ଛୋଟ ମୁହଁରେ ବଡକଥା । ସମସ୍ତେ କହୁଛନ୍ତି ଆମ ଓଡିଶାରେ ଅକ୍ସିଜେନ୍ଗ୍ୟାସ୍ ଅର୍ଥାତ୍ ଅମ୍ଳଜାନ ଭଣ୍ଡାର ଭରପୁର ଅଛି । ହେଲେ ଭଦ୍ରକ ଡାକ୍ତରଖାନାରେ ଏକାଧିକ ଡାକ୍ତର ଓ ନର୍ସମାନଙ୍କ ସାମ୍ନାରେ ଅକ୍ସିଜେନ୍ ପାଇଁ ଡହଳବିକଳ ହୋଇ ଗୋମତିର ପ୍ରାଣବାୟୁ ଉଡିଯିବାର ଘଟଣାଟି ଓଡିଶାବାସୀଙ୍କ ଆଖି ଖୋଲିଦେଇଛି । ଆଠଟି ରାଜ୍ୟକୁ ଅମ୍ଲଜାନ ଯୋଗାଉଥିବା ରାଜ୍ୟରେ ବି ଅମ୍ଲଜାନ ନପାଇ ରୋଗୀ ଡାକ୍ତରଖାନା ପରିସରରେ ମୃତ୍ୟୁବରଣ କରୁଛନ୍ତି ବୋଲି କହିଲେ ଛୋଟମୁହଁରେ ବଡକଥା ହେବନି !
ଖୋଦ୍ ଜିଲ୍ଲାପାଳ ଜ୍ଞାନ ଦାଶ ଏବଂ ଏସ୍ପି ଚରଣ ସିଂ ମୀନା ସବୁ ଡାକ୍ତରଖାନା ବୁଲି ତଥ୍ୟ ଦେଇଛନ୍ତି ଯେ ସବୁକିଛି ଠିକ୍ଠାକ୍ ଚାଲିଛି ଯେତେବେଳେ ଆମେ କେମିତି କହିପାରିବା ଗୋମତି ସିଂ ଡାକ୍ତରଖାନାରେ ଅକ୍ସିଜେନ୍ ବିନା ମରିଗଲା ବୋଲି ! ନାଇଁ ଆଜ୍ଞା, ଆମେ କହି ନ ଥାନ୍ତେ ଯେ ହେଲେ ଦୂରଦର୍ଶନରେ ଚୋଖା ଭିଡ଼ିଓ ଦେଖେଇଦେଲା । ସେ ଭିଡ଼ିଓ ସୁଟିଂ କଲାବାଲାକୁ ବି ଧନ୍ୟବାଦ ଦେବାକୁ ଆନ୍ତରିକ ଇଚ୍ଛା ଥିଲେ ମଧ୍ୟ ଦେଇହେଉନି । ଭିଡ଼ିଓ ଭଲ ଉଠେଇଛି ସତ, ହେଲେ ମଲାବେଳେ ଯଦି ସେତିକି ସମୟ ଓ ବୁଦ୍ଧି ଅମ୍ଲଜାନ ଯୋଗାଡରେ ଲଗେଇଥାନ୍ତା ବିଚରା ମହିଳାର ପ୍ରାଣ ବଂଚିଯାଇଥାନ୍ତା । ହଁ ମ । ଦେଶରେ ଦୁଇଲକ୍ଷ ଉପରେ ମଲାବେଳକୁ ରାଜ୍ୟରେ ଦୁଇହଜାରରୁ ଉର୍ଦ୍ଧଙ୍କର କାଳ ହୋଇ ସାରିଲାଣି । ଏଗୁଡା ସବୁ ସରକାରୀ ହିସାବ, ପ୍ରକୃତ ସଂଖ୍ୟା କାହାକୁ ବା ଜଣା? ଏଗୁଡା ସବୁ ବଡବଡିଆଙ୍କ ଗଣିତ, ସାଧାରଣ ଲୋକମାନେ ଜାଣି ବା କ’ଣ କରିବେ!
ସାସଂଦ ଓ ବିଧାୟକ ମାନେ ହେଲେ ଦେଶର ଶାସକ, ରାଜା ଲୋକ । ତା’ଙ୍କ ଜ୍ଞାତିକୁଟୁମ୍ବ ମାନେ ହେଲେ ରାଜାଗୋଷ୍ଠିର ନିଜଲୋକ । ବାକି ସମସ୍ତେ ପ୍ରଜା । ପ୍ରଜାମାନଙ୍କର ଯାହାହେଉନା କାହିଁକି ରାଜା ଏବଂ ତାଙ୍କର ପାଖଲୋକମାନେ ନିହାତି ବଂଚିବା ଦରକାର । ତେଣୁ ପ୍ରାୟ ସାସଂଦ ଏବଂ ବିଧାୟକ ତା’ଙ୍କ ନିଜପାଇଁ ତଥା ପରିବାର ବନ୍ଧୁବାନ୍ଧବମାନଙ୍କ ପାଇଁ ଅକ୍ସିଜେନ୍ ଗ୍ୟାସ୍ ସିଲିଣ୍ଡର ଯଥେଷ୍ଟ ପରିମାଣରେ ଗଚ୍ଛିତ ନରଖି ଖୋଲାବଜାରରେ ନିଜପାଇଁ ଖୋଜିଲେ କେମିତି ଚଳିବ ! କେତେବେଳେ କୋଉ କଥା । କାଳେ କେତେବେଳେ ଯଦି ସାର୍ଙ୍କର ଥଣ୍ଡାକାସ ହେଲା ନର୍ସମାନେ ଘରକୁଆସି କୋଭିଡ୍ଟେଷ୍ଟ କରି, ପଜିଟିଭ୍ ଆସିଲାମାନେ ନିଶ୍ୱାସନେବାରେ କଷ୍ଟହେଉ ବା ନହେଉ ମୁହଁରେ ମାସ୍କଲଗେଇ ଅକ୍ସିଜେନ ପାଇପି ଗେଂଜିଦେଲେ କାମ ସଇଲା । ଭାରତରେ ଏମିତି କଥା ପ୍ରଥମଥର ଅନୁଭୁତ ହେଉଛି, ଆଗରୁ କେବେ ହୋଇନଥିଲା । ଏହା ପ୍ରାକୃତିକ ଅପେକ୍ଷା କୃତ୍ରିମ ବେଶୀ ଲାଗୁଛି । ଆଉଏକ ପ୍ରସଙ୍ଗ ହେଲା ଯେଉଁ ଜିନିଷର ଚାହିଦା ଅଧିକ, ତାର ନିଅଂଟିଆ କଥା ପ୍ରଚାରହେବା ପରେ କଳାବଜାରିଙ୍କର କଚେ ପୁଅ ବାର । ଛାଡନ୍ତୁ ସେସବୁ ବାଜେକଥା, ଏବେ ଆମ ଉପାୟ କ’ଣ? ଲକ୍ଡାଉନ୍ ସମୟରେ ଘରେ ରୁହନ୍ତୁ, କରୋନା ଚେନ୍ ଛିଣ୍ଡାନ୍ତୁ । ନଚେତ୍ ନିଜେ ତ ଯିବେ, ବାକି ନିଜର ପରିଜନମାନଙ୍କୁ ବି ସେହି ଅଫେରାପଥରେ ପଥିକ ହୋଇ ଚାଲିବାର ଦୁର୍ଯୋଗ ଦେଇ ଚାଲିଯିବେ । ବହୁତ ଜରୁରୀ ହେଲେ ବାହାରକୁ ବାହାରନ୍ତୁ, କିନ୍ତୁ ବାହାରିବା ପୂର୍ବରୁ ଡବଲ୍ ମାସ୍କ ଏବଂ ହାତରେ ସାନିଟାଇଜର୍ ମାରିବାକୁ ଆଦୌ ଭୁଲନ୍ତୁ ନାହିଁ । ଗାଁ ଗହଳିରେ ଶାଳିମାନେ ଭିଣୋଇ ସରପଂଚମାନଙ୍କୁ ଜିଲ୍ଲାପାଳ ହେବା ଖୁସିରେ ମିଠା ପଠେଇଲେଣି । ଏଥର କିନ୍ତୁ ଆଗପରିକା ମଜା ନାହିଁ । ପ୍ରଥମ ଢେଉରେ କେତେ ନାଲିପଡି ବିଧାୟକ ଓ ସାସଂଦମାନଙ୍କୁ ଦେଖିଲେ ଚିହ୍ନି ପାରିଲେନି । ଦ୍ୱିତୀୟ ଢେଉରେ ମନ୍ତ୍ରୀ ଅନୁରୋଧ କରୁଛନ୍ତି ସିନା ସେପରି କ୍ଷମତା କିଛି ଲିଖିତ ଆକାରରେ ଏପର୍ଯ୍ୟନ୍ତ କୌଣସି ସରପଂଚଙ୍କର ହସ୍ତଗତ ହୋଇନାହିଁ ବୋଲି ଅନେକଙ୍କର ମନଦୁଃଖ । କେତେଜଣ ଜିଲ୍ଲାପାଳଙ୍କୁ ଭେଟି ସେଇ ପୁରୁଣା ଚିଠିକୁ କାର୍ଯ୍ୟକାରୀ କରିବାକୁ ଗୁହାରି କଲେଣି, ହେଲେ ସୁଫଳ ମିଳୁନି । ସେତେବେଳର ନାଳି ବି ଆଉ ନାହିଁ । କେତେଜଣଙ୍କ ବିରୁଦ୍ଧରେ ବନ୍ଧାବନ୍ଧି କରିବାକୁ ପୋଲିସ ପାଗ ଭିଡୁଥିଲା ଯେ ଏ ଦ୍ୱିତୀୟ ଲହଡି ଆସି ପାଣିଚିଆ କରିଦେଲା । ତଥାପି ଭୋଗିବେ, ଟିକେ ଡେରିରେ । ସଂଗରୋଧ ଘରପାଇଁ ଟାଉଲ୍, ସାନିଟାଇଜର, ମଗ ଓ ସାବୁନ କିଣାରେ ଯେଉଁ ଦୁର୍ନୀତି ହୋଇଛି, ତାର ହିସାବ ଅଛି । ପୁରା କରୋନା ଭୂତାଣୁ ନିପାତ ହେଲାପରେ, ଏ ଭୂତମାନଙ୍କୁ ଧୂଆଁ ଦିଆଯିବ ।
ପ୍ରଥମଥର ପାଇଁ ଆମ ନ୍ୟାୟାଳୟଗୁଡିକୁ ଦେଶର ନେତା ଓ ଡାକ୍ତରମାନଙ୍କୁ ଜନସେବା ବିଷୟରେ ବୁଝେଇବାକୁ ପଡୁଛି । ବିଶ୍ୱ ଭାରତର ଏ ଦୂରାବସ୍ଥା ଦେଖି ସହାୟତାର ହାତ ବଢାଉଛନ୍ତି ସତ, ହେଲେ ଆମ ନିଜର ସ୍ୱାସ୍ଥ୍ୟକ୍ଷେତ୍ରରେ ଥିବା କମିଗୁଡିକ ଏବେ ସମ୍ପୂର୍ଣ୍ଣ ଉଜାଗର ହୋଇ ପଦାରେ ପଡିଯାଇଛି । ଶବସତ୍କାର ପାଇଁ ଜାଗା ନାହିଁ । ଆତ୍ମୀୟସ୍ୱଜନ ଶ୍ମସାନ ଫାଟକ ଆଗରେ ଶବକୁରଖି ଧାଡିରେ ଘଂଟାଘଂଟା ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଦୈନଦିନ ବଡବଡ ନାଁକରା ଘରୋଇ ଡାକ୍ତରଖାନାରେ ଅକ୍ସିଜେନ୍ ବିନା ଏକାଧିକ ରୋଗୀ ପ୍ରାଣତ୍ୟାଗ କରୁଛନ୍ତି । କାହାସାଙ୍ଗରେ କାହାର ସମନ୍ୱୟ ନାହିଁ । ଜନ୍ମଗ୍ରହଣ କରିଥିବା ସଦ୍ୟଜାତ ଶିଶୁମାନଙ୍କୁ ବି ଆଜି ଭାରତର ରାଜଧାନୀ ଦିଲ୍ଲୀ ଅମ୍ଲଜାନ ଯୋଗାଇବା ପାଇଁ ଅକ୍ଷମତା ପ୍ରକାଶ କରୁଛି । ଆମପାଖରେ ବହୁ ଦୂରଦୃଷ୍ଟି ସମ୍ପର୍ଣ୍ଣ ଦକ୍ଷ ନେତା ଅଛନ୍ତି ବୋଲି ଆମେ ଦାବି କରି ଆସୁଛେ, ହେଲେ ଏବେ କାହିଁକି ଅକ୍ସିଜେନ୍ ପ୍ଲାଂଟ୍ ବସେଇବା ଦରକାର ପଡୁଛି । ବାହାଘର ବେଳେ ବାଇଗଣ ରୋଇଲେ କ’ଣ ଭୋଜିରେ ଲାଗିବ! ତାପରେ ଅକ୍ସିଜେନ୍ ଏକ୍ସେପ୍ରେସ୍ ଆଦିର ବନ୍ଦୋବସ୍ତ ହେଲାଣି ସତ, ତଥାପି ଆମଦେଶର ପରିବହନ ବ୍ୟବସ୍ଥା ଉପରେ ମଧ୍ୟ ଆନ୍ତର୍ଜାତୀୟ ସଂସ୍ଥାମାନେ ଟିପ୍ପଣୀ ଦେଉଛନ୍ତି । ଫ୍ରାନ୍ସ, ୟୁଏସ୍ ଏବଂ ୟୁକେ ଆଦି ଭାରତକୁ ଅକ୍ସିଜେନ୍ ଯୋଗାଇବା ଆରମ୍ଭ କରିଥିଲେ ମଧ୍ୟ ପ୍ରତ୍ୟେକ ଦିନ ବିନା ଅକ୍ସିଜେନ୍ରେ ମୃତ୍ୟୁ ହେବାର ଖବର ଏବେ ବି ଶୁଣିବାକୁ ମିଳୁଛି । ଏବେ ଯେଉଁମାନେ ପରୀକ୍ଷା କଲାପରେ କରୋନା ହୋଇଛି ବୋଲି ଜାଣିବାକୁ ପାଉଛନ୍ତି, ସେମାନେ ଗଣମାଧ୍ୟମରୁ ଅକ୍ସିଜେନ୍ ନାହିଁ, ଡାକ୍ତର ଓ ନର୍ସ ଛୁଇଁଲେନି, ଅକ୍ସିଜେନ୍ ଦିଅଦିଅ ବୋଲି କହିକହି ଡାକ୍ତରଖାନା ବାରଣ୍ଡାରେ ମରିଗଲା ପରି ଖବର ଶୁଣି ଅଧା ଦରମରା ହୋଇଯାଉଛନ୍ତି । ରୋଗୀକୁ ଏ ସମସ୍ତ ଅବ୍ୟବସ୍ଥା ଗୁଡିକୁ ମୁଣ୍ଡରେ ପୁରେଇ ଅଜୁନ୍ତୁରି ହେବାରୁ ନିଶ୍ୱାସ ନେବାରେ କଷ୍ଟହେଉଛି । ତେଣୁ ଏପରି ଏକ ଘଡିସନ୍ଧି ମୂହୂର୍ତ୍ତରେ ସମସ୍ତ କରୋନା ଯୋଦ୍ଧାମାନଙ୍କୁ ନିବେଦନ କି ସମ୍ବେଦନଶୀଳତାର ସହ ଦୟାକରି ରୋଗୀଙ୍କୁ ବୁଝନ୍ତୁ ଓ ଛୋଟ ବଡ ସମସ୍ତେ ମଣିଷ ଏବଂ ସମସ୍ତଙ୍କର ଜୀବନର ମୂଲ୍ୟ ସମାନ । ଅବଶ୍ୟ ଏଇଟା ବି ଛୋଟ ମୁହଁରେ ବଡକଥା ।