ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଏଇମିତି କେତେକାଳ ଆଉ ବିତିବ ସଜନୀ
ରାତି ଯାଇ ଦିନ ଆସୁଥିବ, ପୁଣି ରାତି
ଗ୍ରୀଷ୍ମ ପରେ ବର୍ଷା, ପରେ ଶୀତ
ପୁଣି ଗ୍ରୀଷ୍ମ, ପରେ ପରେ
ସବୁ ଖାଲି ଗତାନୁଗତିକ
ନିରାନନ୍ଦ ଜୀବନ କାହାଣୀ ।
ଆମେ ଖାଲି ବଞ୍ଚୁଥିବା
ଦିନରେ ଦିନରେ, ବର୍ଷ ବର୍ଷ
ଶୁଭ୍ର କେଶ, ଲୋଳିତ ଚର୍ମରେ
ଯଷ୍ଟି ଆଉ ସାହାରା ପର୍ଯ୍ୟନ୍ତ ।
କଣ ପାଇଁ ଆସେ ଜୀବନରେ
ଋତୁସବୁ ଥରେ ମାତ୍ର,
ବଦଳେନି ସମୟ କାହିଁକି ଏଠି ଚକ୍ରପରି
କୈଶୋର, ଯୌବନ ପରେ ବୃଦ୍ଧାବସ୍ଥା
ପରେ ପୁଣି କୈଶୋର ଆସେନି କାହିଁକି କହ
କାହିଁକି ଅଟକେ ଘଣ୍ଟା ଏଠି, ଜୀବନର ।
ମୁଁ ତୋତେ ଆଉଥରେ,
ଅନ୍ତତଃ ଆଉଥରେ
ଜିଇଁବାକୁ ଚାହେଁ ଏଠି ଋତୁରେ ଋତୁରେ
ବଦଳେଇ ବଦଳେଇ
ମୋ କାୟା ଓ କଳ୍ପନା
ଏଇ ଜୀବନରେ ।
