୧
ଛବି ମୋର ଅସୁନ୍ଦର
ହାତ କିନ୍ତୁ ରହେ ନାହିଁ ।
ତୂଳୀରେ ମୋର ଗୋଟିଏ ରଙ୍ଗ
ଦେଖି କେବେ ଥକେ ନାହିଁ ।
ସମୟ ସରିନି ମୋର
ତାରା ବି ଆଙ୍କିବି ଜହ୍ନବି ଆଙ୍କିବି
ମୁଁ ଖାଲି ଅପେକ୍ଷା କରିଛି
ରାତିର ଅନ୍ଧାରକୁ ।
ସୁନ୍ଦର ନହେବା ଯାଏ ଆଙ୍କୁଥିବି
ବୟସ ମୋର ବଢିଯାଉ ।
ଶହ ଶହ ତାରାର ମିଞ୍ଜି ମିଞ୍ଜି ଆଲୋକରେ
ଛୋଟ ଛୋଟ ସ୍ୱପ୍ନ ସବୁ ରୂପ ଦେବି ।
ଗତ ଶେଷ ରାତିରେ କଳା କିମ୍ବା ଧଳା
ବାଦଲ ଜହ୍ନକୁ ଘୋଡେଇ ଥିଲା
ତାହା ଜାଣିନାହିଁ ।
ସେହି ରାତିରେ ଆଙ୍କିଥିଲି ଛବିଟିଏ
ଦେଖିବାକୁ ଜହ୍ନ ଆସିନାହିଁ,
ଆସିଥିଲେ ଅବା ତା’ ସହ ଆଳାପ କରିଥାନ୍ତି ।
ସକାଳ ନହେବା ଯାଏ ବସିଥିବି ଚାହିଁ
ଚିତ୍ରପଟରୁ ଯେବେ ନସୁଖିଚି ରଙ୍ଗ,
ଚଟାଣରେ ପଡ଼ିଥିବା ଛିଟାରଙ୍ଗର ଚିହ୍ନ
ରହି ଯାଏ ସବୁଦିନ ପାଇଁ ।
ସକାଳ ସୂର୍ଯ୍ୟ କିରଣ ହଳଦୀ ରଙ୍ଗରେ ରଙ୍ଗେଇ
ଆସିଥିଲା ହଳଦୀ ବସନ୍ତ
ଦେଇଗଲା ଶୁଭ ବାର୍ତ୍ତା ।
ଜାଣିଲି ପରେ ହଳଦୀ ବସନ୍ତର ବାର୍ତ୍ତା
କେବେ ବିଫଳ ହୁଏ ନାହିଁ
ଆଖିରେ ଦେଖିଲେ ସତ –
ସ୍ଵପ୍ନରେ ଦେଖିଲେ ବି ହୁଏ ସତ ।
୨
ଦ୍ରୁତ ପବନ ଗର୍ବରେ ଭାଙ୍ଗିଦିଏ
ଗଛର ଡାଳ ।
ପ୍ରମାଣ ଦବ ଏଇ ବିଜୁଳି ।
ବଉଳ ଫୁଲର ବାସ୍ନା ହଜିଯାଏ ଏଇ ବର୍ଷା ମାଡରେ
ମୌସୁମୀ ଠକି ଦେଇଯାଏ
ବେଗି ବେଗି ଫାଙ୍କା ରାସ୍ତାରେ,
ଚୋର ପରି ଜହ୍ନ ଲୁଚିଲୁଚି
ଦେଖିଯାଏ ସବୁ ଘଟଣା,
ଧରିତ୍ରୀ ଡରିଯାଏ ବାଦଲ ଗର୍ଜନରେ
ବଉଳଫୁଲ ରାଗିଯାଏ ମୌସୁମୀ-ପବନ-ବାଦଲ ଉପରେ ।
ମୁଁ ବସିଛି ଚାହିଁ, କ’ଣ ଘଟୁଛି
ଏଇ ଜୀବିତ ଜଗତରେ, ସନ୍ଧ୍ୟା ହେଲେ
ଖୋଜା ହେବ ନିଜର ସଂପତି,
ନ ପାଇଲେ କେତେ ଉତ୍ତେଜନା କେତେ ଭାବନା
ସୃଷ୍ଟି ହେବ ।
ରାତି କେତେ ଭାବନା ଆଣେ
ଦେହରୁ ଝାଳ ନିଗିଡେ ଆଖିରୁ ଲୁହ,
ଅନ୍ଧାର ଦେଖାଏ ରାସ୍ତା
ସେହି ବାଟରେ ଯାଏ ବାମପାର୍ଶ୍ଵରେ
ନିଜର ପାଦ ଶବ୍ଦ ନିଜକୁ ବିବ୍ରତ କରେ
ଡାକିଲି ହେ ଈଶ୍ୱର ,
କରିଛ ଯାହା ରହୁ ନିରନ୍ତର
ଶେଷ ସମୟ ପର୍ଯ୍ୟନ୍ତ କରିବି ତାର ଉପାସନା ।