ଲୋକକଥା

ଚିଲର ଝିଅ

Mahendra Kumar Mishra's Odia Lokakathaa CHILARA JHIA

ଚିଲ ବହୁଦୂର ଉଡ଼ିଯାଇ ଗୋଟିଏ ଗଛ ଡାଳରେ ବସି ଦେଖିଲା- ସେ ମାଛ ନୁହେଁ, ଗୋଟିଏ ମଣିଷ ପିଲା ଝାମ୍ପି ଆଣିଛି । ସେ ତାକୁ ନେଇ ବସାରେ ପାଳିଲା ।

ଚିଲର ଝିଅ

ଗୋଟିଏ ଗାଆଁରେ ଜଣେ ଧନୀ କୁମ୍ଭାର ଥାଏ । ତା’ର ଅନେକଗୁଡ଼ିଏ ଝିଅ । ବହୁ ପୂଜାବ୍ରତ କରି ବି ପୁଅଟିଏ ହେଉ ନ ଥାଏ । ଦିନେ କୁମ୍ଭାର ତା’ ସ୍ତ୍ରୀକୁ ଧମକାଇଲା, “ଏଇଥର ପୁଅ ନ ହେଲେ ତୋ ମୁହଁ ଚାହିଁବି ନାହିଁ ।”

ଯିଏ ଯାହା ଚାହୁଁ ନ ଥାଏ, ବେଳେବେଳେ ସେଇଆ ହୁଏ । ଏଥର ବି କୁମ୍ଭାରୁଣୀ ଝିଅଟିଏ ହେଲା । କ’ଣ କରିବ ? ତାକୁ ଘରେ ରଖିଲେ ବିପଦ । ତରବରରେ ହାଣ୍ଡି ଭିତରେ ଝିଅକୁ ପୂରାଇ ପଲମ ଘୋଡ଼େଇ ନଈରେ ଭସାଇ ଦେଲା ।

କେଉଟ ମାଛ ଧରୁଥିଲା । ହାଣ୍ଡିଟାଏ ଭାସିଯାଉଥିବାର ଦେଖି ନାଆ ଘେନି ଦୌଡ଼ି ଆସିଲା । ପଲମ ଖୋଲି ଦେଖିଲା, ତା’ ଭିତରେ ଝିଅଟିଏ କୁଆଁ କୁଆଁ କରୁଛି । ତାକୁ ହାତରେ ଧରି ଗେଲ କରୁ କରୁ ଚିଲ ଝାମ୍ପି ନେଲା । ଚିଲ ବହୁଦୂର ଉଡ଼ିଯାଇ ଗୋଟିଏ ଗଛ ଡାଳରେ ବସି ଦେଖିଲା- ସେ ମାଛ ନୁହେଁ, ଗୋଟିଏ ମଣିଷ ପିଲା ଝାମ୍ପି ଆଣିଛି । ସେ ତାକୁ ନେଇ ବସାରେ ପାଳିଲା । କିଏ ଭଲ ଲୁଗାପଟା କି ଖାଇବା ଘେନିଯିବାର ଦେଖିଲେ ଚିଲ ଝିଅ ପାଇଁ ଛଡ଼ାଇ ଆଣେ । ରାଜଜେମା’ ଗାଧୋଇଲାବେଳେ ଏମିତି କେତେ ସିନ୍ଦୂର, ଅଳତା, ବାସ୍ନାତେଲ, ଅତର, ଶାଢ଼ି, ଅଳଙ୍କାର ଚୋରାଇ ଆଣିଲା । ଏମିତି ଚିଲ ବସାରେ ଝିଅଟିର ଦିନ ସୁରୁଖୁରୁରେ କଟୁଥାଏ ।

ଯୌବନ ହେଲାକ୍ଷଣି ଝିଅର ଚେହେରା ମାଜିଲା ଦର୍ପଣ ପରି ଝଟକି ଉଠିଲା । ଚିଲ ଦିନେ କହିଲା, ଆଲୋ ଝିଅ, ମୁଁ ତ କେତେ ଦୂର ଦୂରାନ୍ତକୁ ଚରି ଯାଉଛି । ତୁ ବସାରେ ଏକୁଟିଆ ରହୁଛୁ । ଯଦି ବିପଦ ପଡ଼େ, ସୁମରଣା କରିବୁ । ଏଇ ଗୀତଟି ବୋଲିଲେ ମୁଁ ତୋ କତିରେ ପହଞ୍ଚିଯିବି ।

“ଆ’ ଆରେ ବତାସୀ ଆ’
ଓଶଥ ପତର ହଲାଇ ଯା’
ମୋ ମାଆକୁ ଘେନି ଆ’ ।”

ଦିନେ ଗଛ ଡାଳରେ ବସି ଚିଲଝିଅ ମୁଣ୍ଡ କୁଣ୍ଡାଉଥାଏ । ସାତ ହାତ ଲମ୍ୱ ବାଳ କେରା କେରା ହୋଇ ତଳକୁ ଲମ୍ୱି ପଡ଼ିଥାଏ । ମହାଜନ ପୁଅ ସେଇ ବାଟରେ ଗଲାବେଳେ ଗଛମୂଳେ ଟିକିଏ ବସିପଡ଼ିଲା । ଏଇ ସମୟରେ ତା’ ମୁଣ୍ଡ ଉପରେ ଗୋଟିଏ ବାଳ ପଡ଼ିଲା । ମହାଜନ ପୁଅ ମାପି ଦେଖିଲା- ବାଳଟି ସାତ ହାତ ଲମ୍ୱ । ଏଠି ତ ଜନମାନବ ନାହାନ୍ତି; ଏ ବାଳଟି ଆସିଲା କେଉଁଠି ? ଉପରକୁ ଚାହିଁଦିଏ ତ ଦିବ୍ୟସୁନ୍ଦର ଝିଅଟିଏ ବସିଛି । ତୁ କିଏ ? ଅପସରା ନା ପେତିନୀ ? ଦେବୀ ନା ମାନବୀ ? କାହିଁକି ତୁ ଗଛରେ ଚଢ଼ିଚୁ ?

ଚିଲ ଝିଅ ଆଗରୁ ମଣିଷ ଦେଖି ନ ଥିଲା । କ’ଣ ଜବାବ୍ ଦେବାକୁ ହେବ, କିଛି ଠିକ୍ କରିପାରିଲା ନାହିଁ । ମାଆକୁ ସୁମରଣା କଲା ।

“ଆ’ ଆରେ ବତାସୀ ଆ’
ଓଶଥ ପତଲ ହଲାଇ ଯା’
ମୋ ମାଆକୁ ଘେନି ଆ’ ।”

ଚିଲ ପବନ ବେଗରେ ଉଡ଼ିଆସି ଝିଅକୁ ପଚାରିଲା, କାହିଁକି ଡାକିଲୁ ? ଝିଅ ଗଛ ତଳକୁ ଆଙ୍ଗୁଠି ଦେଖାଇ ଦେଲା । ଜଣେ ସୁନ୍ଦର ଯୁବକ ବସିଥିବାର ଦେଖି ଚିଲ ମନେ ମନେ ଭାରି ଖୁସି ହେଲା । ଏ ମୋର ଜ୍ୱାଇଁ ହେଲେ ଭଲ ହୁଅନ୍ତା ! ମହାଜନ ପୁଅ ପାଖରେ ଝିଅର ସମସ୍ତ ଇତିହାସ କହିଲା । ମହାଜନ ପୁଅ କହିଲା, ମୋ ଘରେ ସବୁ ଧନସମ୍ପଦ ପୂରି ରହିଛି । ସାତୋଟି ସ୍ତ୍ରୀ ଅଛନ୍ତି । ଯଦି ତୁମର ଆପତ୍ତି ନ ଥାଏ, ତୁମ ଝିଅ ମୋର ଅଷ୍ଟମ ସ୍ତ୍ରୀ ହେବ ।

ଚିଲ ମହାଜନ ପୁଅର ପ୍ରସ୍ତାବରେ ରାଜି ହେଲା ଓ ମହାଜନ ପୁଅ ସହିତ ଝିଅର ବାହାଘର ଧୁମ୍‌ଧାମ୍‌ରେ କଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top