ପ୍ରତିଦିନ ତା’ର ମୋର ଦେଖା ହୁଏ । ସେ ଟିକେ ହସିଦିଏ । ମୁଁ ଟିକେ । ସେ ମୁହଁ ତଳକୁ ପୋତି ଚାଲିଯାଏ । ମୁଁ ଠିଆ ହୋଇ ଚାହିଁ ରହିଥାଏ ସେ ମୋ ଦୃଷ୍ଟି ଆଢୁଆଳରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ।
ଏମିତି ଧିରେ ଧିରେ ଆମ ଭିତରେ ହୁଏ ବନ୍ଧୁତା । ପ୍ରତିଦିନ ତା’ର ମୋର ଦେଖା ହୁଏ । ସେ ଟିକେ ହସିଦିଏ । ମୁଁ ଟିକେ । ସେ କିଛି କୁହେନା । ହଁ ଓ ନା’ରେ ସରିଯାଏ ଆମ କଥାବାର୍ତ୍ତା । ଆସୁଛି । କହି ମୁହଁ ତଳକୁ ପୋତି ଚାଳିଯାଏ ସେ । ମୁଁ ଠିଆ ହୋଇ ଚାହିଁ ରହିଥାଏ ସେ ମୋ ଦୃଷ୍ଟି ଆଢୁଆଳରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ।
ଆମ ଭିତରେ ଗଢ଼ିଉଠେ ପ୍ରେମ ସମ୍ପର୍କ । ପ୍ରତିଦିନ ତା’ର ମୋର ଦେଖା ହୁଏ । ସେ ଟିକେ ହସିଦିଏ । ମୁଁ ଟିକେ । ସେ ଅନର୍ଗଳ ଗପି ଚାଲେ । ମୁଁ ଚୁପ୍ଚାପ୍ ଦେଖୁଥାଏ ତାକୁ ଓ ଶୁଣୁଥାଏ ତା’ କଥା । ହଜିଯାଏ ତା’ ଭାବନାରେ । ଆସୁଛି । କହି ମୁହଁ ତଳକୁ ପୋତି ଚାଲିଯାଏ ସେ । ମୁଁ ଠିଆ ହୋଇ ଚାହିଁ ରହିଥାଏ ସେ ମୋ ଦୃଷ୍ଟି ଆଢୁଆଳରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ।
କାହା ନଜର କିନ୍ତୁ ଲାଗିଯାଏ ଆମ ଭଲ ପାଇବାରେ । ପ୍ରତିଦିନ ତା’ର ମୋର ଦେଖା ହୁଏ । ତା’ ସନ୍ଦେହୀ ଆଖି ଖୋଜୁଥାଏ କିଛି ଅବାସ୍ତବ, ଭିତ୍ତିହୀନ ପ୍ରଶ୍ନର ଉତ୍ତର । ମୋ ନିରୁତ୍ତର ମୁହଁ ପୋତି ହେଇଯାଏ ତଳକୁ । ସେ କହିଯାଏ ବହୁତ କିଛି । ମାଟି ଖସିଯାଏ ମୋ ପାଦତଳୁ । ଯାଉଛି । କହି ସେ ଚାଲିଯାଏ ମୁହଁ ଛିଞ୍ଚାଡ଼ି ।
ମୁଁ ଠିଆ ହୋଇ ଚାହିଁ ରହିଥାଏ ସେ ମୋ ଦୃଷ୍ଟି ଆଢୁଆଳରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ।
ପ୍ରତିଦିନ ତା’ର ମୋର ଦେଖା ହୁଏ । ସେ ରାଗି ଚାହିଁଦିଏ । ମୁଁ ଚେଷ୍ଟା କରେ ତାକୁ ବୁଝେଇବାକୁ । ସେ ଚାଲିଯାଏ । ମୁଁ ଠିଆ ହୋଇ ଚାହିଁ ରହିଥାଏ, ସେ ମୋ ଲୁହ ଛଳ ଛଳ ଦୃଷ୍ଟି ଆଢୁଆଳରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ।
ପ୍ରତିଦିନ ତା’ର ମୋର ଦେଖା ହୁଏ । ସେ ମୋତେ ଭୁଲିସାରିଥାଏ । ମୁଁ ମନେ ରଖିଥାଏ ତାକୁ । ସେ ଚାଲିଯାଏ ଭସା ମେଘଖଣ୍ଡଟିଏ ପରି । ମୁଁ ଚାତକ ଭଳି ଚାହିଁ ରହିଥାଏ ତା’ ଫେରିବା ବାଟକୁ ।
