ଅବସାଦ କେବେ ସ୍ଵପ୍ନରେ ଭାବି ନଥୁବା
ଦିନସବୁ ଗହଣରେ
କିପରି ମୁହୂର୍ଭରୁ ମୁହୂର୍ଭ
ଗୋଟେ ଗୋଟେ ଯୁଗ ପରି ସମୟର ଲମ୍ଭା ପଦଯାତ୍ରାରେ
ଯିବା ଭଳି ଲାଗେ;
ନିଜ ପ୍ରଶ୍ନର ଉତ୍ତର ନିଜେ ଦେଇ
ନିଜକୁ ବୋଧ ଦେବା ହିଁ ସାର ହୁଏ
ପାଖରେ ନଥାଏ କେହି ଏମିତି ଦିନରେ ବିଷାଦ ଯୋଗକୁ ଧରି
ଝୁଣ୍ଟି ପଡ଼ି ଉଠି ଗଲିବାକୁ ପଡ଼େ ଏକା ଏକା ।
ଆକଳନକୁ ଭୁଲ ପ୍ରମାଣିତ କରି
ଭାବି ନଥିବା ଦିନ ସବୁ କେତେବେଳେ
ହଠାତ୍ ଆସି ପହଁଞ୍ଚୁଯାଏ କେହି ଦୁଃଖୀ ତ
କେହି ହୁଏ ବେଶି ଖୁସି ।
କାହା ପାଇଁ ଗୋଡ଼ି ମାଟିଠୁଁ ଆକାଶ
ଭାଗ୍ୟ ବଦଳି ଯାଏ
ବିଷାଦଗ୍ରସ୍ତ ସମୟର ଲାଞ୍ଚିତ ବେଳାରେ
କିଏ ଉପହାସ ବଞ୍ଚନାକୁ
ସାଥୀ କରି ନର୍କ ଆଡ଼େ ଯାଏ ।
ତା” ଭାବନାର ବହୁ ପ୍ରତୀକ୍ଷିତ ଦିନସବୁ
ମରି ମରି ଗଲାବେଳେ
ସେ ତଥାପି ଅପେକ୍ଷା କରିଥାଏ
ସେଇ ଆଗନ୍ତୁକକୁ
ଯିଏ କାଳେ ଆସିପାରେ ଧାପେ ଆଲୁଅରେ ।
ଅଭିମାନୀ ବିଦ୍ରୋହୀ ମନ
କାହାକୁ ମାଗିବ ଜବାବ କେଉଁ ଭରସାରେ
ଘେରି ବସିଥିବା ଅନ୍ଧାର ଭିତରେ
ନିଜେ ଆଜି ଘନ ଅନ୍ଧାରର ପ୍ରତିମୁର୍ଭିଟିଏ;
ଆଲୁଅ ଝରେନି ସେଠୁ କାହା ପାଇଁ
ସ୍ରୋତ ହୋଇ ବହିଯିବା ଆବଶ୍ୟକ
କରେ ନାହିଁ କେହି ।
ଆଜିକାଲି ସବୁ ଫାଙ୍କା ବ୍ୟର୍ଥ ନିରବତା
ସ୍ମୃତିର ଗହଳି ଠେଲି
ଆସିବା ଆସିବା ହେଉଛି କି କିଏ ! !
କାହିଁ ତ ତା’ର ଦେଖାନାହିଁ
ଆସିବାର ବାଟ ବନ୍ଦ ବୋଧେ
ହଜେଇ ଦେବାର ପ୍ରିୟ ଦିନସବୁଙ୍କୁ ସେ ରାସ୍ତାରେ ।
ଗଲାକାଲି ଭେଳିକିର ଅସରନ୍ତି ମନଛୁଆଁ କଥା
ଆଜି ନିରର୍ଥକ ସମୟର ପ୍ରେକ୍ଷାପଟରେ
ଗୋଟେ ଗୋଟ ମୃତ ଦୃଶ୍ୟଛବି ।