ଅନ୍ୟର ଖୁସିସବୁ ଜଳ ଜଳ ଦିଶେ,
ବେଳେବେଳେ ଜଳାଏ ଦିହକୁ,
ଦିଶେ ନାହିଁ ଲୁଚିଥିବା ଦୁଃଖ ଅପରର
ମିଛ ମିଛ ହସ ଓଢ଼ଣିରେ
ଢାଙ୍କି ହେଇଥିବା ଦୁଃଖ
ମାପଦଣ୍ଡରେ ମାପି ପାରିଲେ,
ଭିନ୍ନ ଭିନ୍ନ ଗଭୀରର ଦୁଃଖ ହୁଏତ,
ଥାଏ ଅନ୍ୟ ବୁଜୁଳିରେ,
ତେବେ ଅଦୃଶ୍ୟ, ଅସ୍ପଷ୍ଟ
ନିଜସ୍ଵ ଦୁଃଖର ତୁଳନା, ନିରର୍ଥକ
ଦୁଃଖକୁ ଲୁଚେଇବାର ପ୍ରୟାସ
ସମସ୍ତଙ୍କର, ସବୁସମୟରେ
କେହି ବାରିପାରିବେନି ବୋଲି
ଆଟିକାଟେ ଘୋଡ଼େଇ ଦିଆଯାଇଥାଏ
କୋଣରେ, ସଯତ୍ନରେ
କେବେ କେମିତି ଉଛୁଳି ପଡ଼େ
ଉବୁଟୁବୁ ଫୁଟୁଥିବା ଦୁଃଖ
ଆଉ ଅଟକେଇ ହୁଏନି ହୃଦରେ
ବନ୍ଧ ଭାଙ୍ଗି ବହିଯାଏ, ନିଶବ୍ଦରେ
ଝରିପଡ଼େ ତତଲା ନିଶ୍ୱାସ
ଦୂରରୁ ଜଣା ପଡ଼େନି
ଅପରର ହସ ତଳେ ଲୁଚିଥିବା
ଦୁଃଖକୁ ଚିହ୍ନିବାକୁ ହୁଏ
ଉପଶମ କରିବାକୁ, ନିଜକୁ
ତିନ୍ତିବାକୁ ହୁଏ ସେ ବର୍ଷାରେ
