କବିତା

ନିଦ ଛୁଏଁ ଆସି ଆଖି

Tapan Kumar Swain's odia poem Nida Chhuen Aasi Aakhi

ମାଆ ମୋର ସିଏ ନୁହେଁ ଆଉ କିଏ
ଯା’ପାଇଁ ଭାବୁଛି ନିତି,
ତା’ପାଇଁ ଲେଖୁଛି ଲୁହରେ କବିତା
ସାରା ଦିନ ସାରା ରାତି ।

ଗପ ଶୁଣୁ ଶୁଣୁ ଗଡିଯାଏ ବେଳ
ନିଦ ଛୁଏଁ ଆସି ଆଖି,
ମାଆର କୋଳରେ କେବେ ଶୋଇ ଥିଲେ
ଉଠି ପଡେ ଦେଲେ ଡାକି ।

କେବେ ପାରିଦିଏ ପଣତର କାନି
କେବେ ପାରିଦିଏ ଶେଜ,
କେତେ ଖୁଆଇଛି ତା’ଛାତିରୁ କ୍ଷୀର
କେବେ ପିଆଇଛି ପେଜ ।

ସବୁ ଅଳି ଆଉ ଅଝଟ ପଣକୁ
ନିମିଷକେ ଦିଏ ବୁଝି,
ତା’ଦିଆ ସେନେହ ଶରଧାକୁ କେବେ
ପାରୁନି ଦରବେ ସୁଝି ।

ଆଖି କୋଣେ ମୋର ଜକେଇଲେ ଲୁହ
ବୁଝିପାରେ ସିଏ କଥା,
ଖରା ବରଷାରେ ଘୋଡେଇଛି ଯିଏ
ପଣତକୁ କରି ଛତା ।

ମାଆ ମୋର ସିଏ ନୁହେଁ ଆଉ କିଏ
ଯା’ପାଇଁ ଭାବୁଛି ନିତି,
ତା’ପାଇଁ ଲେଖୁଛି ଲୁହରେ କବିତା
ସାରା ଦିନ ସାରା ରାତି ।

ଲୋକପ୍ରିୟ ଲେଖା

To Top