ଅଣୁଗଳ୍ପ

ନିଦ

Laxmidhar Sahoo's odia short story Nida

ବାଇଶି ଇଞ୍ଚିଆ ଟିଭି ଖୋଲି ନେଟଫ୍ଲିକ୍ସ ସମୁଦ୍ରରେ ଫିଲ୍ମ ଗୋଟେ ଆଶାରେ ବୁଡିଗଲେ । କିନ୍ତୁ ବାରମ୍ବାର ରିମୋଟ ଖେଞ୍ଚିଲେ ଗୋଟିଏ ଫିଲ୍ମରୁ ଅନ୍ୟକୁ ।

ଦୁଇ ତିନି ଇଞ୍ଚ୍‌ ଭିତରକୁ ପଶିଗଲା ନୂଆ ମାଟ୍ରିସ୍‌ଗଦିଟା ବାବୁଙ୍କ ପୃଥଳ ଶରୀର ଭାରରେ । ଅଟୋଥର୍ମାଲ ମୋଡ୍ । ଲଦାଖ୍‌ ବରଫରୁ ଆହୁରି ନିମ୍ନ ଥିବ ପାରଦ ଗଦିର । ପାଟିରେ ଅନେକ ମେଡ଼ିସିନ-ଡ୍ରଗ୍ସର ପିତାଳିଆ ସ୍ୱାଦ । ଫୋନ୍ ରେ ଟୁଁ ଟୁଁ ହେଇ ବାଜି ଉଠୁଛି କମ୍ପାନୀ ଷ୍ଟକ୍‌ର ଉତ୍-ଥାନ ଓ ପତନ । ଚବିଶିରେ ଅଛି ଏସି କିନ୍ତୁ କପାଳରେ ମାଳମାଳ ଘର୍ମବିନ୍ଦୁ । ହଟାତ୍ ଉଠିଗଲେ, କୋଠରୀର ଏ କୋଣରୁ ସେ କୋଣକୁ ଚକ୍କର କାଟି ଆସିଲେ । ଆଲମାରି ଖୋଲି ଗଣିଲେ ମୋଟା ମୋଟା ଟଙ୍କା ବିଡା ଗୁଡ଼େ । ବାଇଶି ଇଞ୍ଚିଆ ଟିଭି ଖୋଲି ନେଟଫ୍ଲିକ୍ସ ସମୁଦ୍ରରେ ଫିଲ୍ମ ଗୋଟେ ଆଶାରେ ବୁଡିଗଲେ । କିନ୍ତୁ ବାରମ୍ବାର ରିମୋଟ ଖେଞ୍ଚିଲେ ଗୋଟିଏ ଫିଲ୍ମରୁ ଅନ୍ୟକୁ । ଭାରାକ୍ରାନ୍ତ ହୋଇ ବ୍ଲାକ୍‌ମନିକୁ ଧଉଳେଇବାର ପଦ୍ଧତି ଖୋଜିବାକୁ ଲାଗିଲେ ବ୍ରାଉଜରରେ । ଲ୍ୟାମ୍ପ୍‌ର ହାଲକା ଆଲୁଅରେ ଦେଖିପାରିଲେ ମାଟ୍ରିସ ଗଦି ପ୍ୟାକ୍ ହୋଇ ଆସିଥିବା ଖୋଳଟା ପଡିଛି ଗୋଟେ କୋଣକୁ । ଚାକର ଟୋକାକୁ ଗର୍ଜନ କରି ଡାକିଲେ । ଅର୍ଦ୍ଧଚକ୍ଷୁ ଉମ୍ମିଳିତ ଅବସ୍ଥାରେ ଚାକର ଟୋକାଟା ମନେ ମନେ ଦୁଇ ଚାରି ଅକ୍ଷର ବାବୁଙ୍କୁ ଭୁସି ଫୋପାଡ଼ିଦେଇ ଆସିଲା ଖୋଳଟା ବାହାରେ । ଅସ୍ଥିର ଅବସ୍ଥାରେ ମୁଣ୍ଡ ପିଟିବାକୁ ଆରମ୍ଭ କଲେ ସେ । ରକ୍ତ ବାହାରିବାକୁ ଆରମ୍ଭ ହେଲା । କପାଳରେ ହାତ ଦେଇ ଅର୍ଦ୍ଧ ଚେତ ଅବସ୍ଥାରେ ଛିଡ଼ିକି ପଡିଲେ ବାଲକୋନୀରେ । ଫାଳେ ଷ୍ଟ୍ରିଟ୍‌ଲାଇଟ୍‌ର ଆଲୋକ ପରିଧିରେ ଦେଖିଲେ ଜରିଗୋଟାଳି ଗୋଟେ ତାଙ୍କ ମାଟ୍ରିସ୍‌ଗଦି ଖୋଳକୁ ପାରି ତାରି ଉପରେ ଶୋଇପଡି ଘୁଙ୍ଗୁଡ଼ି ମାରୁଛି । ତା ଶରୀରରୁ ଉଷୁମ ଟାଣି ବିଲେଇ ଗୋଟେ ବି ଆଉଜି ଶୋଇଛି ତାକୁ । ଶରୀରରେ କନା ବୋଲି କିଛି ନାହିଁ, ମସିଆ ସାର୍ଟ ଗୋଟେ, ଚାରି ଜାଗାରେ ବାରଟା କଣା । ମୁଣ୍ଡରେ ତକିଆ ବୋଲିକି ଅଖା ଗୋଟେ, ଯେଉଁଥିରେ ଫ୍ରୁଟି, ପେପ୍ସି ବୋତଲ ପଶିଥିବ ବୋଧେ । ଈର୍ଷାରେ ସେଇ ବାଲକୋନୀରେ ମୁଣ୍ଡ ପିଟିବାକୁ ଆରମ୍ଭ କଲେ ଟିକିଏ ନିଦର ଆର୍ତ୍ତନାଦ କରି । ରକ୍ତଗୁଡା ନିଗିଡି ଯାଉଥିଲା ଚିରନିଦ୍ରାର ସଂକେତ ଦେଇ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top