ରାଜନୀତିଆଙ୍କ ମୁଣି
ଯୁଆଡ଼ୁକୁ ଯିବେ ସିଆଡ଼ୁ ଆଣିବେ
ବାଳୁଙ୍ଗାଙ୍କୁ ଖାଲି ଛାଣି ।।
ରାଜନୀତିଆଙ୍କ ହାତ
ଯୋଉଠି ବାଜିବ ସେଠି ହେଇଯିବ
କୋଟି କୋଟି ମୂଷା ଗାତ ।।
ରାଜନୀତିଆଙ୍କ ଦାନ୍ତ
କଇଁଫୁଲିଆକୁ ଚହଟ ଚିକ୍କଣ
ଲାଗିଗଲେ ମହାବିଷ ।।
ରାଜନୀତିଆଙ୍କ ହସ
ମଧୁର ମଧୁର ମନଲୋଭା ହେଲେ
କରିଦବ ସର୍ବନାଶ ।।
ରାଜନୀତିଆଙ୍କ ନିଶ
ମହାବଳିୟାର ଉପରେ ଦେଖାନ୍ତି
ଗୁଣ୍ଡାଙ୍କ କରନ୍ତି ଚାଷ ।।
ରାଜନୀତିଆଙ୍କ ପାଟି
ଅଳପ ଅଳପ ଖୋଲେ ସିନା ସିଏ
ଗିଳି ଦବ ସାରା ବିଶ୍ୱ ।।
ରାଜନୀତିଆଙ୍କ ପେଟ
ଖଙ୍କଲା ପେଟଟା ଘୁମ ହେଇଯାଏ
ନିର୍ବାଚନ ହେଲେ ଶେଷ ।।
ରାଜନୀତିଆଙ୍କ ଆଖି
ଯୁଆଡେ ଚାହିଁବ ସିଆଡେ ଲାଗିବ
ଅଗ୍ନିର ମହାକୋପ ।।
ରାଜନୀତିଆଙ୍କ ଗୋଡ଼
ଯୁଆଡେ ବୁଲିବ ସିଆଡ଼େ ବଢ଼ିବ
ନିରୀହ ଜନତା କ୍ଳେଶ ।।
ସମସ୍ତେ ନୁହନ୍ତି ଏକା ପରି ନେତା
କିଛିତ ଅଛନ୍ତି ଆଦର୍ଶବାଦୀ
ଜନତାଙ୍କ ହିତେ ଦିନରାତି କାମ
କରୁଥାନ୍ତି ପୁଣି ସେବକ ସାଜି ।।
ସବୁରି ମୂଳରେ ଚମଚା ଗୁଡ଼ାକ
କାମୁଡି ପକାନ୍ତି କିଛି ନ ବୁଝି
ସେଥିପାଇଁ ଭଲ ନେତା ବଦ୍ନାମ୍
ନହେଲେ କିଛିଟା ହୁଅନ୍ତା ସାଧି ।।
ଏକଥା ଯେଦିନ ବୁଝିଯିବେ ନେତା
ଜନତା ବି ଦେବେ ରଣ ହୁଙ୍କାର
ହୁଏତ ସେଦିନ ଭାରତ ମାତାର
ହୋଇଯିବ ସର୍ବ କାର୍ଯ୍ୟ ସଫଳ
ନଥିବ ଉତ୍ପାତ ଚାମଚାଙ୍କର
ନେତାମାନେ ହେବେ ଦେଶର ବଳ ।।
