କିଛି ଲୋକେ ଏବେ ପଚାରି ବୁଝନ୍ତି କଳାଟଙ୍କା କେମିତିକା?
ବୁଝାଇ କୁହନ୍ତି କିଛି ଲୋକେ ତାଙ୍କୁ ତୁ’ ତ ମୁରୁଖ ବୋକା
କୋଟ କଚେରି ଯାଇଛୁ ତୁ କେବେ ଜମି ଜୁମା କିଣିବାକୁ
ବିନା ଟଙ୍କାରେ ଫାଇଲ ଚାଲେନି କଳା କହନ୍ତି ତାହାକୁ
ସହର ବଜାରେ ଘର ବା ଫ୍ଲାଟ୍ ମୂଲ୍ୟ ଯଦି ଲକ୍ଷ ଟଙ୍କା
ମାଲିକ ମାଗିବ ପଚାଶ ନଗଦ ବାକିଟା ଚେଏକ୍ ପକା
ଜନମ ମରଣ ଜାତିର ପ୍ରମାଣପତ୍ର ପାଇଁ ଯାହା ଦେଲୁ
ବିନା ରସିଦ ରେ ଯାହା ସବୁଟଙ୍କା ହାକିମ ପିଛା ସାରିଲୁ
ଲାଞ୍ଚ, ହାତଗୁଞା, ପାନଖିଆ ଖର୍ଚ୍ଚ, ଟେବୁଲ ତଳ ବେପାର
ଚିକିତ୍ସାଳୟ ଠୁ ବିଦ୍ୟାଳୟ ଯାଏ ସବୁଠି ହାଜିର ତାର
ଯନ୍ତ୍ରୀ ଠିକାଦାର କଳା କାରବାର ନ କହିଲେ ହେବ ଭଲ
ନେତା ମନ୍ତ୍ରୀଙ୍କର କଥା ନବୁଝିଲେ ବଦଳି ହୋଇକି ମଲ
ପୋଲିସ ଚାକିରି ଇଲିସ ପାଇଁକି ଅଛି ପୁରୁଣା ପ୍ରବାଦ
ଭିଜିଲାନ୍ସ ଏବେ ସିବିଆଇ ଟପି ଏକସାଇଜ ବିକେ ମଦ
କଳା ପଙ୍କରୁ ପଦୁଅଁ ନାଡ଼ଟି ଦୋହଲେ ପାଣି ଉପରେ
ଫୁଲ ପାଖୁଡ଼ାରେ ବସି ଚାହୁଁଛନ୍ତି ପଙ୍କକୁ ଧଳା ରଙ୍ଗରେ
ଅସମ୍ଭବ ଯାହା କଣ୍ଟକିତ ପଥ ତଥାପି ଉଦ୍ଯୋଗ ଜାରି
ବିଶ୍ୱନିୟନ୍ତା ନ’ଚାହିଁଲେ କେବେ ସତ୍ୟ କି ଆସିଛି ଫେରି?
ଏତେଦିନ ପରେ ଯୋଦ୍ଧା କିଏ ଜଣେ ଯାଉଛି ଆଗକୁ ମାଡ଼ି
ଚକ୍ର ବ୍ୟୁହ ରଚି ଘେରି ସାରିଲେଣି କୌରବ ମାନଙ୍କ ପରି
ନୀରବ ରହିଲେ ଅଭିମନ୍ୟୁ ପରି ଯୋଦ୍ଧାର ହେବ ମରଣ
କଳାଟଙ୍କିଆଙ୍କ ଭାଷଣକୁ ବୁଝ ପରଖ ମୂଳ କାରଣ
ସର୍ବଜନ ହିତ ଜଡ଼ିତ ଏଥିରେ ମନରେ ନ ରଖ ଶଙ୍କା
ସର୍ବୋପରି ରହୁ ଭାରତର ସ୍ୱାର୍ଥ ଲୋପହେଉ କଳାଟଙ୍କା