ଯେଉଁ ବ୍ୟକ୍ତି ସାହିତ୍ୟ, ସଂସ୍କୃତି, ଜ୍ଞାନ ଓ ସୃଜନକର୍ମରେ ନିଜକୁ ନିୟୋଜିତ ରଖେ, ତା’ର ମନ ଏତେ ଉଚ୍ଚ ସ୍ତରରେ ଥାଏ ଯେ ସେଠାରେ ହୀନ ମାନସିକତାର କୀଟ ପହଞ୍ଚିପାରେ ନାହିଁ । କିନ୍ତୁ କିଛି ଅଳସୁଆ, କାମଚୋର ଓ ଠକ ଦିନକୁ ୧୮ ଘଣ୍ଟା କେବଳ ଅନ୍ୟର ନିନ୍ଦା ଓ ସମାଲୋଚନାରେ କଟେଇ ଦିଅନ୍ତି । ସେଥିରେ ହିଁ ସେମାନଙ୍କୁ ଆତ୍ମତୃପ୍ତି ମିଳିଥାଏ । ଯାହା ଏକ ପ୍ରକାରର ଶଠତା ବା ଆତ୍ମ ପ୍ରବଞ୍ଚନା । କେହି ଭୁଲ କହିଦେଲେ ମଣିଷ ଭୁଲ ହୋଇଯାଏ ନାହିଁ ବରଂ କାଳ ସତ୍ୟର ଅନୁସନ୍ଧାନ କରି ଠିକ୍ ଭୁଲ୍ ପ୍ରମାଣିତ କରେ ।
ଅନ୍ୟକୁ ଉଚିତ ଭାବରେ ନ ଜାଣି ସେମାନଙ୍କ ସମ୍ବନ୍ଧରେ ଭୁଲ୍ ତଥ୍ୟ ପ୍ରଚାର କରିବା ନିଜର ଅସ୍ତିତ୍ୱ ଓ ସୀମାବଦ୍ଧତାକୁ ନ ବୁଝି ଅନ୍ୟର ତ୍ରୁଟି ଖୋଜିବା ଏବଂ କେବଳ ସ୍ୱାର୍ଥ ଓ ଆତ୍ମପ୍ରଚାର ପାଇଁ ଅନ୍ୟର ଗୋଡ଼ ଟାଣିବା ଏକ ଗମ୍ଭୀର ମାନସିକ ବିକୃତି । ଏଥିରେ ଅସହିଷ୍ଣୁତା ପରିଲକ୍ଷିତ ହୋଇଥାଏ । ମନୁଷ୍ୟର ଏହି ସଂକୀର୍ଣ୍ଣତା କେବଳ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରେ ନାହିଁ ବରଂ ସାମାଜିକ ଶାନ୍ତି ଓ ନିଜର ଅଗ୍ରଗତି ପଥରେ ଅନ୍ତରାୟ ସୃଷ୍ଟି କରେ ।
ଭାରତୀୟ ପୌରାଣିକ ସାହିତ୍ୟ ଓ ଦର୍ଶନରେ ଏପରି ମାନସିକତାକୁ ‘ଅସୁରୀ ସ୍ୱଭାବ’ ବା ‘ତାମସିକ ବୁଦ୍ଧି’ ବୋଲି କୁହାଯାଇଛି । ଶ୍ରୀମଦ୍ ଭଗବଦ୍ ଗୀତାରେ (ଦୈବାସୁରସମ୍ପଦ୍ବିଭାଗ ଯୋଗ) ଆସୁରୀ ସ୍ୱଭାବର ବ୍ୟକ୍ତିମାନଙ୍କର ଲକ୍ଷଣ ବର୍ଣ୍ଣନା କରାଯାଇ କୁହାଯାଇଛି ଯେ ସେମାନେ ଅହଂକାର, ଦର୍ପ, ଅଭିମାନ ଏବଂ କ୍ରୋଧରେ ଅନ୍ଧ ହୋଇ ଅନ୍ୟମାନଙ୍କୁ ବିନା କାରଣରେ ନିନ୍ଦା କରନ୍ତି ଏବଂ ନିଜକୁ ଶ୍ରେଷ୍ଠ ପ୍ରମାଣ କରିବାକୁ ଚେଷ୍ଟା କରନ୍ତି । ସେଥିପାଇଁ ବାରମ୍ବାର ଦେବତାଙ୍କୁ ହଇରାଣ ହରକତ କରିଥାନ୍ତି ।
ବର୍ଷ ବର୍ଷ ଧରି ସେହି ଦେବତା(ବ୍ରହ୍ମା, ବିଷ୍ଣୁ, ମହେଶ୍ୱର)ଙ୍କ ଶରଣାପନ୍ନ ହୋଇ ବରପ୍ରାପ୍ତ ହୁଅନ୍ତି । ତା ପରେ ଇନ୍ଦ୍ରପଦ ପାଇବା ପାଇଁ ଦେବତାଙ୍କ ସହିତ ଯୁଦ୍ଧ ଆରମ୍ଭ କରି ଦିଅନ୍ତି । ଏମାନେ ଶୁମ୍ଭ, ନିଶୁମ୍ଭ , ମହିଷାସୁର, ହିରଣ୍ୟାକ୍ଷ, ହିରଣ୍ୟକଶିପୁ, କଂସ, ରାବଣ ରୂପରେ ବିଭିନ୍ନ ଦେବାଦେବୀ ଓ ଈଶ୍ୱରଙ୍କ ଅବତାର ଦ୍ୱାରା ନିହତ ହୋଇଥିଲେ ମଧ୍ୟ ସୁଧୁରନ୍ତି ନାହିଁ । ସେମାନଙ୍କର ଏହି ହୀନ ମାନସିକତା ଶେଷରେ ସେମାନଙ୍କର ବିନାଶର କାରଣ ପାଲଟେ ।
ପୌରାଣିକ ନୀତିଶାସ୍ତ୍ର ଅନୁଯାୟୀ, ଯିଏ ଅଜ୍ଞାନବଶତଃ ଅନ୍ୟର ମାନହାନୀ କରେ, ସେ ପ୍ରକୃତରେ ନିଜର ଆଧ୍ୟାତ୍ମିକ ଓ ନୈତିକ ପତନ ଘଟାଇଥାଏ ।
ବୈଜ୍ଞାନିକ ଓ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣ ଅନୁଯାୟୀ ଅସୁରକ୍ଷାବୋଧ (Insecurity) ଏବଂ ପ୍ରତିଫଳନ (Projection) ଆଧୁନିକ ମନୋବିଜ୍ଞାନ ଏବଂ ସ୍ନାୟୁବିଜ୍ଞାନ ଏପରି ଆଚରଣକୁ ଗଭୀର ମାନସିକ ସମସ୍ୟା ଭାବରେ ବିଶ୍ଳେଷଣ କରିଥାଏ ।
ମନୋବିଜ୍ଞାନୀ ଆଲଫ୍ରେଡ୍ ଆଡ୍ଲର୍ଙ୍କ ମତରେ ଯେଉଁ ବ୍ୟକ୍ତିମାନେ ନିଜ ଭିତରେ ଗଭୀର ଅସୁରକ୍ଷାବୋଧ କିମ୍ବା ଅସମର୍ଥତା ଅନୁଭବ କରନ୍ତି ସେମାନଙ୍କୁ ହୀନମନ୍ୟତା ଓ ଅସୁରକ୍ଷାବୋଧର ଶିକାର ବୋଲି କୁହାଯାଏ । ସେମାନେ ଅନ୍ୟକୁ ତଳକୁ ଖସାଇ ନିଜକୁ ବଡ଼ ଦେଖାଇବାକୁ ଚେଷ୍ଟା କରନ୍ତି । ଏହା ହେଉଛି ହୀନମନ୍ୟତା ବା Inferiority Complex ର ଏକ ପ୍ରତିକ୍ରିୟାଶୀଳ ରୂପ । ଏହି ମୁଁ- ସର୍ବସ୍ଵ ବ୍ୟକ୍ତିମାନେ ଏତାଦୃଶ ହୀନ ମାନସିକତାରେ ଆକ୍ରାନ୍ତ ଯେ ଏମାନେ ଆଖି ଖୋଲି ସତ୍ୟ ଦେଖିବାକୁ ନାରାଜ, ସତ୍ୟ ଅନୁସନ୍ଧାନ କରିବା ତ ଦୂରର କଥା । ଏଥିରେ ପୀଡ଼ିତ ବ୍ୟକ୍ତିମାନେ କେବଳ ଆତ୍ମପ୍ରଶଂସା ଚାହାଁନ୍ତି ଏବଂ ଆତ୍ମପ୍ରଚାର ପାଇଁ ଅନ୍ୟର ସଫଳତାକୁ ଅସ୍ୱୀକାର କରିବାକୁ କିମ୍ବା ସେମାନଙ୍କ ଚରିତ୍ରକୁ ହନନ କରିବାକୁ ପଛାନ୍ତି ନାହିଁ ।
ବିଜ୍ଞାନ ଅନୁସାରେ ଯେତେବେଳେ ଜଣେ ବ୍ୟକ୍ତି ଅନ୍ୟର ନିନ୍ଦା ବା ଈର୍ଷା କରେ, ସେତେବେଳେ ମସ୍ତିଷ୍କରେ ‘ଷ୍ଟ୍ରେସ୍ ହରମୋନ୍’ (କର୍ଟିସୋଲ୍) ବୃଦ୍ଧି ପାଏ । ଏହା କେବଳ ବ୍ୟକ୍ତିର ମାନସିକ ଶାନ୍ତି ନଷ୍ଟ କରିବା ସହିତ ତାଙ୍କର ସୃଜନଶୀଳତାକୁ ମଧ୍ୟ ସଙ୍କୁଚିତ କରିଦିଏ ।
ଅନ୍ୟର ସମାଲୋଚନା କରିବା କିମ୍ବା ଗୋଡ଼ ଟାଣିବା ଦ୍ୱାରା ନିଜର ଅସ୍ତିତ୍ୱ କେବେ ମଜବୁତ ହୁଏ ନାହିଁ ବରଂ ଆତ୍ମସମୀକ୍ଷା ଜରୁରୀ । ପ୍ରଥମେ ନିଜର ଦୁର୍ବଳତା ଓ ଗୁଣକୁ ବୁଝିବା ଉଚିତ୍ । ଯିଏ ନିଜକୁ ଜାଣିଛି ଓ ସମ୍ବେଦନଶୀଳ, ସେ କେବେ ବି ଅନ୍ୟ ଉଦ୍ଦେଶ୍ୟରେ ମୂଲ୍ୟହୀନ ମନ୍ତବ୍ୟ ଦିଏ ନାହିଁ ।
ଅନ୍ୟର ପରିସ୍ଥିତି ଏବଂ ପରିଶ୍ରମକୁ ବୁଝିବା ପାଇଁ ମାନସିକ ପରିପକ୍ୱତା ସହିତ ସୁସ୍ଥ ମାନସିକତା ଆବଶ୍ୟକ । ନିଜର କର୍ମ ଓ ସୃଜନଶୀଳତା ଉପରେ ଧ୍ୟାନ ଦେଲେ ଅନ୍ୟ ପଛରେ ସମୟ ନଷ୍ଟ କରିବାର ପ୍ରବୃତ୍ତି ଆପେ ଆପେ ଦୂର ହେବା ସହିତ ନିଜ ଦୁର୍ବଳ ବ୍ୟକ୍ତିତ୍ୱ ଦୃଷ୍ଟିଗୋଚର ହୋଇଥାଏ ।
ପୌରାଣିକ ଚିନ୍ତନ ଏବଂ ବିଜ୍ଞାନ ଉଭୟେ ଏହି ସତ୍ୟକୁ ସ୍ୱୀକାର କରନ୍ତି ଯେ, ହୀନ ମାନସିକତା ଏକ ପ୍ରକାରର ମାନସିକ ଦାରିଦ୍ର୍ୟ । ବ୍ୟକ୍ତିଗତ ଜୀବନରେ ଏହା ଅଧୋଗତି ଆଣିବା ସହ ସମାଜରେ ଅଶାନ୍ତି ସୃଷ୍ଟି କରେ । ତେଣୁ ପରନିନ୍ଦା ଓ ଅସୂୟା ଭାବରୁ ଦୂରେଇ ରହି ଆତ୍ମ-ଶୁଦ୍ଧି, ସତ୍ୟାନ୍ଵେଷଣ ଏବଂ ସହାନୁଭୂତି ମାର୍ଗରେ ଚାଲିବା ହିଁ ମନୁଷ୍ୟର ପ୍ରକୃତ ଧର୍ମ ଓ ପରିଚୟ।
