କେଉଁ ତୀର୍ଥ ଗଲେ ମୁକତି ଲଭିବି
ପାରିବକି ଗଙ୍ଗା ଧୋଇ ।
କେତେ କାଳୁ ବୋଧେ ଅଭିଶାପ ଅଛି
ବିଦେଶରେ ଅଛି ରହି ॥
ନୂଆ ବିବାହଯେ କରି ଆସିଥିଲି
ପୁଅ ଯେ ସ୍କୁଲ ଗଲାଣି ।
ଭଉଣୀ କହୁଛି ରାକ୍ଷୀ ବାନ୍ଧି ନାହିଁ
କେତେ ବରଷଯେ ହେଲାଣି ॥
ଆଖି ଫୁଟିଲାଣି ବୋଉ ମୋ କହୁଛି
ବାଟକୁ ସେ ଅଛି ଚାହିଁ ।
କରଜ ଶୁଝିବା ଆଶାରେ ପଡ଼ିଛି
ଘରକୁ ଯେ ଫେରୁ ନାହିଁ ॥
ମାସେ ପୂରିଗଲେ ପଇସା ଯାଉଛି
ଆଉ ଅସୁବିଧା ନାହିଁ ।
ମନ କଥା ମୋର ମନରେ ମାରିକି
ହସୁଥାଏ ଦୁଃଖ ପିଇ ॥
ଅନ୍ତରର ଦୁଃଖ ଯଦି ବଖାଣିବି
ବସୁଧା ଢ଼ାଳିବ ଲୁହ ।
କେତେ ଦୁଃଖ ପରା ବିଦେଶରେ ଅଛି
ବିଦେଶ ବାଲା ଯେ କୁହ ॥
ଅଳସୁଆ ବୋଲି ବାପା କହୁଥିଲେ
ଖରା ନ ଆସିଲେ ଉଠେନି ।
ରାତି ଚାରିଟାରୁ ଉଠୁଛି ସେ ଏବେ
ମନ ଖୋଲି ହସି ପାରୁନି ॥
ଦୂରରୁ ଯେ ହାତ ଠାରୁଛି ତା ଗାଁ
କେତେ ସେନେହଯେ ତାର ।
ପଡିଗଲେ ଏଠି ଚଢି ଚାଲିଯିବେ
ଆହାଃ ପଦେ ନାହିଁ କା’ର ||
କେଉଁ ଜନମରୁ ଧାରୁଆ ଯେ ଅଛି
ବାକି ଅଛି ସୁଝିବାକୁ ।
ମୁକ୍ତି କରିଦିଅ ବିଦେଶ ମାଟିରୁ
ଚାଁହୁଛି ମୁଁ ବଞ୍ଚିବାକୁ ॥