ପ୍ରବନ୍ଧ

କ୍ଷମା-କାହା ପାଇଁ କେମିତି

Shakti Suman Das's Odia Prose Kshma-kahaa paain kemiti

କ୍ଷମା ପାଇବା ପରେ କେହି କେହି ଭୁଲ କାମରୁ ନିବୃତ୍ତ ହୋଇ ସୁଧୁରିଯାଇଥାନ୍ତି ତ ଅନ୍ୟ କେହି ସେହି କ୍ଷମାର ବାରମ୍ବାର ଫାଇଦା ମଧ୍ୟ ଉଠାଇଥାନ୍ତି ।

କ୍ଷମା ଶବ୍ଦଟି ବେଶ୍ ଗୁରୁତ୍ତ୍ୱପୂର୍ଣ୍ଣ । କ୍ଷମା କରୁଥିବା ବ୍ୟକ୍ତିର ମନରେ ମାନବୀୟ ସମ୍ବେଦନା ଥାଏ ବୋଲି ସେ କ୍ଷମା କରିପାରେ ତା ନୁହେଁ ବରଂ ତା ହୃଦୟ ବିଶାଳ ଓ ମନ ଉଦାର ଥାଏ ବୋଲି କ୍ଷମା ଆଚରି ଉଦାହରଣ ସୃଷ୍ଟି କରେ । କ୍ଷମାର ବିଶେଷତା ଏ ଯୁଗରେ ବହୁ ଅଧିକ, କିନ୍ତୁ କିଛି ଅକ୍ଷମଣୀୟ ଅପରାଧ ପାଇଁ ଦୋଷୀକୁ କ୍ଷମା କରିଦେବା ଅନୁଚିତ୍ କାରଣ ସାମାଜରେ ଏହା କୁପ୍ରଭାବ ପକାଏ । ଅବଶ୍ୟ ଅନେକ ସ୍ଥାନରେ ମଣିଷ ଭୁଲ ସୁଧାରିବା ପରିବର୍ତ୍ତେ କ୍ଷମାର ଆଶା ରଖେ। କେବଳ ଯେ ମଣିଷ ଭୁଲ କରେ ତା’ ନୁହେଁ, ସଂସାରର ପ୍ରତ୍ୟେକ ଜୀବଜନ୍ତୁ କିଛି ନା କିଛି ଭୁଲ କରିଥାନ୍ତି। ସେ ଜାଣତରେ ହେଉ ବା ଅଜଣାତରେ । କ୍ଷମା ଦ୍ଵାରା ଉଭୟ ପକ୍ଷର ମଙ୍ଗଳ ହୋଇଥାଏ । କ୍ଷମାପ୍ରାର୍ଥୀ ନିଜ ତ୍ରୁଟିକୁ ସୁଧାରିବାର ଆଉ ଏକ ସୁଯୋଗ ପାଇଥାଏ ଓ କ୍ଷମା କରିଥିବା ଲୋକ କ୍ଷମା ପ୍ରଦାନ ଦ୍ଵାରା ମାନସିକ ଶାନ୍ତି ଲାଭ କରିବା ସହିତ ପୂର୍ବ ଘଟଣାକୁ ଭୁଲି ମାନସିକ ଚାପମୁକ୍ତ ହୋଇଥାଏ । ମନେରଖିବାକୁ ହେବ ଯେ ସଂସାରର ସବୁଠାରୁ ପବିତ୍ର ଶବ୍ଦ “ମା” ଯେ ଅସଂଖ୍ୟ ଥର କ୍ଷମା କରିପାରେ । ଶିଶୁ ମାଆ ଗର୍ଭରେ ଥିଲାବେଳଠାରୁ ସଂସାରକୁ ଆସି ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ଛୋଟ ବଡ଼ ଅନେକ ଭୁଲ୍ କରେ କିନ୍ତୁ ମାଆ ସେ ସବୁକୁ କ୍ଷମା କରିଦିଏ । କେବେ ସହଜରେ ତ କେବେ ମନକଷ୍ଟରେ । କ୍ଷମା ଗୁଣଟି ମାଆ ପାଖରେ ସବୁଠାରୁ ଅଧିକ ଥିବାରୁ ପିଲାମାନେ ମାଆର କଷ୍ଟ ବୁଝନ୍ତି ନାହିଁ । ମାଆ ଆଗରେ ତା’ ପିଲାର ଭୁଲ୍‌, ଭୁଲ୍‌ରେ ଗଣା ହୋଇନଥାଏ ବରଂ ମାଆ ତାକୁ ଠିକ୍ ବୋଲି ସଫେଇ ଦିଏ ସାମାଜ ଆଗରେ । ଆବଶ୍ୟକ ପଡିଲେ ପିଲା ପାଇଁ ସମାଜ ସହିତ ଲଢ଼େ । କେବେ କେବେ ମାଆ ଶାସନ ବି କରେ । ପିଲାର ଭୁଲକୁ ଠିକ୍ ବୋଲି ଭାବିବା ମାଆ ଦ୍ଵାରା ହିଁ ସମ୍ଭବ ଯାହା ସେ ପ୍ରାୟ କରିଥାଏ । ଠିକ୍ ବାଟକୁ ଆସିବା ପାଇଁ ମାଆ ସଚେତନ ମଧ୍ୟ କରାଏ । ହୁଏତ ପିଲାଟିର ଭୁଲ ମାଆ ପାଇଁ କ୍ଷମାଯୋଗ୍ୟ କିନ୍ତୁ ସେହି ସମାନ ଭୁଲ ସମାଜ ଆଗରେ କ୍ଷମଣୀୟ ନୁହେଁ ବରଂ ଦଣ୍ଡନୀୟ।

ମାଆର ମମତା ଅତୁଳନୀୟ ତା ପିଲା ପାଇଁ କିନ୍ତୁ ଅନ୍ୟର ପିଲା ପାଇଁ ଭିନ୍ନ। କାରଣ ସେ ତା ନିଜ ପିଲାର ପ୍ରତି ଭୁଲକୁ ସମାଜ ଆଗରେ ଠିକ୍ ପ୍ରମାଣିତ କରିପାରେ । କିନ୍ତୁ ଅନ୍ୟ ପିଲାର ଭୁଲ୍‌କୁ ଧରିବସି ତାକୁ ଦୋଷୀ ସାବ୍ୟସ୍ତ କଲାବେଳେ ନିଜ ପିଲାର ତ୍ରୁଟି ମନେପଡେ ନାହିଁ । ଏମିତି କାହିଁକି ହୁଏ ? ସମାନ ଭୁଲ ତ ହୋଇଥାଏ କିନ୍ତୁ ନିଜ ପିଲା କ୍ଷମାଯୋଗ୍ୟ ହୋଇଥିବା ବେଳେ ଅନ୍ୟ ପିଲାଟି ଦୋଷୀ ବିବେଚିତ ହୋଇଥାଏ କାହିଁକି ? ସଂସାରରେ ଏହା ପ୍ରାୟ, ସବୁଠାରେ ପ୍ରଚଳିତ ହୋଇ ଆସୁଛି । ପର ପିଲାଟି ବି ଆଉ ଗୋଟେ ମାଆର ସନ୍ତାନ ଏକଥା ସବୁ ମାଆ ବିଚାର କରିପାରନ୍ତି ନାହିଁ । ଏହା ମାନସିକ ଦ୍ଵନ୍ଦ୍ଵ ନା ସ୍ୱାର୍ଥପରତା ?

ଭଗବାନ ମଣିଷକୁ ଦୁଇଟି ଆଖି ଦେଇଛନ୍ତି। ଆଖି ସାହାଯ୍ୟରେ ସେ ସଂସାରକୁ ଦେଖିଥାଏ । କିନ୍ତୁ ନିଜେ ନିଜକୁ ଦର୍ପଣ ପରି ପ୍ରତିଫଳକ ବିନା ଦେଖି ପାରିନଥାଏ; କହିବାର ତାତ୍ପର୍ଯ୍ୟ ଏହା ଯେ ବ୍ୟକ୍ତିଟିଏ ଯେତେବେଳେ ଭୁଲ କରିଥାଏ ସେତେବେଳେ ତା ନିଜ ଭୁଲକୁ ସେ ଦେଖି ପାରିନଥାଏ । ସମାନ ଭୁଲ ଯଦି ଅନ୍ୟ ବ୍ୟକ୍ତି କରିଥାଏ ତେବେ ସେ ସେହି ଭୁଲକୁ ସଙ୍ଗେ ସଙ୍ଗେ ଧରିନେଇ ତାକୁ ଦୋଷାରୋପ କରିଥାଏ । ନିଜ ଭୁଲ ପାଇଁ କ୍ଷମା ମାଗିଥାଏ ଭଗବାନଙ୍କୁ, ଅନ୍ୟ ଆଗରେ କ୍ଷମାପ୍ରାର୍ଥୀ ବି ହୋଇଥାଏ କିନ୍ତୁ ଅନ୍ୟକୁ କ୍ଷମା କରିବା ପରିବର୍ତ୍ତେ ତାକୁ ଦଣ୍ଡ ଦେବାକୁ ଶ୍ରେୟ ମଣିଥାଏ । ବ୍ୟକ୍ତି-ବ୍ୟକ୍ତି ଭିତରେ କଳହର ବାତାବରଣ ଦେଖାଗଲେ ଉଭୟ ପକ୍ଷ ପରସ୍ପରର ଭୁଲ ଦେଖିଥାନ୍ତି କିନ୍ତୁ ଯଦି କୌଣସି ଭଲ କାର୍ଯ୍ୟ କେହି କରୁଛି ତାକୁ କେହି ଆଡ଼ ଆଖିରେ ଦେଖି ନଥାନ୍ତି କି ତାକୁ ଉତ୍ସାହିତ କରିନଥାନ୍ତି । ଉଦିତ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରି ଦିନଟି ଭଲରେ ବିତୁ ବୋଲି ଅନୁରୋଧ । ସେହିପରି ମନ୍ଦିର ଯାଇ ଦିଅଁଙ୍କୁ ଦୋଷ କ୍ଷମା କରିବା ପାଇଁ ପ୍ରାର୍ଥନା କରିଥାଏ ଓ ରାତିରେ ବିଛଣାରେ ଶୋଇବା ବେଳେ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରି ସାରା ଦିନରେ କରିଥିବା କାର୍ଯ୍ୟରେ ଯଦି କିଛି ତ୍ରୁଟି ଥାଏ ତାକୁ କ୍ଷମା କରିବାକୁ ମଧ୍ୟ ପ୍ରାର୍ଥନା କରି ଶୋଇଥାଏ । ନିଜ ଲୋକମାନଙ୍କ ପାଇଁ ମଧ୍ୟ ସେ କ୍ଷମା ପ୍ରାର୍ଥନା କରିନଥାଏ ଦେଖିବାକୁ ଗଲେ ସେ ସ୍ୱାର୍ଥବାଦୀ ହୋଇଯାଇଥାଏ । ‘ଗ୍ରୀକ୍ ଇଷପ’ ଙ୍କର ଗୋଟିଏ ଗଳ୍ପ ଏହି ଯେ, “ପ୍ରତ୍ୟେକ ମନୁଷ୍ୟ ନିଜ କାନ୍ଧରେ ସବୁବେଳେ ଦୁଇଟି ଭାର ଆଗପଛ କରି ବହନ କରନ୍ତି । ଆଗ ଭାରଟି ପରଦୋଷରେ ଓ ପଛ ଭାରଟି ଆତ୍ମଦୋଷରେ ଭର୍ତ୍ତି ହୋଇଥାଏ । ପଛ ଭାରଟି ଚକ୍ଷୁର ଅନ୍ତରାଳରେ ରହିଥିବାରୁ ସେ ଆତ୍ମଦୋଷ ଦେଖିପାରେ ନାହିଁ; କିନ୍ତୁ ଆଗ ଭାରଟି ସବୁବେଳେ ଆଖି ଆଗରେ ଥିବାରୁ ସେ କେବଳ ପର ଦୋଷ ଗୁଡ଼ିକ ଦେଖିବାକୁ ପାଏ ।”

ଭୁଲ୍‌ଟିଏ କରି ସାରିଲା ପରେ ଜଣେ ଅନୁତାପ ଯଦି କରିବ ତେବେ ତାକୁ ସେଠାରେ କ୍ଷମା କରିଦେବାଟା ଧେୟ । ହୁଏତ କ୍ଷମା ପାଇଯିବା ପରେ ସେ ଭୁଲ ପୁନର୍ବାର କରିବାକୁ ସାହସ କରିବନି । ବେଳେବେଳେ କ୍ଷମା ମଣିଷକୁ ଭୁଲ କାମ କରିବା ଆଗରୁ ଚେତେଇ ଦେଇଥାଏ । କ୍ଷମା ପାଇବା ପରେ କେହି କେହି ଭୁଲ କାମରୁ ନିବୃତ୍ତ ହୋଇ ସୁଧୁରିଯାଇଥାନ୍ତି ତ ଅନ୍ୟ କେହି ସେହି କ୍ଷମାର ବାରମ୍ବାର ଫାଇଦା ମଧ୍ୟ ଉଠାଇଥାନ୍ତି ।

କ୍ଷମାର ଆହୁରି ଏକ ଦିଗ ହେଉଛି ଝିଅଟିଏ ଜନ୍ମ ହୋଇ ଯେତେବେଳେ ସଂସାରକୁ ଜାଣେ, ଚିହ୍ନେ ସେତେବେଳେ ସେ ସଂସାରର ଏକ ଧରାବନ୍ଧା ନିୟମରେ ବାନ୍ଧି ହୋଇ ଯାଇଥାଏ । ପ୍ରତ୍ୟେକ କ୍ଷେତ୍ରରେ ତାକୁ ମନେପକାଇ ଦିଆଯାଏ ଯେ ସେ ଗୋଟିଏ ଝିଅ ଯାହାକୁ ଆଜୀବନ ପ୍ରାୟଶ୍ଚିତ କରିବାକୁ ହେବ ଭୁଲ ଥାଉ କି ନଥାଉ । ଯେ କୌଣସି କାର୍ଯ୍ୟ ହେଉ ନା କାହିଁକି ସେଥିରେ କିଛି ନା କିଛି ଭୁଲ ବଛାଯିବ । ଯଦି ପୁଅଟିଏ କିଛି ଭୁଲ କରିଦେଉଛି ତାକୁ ସଙ୍ଗେ ସଙ୍ଗେ କ୍ଷମା କରି ଦିଆଯାଉଛି କିନ୍ତୁ ଝିଅଟିଏ ଯଦି ସମାନ ଭୁଲ କରୁଛି ସେଠାରେ ତାକୁ ନିନ୍ଦା କରାଯାଉଛି । କ୍ଷମା କରିବାରେ ମଧ୍ୟ ଝିଅ-ପୁଅ ଭିତରେ ଫରକ୍ ଦେଖାଯାଉଛି । ସେହି ଫରକ ପୁଣି ନିଜ ପରିବାର ଭିତରେ ଦେଖିବାକୁ ମିଳୁଛି । ଝିଅ-ପୁଅ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠୁଛି । ସମ୍ପର୍କ ମଝିରେ ଯଦି କୌଣସି ଭୁଲ ହେଇଯାଉଛି ସେଠାରେ ଝିଅକୁ ହିଁ ସବୁତକ ଦୋଷ ଦିଆଯାଉଛି କିନ୍ତୁ ପୁଅଟି ଦୋଷକୁ ଅଣଦେଖା କରାଯାଉଛି ।

କଥାରେ ଅଛି ନାରୀ ଜନ୍ମ ନେଇଛ ମାନେ ସବୁ ସହିବାକୁ ହେବ। ଭୁଲ ନ କରି ମଧ୍ୟ ତାକୁ କହିବାକୁ ପଡ଼ିବ ଯେ ସେ ଭୁଲ କରିଛି । କାରଣ ସେ ବୋହୂ ଭାବେ ଘରକୁ ସମ୍ଭାଳିବ, କାରଣ ଘର କରିଥିଲେ ପଥର ପଡିଲେ ସହି । ଝିଅ ବୋହୂ ଭିତରର ପାର୍ଥକ୍ୟ ଏହା ଯେ ବୋହୂମାନେ କାଳେ କାଳେ ଭୂଲ ହିଁ କରନ୍ତି ବୋଲି ଧରି ନିଆଯାଏ ।

ସମାଜରେ ଏବେ କ୍ଷଣ କ୍ଷଣରେ ଭୁଲ ହେଉଛି; କେହି କେହି କ୍ଷମା ଯୋଗ୍ୟ ଥିବା ବେଳେ ଅନ୍ୟ କେହି ଦଣ୍ଡ ଯୋଗ୍ୟ ହେଉଛନ୍ତି । କିନ୍ତୁ କ୍ଷମା ଯେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଦାନ କରିହେବ ତାର କୌଣସି ସାର୍ଥକତା ନାହିଁ କାରଣ କେବେ କେବେ ଏମିତି କିଛି ଭୁଲ ହୋଇଯାଏ ଯାହା ସାମ୍ନା ବ୍ୟକ୍ତିର ମନକୁ କ୍ଷତାକ୍ତ କରିଥାଏ । ସେ କ୍ଷମା କରିପାରେନି.. କାରଣ ସେ ଦୋଷ ହୁଏତ ତା ଦୃଷ୍ଟିରେ କ୍ଷମଣୀୟ ହୋଇନଥାଏ । କ୍ଷମା ନ ପାଇଲେ ମଧ୍ୟ ସତ୍ ବ୍ୟକ୍ତିଟିଏ ମାନସିକ ଭାବେ ଭାଙ୍ଗି ପଡ଼ିଥାଏ । ଏପରିକି ସେ ନିଜେ ନିଜକୁ କ୍ଷମା କରି ପାରିନଥାଏ । ତେଣୁ କ୍ଷମା, କ୍ଷମାଦାତା ଓ କ୍ଷମାପ୍ରାର୍ଥୀଙ୍କୁ ବିଶ୍ଳେଷଣ କରିବା ଏତେ ସହଜ ନୁହେଁ । ସ୍ଥିତି ଅନୁସାରେ କ୍ଷମା ରୂପ ବଦଳାଇ ଦଣ୍ଡବିଧାନ ହୋଇଯାଇଥାଏ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top