବମ୍ବେ ଏବଂ ଅନ୍ୟ ସ୍ଥାନରେ ମୁସଲମାନ ଏପରି ରକ୍ତପାତ, ଲୁଟପାଟ ଏବଂ ଅଗ୍ନିକାଣ୍ଡମାନ କଲେ ଯେ ଏପରି କାର୍ଯ୍ୟ ଇତିହାସରେ କେଉଁଠାରେ ଦେଖିବାକୁ ମିଳେ ନାହିଁ । କେବଳ ହିନ୍ଦୁମାନେ ହିଁ କ୍ଷତି ସହିଲେ । କଂଗ୍ରେସ ସେଇ ସମୟରେ ନୀରବଦ୍ରଷ୍ଟା ସାଜିଲେ ଓ କୌଣସି ସ୍ଥାନରେ ହିନ୍ଦୁଙ୍କ ରକ୍ଷା କରିବାରେ ସକ୍ଷମ ହେଲେ ନାହିଁ । ୧୯୩୫ ଅଧିନିୟମ ଅନୁସାରେ ଗଭର୍ନର ଜେନେରାଲଙ୍କ ଏହି ଅଧିକାର ପ୍ରାପ୍ତ ଥିଲା ଯେ ଭାରତର କୌଣସି ଅଞ୍ଚଳରେ ଶାନ୍ତି ଭଙ୍ଗ ହେଲେ ସେ ସେଥିରେ ହସ୍ତକ୍ଷେପ କରିପାରିବେ, ପରନ୍ତୁ ସେ ବି ନିଶ୍ଚିନ୍ତ ଏବଂ ସବୁ ଘଟଣାର ମୁକ ସାକ୍ଷୀ ହେଲେ । ଲକ୍ଷ ଲକ୍ଷ ହିନ୍ଦୁଙ୍କ ହତ୍ୟା ହେଲା, ସହସ୍ର ହିନ୍ଦୁ ସ୍ତ୍ରୀ ଏବଂ ପିଲାଙ୍କୁ ଉଠାଇନିଆଗଲା । ଅପହୃତ ଏହି ଅବଳା ଜନତାଙ୍କ ମଧ୍ୟରୁ ଅଳ୍ପ କିଛି ଫେରି ଆସିବାରେ ସଫଳ ହେଲେ । କୋଟି କୋଟି ସମ୍ପତ୍ତିର ଲୁଟପାଟ କରାଗଲା, ଜଳେଇ ଦିଆଗଲା ବା ନଷ୍ଟ କରିଦିଆଗଲା । କିନ୍ତୁ ଗାନ୍ଧୀଜୀଙ୍କ ହିନ୍ଦୁ ମୁସଲମାନ ଏକତା ପ୍ରେମ ଏବେ ବି ଦୂରନ୍ତ ଥିଲା ।

    (ନ) କଂଗ୍ରେସ ଜିନ୍ନାଙ୍କ ଶରଣରେ :
    ପରବର୍ଷ ହିଁ କଂଗ୍ରେସ ଜିନ୍ନାଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଦେଲା, ଅର୍ଥାତ୍ ପାକିସ୍ତାନ ନିର୍ମାଣକୁ ସ୍ୱୀକାର କରିନିଆଗଲା । ଏହା ପରେ ଯାହା ହେଲା ତାହା ସମସ୍ତେ ଜାଣନ୍ତି । ଗାନ୍ଧୀଜୀ ତଥାପି ମୁସଲମାନଙ୍କ ପକ୍ଷ ନେଇଚାଲିଲେ । ଯେଉଁ ଲକ୍ଷ ଲକ୍ଷ ହିନ୍ଦୁଙ୍କ ଲୁଟପାଟ ହେଲା, କ୍ଷୟକ୍ଷତି ହେଲା, ମାହାତ୍ମା ଗାନ୍ଧୀ ପଦୁଟିଏ ମଧ୍ୟ କହିଲେ ନାହିଁ । ସେ ନିଜକୁ ମାନବତାର ସେବକ ବୋଲି କହୁଥିଲେ, କିନ୍ତୁ ତାଙ୍କ ପାଇଁ ମାନବତାର ଏକମାତ୍ର ପ୍ରତୀକ ମୁସଲମାନ ହିଁ ଥିଲେ । ତାଙ୍କ ମାନବତାର ପରିସର ମଧ୍ୟକୁ ହିନ୍ଦୁଙ୍କ ପ୍ରବେଶ ନଥିଲା । ଏପରି ବିଚିତ୍ର ‘ସାଧୁବୃତ୍ତି’ ଦେଖି ମୁଁ ମାନସିକ ଆଘାତ ପାଇଲି ।

    (ପ) ପାକିସ୍ତାନ ଉପରେ ଦ୍ୱି-ଅର୍ଥବୋଧକ ବ୍ୟକ୍ତବ :
    ନିଜର ଏକ ଲେଖାରେ ଗାନ୍ଧୀଜୀ ପାକିସ୍ତାନ କଳ୍ପନାର କଡ଼ା ବିରୋଧ କଲେ, କିନ୍ତୁ ତାହା କେବଳ ଉପରଠାଉରିଆ ଥିଲା । କାରଣ ସେହି ଲେଖାରେ ସେ ସ୍ପଷ୍ଟ ରୂପେ କହିଛନ୍ତି, ମୁସଲମାନ କିଛି ବି ମୂଲ୍ୟ ଦେଇ ପାକିସ୍ତାନ ଚାହୁଁଥିଲେ, କିଏ ଏଥିରେ ବିଘ୍ନ ଉପୁଜାଇ ପାରିବ? ଏଇ କଥନର ଅର୍ଥ ମହାତ୍ମା ହିଁ ଜାଣିଥିବେ । କ’ଣ ଏହା ପାକିସ୍ତାନର ପୁରସ୍କାର ଥିଲା? କ’ଣ ଏହା ପାକିସ୍ତାନ ନିର୍ମାଣର ଘୋଷଣା ଥିଲା । କ’ଣ ଏହା ପାକିସ୍ତାନ ଦାବୀର ପ୍ରତିରୋଧ ଥିଲା?

    (ଫ) କାଶ୍ମୀରର ମହାରାଜାଙ୍କୁ କୁପରାମର୍ଶ :
    କାଶ୍ମୀର ବିଷୟରେ ଗାନ୍ଧୀଜୀଙ୍କ ସଦା ପରାମର୍ଶ ଥିଲା ଯେ ସତ୍ତା ଶେଖ ଅବଦୁଲ୍ଲାଙ୍କ ସପର୍ପି ଦିଆଯାଉ । କେବଳ ଏଇଥିପାଇଁ ଯେ କାଶ୍ମୀରରେ ମୁସଲମାନ ବହୁସଂଖ୍ୟକ । ତେଣୁ ଗାନ୍ଧୀଜୀଙ୍କ ମତ ହେଲା ମହାରାଜା ହରିସିଂହ ସନ୍ୟାସ ନେଇ କାଶୀ ଚାଲିଯିବା ଉପଯୁକ୍ତ ହେବ ପରନ୍ତୁ ହାଇଦରାବାଦ ବିଷୟରେ ଗାନ୍ଧୀଜୀଙ୍କ ନୀତି ଭିନ୍ନ ଥିଲା । ଯଦିଓ ହିନ୍ଦୁଙ୍କ ସଂଖ୍ୟା ଅଧିକ ଥିଲା, ପରନ୍ତୁ ଗାନ୍ଧୀଜୀ ସମସ୍ତଙ୍କୁ କହୁଥିଲେ, ନିଜାମ ଫକିର ହୋଇ ମକ୍କା ଚାଲିଯାଆନ୍ତୁ ।

    (ବ) ମାଉଣ୍ଟ ବାଟେନ ହିନ୍ଦସ୍ତାନର ବିଭାଜନ କଲେ :
    ୧୫ ଅଗଷ୍ଟ, ୧୯୪୬ରେ ପଶ୍ଚାତ୍ ମୁସଲିମ ଲିଗର ଗୁଣ୍ଡା ହିନ୍ଦୁଙ୍କୁ ଲୁଟ କଲେ, କୌଣସି ବି ସୁଯୋଗ ହାତଛଡ଼ା କଲେ ନାହିଁ । ଏହା ଦେଖି ଲର୍ଡ ୱାବଲଙ୍କୁ ଔପଚାରିକ ଦୁଃଖ ପ୍ରକଟ କଲେ ପରନ୍ତୁ ସେ ଏହି ଅପରାଧକୁ ପ୍ରତିହତ କରିବା ପାଇଁ ୧୯୩୫ ଆକ୍ଟ ଅନୁସାରେ ପ୍ରାପ୍ତ ହସ୍ତକ୍ଷେପ ଅଧିକାରର ପ୍ରୟୋଗ କଲେ ନାହିଁ । କରାଚିଠାରୁ ବଙ୍ଗଳା ପର୍ଯ୍ୟନ୍ତ ହିନ୍ଦୁଙ୍କ ରକ୍ତ ବୋହିଲା । କେବଳ ଦକ୍ଷିଣରେ ମୁସଲମାନଙ୍କୁ କିଞ୍ଚିତ ପ୍ରତିରୋଧ ହେଲା । ୨ ସେପ୍ଟେମ୍ବର ୧୯୪୬ ପଶ୍ଚାତ୍ କଂଗ୍ରେସ ଏବଂ ମୁସଲିମ ଲିଗର ମିଳିତ ସରକାର କାମ କଲେ, କିନ୍ତୁ ଏଥିରେ ପାରସ୍ପରିକ ସହଯୋଗ ପ୍ରାୟ ନଥିଲା କହିଲେ ଚଳେ । ମୁସଲମାନ ସଦସ୍ୟ ଯଥା ସମ୍ଭବ ପ୍ରଯତ୍ନ କଲେ ଯେ କୌଣସି ପ୍ରକାରେ ସରକାରୀ କାର୍ଯ୍ୟର ଗତିରୋଧ ହେଉ । ସେମାନେ ଏହା ସିଦ୍ଧ କରିବାକୁ ଚାହୁଁଥିଲେ ଯେ ମିଲିତ ସରକାର କାମ କରିବାକୁ ଅକ୍ଷମ ପରନ୍ତୁ ସେମାନେ ଯେତିକି ଅସହଯୋଗ କଲେ, ଗାନ୍ଧୀ ତାଙ୍କର ସେଥିକି ଖୋସାମଦ କରିଲେ । ଲର୍ଡ ୱାବଲ ଉଭୟ ପକ୍ଷ ମଧ୍ୟେ ବୁଝାମଣା କରି ପାରିଲେ ନାହିଁ । ତେଣୁ ତାଙ୍କୁ ତ୍ୟାଗପତ୍ର ଦେବାକୁ ପଡ଼ିଲା । ତାଙ୍କ ଆତ୍ମା ଏହା ସ୍ୱୀକାର କରିପାରୁନଥିଲା ଯେ ଭାରତର ବିଭାଜନ ହେଉ । ସେ ସ୍ପଷ୍ଟ ରୂପରେ କହିଥିଲେ ଯେ ବିଭାଜନର କୌଣସି ଆବଶ୍ୟକତା ନାହିଁ । ଏହା ପରେ ଲର୍ଡ ମାଉଣ୍ଟ ବ୍ୟାଟେନଙ୍କ ଭାରତ ଦାୟିତ୍ୱ ସମ୍ଭାଲିଲେ । ଲର୍ଡ ମାଉଣ୍ଟ ବ୍ୟାଟେନ ଦକ୍ଷିଣ-ପୂର୍ବ କମାଣ୍ଡର କମାଣ୍ଡର ଥିଲେ । ସେ ଜଣେ ସେନାନିବୃବୃ ଅଧିକାରୀ ଥିଲେ । ଅତ୍ୟନ୍ତ ସାହସୀ ଓ ନିଜ ଦାୟିତ୍ୱ ନିର୍ବାହ କରିବାରେ ସିଦ୍ଧହସ୍ତ ଥିଲେ । ସେ ଭାରତକୁ ଆସିଥିଲେ କିଛି କରିବା ଅଭିପ୍ରାୟରେ କିନ୍ତୁ କଲେ କ’ଣ ? କେବଳ ଭାରତର ବିଭାଜନ । ତାଙ୍କୁ ରକ୍ତପାତର କୌଣସି ଚିନ୍ତା ନଥିଲା । ତାଙ୍କ ଆଖି ସାମ୍ନାରେ ରକ୍ତନଦୀ ବୋହି ଚାଲିଲା । ବୋଧହୁଏ ତାଙ୍କ ବିଚାର ଥିଲା ଯେ ଯେତିକି ହିନ୍ଦୁଙ୍କ ମୃତ୍ୟୁ ହେଉଥିଲା ସେତିକି ଶତ୍ରୁ କମ୍ ହେଉଥିଲେ । କାରଣ ହିନ୍ଦୁ ହିଁ ତାଙ୍କ ଯୋଜନା ପୂର୍ତ୍ତିରେ ବାଧା ଉତ୍ପନ୍ନ କରୁଥିଲେ । ତେଣୁ ଏହି କଥା ଉପରେ ସେ ଲେଶମାତ୍ର ଧ୍ୟାନ ହିଁ ଦେଲେ ନାହିଁ । ଜୁନ, ୧୯୪୮ରେ ଭାରତକୁ ସତ୍ତା ସମର୍ପି ଦେବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତହିଁ ପୂର୍ବରୁ ହିନ୍ଦୁ ଏବଂ ମୁସଲମାନଙ୍କ ରକ୍ତ ବୋହି ଯାଇଥିଲା । କଂଗ୍ରେସ ରାଷ୍ଟ୍ରିୟତାର ଜୟଘୋଷ କରୁଥିଲେ । ଜିନ୍ନାଙ୍କ ତରବାରୀ ସମ୍ମୁଖରେ ନତମସ୍ତକ ଛିଡ଼ା ହୋଇଥିଲେ ଏବଂ ଗୁପ୍ତ ରୂପରେ ପୂର୍ଣ୍ଣ ପାକିସ୍ତାନକୁ ସ୍ୱୀକାର କରିନିଆଗଲା । ଭାରତର ଟୁକୁଡ଼ା କରିଦିଆଗଲା । ୧୫, ଅଗଷ୍ଟରେ ଭାରତର ଏକ ତୃତୀୟାଂଶ ଭୂମି ବିଦେଶ ହୋଇଗଲା । ସମସ୍ତ ଭାଇସରଏଙ୍କ ମଧ୍ୟରୁ ଲର୍ଡ ମାଉଣ୍ଟ ବ୍ୟାଟେନଙ୍କୁ ମହାନ୍ ଗଭର୍ନର ଜେନେରାଲ ବୋଲି କଂଗ୍ରେସ ପ୍ରଶଂସା କଲା କାରଣ ସେ ହିନ୍ଦୁସ୍ତାନର ତିନି ଟୁକୁଡ଼ା କରି ୩୦ ଜୁନ , ୧୯୪୮ର ୧୦ ମାସ ପୂର୍ବରୁ କଂଗ୍ରେସକୁ ସତ୍ତା ଅର୍ପଣ କଲେ । ଏହା ହିଁ ଚରମ ଉପଲବଧି ଥିଲା ଯାହା ବିଗତ ୩୦ ବର୍ଷରେ ଗାନ୍ଧୀଜୀଙ୍କ ପ୍ରୟାସର ଫଳ ଥିଲା । ଏହାକୁ ହିଁ କଂଗ୍ରେସ ସ୍ୱତସ୍ତ୍ରତା ବୋଲି କହୁଛି । ଯଦି ୧୯୪୬-୪୭ରେ ଏବଂ ୪୮ରେ ଘଟଣାମାନ ଶାନ୍ତି ଘଟଣା ଥିଲା ତାହେଲେ ଅଶାନ୍ତି କାହାକୁ କୁହାଯିବ? ହିନ୍ଦୁ-ମୁସଲମାନ ଏକତାର ଫୋଟକା ଶେଷରେ ଫାଟିଗଲା ଏବଂ ସାମ୍ପ୍ରଦାୟିକ ଆଧାରରେ ନୂଆ ଦେଶ ଜାତ ହେଲା । ପଣ୍ଡିତ ନେହେରୁ ଏବଂ ତାଙ୍କ ସାଥୀ ଏହି ସ୍ୱତନ୍ତ୍ରତାର ଶ୍ରେୟ ନିଜର ତଥାକଥିତ ବଳିଦାନକୁ ଦେଲେ ପରନ୍ତୁ ପ୍ରକୃତ ବଳିଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କ ଜୟଗାନ ଇତିହାସ ନିରନ୍ତର କରିବ ।

    (ଭ) ଗାନ୍ଧୀଜୀ ଏବଂ ଗୋବଧ :
    ଗାନ୍ଧୀଜୀ ଗୋରକ୍ଷା ପାଇଁ ତୀବ୍ର ଆଗ୍ରହୀ ଥିଲେ ପରନ୍ତୁ ବାସ୍ତବରେ ଏ ସଂକ୍ରାନ୍ତରେ କିଛି ବି କରିଲେ ନାହିଁ । ପ୍ରାର୍ଥନା ସଭାରେ ସେ ଯେଉଁ ଭାଷଣ ଦେଉଥିଲେ, ସେଥିରେ ଏମିତି ଏକ ଭାଷଣରେ ସେ ସ୍ପଷ୍ଟ ରୂପେ ମାନିଲେ ଯେ ସେ ଗୋରକ୍ଷାରେ ଅସଫଳ ହେଇଛନ୍ତି । ତାଙ୍କର ସେଇ ଭାଷଣର କିଛି ଉଦ୍ଧୃତାଂଶ :- “ଆଜି ରାଜେନ୍ଦ୍ର ବାବୁ ମୋତେ ସୂଚିତ କଲେ ତାଙ୍କ ପାଖକୁ ୫୦ ହଜାର ପୋଷ୍ଟକାର୍ଡ ଏବଂ ପଚିଶି- ତିରିଶ ହଜାର ତାର ବାର୍ତ୍ତା ଆସିଛି । ସେସବୁରେ ଗୋହତ୍ୟାକୁ ଆଇନତଃ ଅସିଦ୍ଧ ଘୋଷିତ କରାଯାଉ ବୋଲି ଦାବୀ କରାଯାଇଛି । ଏ ବିଷୟରେ ମୁଁ ପୂର୍ବରୁ ବି କିଛି କହିଥିଲି । କାହିଁକି କେଜାଣି ଏତେ ସଂଖ୍ୟକ ପୋଷ୍ଟକାର୍ଡ ଏବଂ ତାର ବାର୍ତ୍ତା ପଠାଇଛନ୍ତି ? ଏହାର କୌଣସି ଲାଭ ନାହିଁ । ଭାରତରେ ଗୋହତ୍ୟା ବନ୍ଦ ପାଇଁ କୌଣସି ଆଇନ ପ୍ରଣୟନ ଅସମ୍ଭବ । ମୁଁ ନିଜ ଇଚ୍ଛାକୁ କିପରି ସେହି ମନୁଷ୍ୟ ଉପରେ ଲଦି ପାରିବି ଯିଏ ସ୍ୱୟଂ ଗୋହତ୍ୟା ଛାଡ଼ିବାକୁ ନାରାଜ । ହିନ୍ଦୁସ୍ତାନ କେବଳ ହିନ୍ଦୁଙ୍କ ଦେଶ ନୁହେଁ । ଏଠାରେ ମୁସଲମାନ, ଖ୍ରୀଷ୍ଟଧର୍ମାନୁଲମ୍ବୀ, ପାର୍ଶୀ ସବୁ ପ୍ରକାର ଧର୍ମର ଲୋକେ ବାସ କରନ୍ତି । ହିନ୍ଦୁଙ୍କ ବିଚାର ଯେ ହିନ୍ଦୁସ୍ତାନ କେବଳ ହିନ୍ଦୁଙ୍କ ଦେଶ, ଏହା ବିଲକୁଲ ଭୁଲ ଧାରଣା । ଏହି ଦେଶ ସେ ସମସ୍ତଙ୍କର ଯେଉଁମାନେ ଏଠାରେ ବାସ କରୁଛନ୍ତି । ମୋତେ ଏକ ନୈଷ୍ଠିକ ବୈଷ୍ଣବଙ୍କ କଥା ସ୍ମରଣକୁ ଆସୁଛି । ଏହି ସଜ୍ଜନ ନିଜ ପୁତ୍ରକୁ ଗୋମାଂସର ରସ ଦେଉଥିଲେ ।”

    (ମ) ତ୍ରିରଙ୍ଗା ପତକାର ଅପମାନ :
    କଂଗ୍ରେସ ଗାନ୍ଧୀଜୀଙ୍କ ସମ୍ମାନର୍ଥେ ଚରଖା ପତକାକୁ ରାଷ୍ଟୀୟ ଧ୍ୱଜା ରୂପେ ଆପଣେଇଲେ । ସମସ୍ତ ପ୍ରକାରର କାର୍ଯ୍ୟକ୍ରମ, ଉତ୍ସବ ଆଦିରେ ଏହି ଚରଖାବାଲା ପତକାର ବ୍ୟବହାର କରାଯାଉଥିଲା । ପ୍ରତ୍ୟେକ ଅଧିବେଶନରେ ପ୍ରଚୁର ସଂଖ୍ୟାରେ ତ୍ରିରଙ୍ଗା ଉଡ଼ାଯାଉଥିଲା । ଏହି ଧ୍ୱଜା ବିନା ପ୍ରଭାତ ଫେରୀ ଅସଂପୂର୍ଣ୍ଣ ରହୁଥିଲା ଯେମିତି । ଯେବେ କଂଗ୍ରେସର କୌଣସି ବିଜୟ ହେଉଥିଲା, ବାସ୍ତବିକ ହେଉ ବା ଅବାସ୍ତବିକ, ସବୁ ଲୋକଙ୍କ ଭବନ ଏବଂ ଦୋକାନ ତ୍ରିରଙ୍ଗା ପତକାରେ ସଜ୍ଜିତ କରାଯାଉଥିଲା । ଯଦି କେହି ହିନ୍ଦୁ ଶିବାଜୀଙ୍କ ଭବ୍ୟ ଧ୍ୱଜାକୁ ସମ୍ମାନ ଦେଉଥିଲା, ଯେଉଁ ଗେରୁଆ ଧ୍ୱଜା ଭାରତକୁ ମୁସଲମାନ ଆଧିପତ୍ୟରୁ ମୁକ୍ତ କରାଇଥିଲା, ସେଇ ବ୍ୟକ୍ତିଙ୍କୁ ସାମ୍ପ୍ରଦାୟିକ ବୋଲି ଚିହ୍ନିତ କରାଯାଉଥିଲା । ତ୍ରିରଙ୍ଗା ପତକା ନା କୌଣସି ହିନ୍ଦୁ ସ୍ତ୍ରୀର ସମ୍ମାନ ରକ୍ଷା କଲା, ନା କୌଣସି ହିନ୍ଦୁ ମନ୍ଦିରକୁ ଅପବିତ୍ର ହେବାରୁ ରକ୍ଷା କଲା । ତଥାପି ସ୍ବର୍ଗୀୟ ଭାଇ ପରମାନନ୍ଦ ଦ୍ୱାରା ଏହି ଧ୍ୱଜାକୁ ପ୍ରଣାମ ନକରାଯିବାରୁ କଂଗ୍ରେସୀ ଦେଶଭକ୍ତ ତାଙ୍କୁ ଗାଳି କଲେ ଏବଂ ସାମୂହିକ ରୂପେ ତାଙ୍କ ଉପରେ ଆକ୍ରମଣ ବି କରାଗଲା । ଛାତ୍ରମାନେ ବି ତ୍ରିରଙ୍ଗାକୁ ବିଶ୍ୱବିଦ୍ୟାଳୟ କୋଠାରେ ଉଡ଼ାଇ ତାହାର ସମ୍ମାନ କରିଥିଲେ । ବମ୍ବେରେ ଏକ ମେଜରଙ୍କୁ ‘ସର’ ପଦବୀରୁ ବରଖାସ୍ତ କେବଳ ଏଥିପାଇଁ କରାଗଲା ତାଙ୍କର ସ୍ତ୍ରୀ ଏହି ଧ୍ୱଜାକୁ କର୍ପୋରେସନ୍ କୋଠାରେ ଉଡ଼ାଇ ଥିଲେ । ଏହି ରାଷ୍ଟ୍ରଧ୍ୱଜା ସହିତ କଂଗ୍ରେସର ଏପରି ଘନିଷ୍ଠ ସମ୍ପର୍କ ଥିଲା ଯେ ଯେବେ ନୋଆଖାଲୀ ଏବଂ ଟିପ୍ପରାରେ ୧୯୪୬ରେ କାଣ୍ଡ ପଶ୍ଚାତ୍ ଗାନ୍ଧୀଜୀ ନୋଆଖାଲୀ ଗସ୍ତ କରୁଥିଲେ ସେଇ ଧ୍ୱଜା ତାଙ୍କ କୁଟୀରରେ ମଧ୍ୟ ଉଡ଼ୁଥିଲା । କିନ୍ତୁ ଯେବେ ଏକ ମୁସଲମାନକୁ ସେହି ଧ୍ୱଜା ସେଠାରେ ଉଡ଼ୁଥିବାର ଆପତ୍ତି ହେଲା, ଗାନ୍ଧୀଜୀ ତତ୍କାଳ ଧ୍ୱଜାକୁ ହଟାଇଦେଲେ । ଲକ୍ଷ ଲକ୍ଷ କଂଗ୍ରେସ ସମର୍ଥକ ଏବଂ କୋଟି କୋଟି ଦେଶବାସୀଙ୍କର ଏହି ଧ୍ୱଜା ପ୍ରତି ଶ୍ରଦ୍ଧାକୁ ସେ ଏହି ପ୍ରକାର ଅପମାନିତ କରିଥିଲେ । କେବଳ ଏଇଥିପାଇଁ ଯେ ସେହି ଧ୍ୱଜା ଅବତରଣ ଦ୍ୱାରା ଏକ ମୁସଲମାନ ଖୁସି ହେଇଯିବ । ତଥାପି ଗାନ୍ଧୀଜୀଙ୍କୁ ହିନ୍ଦୁ ମୁସଲମାନ ଏକତାର ଧ୍ୟେୟକୁ ପ୍ରାପ୍ତି କହିପାରିଲେ ନାହିଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top