ଅଣୁଗଳ୍ପ

ମାନବିକତା

Kanishtha Kishore Sahu's odia short story Maanabikataa

ପିଲା ଦି’ଜଣ ସମ୍ଭ୍ରାନ୍ତ ପରିବାରର ଜଣା ପଡୁଥିଲେ ହେଁ ଏ ବୟସରେ ପୁଣି ରେଳ ଷ୍ଟେସନ୍‌ରେ ଫୁଲ ବିକ୍ରୟ କରିବା ଦେଖି ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା

ମାନବିକତା

ସେଦିନ ଦିଲ୍ଲୀ ରେଳ ଷ୍ଟେସନ୍‌ରେ ଦଶ ବର୍ଷର ଝିଅଟିଏ ସହିତ ସାତ ବର୍ଷର ଭାଇ ଫୁଲ ବିକ୍ରୟ କରୁଥିବାର ଅଭୟ ବାବୁ ଦେଖିଲେ । ପିଲା ଦି’ଜଣ ସମ୍ଭ୍ରାନ୍ତ ପରିବାରର ଜଣା ପଡୁଥିଲେ ହେଁ ଏ ବୟସରେ ପୁଣି ରେଳ ଷ୍ଟେସନ୍‌ରେ ଫୁଲ ବିକ୍ରୟ କରିବା ଦେଖି ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ସେମାନଙ୍କୁ ଦେଖି ତାଙ୍କ ମନରେ ଦୟାଭାବ ମଧ୍ୟ ଆସିଲା ।

ସେ ଷ୍ଟେସନ୍‌ର ଗୋଟିଏ ପାଖକୁ ଯାଇ ଛିଡା ହେଲେ । ତା ପରେ ପିଲା ଦି’ଜଣଙ୍କୁ ଡାକିଲେ । ପିଲା ଗୁଡିକ ଗ୍ରାହକ ଭାବି ତାଙ୍କ ପାଖକୁ ଗଲେ । ଅଭୟ ବାବୁଙ୍କୁ ଫୁଲର ଆବଶ୍ୟକତା ନ ଥିଲା । ସେ ସେମାନଙ୍କ ସହିତ କଥା ହେବା ପାଇଁ ଡାକିଥିଲେ । ସେ ପଚାରିଲେ “ପିଲାମାନେ ତୁମେ ଦି ଜଣ ପାଠ ନ ପଢି ଏତେ କମ ବୟସରେ ଫୁଲ କାହିଁକି ବିକୁଛ ?

ଝିଅ ଜଣକ ତତ୍‌କ୍ଷଣାତ ଉତ୍ତର ଦେଲା “ବାବୁ ! ମା ଓ ବାପା ଦି’ ଜଣ ଯାକ ଦୁର୍ଘଟଣାରେ ମରିଗଲେ । ଆମେ ଦି ଭାଇ ଭଉଣୀ ଏକା ହୋଇଗଲୁ । ଆମ ଦି ଜଣଙ୍କୁ ପାଠ ବନ୍ଦ କରିବାକୁ ମନ ନାହିଁ । କିନ୍ତୁ ଆମେ ଖାଇବୁ କଣ ?

କୁନି ଝିଅଠାରୁ ସେଭଳି ପ୍ରତ୍ୟୁତ୍ତର ଶୁଣି ଅଭୟବାବୁଙ୍କ ମନରେ ଦୟଭାବ ଭରି ଉଠିଲା । ସେ ସେମାନଙ୍କଠାରୁ ପାଞ୍ଚଶହ ଟଙ୍କାର ଫୁଲ କିଣି ପଚାରିଲେ । ପିଲାମାନେ ଆଜି କଣ ଖାଇଛ ? ପିଲା ଦି ଜଣ କିଛି ଉତ୍ତର ନ ଦେଇ ତାଙ୍କ ମୁହଁକୁ ଅନାଇ ରହିଲେ । ଅଭୟ ବାବୁ ତାଙ୍କ ମୁହଁକୁ ଦେଖି ସବୁ ବୁଝିଗଲେ । ପିଲା ଦି’ଜଣ ଯେ ସକାଳୁ କିଛି ଖାଇ ନ ଥିବେ ଅନୁମାନ କରି ନେଲେ । ସେ ନିଜ ବ୍ୟାଗ ମଧ୍ୟରୁ ନିଜ ପାଇଁ ରଖିଥିବା ଦୁଇ ପ୍ୟାକେଟ ବିସ୍କୁଟ , ଝିଅ ଓ ପୁଅ କୁ ବଢ଼ାଇଦେଇ କହିଲେ “ନିଅ ! ତୁମେ ଦୁଇଜଣ ଖାଇଦିଅ ।

ଝିଅଟି ଅଭୟବାବୁଙ୍କ ମୁହଁ କୁ ଅନାଇ କହିଲା “ବାବୁ ! ଆପଣ ଦି’ପ୍ୟାକେଟ ବିସ୍କୁଟ ଦେଲେ ଯେ କଣ ପୁଣି ଖାଇବେ ? ଏଇ ମୋ ପ୍ୟାକେଟ ଟା ନିଅନ୍ତୁ ଆପଣ ଖାଇବେ । ଆମେ ଭାଇର ପ୍ୟାକେଟ୍‌ଟାକୁ ଦି’ଜଣ ଯାକ ଭାଗ କରି ଅଧା ଅଧା ଖାଇଦେବୁ ।’

ଅଭୟ ବାବୁ ତାଙ୍କଠାରୁ ପ୍ୟାକେଟ୍‌ ଟିଏ ବିସ୍କୁଟ ଆଣିବାକୁ ଇଚ୍ଛା ନ ଥିଲେ ମଧ୍ୟ ଆଣିଲେ କିନ୍ତୁ ଝିଅଟିର ମାନବିକତା ଦେଖି ସେ ଦି ଜଣଙ୍କ ନିମନ୍ତେ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ଭୁଲିଲେ ନାହିଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top