ପାଟଳବରଣା ଉଷା ଦିଗ୍ବଳୟ ଧାରେ
ଦେଖାଇଲାଣି ଲପନ ରାତ୍ରି ଅବସାନେ
ଉଠିଲେଣି ନିଦ୍ରା ତେଜି ଗ୍ରାମ ଜନପଦ
ହୋଇବେ କର୍ମ ଚଞ୍ଚଳ ଜନ, ପ୍ରାଣୀମାନେ ।
ବାୟସ ସକଳ କରି କା’ କା’ ରବ
ଉଡ଼ି ବୁଲି ଚତୁର୍ଦ୍ଦିଗେ କରନ୍ତି ପ୍ରଚାର
ଉଠ ଉଠି ସର୍ବେ ପରା ହେଲାଣି ସକାଳ
ହେଉ କର୍କଶ ଶବଦ କରେ ଉପକାର ।
କୁକ୍କଟ ସଦର୍ପେ ଗ୍ରୀବାଚୁଳ ଟେକି
କକର-କ’ ଶବ୍ଦେ ଅବା ଏହା କହୁଥାଇ
କାହିଁକି ରହିଛ ଶୋଇ ଆହେ ବିଶ୍ୱବାସୀ
ସମୟ ଯାଉଚି ଗଡ଼ି କିବା ଜଣାନାହିଁ ।
ଚାଷୀକୁଳ ଚାଷ କାର୍ଯ୍ୟେ ହେଲେଣି ବାହାର
ବିଦ୍ୟାଳୟେ ଯିବା ପାଇଁ ଛାତ୍ରଛାତ୍ରୀ ଗଣ
ମନ୍ଦିର ପୂଜକ ସାରି ସ୍ନାନ ସରୋବରେ
ଫେରୁଛନ୍ତି କରି କରି ମନ୍ତ୍ର ଉଚ୍ଚାରଣ ।
ବିହଙ୍ଗମେ ବିଲମାଳେ ଯାଉଛନ୍ତି ଉଡ଼ି
ଖୋଜିବାକୁ ପୋକ ଜୋକ ନିଜ ନିଜ ଖାଦ୍ୟ
ଯେଝା କାର୍ଯ୍ୟେ ନିୟୋଜିତ ହେବାକୁ ସରବେ
ହୁଅନ୍ତି ପ୍ରସ୍ତୁତ ଶୁଣି ଉଷାକାଳ ବାଦ୍ୟ ।
ରକ୍ତାଭ ଗୋଲକ ସୂର୍ଯ୍ୟ କ୍ରମେ ନଭ ମାର୍ଗେ
ହୋଇଲେଣି ଅଗ୍ରସର ଔଜ୍ଜଲ୍ୟ ପ୍ରକାଶି
ସକଳ ଶକ୍ତିର ସେହୁ ଅଟନ୍ତି ଆଧାର
ତାଙ୍କ ବିନା ପାରିବେକି ଜୀବନ ଧାରଣ
କରି ସ୍ଥାବର ଜଙ୍ଗମ ସର୍ବ ବିଶ୍ୱବାସୀ ?
ବାଲ୍ୟକାଳ ଜୀବନର ଉଷାକାଳ ପ୍ରାୟ
ମହତ କାର୍ଯ୍ୟେ ପ୍ରବୃତ୍ତ ହେବା ନିରନ୍ତରେ
ମାନବର ଇତିହାସେ ହେବ ଲିପିବଦ୍ଧ
ଚିରକାଳ ଲାଗି ନାମ ସୁବର୍ଣ୍ଣ ଅକ୍ଷରେ ।