ଗଳ୍ପ

ଆଶ୍ଚର୍ଯ୍ୟ ଚିତ୍ରକର

Dr Bibhuti Pattanaik's odia story Aascharjya Chitrakar

ତଥାପି ତାଙ୍କର ଆଶା ଥିଲା, ତା’ ପ୍ରତି ତାଙ୍କ ପିତୃ ହୃଦୟରେ ସଞ୍ଚିତ ଥିବା ସ୍ନେହ, ଶ୍ରଦ୍ଧା, ଶୁଭକାମନା କଥା ମନରେ ହେଜି ଅଜୟ ଘରକୁ ଫେରିଆସିବ ।

ଆଶ୍ଚର୍ଯ୍ୟ ଚିତ୍ରକର

-: ପୂର୍ବରୁ :-

ଇଞ୍ଜିନିୟରିଂ ପଢ଼ିବୁ ନାହିଁ ଯଦି ଏ ଘରେ ତୋର ସ୍ଥାନ ନାହିଁ ବୋଲି କହିଦେଇ ଜିଭ କାମୁଡ଼ି ପକାଇବା ଆଗରୁ ସତକୁ ସତ ଅଜୟ ଘରଛାଡ଼ି ଚାଲିଯିବ- ଏକଥା ଭୁଲ୍‌ରେ ସୁଦ୍ଧା ଭାବି ନ ଥିଲେ ନୀଳମାଧବ । ଏମିତି କ’ଣ ଗର୍ହିତ କଥା ସେ କହିଥିଲେ ଯେ ବାପାମାଆ, ଭାଇଭଉଣୀ, ଘରଦ୍ୱାର ସହ ସବୁ ସମ୍ପର୍କ ଆଖି ପିଛୁଡ଼ାକେ ତୁଟେଇ ଦେଇ ସେ ଚାଲିଗଲା ।

ସେ ମୁହଁ ବୁଲାଇ ଚାଲିଗଲାବେଳେ ଦୌଡ଼ିଯାଇ ତାକୁ ଅଟକାଇ ନ ଥିଲେ ନୀଳମାଧବ ।

ତାଙ୍କର ମନେ ହୋଇଥିଲା ତାଙ୍କଠାରୁ ଗାଳି ଶୁଣି ସେ ପରୀକ୍ଷା ଦେବା ପାଇଁ କାନପୁର୍ ଫେରି ଯାଉଛି । କିନ୍ତୁ ତିନିଦିନ ପରେ ସେ ଆଇ.ଆଇ.ଟି. ପ୍ରିନ୍ସପାଲ୍‌ଙ୍କୁ ଅଜୟର ଅବସ୍ଥାନ କଥା ପଚାରିଲେ- ସେ ଉତ୍ତର ଦେଲେ- “ଆଉ ଇଞ୍ଜିନିୟରିଂ ପାଠ ପଢ଼ିବ ନାହିଁ, ତେଣୁ ପରୀକ୍ଷା ଦେବ ନାହିଁ ବୋଲି ଅଜୟ ରାଉତରାୟ ହଷ୍ଟେଲ ଛାଡ଼ି ଚାଲିଯାଇଛି ।” ବାସ୍, କୁଆଡ଼େ ଯାଇଛି, କାହା ପାଖରେ କିଛି ଖବର ନାହିଁ ।

ଆଇ.ଆଇ.ଟି. ପ୍ରନ୍ସପାଲ୍‌ଙ୍କ କଥା ଶୁଣିବା ପରେ ଘରେ କାନ୍ଦ ବୋବାଳି ପଡ଼ିଗଲା । ମନ୍ଦାକିନୀ କାନ୍ଥରେ ମୁଣ୍ଡ ବାଡ଼େଇ ଲହୁଲୁହାଣ ହୋଇଗଲେ, ସାନଝିଅ ଇତି ଭାଇ-ଭାଇ ବୋଲି ଭୀମାରଡ଼ି ଛାଡ଼ିଲା । ବଡ଼ପୁଅ ସଞ୍ଜୟ ତାଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲା, “ଅଜୁ ଇଞ୍ଜିନିୟରିଂ ପଢ଼ିବ ନାହିଁ ବୋଲି ମୂଳରୁ କହୁଥିଲା । ଆପଣ ଜୋର୍ କରି ତାକୁ କାନପୁର ଆଇ.ଆଇ.ଟି.ରେ ନାମ ଲେଖାଇ ଦେଲେ ।”

ମୁଁ ନାମ ଲେଖାଇ ଦେଲି କ’ଣ ? ମୁଁ ଚାହିଁଥିଲେ କ’ଣ କାନପୁର ଆଇ.ଆଇ.ଟି.ରେ ତାକୁ ସିଟ୍ ମିଳିଯାଇଥାନ୍ତା ? ଓଡ଼ିଶାରେ ପ୍ଲସ୍‌ଟୁ ସାଇନ୍ସରେ ବେଷ୍ଟ୍‌ ଟେନ୍ ଭିତରେ ସେ ଫୋର୍ଥ ହୋଇଥିଲା । ଆଇ.ଆଇ.ଟି. ଏଣ୍ଟ୍ରାନ୍ସ ଟେଷ୍ଟ୍‌ରେ ମଧ୍ୟ ଭଲ କରିଥିଲା । ଏଣ୍ଟ୍ରାନ୍ସ ଟେଷ୍ଟ୍‌ରେ ସିଲେକ୍ଟ ହୋଇ ସାରିଲା ପରେ ଇଞ୍ଜିନିୟରିଂ ପଢ଼ିବ ନାହିଁ ବୋଲି କହିଲେ ମୁଁ କ’ଣ କରିଥାଆନ୍ତି ?

ସେ ଖଲିକୋଟ ଆର୍ଟସ କଲେଜ୍‌ରେ ପଢ଼ିବାକୁ ଚାହୁଁଥିଲା । ଆପଣ ନାହିଁ କଲେ, ତା’ ଇଚ୍ଛା ବିରୋଧରେ ଆପଣ ତାକୁ. . . !

ବଡ଼ପୁଅର କଥା ଶୁଣି ସେଦିନ ମଧ୍ୟ ନୀଳମାଧବଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା ।

ସେ କ୍ଷୀଣ କଣ୍ଠରେ ଚିତ୍କାର କରି ଉଠିଥିଲେ- “ଛବି ଅଙ୍କା କଲେଜ୍‌ର ଡିଗ୍ରୀ ଆଣି ସାରିଥିଲେ । ସେ କ’ଣ ହୋଇଥାଆନ୍ତା ଡ୍ରଇଂ ଟିଚର୍ ନା ଫାମିଲି ପ୍ଲାନିଂ ଅଫିସର୍ ଚିତ୍ରକର ? କେତେ ଦରମା ପାଇଥାଆନ୍ତା ? ପ୍ଲସ୍ ଟୁ ସାଇନ୍ସରେ ଶ୍ରେଷ୍ଠ ଦଶଜଣକ ମଧ୍ୟରେ ଚତୁର୍ଥ ସ୍ଥାନ ଦଖଲ କରିଥିବା ପିଲା ଡ୍ରଇଂ ମାଷ୍ଟର ହୋଇଥିଲେ ତମେମାନେ ଖୁସୀ ହୋଇଥାଆନ୍ତ ?”

ତମେମାନେ ଏକା ସଞ୍ଜୟ ନୁହେଁ, ଅକ୍ଷୟ, ମମି ଆଉ ମନ୍ଦାକିନୀ ।

ତାଙ୍କ କଥାରେ ରାଗି ଅଜୟ ଘର ଛାଡ଼ି ଚାଲିଯିବା ପରଠାରୁ ଏମାନେ ସମସ୍ତେ ତାଙ୍କୁ ହିଁ ଦାୟୀ କରି ତାଙ୍କ ଆଡ଼କୁ ଆଙ୍ଗୁଠି ଦେଖାଉଛନ୍ତି ।

କିନ୍ତୁ ଚାରିବର୍ଷ କୃତିତ୍ୱର ସହ କମ୍ପ୍ୟୁଟରର ଇଞ୍ଜିନିୟରିଂ ପଢ଼ି ସାରିଲା ପରେ ଫାଇନାଲ୍ ପରୀକ୍ଷା ନ ଦେଇ ସେ ଇନ୍‌ଷ୍ଟିଚ୍ୟୁଟ ଛାଡ଼ି ପଳାଇ ଆସିଲେ, ବାପ ହୋଇ ସେ ତାକୁ ଆକଟ କରିପାରିବେ ନାହିଁ । ତାକୁ କାନ୍‌ପୁର ଆଇ.ଆଇ.ଟି.ରେ ପଢ଼ାଇବା ପାଇଁ ସେ କମ୍ ସାଧନ କରି ନାହାନ୍ତି । ସେ ପେସାରେ ସରକାରୀ ହାଇସ୍କୁଲ୍‌ର ମ୍ୟାଥ୍ ଟିଚର୍ । ଯାହା ଦରମା ପାଆନ୍ତି ଗୋଟିଏ ପୁଅକୁ କଟକ ମେଡ଼ିକାଲ୍ କଲେଜ୍‌ରେ ପଢ଼ିବା ପାଇଁ ତାହା ଯଥେଷ୍ଟ ହୁଏ ନାଇଁ । ମଝିଆ ପୁଅକୁ ଇଞ୍ଜିନିୟରିଂ ପଢ଼ାଇବା ଲାଗି ଦୁଇ ଦଳ ମାଧ୍ୟମିକ ପରୀକ୍ଷାର୍ଥୀଙ୍କୁ ଟିଉସନ୍ କରିବାକୁ ହୁଏ । ଶେଷରେ ଗ୍ରାମରେ ଥିବା ଚାଷଜମି, ବାଡ଼ି ବଗିଚା ବିକ୍ରି କରି ଦେବାକୁ ପଡ଼ିଥିଲା ।

ଏଇଟା କମ୍ପ୍ୟୁଟରର ଯୁଗ !

ଅଜୟ କମ୍ପ୍ୟୁଟର ଇଞ୍ଜିନିୟର ହୋଇ କାନପୁର୍ ଭଳି ପ୍ରସିଦ୍ଧ ଆଇ.ଆଇ.ଟି.ରୁ ବାହାରି ଆସିଥିଲେ, ତାଙ୍କର ଦୁଃଖ ଯାଇଥାଆନ୍ତା ।

ତାଙ୍କର ଉତ୍ତପ୍ତ ଇଚ୍ଛା ଉପରେ ଫାଇନାଲ୍ ପରୀକ୍ଷା ଦେବନାହିଁ ବୋଲି କହି ଅଜୟ ପାଣି ଢାଳି ଦେବା ମାତ୍ରେ ସେ ଚଡ଼ଚଡ଼ ହୋଇ ଚିହିଁକି ଉଠିଥିଲେ । ରାଗରେ ଆଗପଛ ନ ବିଚାରି ତାଙ୍କ ପାଟିରୁ ବାହାରି ଯାଇଥିଲା- “ଏ ଘରେ ତୋର ସ୍ଥାନ ନାହିଁ ।”

ଏଇ ଛୋଟ ଭୁଲ୍ ପାଇଁ ପୁଅ ତାଙ୍କୁ ଏତେ ବଡ଼ ଶାସ୍ତି ଦେଲା ।

ତଥାପି ତାଙ୍କର ଆଶା ଥିଲା, ତା’ ପ୍ରତି ତାଙ୍କ ପିତୃ ହୃଦୟରେ ସଞ୍ଚିତ ଥିବା ସ୍ନେହ, ଶ୍ରଦ୍ଧା, ଶୁଭକାମନା କଥା ମନରେ ହେଜି ଅଜୟ ଘରକୁ ଫେରିଆସିବ ।

ସେ ଯାହା କହିଥିଲେ, ସେଇଟା ତାଙ୍କ ମୁହଁର କଥା-ମନର କଥା ନୁହେଁ ବୋଲି ସେ ନିଶ୍ଚୟ ଦିନେ ବୁଝିପାରି ଫେରିଆସିବ ।

କିନ୍ତୁ ଠିକଣା ହଜାଇ ଦେଇଥିବା ପୁଅ ଠିକଣା ଖୋଜି ତାଙ୍କ ପାଖକୁ ଫେରି ଆସିବା ଆଗରୁ ତା’ କଥା ଭାବି ଭାବି ନୀଳମାଧବଙ୍କ ହୃଦ୍‌ଯନ୍ତ୍ର କ୍ରିୟା ଦିନେ ସ୍ତବ୍ଧ ହୋଇଗଲା ।

ମଝିଆ ପୁଅକୁ ମନେ ମନେ ଝୁରି ହୋଇ ସେ ଚାଲିଗଲେ- “ଯେଉଁଠୁ କେହି କେବେ ଫେରେ ନାହିଁ ।”

ତା’ପରେ

ଲୋକପ୍ରିୟ ଲେଖା

To Top