ଶିକ୍ଷା

ମାନବ ସେବା ହିଁ ମାଧବ ସେବା

Gupteshwar Nanda's odia preach for children Manaba Sebaa Hin Maadhab Sebaa

ହଠାତ୍ ବୁଢ଼ା ଲୋକଟିଏ କାନ୍ଦି କାନ୍ଦି ସେଠାକୁ ଆସିଲା । ବାରମ୍ୱାର ସମସ୍ତଙ୍କୁ ଗୁହାରୀ କରୁଥିଲା ।

ମାନବ ସେବା ହିଁ ମାଧବ ସେବା

ସେଦିନ ଥିଲା ଶ୍ରାବଣ ମାସ ଶେଷ ସୋମବାର । ଶିବ ଦର୍ଶନ ପାଇଁ ମନ୍ଦିର ଗଲା ସତିଶ୍ । ବୟସ ତା’ର ଚଉଦ । ଘରୁ ଶହେ ଟଙ୍କିଆ ନୋଟ୍ଟିଏ ନେଇ ଆସିଥିଲା । ଭକ୍ତଙ୍କର ବହୁତ ଭିଡ଼ ଥିଲା ସେଦିନ । ପୂଜା ସାମଗ୍ରୀ କିଣିବା ପାଇଁ ଲାଗିଥିବା ଧାଡ଼ିରେ ନିଜକୁ ସାମିଲ୍ କଲା ସେ ।

ହଠାତ୍ ବୁଢ଼ା ଲୋକଟିଏ କାନ୍ଦି କାନ୍ଦି ସେଠାକୁ ଆସିଲା । ବାରମ୍ୱାର ସମସ୍ତଙ୍କୁ ଗୁହାରୀ କରୁଥିଲା । କହୁଥିଲା ମୋ ପୁଅ ବେମାର ପଡ଼ିଛି ତା’ର ଚିକିତ୍ସା ପାଇଁ କିଛି ଟଙ୍କା ଦରକାର । ଡାକ୍ତର କହିଛି ଚିକିତ୍ସା କଲେ ସେ ବଞ୍ଚିଯିବ । ମା’ମାନେ, ବାବୁମାନେ ମୋତେ ଦୟା କରନ୍ତୁ । କିଛି ଟଙ୍କା ଏ ବୃଦ୍ଧ ଅସହାୟ ବାପକୁ ଦିଅନ୍ତୁ । ଗୋଟିଏ ଜୀବନ ଆପଣଙ୍କ ଟଙ୍କାରେ ବଞ୍ଚିଯିବ । ଆପଣମାନଙ୍କର ମଙ୍ଗଳ ହେବ ।

କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରେ କିଛି ପ୍ରଭାବ ପଡୁ ନଥିଲା । ପୂଜା ସାମଗ୍ରୀ ନେଇ ଠାକୁର ଦର୍ଶନ କରି ଚାଲିଯାଉଥିଲେ ସେମାନେ ।

ଠିକ୍ ଏଇ ସମୟରେ ସତିଶ୍ ଧାଡ଼ିରୁ ବାହାରି ଆସିଲା । ବୁଢ଼ା ପାଖକୁ ଯାଇ ନିଜର ଶହେ ଟଙ୍କିଆ ନୋଟ୍ଟି ବଢ଼େଇ ଦେଲା । ବୁଢ଼ାକୁ ଟଙ୍କା ଦେବା ପରେ ଠାକୁର ଦର୍ଶନ କରି ଘରକୁ ଚାଲିଗଲା ।

ଘରକୁ ପହଞ୍ଚିବା ମାତ୍ରେ ବାପା ମା ପ୍ରସାଦ କାହିଁ ବୋଲି କହିଲେ । ସତିଶ୍ ସବୁ କଥା ତାଙ୍କ ଆଗରେ କହିଲା । ପୁଅ କଥା ଶୁଣି ସେମାନେ ଆନନ୍ଦିତ ହୋଇଗଲେ । ଗର୍ବ ଅନୁଭବ କରୁଥିଲେ ନିଜ ପୁଅ ପାଇଁ । ଭାବୁଥିଲେ ଆଜି ତାଙ୍କ ପୁଅ ଗୋଟେ ବଡ଼ କାମ କରିଛି । ମାନବ ସେବା କରିଛି । ପ୍ରକୃତ ଠାକୁର ସେବା କରିଛି । “ମାନବ ସେବା ହିଁ ମାଧବ ସେବା'” ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top