ଗଳ୍ପ

ନିକଷିତ ହେମ

Dr Bibhuti Pattanaik's odia story Nikashita Hema

ଜୟନ୍ତ ଜଣେ ସ୍ୱାସ୍ଥ୍ୟବାନ୍ ଅସୁସ୍ଥ ନପୁଂସକ, ତାଙ୍କ ଔରସରୁ ତା’ର ସନ୍ତାନ ହେବାର କୌଣସି ସମ୍ଭାବନା ନାହିଁ ବୋଲି ଜାଣିଗଲା ପରେ, ଜୁହୁ ବିଚ୍ ବଂଲୋ ଛାଡ଼ି ଭୁବନେଶ୍ୱର ଫେରିଯିବା ପାଇଁ ମନ ସ୍ଥିର କରି ନେଇଥିଲା ଜାହ୍ନବୀ ।

ନିକଷିତ ହେମ

-: ପୂର୍ବରୁ :-

ମେଡ଼ିକାଲ୍ ରିପୋର୍ଟ ଆସିଗଲା ପରେ ଜୟନ୍ତର ମୁହଁ ଅନ୍ଧାରରେ ଆଚ୍ଛନ୍ନ ହୋଇଗଲା, ଜାହ୍ନବୀର ମୁହଁରେ ବି ହସ ଫୁଟିଲା ନାହିଁ ।

ଜୁହୁ ବିଚ୍ ବଂଲୋର ମାଷ୍ଟର ବେଡ୍ ରୁମ୍‌ରେ ଦୁହେଁ ଗୋଟିଏ ବିଛଣାରେ ଶୋଉଥିଲେ ମଧ୍ୟ ସେ ଦୁହିଁଙ୍କ ମଧ୍ୟରେ ବ୍ୟବଧାନର ଏକ ଅଦେଖା ପାଚେରୀ ତିଆରି ହୋଇଯାଇଥିଲା ।

ଅନ୍ୟ ଦିନ ପରି ସକାଳ ଆଠଟାରେ ଜେନି ବାମ୍ଫ ଉଠା ଚା’ କପ୍ ଧରି ଜୟନ୍ତକୁ ବିଛଣାରୁ ଉଠାଉଥିଲା । ସେ ଅଫିସ୍ ଗାଡ଼ିରେ ଉଠିଲାବେଳେ ଭଲରେ ଭଲରେ ଶୀଘ୍ର ଫେରି ଆସିବା ପାଇଁ ହାତ ହଲାଇ ସୂଚନା ଦେଉଥିଲା ଜାହ୍ନବୀ ।

ଭୁବନେଶ୍ୱରରୁ ମୁମ୍ୱାଇ ଫେରିବା ଆଗରୁ ଜେଲ୍ ଫେରନ୍ତା ଧନୁର୍ଦ୍ଧର ସହିତ ଦେଖା କରିଥିଲା ଜାହ୍ନବୀ ।

ଧରା ପଡ଼ିବା ଆଗରୁ ପୁଲିସ୍ ଏନ୍‌କାଉଣ୍ଟରରେ ତା’ର ଗୋଟାଏ ଗୋଡ଼ ଗୁଳିବିଦ୍ଧ ହୋଇଥିଲା । ଚେଷ୍ଟା କରି ମଧ୍ୟ ସେ ପଳାଇ ଯାଇପାରି ନଥିଲା । ଧରାପଡ଼ି ଜେଲ୍ ଯାଇଥିଲା । ଗୁଳିବିଦ୍ଧ ବାମ ଗୋଡ଼ ଜଖମ ହୋଇଯାଇଥିଲା । ସବୁଦିନ ପାଇଁ ଛୋଟା ହୋଇଯାଇଥିଲା ଧନୁ ମୁଣ୍ଡା ।

ତାକୁ ଦେଖି ଖଟିଆ ଉପରୁ ଉଠି ଆସୁ ଆସୁ ସେ ତଳେ ପଡ଼ିଯାଉଥିଲା । ଜାହ୍ନବୀ ଧରି ପକାଇ ନ ଥିଲେ ଚଟାଣରେ କଚାଡ଼ି ହୋଇ ପଡ଼ିଥାଆନ୍ତା ଧନୁର୍ଦ୍ଧର ।

ଜାହ୍ନବୀ ତାକୁ ଧରି ପୁଣି ଖଟ ଉପରେ ବସାଇ ଦେଲା ।

ଛୋଟ କିଶୋର ବାଳକ ଭଳି ଲଜ୍ଜା-ସକୁଣ୍ଠ ମୁହଁରେ ତାକୁ ମାଡ଼ାମ୍ ବୋଲି ସମ୍ୱୋଧନ କରି ଧନୁ କହିଲା- “ଆପଣଙ୍କୁ ଦେଖି ମୋ ହାଡ଼ଭଙ୍ଗା ବାଁ ଗୋଡ଼ କଥା ଭୁଲିଯାଇଥିଲି । ବାଡ଼ି ଛାଡ଼ି ଉଠି ପଡ଼ିବା ଫଳରେ ପଡ଼ିଯାଉଥିଲି । ଏ ଚାରି ବର୍ଷ ଭିତରେ ମୋ ଜୀବନ ଛିନ୍ନଛତ୍ର ହୋଇଯାଇଛି । ଅଧ୍ୟାପକ ଚାକିରୀ ଯାଇଛି । ନଈ ପାଣିରେ ଆମ ଗାଁ ଗଣ୍ଡା, ଘରଦ୍ୱାର ବୁଡ଼ି ଯାଇଛି । ବାପା, ମାଆ ମୁଁ ଜେଲ୍‌ରେ ଥିବାବେଳେ ଭୋକ, ଉପାସରେ ରାସ୍ତାକଡ଼ ଗଛମୂଳେ ପଡ଼ି ପଚି, ସଢ଼ି ମରିଯାଇଛନ୍ତି । ସାନଭାଇ ନକ୍ସଲ ହୋଇ କେଉଁ ବଣ ଜଙ୍ଗଲରେ ଲୁଚି ଛପି ରହିଛି । ସାନ ଭଉଣୀର ପତ୍ତା ନାହିଁ ।”

ଧନୁର୍ଦ୍ଧର ଆଖିରେ ଲୁହ, ଛାତିରେ କୋହ ।

ସେ କଥା କହି ନ ପାରି ମୁଣ୍ଡା ପାହାଡ଼ ଭଳି ବସି ରହିଥିଲା ।

ତାକୁ ସାହସ ଦେଇଥିଲା ଜାହ୍ନବୀ ।

ତମେ ଭାଙ୍ଗିପଡ଼ ନାଇଁ ଧନୁ । ତମେ ରାଞ୍ଚି ୟୁନିଭରସିଟିର ପୋଷ୍ଟ ଗ୍ରାଜୁଏଟ୍, ହାର୍ଭାର୍ଡ ୟୁନିଭର୍ସିଟିରୁ ନୃ-ତତ୍ତ୍ୱରେ ପିଏଚ୍.ଡ଼ି. କରିଛ । ତମେ ଭାରତବର୍ଷର ଜଣେ କୃତି ନୃ-ତତ୍ତ୍ୱବିତ୍ । ପୁଲିସ୍ ଗୁଳିରେ ତମ ଗୋଡ଼ ଛୋଟା ହୋଇଯାଇଥିଲେ ମଧ୍ୟ ତମର ମୁଣ୍ଡ ତଳକୁ କରିବାର କିଛି କାରଣ ନାହିଁ ।

ଧନୁ ମୁଣ୍ଡା ନିଜ ବାମ ଗୋଡ଼ ଆଣ୍ଠୁକୁ ଆଉଁଶୁ ଆଉଁଶୁ ମୁହଁ ତଳକୁ ପୋତି କହିଲା- ଖ୍ରୀଷ୍ଟିଆନ୍ ମିସନାରୀମାନଙ୍କ ସାହାଯ୍ୟରେ ଦେଶ ବିଦେଶରେ ପାଠ ପଢ଼ି ପଣ୍ଡିତ ହୋଇଛି । ମିସନାରୀ ବାବା ଚାହୁଁଥିଲେ ମୁଁ ଅଧ୍ୟାପକ ନ ହୋଇ ଖ୍ରୀଷ୍ଟଧର୍ମ ପ୍ରଚାରକ ହୁଏ । ହେଲି ନାହିଁ ବୋଲି ସେମାନଙ୍କ ସହିତ ସମ୍ପର୍କ ତୁଟି ଯାଇଛି ।

ତା’ପରେ ଢୋକ ଗିଳି ଧନୁମୁଣ୍ଡା ପାଦ ତଳର ମାଟିରୁ ମୁହଁ ଉଠାଇ ଆକାଶକୁ ଅନେଇଲା ।

ଛିଣ୍ଡି ଯାଇଥିବା ସୂତାରେ ଗଣ୍ଠି ପକାଇ କହିଲା ।

– ଆମେ ଅନାର୍ଯ୍ୟ ଆଦିବାସୀ । ଯେତେ ପାଠ ପଢ଼ି ପଣ୍ଡିତ ହେଲେ ବି ଆର୍ଯ୍ୟମାନେ ଆମକୁ ଦେଖି ସହିପାରନ୍ତି ନାହିଁ, ଏଇ ଧରିତ୍ରୀମାତା ଆମର ମାଆ । ତା’ର କୋଳ ଛାଡ଼ି ଆମେ ଯିବୁ କୁଆଡ଼େ । ଅଣ୍ଟା ସଳଖି ଠିଆ ହେବାକୁ ମତେ ସାହାଯ୍ୟ କରିବ କିଏ ?

ମୁଁ- ମୁଁ ତମକୁ ସାହାଯ୍ୟ କରିବି । ହଁ- ମୁଁ କଥା ଦେଉଛି ।

ଭାବପ୍ରବଣତାରେ ଭାସି ଯାଇ ସେଦିନ ଧନୁର୍ଦ୍ଧର ମୁଣ୍ଡାକୁ କଥା ଦେଇଥିଲା ଜାହ୍ନବୀ । ମନେ ମନେ ସ୍ଥିର କରିଥିଲା- ତା’ର ଗୋଡ଼ର ଚିକିତ୍ସା ପାଇଁ, ନଦୀବନ୍ଧ ଯୋଗୁଁ ଜଳମଗ୍ନ ଅଞ୍ଚଳର ବାସ୍ତୁହରା ଆଦିବାସୀ ପିଲାଙ୍କ ଲାଗି ଘର ତୋଳିବା ଲାଗି, ତା’ ନାମରେ ବ୍ୟାଙ୍କରେ ଜମା ଥିବା ଟଙ୍କାରୁ ଦଶ ପନ୍ଦର ଲକ୍ଷ ଟଙ୍କା ସେ ତା’ ପାଖକୁ ପଠାଇ ଦେବ । ଜୟନ୍ତ ଏଥିରେ ଆପତ୍ତି କରିବେ ନାହିଁ ନିଶ୍ଚୟ ।

କିନ୍ତୁ ତାଙ୍କର ଡାକ୍ତରୀ ରିପୋର୍ଟ ଆସିଗଲା ପରେ ତା’ର ସବୁ ପରିକଳ୍ପନା ଓଲଟପାଲଟ ହୋଇଗଲା । ଜୟନ୍ତ ଜଣେ ସ୍ୱାସ୍ଥ୍ୟବାନ୍ ଅସୁସ୍ଥ ନପୁଂସକ, ତାଙ୍କ ଔରସରୁ ତା’ର ସନ୍ତାନ ହେବାର କୌଣସି ସମ୍ଭାବନା ନାହିଁ ବୋଲି ଜାଣିଗଲା ପରେ, ଜୁହୁ ବିଚ୍ ବଂଲୋ ଛାଡ଼ି ଭୁବନେଶ୍ୱର ଫେରିଯିବା ପାଇଁ ମନ ସ୍ଥିର କରି ନେଇଥିଲା ଜାହ୍ନବୀ ।

ତା’ ପାଖରୁ ବିଦାୟ ନେଇ ଆସିଲାବେଳେ ଧନୁ ମୁଣ୍ଡା ଯାହା ମୁହଁ ଖୋଲି କହିପାରିନଥିଲା, ତା ଆରଦିନ ମୋବାଇଲ୍ ଫୋନ୍‌ରେ ସେ ମନ ଖୋଲି କହିଥିଲା- ଚାରି ବର୍ଷ ତଳେ, ଆଦିବାସୀ ହଷ୍ଟେଲ୍‌ରେ ବାର୍ଷିକ ଉତ୍ସବ ରାତିରେ, ଲୋଡ୍ ସେଡ଼ିଂରେ ଅନ୍ଧକାର ଭିତରେ ପାଶବିକ ପ୍ରବୃତ୍ତିର ତାଡ଼ନାରେ ତା’ ପ୍ରତି ସେ ଯେଉଁ ଅନୁଚିତ ଆଚରଣ କରିଥିଲା, ସେଥିପାଇଁ ସେ ତା’ ପାଖରେ କ୍ଷମା ପ୍ରାର୍ଥନା କରିଥିଲା । ସେ ଯଦି ତା’ର ଅକ୍ଷମଣୀୟ ଅପରାଧକୁ କ୍ଷମା କରି ନ ଦିଏ, ତାହାହେଲେ ସେ ତା’ର କୌଣସି ସାହାଯ୍ୟ ଗ୍ରହଣ କରିପାରିବ ନାହିଁ ବୋଲି ମଧ୍ୟ ବାଷ୍ପରୁଦ୍ଧ କମ୍ପିତ କଣ୍ଠରେ ଟେଲିଫୋନ୍‌ରେ ସେ ଜଣାଇଥିଲା ।

ଅନୁତପ୍ତ ଅନାର୍ଯ୍ୟ ଧନୁର୍ଦ୍ଧର ମନରେ ଆତ୍ମ-ବିଶ୍ୱାସ ଫେରାଇ ଆଣିବା ପାଇଁ ସେ କହିଥିଲା- ସେଦିନ ରାତିର ଅନ୍ଧକାରରେ ଯାହା ଘଟିଥିଲା, ତାକୁ ଅପରାଧ ବୋଲି ମୁଁ ଭାବି ନାହିଁ । ତେଣୁ କ୍ଷମା କରିବା ପ୍ରଶ୍ନ ଉଠୁ ନାହିଁ । ପଛକୁ ନ ଚାହିଁ ଆଗକୁ ଅନାଅ ଧନୁର୍ଦ୍ଧର- ଆଗରେ ରଣକ୍ଷେତ୍ର ଲକ୍ଷ୍ୟଭେଦ କରିବା ଲାଗି ଧନୁରେ ଶର ସଂଯୋଗ କର- ପଛ କଥା ଭାବି ଆଖିରୁ ଲୁହ ଝରାଅ ନାହିଁ ।

ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଧନୁମୁଣ୍ଡା ନାମରେ ପନ୍ଦର ଲକ୍ଷ ଟଙ୍କାର ଗୋଟାଏ ଚେକ୍ ଲେଖି ରଖିଥିଲା ଜାହ୍ନବୀ । କିନ୍ତୁ ସ୍ୱାମୀଙ୍କ ସହିତ ସମ୍ପର୍କ ଛିନ୍ନ କରିବା ପାଇଁ ସ୍ଥିର କରିସାରିଲା ପରେ ସେ ଚେକ୍ ଚିରି ସେ ପବନରେ ଉଡ଼ାଇ ଦେଲା ।

ସ୍ୱାମୀଙ୍କ ସଂସାର ଛାଡ଼ି ଅଲଗା ହୋଇଗଲା ପରେ ତା’ ନାମରେ ବ୍ୟାଙ୍କରେ ସେ ଜମା ରଖିଥିବା ଟଙ୍କା ଉପରେ ତା’ର କୌଣସି ଅଧିକାର ନାହିଁ । ସେଥିରୁ ଗୋଟିଏ ଟଙ୍କା ବି ସେ ଧନୁ ମୁଣ୍ଡାକୁ ଦେଇପାରିବ ନାହିଁ । ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଭୁବନେଶ୍ୱରରେ ତାକୁ କୌଣସି ଚାକିରୀ କରି ଅର୍ଥ ରୋଜଗାର କରିବାକୁ ପଡ଼ିବ ।

ମୁହଁ ଖୋଲି କହିବ କହିବ ବୋଲି ଶେଷ ପର୍ଯ୍ୟନ୍ତ ସେ ଜୟନ୍ତକୁ କହିପାରି ନ ଥିଲା- ମୁଁ ଯଦି ତମ ସନ୍ତାନର ଜନନୀ ହୋଇପାରିବି ନାହିଁ, ତମ ଟେବୁଲ୍‌ର ଫୁଲଦାନୀ ହୋଇ ରହିବାକୁ ଚାହେଁ ନାହିଁ । ସନ୍ତାନ ପାଇଁ ବିବାହ, ସମ୍ଭୋଗ ପାଇଁ ନୁହେଁ । ତମର ଅର୍ଜିତ ଐଶ୍ୱର୍ଯ୍ୟ ଭୋଗ କରିବା ଲାଗି ମୁଁ ତମ ସହିତ ଲିଭିଂ ଟୁଗେଦର୍ ବ୍ୟବସ୍ଥା ଚାହେଁ ନାହିଁ । ସେଇଟା ଅନୈତିକ କାର୍ଯ୍ୟ ହେବ । ମୁଁ ଜୁହୁ ବିଚ୍ ବଂଲୋ ଛାଡ଼ି ଚାଲିଗଲା ପରେ ତମେ ଅନ୍ୟ ଜଣକୁ ବାହା ହୋଇପାର କିମ୍ୱା ଅନ୍ୟ କୌଣସି ନାରୀ ସହିତ ଲିଭିଂ ଟୁଗେଦର୍- ମୋର ଆପତ୍ତି ନାହିଁ ।

ଏକଥା ସେ ମୁହଁ ଖୋଲି କହିପାରି ନ ଥିଲା, କାରଣ ସେ ନିଜେ ସ୍ଥିର କରିପାରିନଥିଲା ଭୁବନେଶ୍ୱର ଫେରିଗଲା ପରେ ଆଉ କାହାକୁ ବାହା ହେବ କି ଧନୁର୍ଦ୍ଧରର ସହକର୍ମୀ ଭାବରେ ତା’ ସହିତ ଏକାଠି କାମ କରି ଜୀବନ ବିତାଇ ଦେବ ।

ଧନୁ ମୁଣ୍ଡା ସହିତ ଆଦିବାସୀ ହଷ୍ଟେଲ୍‌ରେ ବାର୍ଷିକ ଉତ୍ସବ ରାତିର କଥା ମନେ ପଡ଼ିଗଲେ ଆଗେ ଜେନି ରୋମାଞ୍ଚିତ ହେଉଥିଲା । ଏବେ ଆଉ ତା’ର ସେଭଳି ଅନୁଭୂତି ହୁଏ ନାହିଁ । ଲୋଡ୍ ସେଡ଼ିଂର ଅନ୍ଧକାର ମଧ୍ୟରେ ସେଦିନ ଯାହା ଘଟିଯାଇଥିଲା, ସେଥିପାଇଁ ଧନୁ ନିଜକୁ ଅପରାଧୀ ମନେ କରେ- ପ୍ରେମିକ ବୋଲି ଭାବିପାରେ ନାହିଁ । ତା’ର ଧାରଣା ତା’ ପ୍ରତି କରିଥିବା ପାଶବିକ ଅତ୍ୟାଚାର କଥା ଜାଣିପାରି ତା’ର ପୁଲିସ୍ ଅଫିସର ପିତା ଡିନାମାଇଟ୍ ଖଞ୍ଜା ମିଥ୍ୟା ଅଭିଯୋଗରେ ଏନ୍‌କାଉଣ୍ଟରରେ ତାକୁ ଖତମ କରିଦେବାକୁ ଚାହୁଁଥିଲେ । ନିଜ ମନର ଭୂତକୁ ଭୟ କରି ସେ ମଧ୍ୟ ହଷ୍ଟେଲ୍ ଛାଡ଼ି ବଣ ପାହାଡ଼ରେ ଲୁଚି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲା । ଚାକିରୀ ଗଲା, ବାପା ମାଆ ମଲେ, ସାନ ଭଉଣୀର ଖୋଜ ଖବର ନାହିଁ । କୋର୍ଟରେ ନିର୍ଦ୍ଦୋଷରେ ଖଲାସ ହେଲେ ମଧ୍ୟ ମୃତ୍ୟୁ ଭୟ ତା’ର ପଛ ଛାଡ଼ି ନାହିଁ । ସେ ଯଦି ଉତ୍ସବ ରାତିର ଅଭାବିତ ଦୁଷ୍କର୍ମକୁ କ୍ଷମା କରି ନ ଦିଏ, ତାହାହେଲେ ପୁଲିସ୍ ଏନ୍‌କାଉଣ୍ଟର୍‌ରୁ ଏଥର ତା’ର ବର୍ତ୍ତିବାର ଉପାୟ ନାହିଁ ବୋଲି ଧନୁ ମୁଣ୍ଡାର ବଦ୍ଧମୂଳ ଧାରଣା ।

ସେ ତା’ ଠାରୁ କ୍ଷମା ଚାହେଁ, ପ୍ରେମ ନୁହେଁ ।

ଏଭଳି ଜଣେ ଜୀବନ-ଭୀରୁ ପୁରୁଷକୁ ସେ ବାହା ହେବା କଥା ଚିନ୍ତା କରିପାରେ ନାହିଁ । କିନ୍ତୁ ବନ୍ଧୁ ଭାବରେ ତାକୁ ବଞ୍ଚି ରହିବାରେ ସାହାଯ୍ୟ କରିବାକୁ ଚାହେଁ । ଯାହା ହେଲେ ବି ସେ ତା’ ଜୀବନର ପ୍ରଥମ ପୁରୁଷ, ଯାହା ସହିତ ତା’ର ପ୍ରଥମ ଶାରୀରିକ ସମ୍ପର୍କ ସ୍ଥାପିତ ହୋଇଛି ।

ଧନୁ ପାଇଁ ସେ ଜୟନ୍ତକୁ ଛାଡ଼ି ଯାଉ ନାହିଁ ।

ଚାରି ବର୍ଷ ଏକାଠି ସହବାସ କରିବା ଫଳରେ ତା’ ପ୍ରତି ମଧ୍ୟ ତା’ ମନରେ ନିବିଡ଼ ମମତା ଜମାଟ ବାନ୍ଧି ଯାଇଥିଲା ।

ତାକୁ ବାହାହେଲା ପରେ ଜୟନ୍ତ ତା’ର ରାଜନେତା ପିତା ଏବଂ ସମାଜସେବୀ ବିମାତାଙ୍କ ସହ ସକଳ ସମ୍ପର୍କ ତୁଟାଇ ଦେଇଥିଲେ । ଏ ଚାରି ବର୍ଷ ମଧ୍ୟରେ ତା’ର ପିତା କି ବିମାତା- କେହି ଥରେ ହେଲେ ସେ ଦୁହିଁଙ୍କ ପାଖକୁ ଆସି ନାହାନ୍ତି କି ଜୟନ୍ତ କେବେ ସେମାନଙ୍କୁ ଦେଖା କରିବାକୁ ଯାଇ ନାହିଁ । ତା’ ମାଆଙ୍କ ମୃତ୍ୟୁ ପରେ ତା’ ବାପା ଦ୍ୱିତୀୟ ବିବାହକୁ ସେ ସହଜରେ ଗ୍ରହଣ କରିପାରି ନାହିଁ । ବିମାତାକୁ ଥରେ ହେଲେ ମାଆ ବୋଲି ଡାକି ନାଇଁ । ଯଦି କେବେ ସେ ଶାଶୂ ଶ୍ୱଶୁରଙ୍କୁ ଦେଖା କରିବା ପାଇଁ ଚାହିଁଛି, ଜୟନ୍ତର ମୁହଁ କ୍ରୋଧରେ ବିବର୍ଣ୍ଣ ଏବଂ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଛି ।

ସେ ଜାଣେ ଛାଡ଼ି ଚାଲିଗଲେ ଜୟନ୍ତ କଷ୍ଟ ପାଇବେ । କିନ୍ତୁ କେବଳ ତାଙ୍କୁ ଖୁସି କରିବା ପାଇଁ ସେ ଏଭଳି ଅର୍ଥହୀନ, ନିଃସଙ୍ଗ ଜୀବନ ଧରି ଏଠାରେ ତାଙ୍କ ସହ ଏକାଠି ରହିପାରିବ ନାହିଁ । ପ୍ରଥମେ ପ୍ରଥମେ କଷ୍ଟ ପାଇଲେ ବି ସେ ଅଲଗା ହୋଇଗଲା ପରେ ଧୀରେ ଧୀରେ ସମୟ ତାଙ୍କର ସେ କଷ୍ଟକୁ ଲାଘବ କରିଦେବ । ଜୟନ୍ତଙ୍କ ଭଳି ୱାର୍କହଲିକ ଲୋକ କମ୍ପାନୀ କାମରେ ବୁଡ଼ି ରହିଲେ ତାକୁ ମଧ୍ୟ ଭୁଲିଯିବେ ।

ମାପିଚୁପି, ଅଙ୍କ କଷି ଜାହ୍ନବୀ ପ୍ରସ୍ଥାନର ପ୍ରସ୍ତୁତି ଆରମ୍ଭ କରିଦେଲା ।

ତା’ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ କ୍ଲୋଜ୍ କରି ସବୁ ଟଙ୍କା ଜୟନ୍ତ ଆକାଉଣ୍ଟରେ ଜମା କରିଦେଲା ।

ସେୟାର୍ ମାର୍କେଟ୍ ସାର୍ଟିଫିକେଟ୍ ଜୟନ୍ତ ନାମରେ ଟ୍ରାନ୍ସଫର୍ କରିଦେଲା ।

ନିଜର ଲୁଗାପଟା, ବ୍ୟବହାର୍ଯ୍ୟ ଜିନିଷପତ୍ର ପ୍ୟାକିଂ ମଧ୍ୟ ଆରମ୍ଭ କଲା ।

ଜୟନ୍ତ ଏସବୁ ଦେଖି ମଧ୍ୟ ନ ଦେଖିଲା ଭଳି ମୁଖଭଙ୍ଗୀ କରି ରହୁଥିଲା । ବାଧା ଦେଉ ନ ଥିଲା କିମ୍ୱା ଏସବୁ କାର୍ଯ୍ୟ କାହିଁକି କରୁଛ ବୋଲି ପଚାରି ପାରୁ ନଥିଲା ।

ରାତିରେ ଗୋଟିଏ ବିଛଣାରେ ଶୋଇଥିବା ବେଳେ ତା’ ହାତ ଜାହ୍ନବୀ ଉପରେ ପଡ଼ିଗଲେ, ଜାହ୍ନବୀ ତା’ ହାତକୁ ଧୀରେ ଧୀରେ ତା’ ଉପରୁ କାଢ଼ି ଦେଲା ବେଳେ ସେ ଆଖିର ଲୁହକୁ ଗୋପନ କରିବା ପାଇଁ ଅନ୍ୟ ଆଡ଼କୁ ମୁହଁ ବୁଲାଇ ଶୋଇଥିଲା ।

କିନ୍ତୁ ଯିବାଦିନ ଯେତେବେଳେ ଜାହ୍ନବୀ ବ୍ୟାଙ୍କ ଲକର୍ ଆଉ ମର୍ସିଡ଼ିସ୍ ଗାଡ଼ିର ଚାବି ତା’ ହାତକୁ ବଢ଼ାଇ ଦେଲା, ଚାବି ନେବା ପାଇଁ ହାତ ନ ବଢ଼ାଇ ଛୋଟ ପିଲାଙ୍କ ପରି ଭେଁ ଭେଁ କାନ୍ଦି ଉଠିଲା ଜୟନ୍ତ ।

ଏଭଳି ଜଣେ ବୟସ୍କ ପୁରୁଷ ଛୋଟ ଶିଶୁ ଭଳି ରାହା ଧରି କାନ୍ଦିବା ଦେଖି ହତଚକିତ ହୋଇଗଲା ଜାହ୍ନବୀ । କ’ଣ କରିବ କିଛି ବୁଝି ନ ପାରି ସେ ବିହ୍ୱଳିତ କଣ୍ଠରେ ପଚାରିଲା ।

– “କ’ଣ ହେଲା ? ତମେ କାନ୍ଦୁଛ କାହିଁକି ?”

କ୍ରନ୍ଦନକାତର, କରୁଣ କଣ୍ଠରେ ଜୟନ୍ତ ଉତ୍ତର ଦେଲା ।

– କୋଡ଼ିଏ ବର୍ଷ ତଳେ ମୁଁ ମୋ ମାଆକୁ ହରାଇଥିଲି, ଦ୍ୱିତୀୟଥର ମୋ ମାଆକୁ ହରାଇବାର ଦୁଃଖ ସହି ମୁଁ ବଞ୍ଚିପାରିବି ନାହିଁ ଜେନି । ତମେ ମତେ ଏମିତି ଅନାଥ କରି ଚାଲିଯାଅ ନାହିଁ ।

ଏଇ ଛାଡ଼ି ଚାଲି ନ ଯିବାର ଛଳନାହୀନ ଆକୁଳ ପ୍ରାର୍ଥନା ହେଉଛି ବୋଧହୁଏ ବିଶୁଦ୍ଧ-ପ୍ରେମ, ମମି ଯାହାକୁ କହନ୍ତି ନିକଷିତ ହେମ !

ନିଜକୁ ଆଉ ଅଟକାଇପାରିଲା ନାହିଁ ଜାହ୍ନବୀ ।

ଜୟନ୍ତକୁ ନିଜ ଛାତି ଉପରକୁ ଆଉଜାଇ ଆଣି ଶାଢ଼ି କାନିରେ ତା’ ଆଖିର ଲୁହ ପୋଛି ଦେଇ ମୁଣ୍ଡରେ, ମୁହଁରେ ଚୁମା ଦେଲାବେଳେ ଜେନି ଗେହ୍ଲେଇ ଗେହ୍ଲେଇ ହୋଇ କହିଲା- “ତମେ ମୋର ସ୍ୱାମୀ, ତମେ ମଧ୍ୟ ମୋର ବାଳୁତ ସନ୍ତାନ । ତମକୁ ଛାଡ଼ି ମୁଁ ଯିବି କୁଆଡ଼େ ?”

ଲୋକପ୍ରିୟ ଲେଖା

To Top