ଅଣୁଗଳ୍ପ

ସଲାମ୍ ଭୁବନେଶ୍ୱର

Priyadarshini Panda's odia short story Salaam Bhubaneswar

ହେ ମାୟାବୀ ରାଜଧାନୀ । ତୁମକୁ ଦୂରୁ ଜୁହାର ବଞ୍ଚିଥିବା ଯାଏ ଆଉ ତୁମ ପାଖକୁ କେବେ ଆସିବି ନାହିଁ ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ରାଜଧାନୀର ଏ ଝିଲିମିଲି ରୂପ, ଏ ବଡ ବଡ ସ୍କାଏସ୍କ୍ରେପର, ନିଅନ୍‌ର ମଧୁର ଉଜ୍ଜ୍ୱଳ ଆଲୋକ, ବିଗ୍‌ବଜାର, ମଲଟି ପ୍ଲେକ୍ସ ଓ ସପିଂ ମଲ୍‌ ଆଦି ଦେଖିଲେ ମୋତେ ଲାଗୁଥିଲା ମୁଁ ଚଳଚ୍ଚିତ୍ରରେ ଦେଖିଥିବା କୌଣସି ଗୋଟେ ବଡ ସହରରେ ବୁଲୁଛି । ହୋଇପାରେ ପ୍ୟାରିସ୍, ଲଣ୍ଡନ୍‌, ରୋମ କି ୱାସିଂଟନ୍ ।

ଆଃ, ଭୁବନେଶ୍ୱରର ଏ ମାୟାବୀ ମୋହ ମୋତେ ଘାରିଯାଏ । ମୁଁ ରାଜଧାନୀକୁ ଖୁବ୍ ଭଲପାଏ । ମୁଁ ଢେଙ୍କାନାଳର ଗୋଟେ ଛୋଟ ସବ୍‌ଡିଭିଜନ୍‌ରେ ଜନ୍ମ ହୋଇଥିଲି । ସେଇଟି ବଢିଥିଲି, ପଢିଥିଲି । ତାକୁ ତ ଗୋଟେ ସହର କୁହାଯିବ ନାହିଁ, ଯେମିତି ଗୋଟେ ବଡ ଗାଁ । କିଛି ସ୍କୁଲ, ଗୋଟେର କଲେଜ, କେତେଟା ଅଫିସ୍ ଓ ଗୋଟେ ଛୋଟ ବଜାରକୁ ନେଇ ତା’ର ଅବସ୍ଥିତ । ସହରର ଏ ମୁଣ୍ଡରୁ ଡକା ପକାଇଲେ ଆର ମୁଣ୍ଡରେ ଥିବା ବ୍ୟକ୍ତି ‘ଓ’ କହିବ । କିଏ କାହାକୁ ନ ଚିହ୍ନିଛି ସେଠାରେ । କଥାରେ କହନ୍ତି କାହା ଘରେ କେତେ ମୂଷାର ଗାତ ଅଛି ସେକଥା ସେଠାରେ ସମସ୍ତଙ୍କୁ ଜଣା । ସେଠି ରାସ୍ତାରେ ଚାଲିଗଲେ କହିବେ, ଏଇ ଦେଖ ମଧୁପାଳଙ୍କ ଝିଅ ଯାଉଛି । ସେଥିପାଇଁ ମୋ ମା’ଙ୍କର କଡା ତାଗିଦା । ରାସ୍ତାରେ ତଳକୁ ମୁଣ୍ଡ ପୋତି ଯିବୁ । ଏକଡ ସେକଡ ଚାହିଁବୁ ନାହିଁ । ନ ହେଲେ ବାପା, ଅଜାଙ୍କ ନା ପଡିବ । ଆରେ ବାବା କାହା ସାଙ୍ଗେ ଟିକେ କଥା ହୋଇଗଲେ ଘରେ ଆସି ଖବର । କଉଠି ଟିକେ ଚାଟ୍ କି ଗୁପ୍‌ଚୁପ୍ ଖାଇଦେଲେ ମଧ୍ୟ ଘରେ ଆସି ଖବର । ଆଉ ଯେଉଁ ଦିନ କ୍ଲାସ୍ ବନ୍ଦ କରି ସିନେମା ଯାଇଥିଲି, ସେଦିନ ଘରେ ତ ଖବର ପହଞ୍ଚି ଯାଇଥିଲା । ତା’ ସହିତ ମୋ ମା’ ମୋ ସହିତ ଦୁଇଦିନ ପର୍ଯ୍ୟନ୍ତ କଥା ହେଲେ ନାହିଁ । ଏମିତି ସଂକୀର୍ଣ୍ଣ ମନୋବୃତ୍ତିର ଲୋକମାନଙ୍କ ମଧ୍ୟରେ କଣ ଚଳି ହୁଏ ?

କେଜାଣି କାହିଁକି ମୁଁ ସ୍ୱଭାବରେ ଖୁବ୍ ସ୍ୱାଧୀନ ଆଉ ଆଧୁନିକ ଥିଲି । ଚଳଚ୍ଚିତ୍ର ଭିଡିଓ ଓ ସିଡି ଆଦିରୁ ମୁଁ ଅନେକ କଥା ଜାଣି ପାରୁଥିଲି । ନାରୀମାନେ ଆଜିକାଲି ଜିନ୍ ଆଉ ଛୋଟ ଟପ୍ ଖଣ୍ଡେ ପିନ୍ଧି ବୁଲୁଛନ୍ତି ଆଉ ଏମାନେ ଆମକୁ ପାଞ୍ଚ ମିଟର୍‌ର ଶାଢୀରେ ଗୁଡାଇ ଘର କୋଣରେ ବାନ୍ଧି ରଖୁଛନ୍ତି । ଏ ରକ୍ଷଣଶୀଳତା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ଇଚ୍ଛା ହୁଏ । ହେଲେ ମୋ ଆଙ୍କୁଶ ତ ହେଲେ ମୋ ମା’ । ତା’ଙ୍କ ଡରରେ ମୁଁ କିଛି ବି କରି ପାରେନି ।

ବି.ଏ. ପରୀକ୍ଷା ଦେଇ ସାରିବା ପରେ ବାଣୀବିହାରରେ ଏମ୍.ଏ. ପଢିବା ପାଇଁ ଏଣ୍ଟ୍ରାନ୍ସ ଦେବାପାଇଁ ଆସିଥିଲି ଭୁବନେଶ୍ୱର । ସେଠାରେ ମୋ ମାଉସୀ ପୁଅ ଭାଇ କଉ ଗୋଟେ କମ୍ପାନୀରେ ଚାକିରି କରୁଥିଲେ । ଭାଉଜଙ୍କୁ ଦେଖି ତ ପ୍ରଥମେ ଚମକି ପଡିଲି । ଦୁଇଟି ସନ୍ତାନର ଜନନୀ ହୋଇ ମଧ୍ୟ ସେ ମ୍ୟାକ୍ସି ଖଣ୍ଡେ ଗଳାଇ ଦେଇ ବୁଲୁଥିଲେ । ବାଳ ତ ପନିଟେଲ୍ କଟା ହୋଇଥିଲା । ଆଖିର ଭୁରୁ ଚମତ୍କାର ଭାବରେ ସଜା ହୋଇଥିଲା । ମୁହଁଟା କେମିତି ଗୋରା ଗୋରା ହୋଇ ଚମକୁ ଥିଲା । ଦିଶୁଥିଲେ ଖୁବ୍ ୟଙ୍ଗ ଆଉ ଡାଇନାମିକ୍ । ମୋ ବାପା ତ ତାଙ୍କୁ ମୁହଁ ଟେକି ଚାହିଁପାରୁ ନ ଥିଲେ, ଯଦିଓ ଭାଉଜଙ୍କର କୌଣସି ଲଜ୍ୟା ବା ସଂକୋଚ ନ ଥିଲା ।

ଚା’ ଜଳଖିଆ ଖିଆ ସରିବା ପରେ ମୁଁ ଭାଉଜଙ୍କୁ ରୋଷେଇ ଘରେ ଭିଡି ଧରି କହିଲି, ‘କ’ଣ ଦିଶୁଛ ମ- ଭାଉଜ । ଭୁବନେଶ୍ୱର ଆସି ତ କଲେଜ ଝିଅପରି ଲାଗୁଛ ।’ ଭାଉଜ ଟିକେ ଫୁଲିଗଲେ । ଲିପ୍‌ଷ୍ଟିକ୍‌ ବୋଳା ଓଠକୁ ଚାପି ଚାପି କହିଲେ, ଆରେ ରୁନୁ ଏଇ ପରା ରାଜଧାନୀ । ଏଠି ସୁନ୍ଦର ହେବା ପାଇଁ ବହୁତ ସାଧନ ଅଛି । ଥରେ ବିଉଟି ପାର୍ଲରକୁ ଗଲେ ସେମାନେ ଆଇବ୍ରୋ ସେପ୍, ଫେସିଆଲ ବ୍ଲିଚିଂ ଆଦି କରି ଏମିତି ସଜାଇ ଦେବେ ଯେ ନିଜେ ମଧ୍ୟ ନିଜକୁ ଚିହ୍ନିପାରିବନି । ବାଳକଟା ତ କେତେ ପ୍ରକାରର ଅଛି । ଜାଣିଛ ନା କମ୍ପ୍ୟୁଟର୍‌ରେ ତୁମ ଚେହେରା ସହିତ ବିଭିନ୍ନ ଷ୍ଟାଇଲର ହେୟାର କଟ ଦେଇ ଯେଉଁ ଷ୍ଟାଇଲଟା ସୁଟ୍ କରିବ ସେମିତି ବାଳ କାଟିବେ । ମୋର ଦେଖୁନ କେମିତି ଷ୍ଟେପ୍ କଟ୍ କରି ଦେଇଛନ୍ତି । ମୁଁ ଖାଲି ଘରେ ଅଛି ବୋଲି ନା ତାକୁ ପନିଟେଲ୍ କରି ଦେଇଛି । ଏହା କହି ଭାଉଜ ତାଙ୍କ କ୍ଲିପ୍ ଖୋଲିଦେଲେ ଆଉ ମୁଁ ମୁଗ୍ଧ ହୋଇ ଦେଖୁଥିଲି । ତାଙ୍କ ବାଳ ଷ୍ଟାଇଲ୍‌କୁ । ବାପରେ ବାପ୍, ଥରେ ବାଣୀବିହାରରେ ଆଡ୍ମିଶନ ନେଇଗଲେ ମୁଁ କ’ଣ କ’ଣ ଷ୍ଟାଇଲ୍ କରିବି ସେକଥା କଳ୍ପନା କରି ବିଭୋର ହୋଇ ପଡୁଥିଲି, ଆଉ ରୂପ ନଗରୀ ରାଜଧାନୀର ପ୍ରେମରେ ହିଁ ପଡି ଯାଇଥିଲି ।

ମୋ ନିଜ ସହରକୁ ଫେରିଆସି ସବୁ ଲାଗୁଥିଲା ରଙ୍ଗଛଡା, ଫିକା ଫିକା । ଆଉ ମୋ ଦୁଃଖ ଆହୁରି ବଢିଗଲା ଯେତେବେଳେ ଜାଣିଲି ଯେ ମୁଁ ଏଣ୍ଟ୍ରାନ୍‌ସରେ କୃତକାର୍ଯ୍ୟ ହୋଇ ପାରିନାହିଁ । ଆଃ, ବାଣୀବିହାରରେ ପଢିବାର ସ୍ୱପ୍ନ ମୋର ସ୍ୱପ୍ନ ରହିଗଲା । ହେଲେ ମୋ ଘର ଲୋକଙ୍କ ମନରେ କୌଣସି ଦୁଃଖ ନଥିଲା । ସେମାନେ ଲାଗି ପଡିଲେ ମୋ ବାହାଘର ପାଇଁ । ଆରମ୍ଭ ହୋଇଗଲା ମଧ୍ୟସ୍ଥିଙ୍କ ଆସିବା ଯିବା, କନ୍ୟା ଦେଖା, ଦିଆନିଆର ହିସାବ । ହେଲେ ମୋର ଗୋଟିଏ ସର୍ତ୍ତ ଥିଲା । ମୋ ସ୍ୱାମୀ ଭୁବନେଶ୍ୱରରେ ଚାକିରି କରିଥିବା ଦରକାର । ବର୍ଷେ ଦେଢ ବର୍ଷର ଖୋଜା ଖୋଜି ପରେ ମୋ ବାହାଘର ଠିକ୍ ହୋଇଗଲା । ଆଉ ମୋ ସର୍ତ୍ତ ଅନୁଯାୟୀ ମୋ ସ୍ୱାମୀ ଭୁବନେଶ୍ୱରର ଗୋଟେ କମ୍ପାନୀରେ ଚାକିରି କରୁଥିଲେ । ଦରମା ଯଦିଓ ଅଳ୍ପ ଥିଲା । ଘରର ସ୍ୱଚ୍ଛଳତା ଥିଲା । ବେଶ୍ ଜଳସେଚିତ ଜମିଥିବାରୁ ଘରେ ଅଭାବ, ଅସୁବିଧା ନ ଥିଲା । ଦୁଇ ଝିଅ ବାହା ହୋଇ ସାରିଥିଲେ । ଘରର ଏକମାତ୍ର ବୋହୂ ହୋଇଥିବାରୁ ମୋ ଶାଶୁ, ଶ୍ୱଶୁରଙ୍କ ସବୁ ସ୍ନେହ , ମମତା ପାଇ ପାରିବି ବୋଲି ମୋ ବାପା, ମା’ ଖୁସିଥିଲେ । ଆଉ ମୁଁ ମୋ ଭାବି ସ୍ୱାମୀଙ୍କୁ ନେଇ ଖୁସି ଥିଲି । ଟିକେ କଳା ହେଲେ କ’ଣ ହେଲା ଭୁବନେଶ୍ୱରିଆ ତ ।

ବାହାଘର ପରେ ମୋ ସ୍ୱାମୀ ଆମର ଦେଇଥିବା ବାଇକ୍‌ଟିକୁ ଭୁବନେଶ୍ୱର ନେଇଗଲେ କିନ୍ତୁ ମୋତେ ଗାଁରେ ଛାଡିଦେଇ ଗଲେ । ପ୍ରତି ଶନିବାର ରାତିରେ ଗାଁରେ ପହଞ୍ଚି ଯାଉଥିଲେ ଆଉ ସୋମବାର ଦିନ ସକାଳୁ ଚାଲିଯାଉଥିଲେ । ଏମିତି ଦେଖିଲେ ଗାଁରେ ମୋର କିଛି ଅସୁବିଧା ନ ଥିଲା । ମୁଁ ଗ୍ୟାସ୍ ଚୁଲାରେ ରୋଷେଇ କରୁଥିଲି । ପାଣି ତ କୂଅରୁ ମୋଟରରେ ଉଠାହୋଇ ପାଇପ୍‌ରେ ରୋଷେଇ ଘର ପର୍ଯ୍ୟନ୍ତ ଆସୁଥିଲା । କୂଅ ମୂଳରେ ବାଥ୍‌ରୁମ ଓ ସେପ୍ଟିକ୍ ଲାଟିନ୍ ମଧ୍ୟ ଥିଲା । ମୁଁ ନେଇଥିବା କଲର ଟି.ଭି.ରୁ ମୋର ସବୁ ପ୍ରିୟ ପୋଗ୍ରାମ ମଧ୍ୟ ଦେଖିପାରୁଥିିିଲି । ତଥାପି ମୁଁ ସନ୍ତୁଷ୍ଟ ନଥିଲି । ମୋ ସ୍ୱାମୀ ପ୍ରତିଥର ଆସିଲା ବେଳକୁ ମୋ ପାଇଁ କିଛି ନା କିଛି ଉପହାର ନେଇ ଆସୁଥିଲେ, ହେଲେ ମୁଁ ସେ ସବୁରେ ଜମା ଖୁସି ନ ଥିଲି । ସବୁବେଳେ ମୋର ଗୋଟିଏ ଅନୁରୋଧ, ମୁଁ ଭୁବନେଶ୍ୱର ଯିବି । ମୋ ସ୍ୱାମୀ ମୋତେ ଖୁବ୍ ବୁଝାଉଥିଲେ,’ ଦେଖ, ବାପା, ମା’ ଏକା ଅଛନ୍ତି । ଝିଅମାନେ ତ ସମସ୍ତେ ବାହା ହୋଇଗଲେଣି, ତୁମେ ଚାଲିଗଲେ ଘର ଖାଲି ହୋଇଯିବ । ତାଙ୍କୁ ଖୁବ୍ ଖରାପ ଲାଗିବ । ତା ଛଡା ସେମାନେ ସମସ୍ତେ ମୋତେ ନିନ୍ଦା କରିବେ । କହିବେ ବାହା ହେଉ ହେଉ ସ୍ତ୍ରୀକୁ ଧରି ପଳାଇଲା । ମୋ ସୁନାଟା ପରା କିଛିଦିନ ରହିଯାଅ । ତା’ ପରେ ତ ସବୁଦିନ ପାଇଁ ଭୁବନେଶ୍ୱରରେ ରହିବ ।’

ମୁଁ ଯଦିଓ ନୀରବ ରହୁଥିଲି ତେବେ ମନେ ମନେ ଖୁବ୍ ଅସନ୍ତୁଷ୍ଟ ଥିଲି । ସ୍ୱପ୍ନର ରାଜଧାନୀ ମୋତେ ହାତଠାରି ଡାକୁଥିଲା । ଆଃ, ମୋ ଜନ୍ମ କଣ ହୋଇଛି ଏଇ ଗାଁରେ ରହି ଏ ମୂର୍ଖ ମଳିମୁଣ୍ଡିଆ ମାନଙ୍କ ମଧ୍ୟରେ ମରିଯିବା ପାଇଁ । ନା, ନା ଗୋଟେ ଉନ୍ନତ , ଆଧୁନିକ ଜୀବନ ମୋ ପାଇଁ ଅପେକ୍ଷା କରିଥିଲା । ମୁଁ ମୋ ସ୍ୱାମୀଙ୍କ ପାଖରେ ସେଇ ଗୋଟିଏ ଅନୁରୋଧ ବାରମ୍ବାର ପେଶ୍ କରୁଥିଲି, ମୁଁ ଭୁବନେଶ୍ୱର ଯିବି ।

ଏମିତି, ଏମିତି ହୋଇ ଗଡି ଚାଲିଲ ଦିନ, ମାସ ଆଉ ବର୍ଷ । ମୁଁ ଗର୍ଭବତୀ ହେଲି । ପୁତ୍ର ସନ୍ତାନର ଜନନୀ ହେଲି । ହେଲେ ଭୁବନେଶ୍ୱର ଆସି ପାରିଲି ନାହିଁ । ମୋ ପୁଅ ଗୁଡୁ ଖନେଇ, ଖନେଇ କଥା କହିବା ଶିଖିଲା । ଟିପିଟିପି ପାଦ ପକାଇ ଚାଲିବା ଆରମ୍ଭ କଲା ତେବେ ବି ମୁଁ ଗାଁରେ ଥିଲି । ହେଲେ ମୋ ପୁଅ ଯେଉଁଦିନ ପାଠ ପଢିବା ଆରମ୍ଭ କଲା, ମୁଁ ତାକୁ ଅ, ଆ ପରିବ ଶିଖାଇଲି ଏ, ବି, ସି, ଡି… । ଏ ଫର୍ ଆପେଲ୍, ବି ଫର୍ ବଲ୍ ଇତ୍ୟାଦି । ଆଉ ଯେଉଁଦିନ ମୋ ପୁଅ ରାଇମ୍ସ ଗାଇଲା, ଟୁଇଁକିଲ୍… ଟୁଇଁକିଲ୍ ଲିଟିଲ୍ ଷ୍ଟାର… । ସେଦିନ ମୋ ସ୍ୱାମୀଙ୍କୁ ମୁଁ ଆଉ ରଖାଇ ଥୋଇ ଦେଲିନାହିଁ । କହିଲି, ଦେଖ ଏଠି ଗାଁରେ ରହିଲେ ପୁଅ ଆମର ମୂର୍ଖ ହୋଇଯିବ । ଆମକୁ ଭୁବନେଶ୍ୱର ନେଇଯାଅ । ସେଠାରେ ସେ ଇଂଗ୍ରାଜୀ ମିଡିୟମରେ ପଢିବ । ନର୍ସରୀ ଯିବ । ପ୍ଲିଜ୍ ଆଉ ଡେରି କରନି । ମୋ ସ୍ୱାମୀଙ୍କ ମନକୁ କଥାଟା ପାଇଲା । ପୁଅ ପାଠପଢିବା ଆଳରେ ଆମର ଭୁବନେଶ୍ୱର ଆସିବା ସମ୍ଭବ ହେଲା ।

ଆଃ, ମାୟାବୀ ନଗର ଭୁବନେଶ୍ୱରକୁ ଆସି ମୋହାଚ୍ଛନ୍ନ ହୋଇପଡିଲି । ଚନ୍ଦ୍ରଶେଖରପୁରେ ଭଡାରେ ରହୁଥିବା ମୋ ଦୁଇବଖରା ଆଜବେଷ୍ଟ ଘର ମୋତେ ସ୍ୱର୍ଗପରି ଲାଗୁଥିଲା । ମୋ ପୁଅର ନାଁ ଡି.ଏ.ଭି ପବ୍ଲିକ୍ ସ୍ଲୁଲରେ ଲେଖାଇ ଦେଲି । ମୋର ପ୍ରଥମ କାମ ହେଲା ଶାଢୀ ଛାଡି ଚୁଡିଦାର, ପଞ୍ଜାବୀ ଓ ମ୍ୟାକ୍ସି ପିନ୍ଧିବା ଆଉ ପାର୍ଲର ଯାଇ ହେୟାର ଷ୍ଟାଇଲ୍ ବଦଳାଇବା, ଆଇବ୍ରୋ ସେପ୍ କରିବା ଏବଂ ଫେସିଆଲ, ବ୍ଲିଚ୍ ପ୍ରଭୃତି କରିବା । ଏସବୁ କରିସାରିବା ପରେ ମୋତେ ଖୁବ୍ ସ୍ମାର୍ଟ, ସ୍ମାର୍ଟ ଲାଗୁଥାଏ । ପୁଅକୁ ପ୍ରତିଦିନ ସ୍ଲୁଲକୁ ଛାଡିବାକୁ ନେଲାବେଳେ ମୋ ହିଲର ଠକ୍ ଠକ୍ ଶଦ୍ଧରେ ମୁଁ ନିଜେ ମୁଗ୍ଧହୋଇ ପଡୁଥାଏ । ମୋ ସ୍ୱାମୀ ମୋତେ ଚାହିଁ ଅଳ୍ପ ଅଳ୍ପ ହସିଦିଅନ୍ତି ଆଉ କହନ୍ତି, ତୁମେ ତ ରମାଦେବୀ କଲେଜରେ ପଢିଲା ପରି ଦିଶୁଛ କିଏ କହିବ ତୁମେ ଗୁଡୁର ମା ବୋଲି । ଗର୍ବରେ ମୋ ଛାତି କୁଣ୍ଡେମୋଟ ହୋଇଯାଏ । ଦର୍ପଣ ଆଗରେ ଠିଆ ହୋଇ ମୋ ନିଜକୁ ମୁଁ ଘଣ୍ଟା ଘଣ୍ଟା ଧରି ସଜାଏ । ଶନିବାର ଓ ରବିବାର ଦିନ ଆମେ ବାହାରେ ବୁଲାବୁଲି କରୁ ଓ ଖାଇ ପି ରାତିକୁ ଫେରୁ । ଖୁବ୍ ମଜାରେ କଟିଯାଉଥାଏ ମୋ ଦିନ । ସତେ ଯେପରି ମୋର ସବୁଦିନ ସ୍ୱପ୍ନ ସାକାର ହୋଇଯାଉଥାଏ ।

ସେଦନ ଥାଏ ରବିବାର । ଏମିତି ଗୋଟିଏ ମାୟାମୟ ଅପରାହ୍ନ । ମୁଁ ମୋ ସ୍ୱାମୀଙ୍କୁ ବିଗ୍‌ବଜାର ଯିବାପାଇଁ ଲଗାଇଥାଏ । ହେ, ମୋତେ ପରା କହୁଥିଲ ବିଗ୍‌ବଜାର ପିଜାହଟ୍‌ରେ ପିଜା ଖୋଇବ ବୋଲି । ଆଜି ଚାଲନା ମୋର ମଧ୍ୟ କେତେ ଗୁଡାଏ ସପିଂ ଅଛି । ମୋ ସ୍ୱାମୀ ମାସ ଶେଷ ହୋଇ ଆସୁଥିବାରୁ ଯିବାପାଇଁ ଜମାରୁ ଆଗ୍ରହ ଦେଖାଇଲେ ନାହିଁ । କହିଲେ, ଆଜି ଚାଲ ଏଠାରେ ଗୋଟେ ଭଲ ପାର୍କ ଅଛି ତୁମକୁ ଦେଖାଇ ଆଣିବି । ଆଉ ରବିବାର ବିଗ୍‌ବଜାର ଯିବା । ଅଗତ୍ୟା ମୁଁ ରାଜି ହୋଇଗଲି କାରଣ ମୋ ପାଖରେ ମଧ୍ୟ ଆଉ ଅର୍ଥ ନଥିଲା । ମାୟା ନଗରରେ ସପିଂ କରୁ କରୁ ମୋ ସଞ୍ଚିତ ସମସ୍ତ ଅର୍ଥ ସରିଯାଇଥିଲା, ଲାଲ ରଙ୍ଗର ଏମ୍ରୋୟଡରୀ କରା ସୁନ୍ଦର ସୁଟ୍‌ଟି ପିନ୍ଧି ବାହାରି ପଡିଲି । ମେ ମାସର ଖରା ମଉଳି ଆସୁଥାଏ ହେଲେ ଗରମ ଓ ଗୁଳୁଗୁଳି ଯାଇନଥାଏ । ପାର୍କରେ ନିଶ୍ଚୟ ଆରାମ ଲାଗିବ ।

ଅପେକ୍ଷାକୃତ ନିରୋଳା ସ୍ଥାନଦେଖି ଆମେ ବସିପଡିଲୁ । ଏମିତି ପାହାଡ, ଜଙ୍ଗଲ, ଗଛ କି ଝରଣା ମୋତେ ଏତେ ଆକର୍ଷିତ କରନ୍ତି ନାହିଁ କାରଣ ମୁଁ ନିଜେ ପାହାଡିଆ ଅଞ୍ଚଳର ହୋଇଥିବାରୁ ଏସବୁ ଦୃଶ୍ୟ ପିଲାବେଳୁ ଦେଖି ଦେଖି ଅଭ୍ୟସ୍ତ । ତେବେ ମୋତେ ପାର୍କ ଭଲଲାଗେ । ସଜ୍ଜିତ ଫୁଲର ବଗିଚା, ବିଦ୍ୟୁତ୍ ଦ୍ୱାରା ପରିଚାଳିତ ପାଣିର ନୃତ୍ୟ ଆଉ ତା ସହିତ ଯୋଡି ଯୋଡି ପ୍ରଜାପତି ପରି ବୁଲୁଥିବା ପୁଅ, ଝିଅଙ୍କୁ ମୋତେ ଦେଖିବା ପାଇଁ ଭାରୀ ଭଲ ଲାଗେ । ବେଶୀ ଭଲଲାଗେ ନୀରବରେ ବସି କିଏ କ’ଣ ପିନ୍ଧିଛି ଦେଖିବା ପାଇଁ । ବିଭିନ୍ନ ଷ୍ଟାଇଲର ପୋଷାକ ଦେଖିବାରେ ମୋର ବଡ ଆଗ୍ରହ ।

ଏ ଭିତରେ ମୋ ପୁଅ ଖେଳାଖେଳିରେ ମାତିଯାଇଥାଏ । ମୋ ସ୍ୱାମୀ ଆଣିଥିବା ବାଦାମ ପ୍ୟାକେଟ୍‌ରୁ ଗୋଟେ ଗୋଟେ ଛଡାଇ ନିଜେ ଖାଉଥନ୍ତି ଆଉ କିଛି ମୋ ହାତକୁ ବଢାଇ ଦେଉଥାନ୍ତି । ସନ୍ଧ୍ୟା ଆସିବାକୁ ତଥାପି ଡେରିଥାଏ । ହଠାତ୍ ମୋ ପୁଅ ବଡ କାଡବରିଜ୍ ଚକୋଲେଟ୍ଟିଏ ଆଣି ମୋତେ ଖୋଲି ଦେବାପାଇଁ କହିଲା । କଉଠୁ ଆଣିଲୁ ବୋଲି ପଚାରିଲାରୁ ଆମଠାରୁ ଅନତି ଦୂରରେ ବସିଥିବା କିଛି ଯୁବକଙ୍କୁ ହାତବଢାଇ ଦେଖାଇଦେଲା । ସେମାନେ ମଧ୍ୟ ହାତ ହଲାଇ ଗୁଡୁକୁୁ ଡାକୁଥିଲେ । ଏଥର ଗୁଡୁ ପୁଣି ତାଙ୍କ ପାଖକୁ ଦଉଡିଗଲା ଆଉ ଖେଳରେ ମାତିଗଲା । ସେମାନେ ମଧ୍ୟ ହସି ହସି ତା ସହିତ ଗୋଡିଆଗୋଡି ଖେଳୁଥିଲେ । ସେମାନଙ୍କ ଆଡେ ନିରେଖି ଚାହିଁଲି । ସେମାନେ ପାଞ୍ଚଜଣ ଥିଲେ । ଭଦ୍ର ଓ ସଂଭ୍ରାନ୍ତ ଘରର ପିଲା ପରି ଲାଗୁଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁଡୁ ସହିତ ଖେଳୁଥିଲେ ଅନ୍ୟମାନେ ଛୋଟ ଛୋଟ ପ୍ଲାଷ୍ଟିକ୍ ଗ୍ଲାସ୍‌ରେ କୋଲ୍ଡ ଡ୍ରିଙ୍କ୍ସ ଧରି ପିଉଥିଲେ । ଏମିତି ଗୁଡୁ ସହିତ ଖେଳୁ ଖେଳୁ ସେମାନେ ଆମ ପାଖକୁ ଆସିଲେ । ଆମକୁ ଭାଇନା, ଭାଉଜ ଡାକିଲେ ଆଉ ପରିଚୟ ଦିଆନିଆ ପରେ କୋଲଡି୍ରଙ୍କସ୍ ଯାଚିଲେ । ଇଏ ମଧ୍ୟ ସେମାନଙ୍କ ହାତକୁ ବାଦାମ ପୁଡିଆଟି ବଢାଇ ଦେଲେ । ଆଳାପ, ଆଲୋଚନା ମଧ୍ୟରେ ବନ୍ଧୁତ୍ୱ ଗଢିଉଠିଲା ।

ଏତିକି ବେଳକୁୁ ପାଦ ଚିପିଚିପି ଭୁବନେଶ୍ୱରକୁ ଓହ୍ଲାଇ ଆସିଲା ସନ୍ଧ୍ୟା ଆସ୍ତେ ଆସ୍ତେ ବୋହିବାକୁ ଲାଗିଲା ଦକ୍ଷିଣା ବାଆ । ଅସହ୍ୟ ଗୁଳୁଗୁଳି ତାର ପସରାପାତି ଧରି କୁଆଡେ ଉଭାନ ହୋଇଗଲା । ଶିରୀ, ଶିରୀ ପବନରେ ଉଡିଯାଉଥିଲା ମୋ ଓଢଣୀ, ମୁଣ୍ଡର ବାଳ । ମୋ ସ୍ୱାମୀ ସେମାନଙ୍କ ସହିତ ଗପରେ ମଜ୍ଜିଯାଉଥିଲେ । ଗୁଡୁ ସେ ଦୁଇଜଣ ଯୁବକଙ୍କ ସହିତ ଲୁଚଲାଳି ଖେଳୁଥିଲା ଆଉ ମୁଁ ଗୁଡୁ ଉପରେ ନଜର ରଖି ସେମାନଙ୍କ ପଛେ ପଛେ, ହେଉଥିଲି । ଏମିତି ବେଳାରେ ଚଉଦିଗକୁ ପବିତ୍ର କରିଦେଇ କଉଗୋଟେ ମନ୍ଦିରରୁ ଭାସି ଆସିଲା ଘଣ୍ଟ ଓ ଶଙ୍ଖର ପବିତ୍ର ଧ୍ୱନି । ମୁଁ ଟିକିଏ ରହିଗଲି । ଶଦ୍ଧ ଆସୁଥିବା ଦିଗରୁ ଚାହିଁ ପ୍ରଣାମ କଲି । ପାର୍କରେ ଜଳିଉଠିଲା ଆଲୋକ ମାଳା । ମୋ ସ୍ୱାମୀ ମୋତେ ଡାକିଦେଇ କହିଲେ, “ଶୁଣୁଛ, ଏ ପିଲାମାନେ କହୁଛନ୍ତି ଏ ପାହାଡର ଅଳ୍ପ ଉଚ୍ଚରେ, ଏ ପାଖରେ ଅଛି ଶିବଙ୍କର ମନ୍ଦିର । ସେମାନେ ଦର୍ଶନ କରିବାକୁ ଯାଉଛନ୍ତି । ଆମେ ଯିବା କି ?” ଏତିକି ଶୁଣୁଶୁଣୁ ଗୁଡୁ ଆଗ ପାଟିକଲା, “ହଁ ଡାଡି, ଯିବା, ଏ ଅଙ୍କଲ ମାନଙ୍କ ସାଙ୍ଗରେ ଯିବା ।” ମୁଁ ମଧ୍ୟ ଆଳତୀର ଶଦ୍ଧ ଆସୁଥିବା ଦିଗକୁ ଚାହିଁ କହିଲି, “ହଉ ଚାଲ, ଦେବତା ଦର୍ଶନ ମଧ୍ୟ ହୋଇଯିବ ।”

ସେମାନଙ୍କ ଭିତରୁ ଜଣେ କହିଲା,” ରାସ୍ତା ପଟେ ଗଲେ ଟିକେ ବୁଲାଣି ପଡିବା । ଏଇ ପାର୍କର କଡେ, କଡେ ଗୋଟେ ସଟ୍‌କଟ୍ ରାସ୍ତା ଅଛି । ଆମେ ଦେଖିଛୁ, ଆସନ୍ତୁ ଯିବା ।” ଏତିକି କହୁ କହୁ ସେ ଗୁଡୁକୁ କାଖକରି ଆଗେ ଆଗେ ଚାଲିଲେ । ଆମେ ସ୍ୱାମୀ ସ୍ତ୍ରୀ ସେମାନଙ୍କ ପଛେ ପଛେ ଗପ କରି କରି ଚାଲିଲୁ । କିଛିବାଟ ଗଲାପରେ ମୋତେ ଲାଗିଲା ଆମେ ଯେମିତି ମନ୍ଦିରଠାରୁ ଦୂରକୁ ଦୂରକୁ ଯାଉଛୁ କାରଣ ଘଣ୍ଟ ଶଙ୍ଖର ଶଦ୍ଧ ମ୍ଲାନ ଶୁଭୁଥିଲା, ମନ୍ଦିରର ଚୂଡା ଦେଖାଯାଉ ନ ଥିଲା । ଏଆଡେ ନୋଇଁ ଆସୁଥିଲା ଅନ୍ଧାର । ମୋ ସ୍ୱାମୀ ଟିକେ ଉଚ୍ଚସ୍ୱରରେ କହିଲେ, “ଆରେ ପିଲେ ଠିକ୍ ବାଟରେ ଯାଉଛ ତ ? କାଇଁ ଘଣ୍ଟ, ଶଙ୍ଖର ଶଦ୍ଧ ତ ଆଉ ଶୁଭୁନି କି ମନ୍ଦିର ତ ଦେଖାଯାଉନାହିଁ ।” “ବୋଧେ ଆଳତି ସରିଗଲା । ସେଥିପାଇଁ ଆଉ ଶଦ୍ଧ ଶୁଭୁନି । ମନ୍ଦିର କିନ୍ତୁ ଏଇ ଆମେ ଟିକେ ବାଁକୁ ମୋଡିଗଲେ ପଡିବ । ଆମେ ସବୁବେଳେ ଯାଉ । ତେଣୁ ରାସ୍ତା ଭୁଲିବାର ନାହିଁ ।” ପୁଣି ଥୋଡେ ବାଟ ହସଖୁସିରେ ଚାଲିଗଲୁ । ଏଥର ମୋ ମନକୁ କାହିଁକି ପାପ ଛୁଇଁଲା । ଅନ୍ଧାର ପକ୍ଷର କେଉଁ ଅଜଣା ତିଥିରେ ଚାରିଆଡ ଅନ୍ଧାରରେ ଛମ୍ ଛମ୍ କରୁଥିଲା । ସରୁ ପାଦଚଲା ରାସ୍ତାଟିରେ ପାଦ ଏପଟ, ସେପଟ ପଡୁଥିଲା । ଛୋଟ, ବଡ ପଥର ଖଣ୍ଡରେ ଝୁଣ୍ଟି ପଡୁଥିଲୁ ଆମେ । ମୁଁ ମୋ ସ୍ୱାମୀଙ୍କୁ କେଞ୍ଚିିିଦେଲି । ସେ ରହିଗଲେ । ଏତେବେଳକୁ ତାଙ୍କ ମନରେ ମଧ୍ୟ ସନ୍ଦେହ ବସା ବାନ୍ଧିଲାଣି । ସେ କହିଲେ, ଆରେ ପିଲେ ରାତି ହୋଇଗଲାଣି । ମୋର ଅନ୍ୟକାମ ଅଛି । ପୁଅକୁ ମୋତେ ଦେଇଦିଅ । ଆମେ ଫେରିଯିବୁ । ଆଉଦିନେ ସକାଳବେଳା ଆସି ଦର୍ଶନ କରିବୁ ।”

ଏଥର ଏମାନେ ସବୁ ରହିଗଲେ । ପଛକୁ ଫେରିଆସି ଆମକୁ ଘେରିଗଲେ । ମୋ ପୁଅ ବେକରେ ଚକ୍‌ଚକ୍ ଛୁରୀଟିଏ ଲଗାଇ କହିଲେ, ଚୁପ୍‌ଚାପ୍ ଆମ ସହିତ ଆସ । ନହେଲେ ୟାକୁ କାଟିଦବୁ । ପରିସ୍ଥିତି ବୁଝିପାରି ମୁଁ କାନ୍ଦିପକାଇଲି । ମୋ ସ୍ୱାମୀ ସାହସର ସହିତ କହିଲେ, “ଦେଖ ଭାଇ, ଆମ ପାଖରେ ଯାହାଅଛି ନେଇଯାଅ ହେଲେ ମୋ ପୁଅକୁ ଦେଇଦିଅ ଓ ଆମକୁ ଛାଡିଦିଅ ।” ମୁଁ ମଧ୍ୟ କାନ୍ଦୁ କାନ୍ଦୁ ହାତ ଯୋଡି କହିଲି, “ଆମକୁ ଛାଡିଦିଅ ତୁମର ଧର୍ମ ହେବ । ମୋ ଗୁଡୁକୁ ଦେଇଦିଅ ।” ଏଥର ସମସ୍ତେ ହୋ … ହୋ… ହୋଇ ହସିଉଠିଲେ ଆଉ ସେ ପାଦଚଲା ରାସ୍ତାରୁ ମୋତେ ଜଙ୍ଗଲ ଭିତରକୁ ଭିଡିନେଲେ । ମୋ ପଛରେ ମୋ ସ୍ୱାମୀଙ୍କୁ ଦୁଇଜଣ ମାଡିବସିଲେ । ଆଉ ଗୁଡୁ ଯେତେବେଳେ ମୋ ମମ୍ମିକୁ ଛାଡ ମୋ ମମ୍ମିକୁ ଛାଡ କହି ଗୋଟେ ପିଲାର ହାତକୁ କାମୁଡି ଧରିଲା ସେତେବେଳେ ଆଉ ଗୋଟେ ପିଲାର ବଜ୍ର ପାହାରରେ ଭୂତଳଶାୟୀ ହେଲା । ପରେ ପରେ ତା’ର ଚେତା ବୁଡିଗଲା ।

ଚାରିଘଣ ପରେ ମୋ ଅସାଡ ଦେହଟାକୁ ସେଠାରେ ପକାଇ ଦେଇ ସେ ନରପିଶାଚ ମାନେ ପଳାଇଲେ । କିଛି ସମୟ ପରେ ଝିପ୍ ଝିପ୍ ବର୍ଷା ଆରମ୍ଭ ହୋଇଗଲା ଆଉ ସେ ବର୍ଷା ପାଣି ମୋ ମୁହଁରେ ପଡିବାରୁ ମୁଁ ଚେତା ପାଇଲି । ସର୍ବାଙ୍ଗରେ ଅସହ୍ୟ ଯନ୍ତ୍ରଣା ସ ଆସ୍ତେ ଉଠିଲି । ପ୍ରଥମେ ପାଟିରୁ କନାବିଣ୍ଡା କାଢିଲି । ତା’ପରେ ମୋ ସ୍ୱାମୀ ଓ ଗୁଡୁର ପାଟିରୁ ରୁମାଲ କାଢିଲି ଓ ତାଙ୍କୁ ବନ୍ଧନ ମୁକ୍ତ କଲି ମୋ ସ୍ୱାମୀ ମୋତେ କୁଣ୍ଢେଇ ଧରି ଭୋ… ଭୋ… ହୋଇ କାନ୍ଦିଲେ । ମୁଁ ମଧ୍ୟ କାନ୍ଦି କାନ୍ଦି ଗୋଟିଏ କଥା କହୁଥାଏ, “ମୋର ସବୁ ସରିଗଲା ।” ଗୁଡୁ ସେମିତି ବିଷ୍ଫାରିତ ନେତ୍ରରେ କେବଳ ଚାହିଁ ରହିଥାଏ । ମୋ ସ୍ୱାମୀ ପୁଅକୁ କାଖେଇ ଧରିଲେ ଆଉ ମୋର ଗୋଟେ ଡେଣାଧରି କହିଲେ, ‘ଚାଲ’ । ହେଲେ ଯିବୁ କେମିତି ? ଏକେ ତ ମୁଁ ଚାଲିପାରୁ ନ ଥାଏ ତା ଛଡା ଦେହରେ ସୂତାଖିଏ ନ ଥାଏ । ମୋ ସ୍ୱାମୀ ତାଙ୍କ ସାର୍ଟଟା ଖୋଲି ମୋତେ ଦେଲେ ।

ମୁଁ ଅଣ୍ଡାଳି, ଅଣ୍ଡାଳି ଚିରା ଚୁଡିଦାରଟା ପାଇଲି । ତାକୁ ଗଳାଇଦେଇ ଟଳି ଟଳି ଚାଲିଲି । ବଡ କଷ୍ଟରେ ପାର୍କର ଗେଟ୍ ପାଖରେ ପହଲାବେଳକୁ ରାତି ବାରଟା । ପାଖରେ ଥିବା ଜଣକ ଘରର କବାଟ ବାଡେଇଲୁ । ସେମାନେ କବାଟ ଖୋଲି ଆମମାନଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ମୋ ସ୍ୱାମୀ କ’ଣ କହିବେ ଚିନ୍ତା କରିନପାରି କହିଲେ, ସିନେମା ଦେଖି ଫେରୁଥିଲୁ । ଚୋରମାନେ ଆମଠାରୁ ସବୁକିଛି ଛଡାଇନେଇଗଲେ । ସେମାନେ ସନ୍ଦେହରେ ଚାହିଁଲେ । ମୋ ସ୍ୱାମୀଙ୍କ ହାତରେ ଘଣ୍ଟା ଚକ୍ ଚକ୍ କରୁଥିଲା, ଆଉ ମୋ ଦେହରେ ଅଳଙ୍କାର ଭରି ହୋଇଥିଲା । ତଥାପି କିଛି କହିଲେ ନାହିଁ ସେ ଭଦ୍ରଲୋକ । ତାଙ୍କ ସ୍ତ୍ରୀଙ୍କୁ କହିଲେ, “ସେ ଝିଅକୁ ଗୋଟେ ଶାଢୀ ଦେ ପିନ୍ଧିବା ପାଇଁ ।” ସେ ଶାଢୀଟିଏ ଦେଲେ । ପିଇବାକୁ ପାଣି ମଧ୍ୟ ଦେଲେ ଓ ପର ମୁହୂର୍ତ୍ତରେ ‘ହଉ ଏଥର ଘରକୁ ଯାଅ’ କହି କବାଟ ବନ୍ଦ କରିଦେଲେ । ବୟସ୍କ ଦମ୍ପତ୍ତି । ଏକା ରହୁଛନ୍ତି ବୋଧହୁଏ । ଗୋଳିଆ ପାଣିକୁ ଗୋଡ ନ ବଢାଇବା ନୀତିରେ ସବୁ ଅନୁମାନ କରି କିଛି ନ ଜଣିଲା ପରି ରହିଗଲେ । ଆମେ ମଧ୍ୟ ଚାହୁଁଥିଲୁ ଏ ଦୃଶ୍ୟ, ଲଜ୍ଜାକର ଘଟଣା କେହି ନ ଜାଣନ୍ତୁ ନ ହେଲେ ଏତେ ଜିଦ୍ କରି ମୁଁ ଭୁବନେଶ୍ୱର ଆସିଥିଲି, କାହା ଆଗରେ କେମିତି ମୁହଁ ଦେଖାଇବି । ଏ ଘଟଣାର ମୂକ ସାକ୍ଷୀ ମୋ ପୁଅଟି ସତକୁ ସତ ମୂକ ହୋଇଯାଇଛି । ଏତେ ଛୋଟ ବୟସରେ ଦେଖିଥିବା ଏ ଭୟଙ୍କର ଘଟଣା ସେ କ’ଣ କେବେବି ଭୁଲି ପାରିବ ? ତେବେ ଏବେ ଆମର ଚିନ୍ତା ଥିଲା କେମିତି ଘରେ ପହଞ୍ଚିବୁ । ସେ ଶାଢୀଟି କୌଣସି ପ୍ରକାର ଦେହରେ ଗୁଡାଇ ଆମେ ଘର ଅଭିମୁଖେ ଚାଲିଲୁ । ରାତି ତ ଅନେକ ହୋଇଯାଇଥିଲା । ତେଣୁ ରାସ୍ତାରେ କାହା ସହିତ ଦେଖାହେଲା ନାହିଁ । ଗେଟ୍ ଓ କବାଟ ଖୋଲି ଘରେ ପ୍ରବେଶ କଲାପରେ ମୁଁ ଭିତରୁ କବାଟ ବନ୍ଦକରି ଦେଇ ଲୁହ କୋହରେ ଫାଟିପଡିଲି । “ମୋର ତ ସବୁ ସରିଗଲା । ଧିକ୍ ମୋତେ, ଶତ ଶତ ଧିକ୍ । ଆଉ ଏ ଅପବିତ୍ର ଦେହ ଧରି ବଞ୍ଚିିବି କାହିଁକି ?” ଏମିତି କିଛି କହି ମୁଣ୍ଡ ବାଡେଇ, ବାଡେଇ କାନ୍ଦିଲି । ମୋ ସ୍ୱାମୀ ଦାନ୍ତ ଚିପି ଚିପି କହିଲେ, “ଏଇ ଚୁପ୍ ଚୁପ୍ । ବେଶୀ ପାଟିକରନି । ସାଇପଡିଶା ଜାଣିଯିବେ ।” ଥରି ଉଠିଲା ମୋର ସର୍ବାଙ୍ଗ । ହେ, ଭଗବାନ କ’ଣ ଘଟିଗଲା । ମୁଁ ଯେ ଅପବିତ୍ର, କଳଙ୍କିନୀ ହୋଇଗଲି । ଏଥର ମୁଁ ମଧ୍ୟ ପାଟିକୁ ଚାପି ଚାପି ଅନୁଚ୍ଚ ସ୍ୱରରେ କାନ୍ଦିଲି । ଢେଲା ଢେଲା ଆଖିକରି ଚାହୁଁଥିବା ଓ ମୂକହୋଇ ବସିଥିବା ମୋ ପୁଅ ଆଉ ସହିପାରିଲା ନାହିଁ । ମୋ ପାଖକୁ ଆସି ମୋ ଆଖିରୁ ଲୁହ ପୋଛି ପୋଛି କହିଲା, “ମମି କାନ୍ଦନା । ସେ ଅଙ୍କଲମାନେ ଡ୍ରକୁଲା ଥିଲେ । ସେମାନଙ୍କୁ ହିମ୍ୟାନ ଆସିଲେ ମାରିଦେବ ।” ମୁଁ ତାକୁ କୋଳରେ ଚାପିଧରି ଦୁଇଗୁଣ ଯୋର୍ରେ କାନ୍ଦିଉଠିଲି । ଏଥର ଗୁଡୁ ପୁଣି ହଲାଇ ଦେଇ କହିଲା, “ମମ୍ମି ପ୍ଲିଜ୍ କାନ୍ଦନି । ମୋତେ ଭାରି ଭୋକ । କଣ ଖାଇବାକୁ ଦିଅ ।” ମୋ ସ୍ୱାମୀ ତାକୁ ମୋ କୋଳରୁ ନେଇ ଗଲେ । ତା ପୋଷାକ ବଦଳାଇ, ତା ଗୋଡହାତ ଧୋଇ ଦେଇ ତାକୁ ରୁଟି କ୍ଷୀର ଖୋଇଦେଲେ । ପୁଣି ଗୁଡୁ ଆସି ମୋ କୋଳରେ ଗୁଞ୍ଜିହେଲା । ମମି ଚାଲନା ଶୋଇବା । ମୋ ସର୍ବାଙ୍ଗରେ ଅସହ୍ୟ ଯନ୍ତ୍ରଣା ହେଉଥାଏ । ଆଖିରୁ ଲୁହର ନଦୀ ଯେମିତି ଶୁଖୁନଥାଏ । ହାଏ, ଯେତେ ଲୁହ ଢାଳିଲେ କ’ଣ ମୋ ଏ କଳଙ୍କ ଧୋଇଯିବ ? ମୁଁ ସେମିତି ଫୁଲି ଫୁଲି କାନ୍ଦୁଥାଏ ଆଉ ବସ୍ତାଟିଏ ପରି ପଡିଥାଏ ।

ମୋ କୋଳରେ ଶୋଇପଡିଥିବା ଗୁଡୁକୁ ମୋ ସ୍ୱାମୀ ନେଇ ଖଟରେ ଶୁଆଇ ଦେଲେ । ନିଜ ପୋଷାକ ବଦଳାଇ ଧୁଆଧୋଇ ହୋଇ ଆସିଲେ । ମୋତେ କହିଲେ, “ଆଉ କାନ୍ଦିଲେ କି ଲାଭ । ଯାହାତ ହେବାର ହେଇଗଲାଣି । ଯାଅ ଧୁଆଧୋଇ ହୋଇ ଲୁଗାପଟା ପିନ୍ଧ । ରୁଟି, ତରକାରି ଖାଇଦେଇ ଗୋଟେ ନାଇସ୍ ଖାଇଦିଅ । କାଲିକୁ କଷ୍ଟ କମିଯିବ । ହଁ ଆଉ ଗୋଟେ କଥା । ଏ ହେଲା ରାଜଧାନୀ । ଏଠି କୁଆ ଉଡିଗଲେ କହିବେ ଛୁଆ ଉଡିଗଲା ବୋଲି । କାଲିକୁ କଥା ପ୍ରଘଟ ହେଲେ ବାରଲୋକ ବାରକଥା କହିବେ । ଟି.ଭି. ବାଲା, ପେପର ବାଲା ଘେରିଯିବେ । ହୁଏତ ପୋଲିସ୍ କେଶ୍ ହେବ । କଚେରୀ ଦଉଡି ଦଉଡି ନୟାନ୍ତ ହେବ । ଆଉତ ହୃତ ଇଜ୍ଜତ ଫେରି ଆସିବନି । ଅଯଥାରେ ଖାଲି ଲୋକନିନ୍ଦା, ଅପବାଦ ମିଳିବ । ମରଣରୁ ଲଜ୍ଜା ବଳି ପଡିବ । ତେଣୁ କାଲି ଭୋର୍‌ରୁ ବାହାରି ପଡ । ଗାଁକୁ ପଳାଇବା । ଯିଏ ଯାହା ପଚାରିଲେ, କିଛି ହୋଇନି, କିଛି ଜାଣିନି ବୋଲି କହିବ । ଏବେ ଖାଇଦେଇ ଶୋଇପଡ ।”

ଭୋର୍ ପାଞ୍ଚଟାରୁ ଗୁଡୁକୁ କୋଳରେ ଧରି ମଟର ସାଇକେଲ୍‌ରେ ବସିଲା ବେଳକୁ ମୋ ପଥର ଆଖିରେ ଆଉ ଲୁହ ନ ଥିଲା । ମୋ ପ୍ରିୟ ଭୁବନେଶ୍ୱରର ଚଉଦିଗକୁ ଚାହିଁ ଦୀର୍ଘନିଶ୍ୱାସଟିଏ ନେଲି ଆଉ ସ୍ୱଗତୋକ୍ତି କଲି, “ସଲାମ୍ ଭୁବନେଶ୍ୱର । ତୁମ ମାୟାବୀ ପ୍ରେମରେ ପଡି ଯାହା ହରାଇଲି ତା ତ ଆଉ ଏ ଜୀବନରେ ପାଇବି ନାହିଁ । ଆଉ ଯାହା ପାଇଲି ସେ ବୋଝପରି ଅବାଂଛିତ, ଲାଂଛିତ ଜୀବନକୁ ନେଇ କେମିତି ବଞ୍ଚିବି ଓ କେତେଦିନ ବଞ୍ଚିବି ଜାଣେନା । ହେ ମାୟାବୀ ରାଜଧାନୀ । ତୁମକୁ ଦୂରୁ ଜୁହାର ବଞ୍ଚିଥିବା ଯାଏ ଆଉ ତୁମ ପାଖକୁ କେବେ ଆସିବି ନାହିଁ ।”

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top