ଗପ ଶୁଣୁ ଶୁଣୁ ଗଡିଯାଏ ବେଳ
ନିଦ ଛୁଏଁ ଆସି ଆଖି,
ମାଆର କୋଳରେ କେବେ ଶୋଇ ଥିଲେ
ଉଠି ପଡେ ଦେଲେ ଡାକି ।
କେବେ ପାରିଦିଏ ପଣତର କାନି
କେବେ ପାରିଦିଏ ଶେଜ,
କେତେ ଖୁଆଇଛି ତା’ଛାତିରୁ କ୍ଷୀର
କେବେ ପିଆଇଛି ପେଜ ।
ସବୁ ଅଳି ଆଉ ଅଝଟ ପଣକୁ
ନିମିଷକେ ଦିଏ ବୁଝି,
ତା’ଦିଆ ସେନେହ ଶରଧାକୁ କେବେ
ପାରୁନି ଦରବେ ସୁଝି ।
ଆଖି କୋଣେ ମୋର ଜକେଇଲେ ଲୁହ
ବୁଝିପାରେ ସିଏ କଥା,
ଖରା ବରଷାରେ ଘୋଡେଇଛି ଯିଏ
ପଣତକୁ କରି ଛତା ।
ମାଆ ମୋର ସିଏ ନୁହେଁ ଆଉ କିଏ
ଯା’ପାଇଁ ଭାବୁଛି ନିତି,
ତା’ପାଇଁ ଲେଖୁଛି ଲୁହରେ କବିତା
ସାରା ଦିନ ସାରା ରାତି ।
