ବହୁତ ମନେ ପଡ଼ନ୍ତି , ସେ ବହୁତ ମନେ ପଡ଼ନ୍ତି
ଆମ ଝିଅ ଯେବେ ରାତିରେ ଉଠି
ପଚାରୁଛି ମାଁ, ବାପା କାହାନ୍ତି
ଖଟ ପାଖରେ ଫଟୋ ତାଙ୍କରି
ଶୋଇଯାଏ ତାକୁ ଜାବୁଡ଼ି ଧରି
ବାପା ତାଙ୍କର ଯେ ଆଉ ଆସିବେନି
ଉତ୍ତର ବା ତାକୁ କ’ଣ ଦିଅନ୍ତି ?
ବହୁତ ମନେ ପଡ଼ନ୍ତି , ସେ ବହୁତ ମନେ ପଡ଼ନ୍ତି ।।
ରାତି ପାହି ନୀତି ସକାଳ ହୁଏ
ନୀଡ଼ ପକ୍ଷୀ ପୁଣି ନିଡ଼େ ବାହୁଡ଼ିଯାଏ
ଶାଶୁ ମାଁ ମୋର ଦୁଆର ମୁହେଁ
ପୁଅ ଆସିବା ବାଟକୁ ଚାହିଁ ରୁହନ୍ତି
ଶ୍ୱଶୁର ମୋର ଭାରି ଦାମ୍ଭିକ
ଲୁଚି ଯାଇଛି ତାଙ୍କ ହସ ଟିକକ
ତାଙ୍କରି ଫଟୋ ଆଗରେ ରହି
ଏକା ଲୟେ ତାଙ୍କୁ ଦେଖି ଥାଆନ୍ତି
ବହୁତ ମନେ ପଡ଼ନ୍ତି , ସେ ବହୁତ ମନେ ପଡ଼ନ୍ତି ।।
ଅସରନ୍ତି କଥା ମନରେ ଧରି
କୋହକୁ ମନରେ ଚାପି ନ ପାରି
ଅଜାଣତେ ଯଦି କେବେ ଲୁହ ଯାଏ ଗଡ଼ି
ଆମ ପୁଅ, ଝିଅ ପୋଛି ଦିଅନ୍ତି ।
କେବେ କେବେ ଟିକେ ଥକି ଯାଉଛି
କିନ୍ତୁ ହାରିବିନି କଥା ଦେଉଛି
ଜାଣିଛି ମୁଁ, ତୁମେ ସଦାବେଳେ
ମୋଁ ପଛେ ରହିଥିବ ଏମିତି
ଆଜି ବି ଯେବେ ତାଙ୍କ ଭାବନାରେ
ଗର୍ବରେ ଯେବେ ମୁଁ ରାସ୍ତାରେ ଚାଲେ
ଲୋକେ ଶହୀଦର ସ୍ତ୍ରୀ ବୋଲି କୁହନ୍ତି
ବହୁତ ମନେ ପଡ଼ନ୍ତି , ସେ ବହୁତ ମନେ ପଡ଼ନ୍ତି ।।।

Pingback: Odia Poem Bahut Mane Padanti by Mrs Paramita Mishra | Oriya Magazine ameodia.com