ଗଙ୍ଗଶିଉଳିର ବାସ ମହକୁଛି
ଚଉଦିଗ ଆଜି ସମୀର,
ତାରାମାନେ ସଜ ହେଉଛନ୍ତି ବସି
ଦେଖ ଆଜି ଏଇ ତିମିର ।
ମେଘମାନେ ସବୁ ଗାଧେଇ ଗଲେଣି
ଦୂର ଦେଶ ଗାଁ ନଈକୁ ,
ଜହ୍ନ ଘୋଡ଼ାଉଛି ଜୋଛନାରେ ତା’ର
ଛାତି ତଳ କଳା ଜାଇକୁ ।
ଶରତ ଚାହିଁଛି ନଈକୁ ତୁଠରେ
ପାଦ ଧୋଇବାକୁ ମାଆର,
ନଈବନ୍ଧ ପରେ କାଶ ଫୁଲ ମାନେ
ଧରିଛନ୍ତି ଧଳା ଚଅଁର ।
ଡଗର ବାଣ୍ଟୁଛି ମହୀରେ ବାରତା
ଢୋଲ ମହୁରୀକୁ ବଜାଇ,
ଫୁଲରେ ଗୁଣ୍ତୁଛି ଫୁଲେଇ ମନ୍ଦାର
ମାଆ ଗଳେ ଦେବ ସଜାଇ ।
ଧୂପରେ ଦୀପରେ ଚନ୍ଦନ ଚିତାରେ
ସଜେଇବା ମାଆକୁ ମୂରତି,
ଭୁବନ ମୋହିନୀ ବିଘ୍ନ ବିନାଶିନୀ
ମରତ ଓହ୍ଲେଇ ଆସିବେ,
ପୂଣ୍ୟର ପ୍ରଦୀପ ଜଳାଇ ଅନ୍ତରେ
ପାପକୁ ଧାରାରେ ନାଶିବେ ।