ସବୁ ନେତାଙ୍କର ଲକ୍ଷ୍ୟ ଯଦି ଏକ
ଗଢିଦେବେ ଏକ ନୂଆ ଭାରତ
ଗରିବ ଗୁରୁବା ଦୁଃଖ ମେଣ୍ଟାଇବେ
ଚାଷୀ ମୂଲିଆଙ୍କ ବୁଝିବେ ଦୁଃଖ
ମିଳି ମିଶି ତେବେ କାହିଁକି ଲାଗୁନା
ଦେଶପ୍ରେମୀ ବୋଲି ଦିଅ କୁହାଟ ।
ସବୁଦଳ ଯଦି ଏକାଠି ହୁଅନ୍ତ
ଭଲ କାମ ପାଇଁ ଏଇ ଦେଶର
ବିରୋଧୀଙ୍କ ଆଉ ଲୋଡ଼ା କିବା କୁହ
କେଉଁ ଅସ୍ତ୍ର ନେଇ ହେବ ସମର
ହୃଦୟରେ ଯଦି ଦେଶ ପାଇଁ ଏତେ
ଅନୁରାଗ ସ୍ନେହ ଅଛି ତୁମର
ଏକତା ଡୋରିରେ ବାନ୍ଧି ହୋଇ ଯାଅ
ଦେଖିବ ବିଶ୍ୱ ଏ ଚମତ୍କାର ।
ନହେଲେ ଖାଲି ଯା’ ଭାଷଣ ବାଜିରେ
ଉଠୁଛି ପଡୁଛି ଭାରତ ମାଟି
ଯେମିତି ଗରିବ ସେମିତି ଅଛନ୍ତି
କୋଟିପତି ଘରେ ବାଣ୍ଟୁଛ ମୋତି ।
ସାଇକେଲ୍ ଆଉ ଲାପ୍ଟପ୍ ଦେଇ
ଗଧ କରିଦେଲେ ଭବିଷ୍ୟତଟି
ପାଞ୍ଚ ଟଙ୍କାରେ ତ ଭୋଜନ ବାଣ୍ଟିଲ
ଟଙ୍କିକିଆ ଦେଲ ଚାଉଳ ଭେଟି
ବିପିଏଲ୍ ବିପିଏଲ୍ ନାଟ କରି କରି
ପୋଷିହେଲେ ଖାଲି ଥିଲା ବାଲାଟି
କୋଢିଆ ହେଲେଣି ଯୁବ ଦଳ ଏଠି
ଅୟସ କରନ୍ତି ନକରି କିଛି
ଦେଶ ଭଲ ପାଇଁ ଯଦି ଏତେ ପ୍ରେମ
ବନ୍ଦ କର ଏହି ମାଗଣା ପ୍ରୀତି ।
ଭୋଅଟ ପାଇଁକି ସବୁ ଦଳ ଏଠି
ଜନତାଙ୍କୁ ନୀତି ଭୁଆଁ ବୁଲାନ୍ତି
ଟଙ୍କା ତୋଡ଼ା ପାଇଁ ନାରା ବାଜି ଚାଲେ
ଜନତା ବି କିଛି କମ୍ ନୁହନ୍ତି
ମହାଦେବଙ୍କର ଖାଇକି ଏମାନେ
ସହଦେବଙ୍କର ଗାଆନ୍ତି ଗୁଣ
ଗୁଣ୍ଡାରାଜ୍ କରି ଅସ୍ଥିର କରନ୍ତି
ତଳକୁ କରନ୍ତି ଭାରତ ମାନ ।
ସବୁ ବିଭେଦକୁ ସବୁ ଦଳ ଏଠି
ଭୂଲି ଯାଇ କର ନୂଆ ବିଚାର
ଯେମିତି କି କେହି କହିବେନି ଆଉ
ରାଜନୀତିଆଙ୍କ ଘୋଡ଼ା ବିଚାର
ରାଜନୀତି ହେଲା ସବୁଠାରୁ ବଡ଼
ନୀତି ରେ ରାଜା ଯେ ସେ ରାଜନେତା
ନୀତି ହୀନ ହେଲେ ପ୍ରଜା ତ ମରିବେ
ନେତା ହେଇଯିବେ ବହୁତ ଶସ୍ତା
ତେଣୁ ହେ ସକଳ ଦେଶପ୍ରେମୀ ନେତା
ମହତ ପଣକୁ କରିଥା ଆଶ୍ରା
ଭାରତ ହୋଇବ ମହାନ ଭାରତ
ବିଶ୍ୱ ଚମକିବ ଦେଖି ଏ ଯାତ୍ରା ।
