କବିତା

କଉଡ଼ି ଖେଳୁଛି ‘ ଈ’

Rukeya Jabeen's odia children poem Kaudi Kheluchhi E

ହସୁଥିଲେ ଖିଲି ଖିଲି ମୁହଁକୁ ଯୋଡ଼ି,
ଦାନ୍ତ କୁ ମେଲି ଦେଖୁଥିଲେ ଛାତ ଚାତକ ଭଳି।

କଉଡ଼ି ଖେଳୁଛି ' ଈ'

ପାଠରେ ଲାଗୁନି ଆଜି ଏ ବାଳୁତ ମନ,
ଖେଳ କୁଦ କରିବାକୁ ଭାରି ଛନ ଛନ।

କଉଡ଼ି ଆଣିଛି, ଆଣିଛି ମା’ର ଭଙ୍ଗା ଚୁଡ଼ି,
ଚଟାଣରେ ଗାର ପକା ଖେଳିବା କଉଡ଼ି।

ଆସ ସଙ୍ଗାତ ସଭିଏଁ ମିଶି ଘର ସଜାଇବା,
ଜଣ ଜଣ କରି ଭଲ ଭଲ ଦାନ ପକାଇବା।

ପାଞ୍ଚଟି କଉଡ଼ି ଦେଲି ମୁଠା ରୁ ଛାଡ଼ି,
ଦୁଇଟି ରହିଲେ ପାଖରେ ତିନୋଟି ଗଲେ ଛିଟିକି ପଡ଼ି ।

ହସୁଥିଲେ ଖିଲି ଖିଲି ମୁହଁକୁ ଯୋଡ଼ି,
ଦାନ୍ତ କୁ ମେଲି ଦେଖୁଥିଲେ ଛାତ ଚାତକ ଭଳି।

ବାମ କଉଡ଼ିର ବାମରେ ଲଗେଇଲି ଗୋଟିଏ ଚୁଡ଼ି,
ଅଗରେ ତାହାର ଆଉ ଗୋଟିଏ ଦେଲିରେ ଯୋଡ଼ି।

ତଳମୁହାଁ ଚୁଡିଟି ଲାଗିଲା ଡ଼ାହାଣ କଉଡିର ଡାହାଣରେ,
ଆଉ ଗୋଟେ ଛୋଟ ଚୁଡ଼ି କଡ଼େଇ ଶୁଏଇଲି ତା ପାଦରେ।

ଖେଳ ଖେଳରେ ବାହାରି ଆସିଲା ପାଠ ନୂଆ,
ଦିର୍ଘେଇ ‘ଈ’ ବୋଲି ଅକ୍ଷର ଟିଏ ମାରିଲା ଡିଆଁ।

ରାଧା ଆସିଲା ଧରି ନୂଆ ସିଲଟ ଖଡ଼ି,
ମୁହଁ କୁ ମୁହଁ ଯୋଡି ଆଙ୍କି ଦେଲା ଦୁଇ କଉଡ଼ି।

ବାମ କଉଡ଼ିର ବାମରେ ଅଣେଇ ଦେଲା ଅଧଗୋଲ ଟିଏ,
ଶେଷରେ ତା ଯୋଡିଲା ଅଧ ଚକୁଳି ଗୋଟିଏ।

ଡ଼ାହାଣ କଉଡ଼ି ପାଦରେ ଯାଇ ଲାଗିଲା ଚକୁଳି ଟି,
ପାଦକୁ ଲଗାଇ ଟାଣିଲା ଛୋଟ ତେରେଛା ଗାରଟି ।

‘ଈ’ ଏବେ ଡାକିଲା ଆଈ, ନଈ , ଗାଈକୁ,
ଈର୍ଷା କରୁଥିଲା ଈପ୍ସିତା ଦେଖି ରାଧାର ଛାଇକୁ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top