ଶୀତଦିନର
ଭଳିଭଳି ଫୁଲ ମହୋତ୍ସବରେ
ପରଖି ହୁଏ ନାନାଜାତି ରଙ୍ଗ
ସେମିତି ପରଖି ହୁଏ
ଭିନ୍ନ ଭିନ୍ନ ବିପଦରେ
ଆଉଜି ଯାଉଥିବା
ଛୋଟମୋଟ ଭଙ୍ଗାଭଙ୍ଗି ଦୁଃଖ ।
ନାରୀର ଅନ୍ୟନାମ ଦୁଃଖ
ତା ଲୁହ ଗୋଟେଇଲେ ନଈ
ତା କଥା ଶୁଣିଲେ ମହାକାବ୍ୟ
ସେ ନିଜେ ବିଚ୍ଛୁରିତ ଆଗ୍ନେୟ ଲାଭା
ସାହସର ଦୁର୍ନିବାର ଇଚ୍ଛା
କର୍ତ୍ତବ୍ୟର ବେଗମାନ ଯାନ ।
ସାମଗ୍ରିକ ସତ୍ତାରେ ତାର
ଜିଇବାର ପ୍ରତିବଦ୍ଧତା
ଝଲସି ଉଠା ମୁହଁ ତାର
ସୁନା ଟହଟହ ।
ସେ ଗୋଟେ ଚଳନ୍ତି ଇତିହାସ
ବିବାଦୀୟ ବିତର୍କିତ ବର୍ତ୍ତମାନ
ଭବିଷ୍ୟତ କିଛି କଢ଼ କିଛି କାକଟସ ।
ମାଟି ତଳର ମାଟି ତ ‘
ଆକାଶର ଅନ୍ଧାରି ରୋଷଣିରେ
ଜାହିର ତା ସ୍ଥିତି ।
ମରୁଭୂମିଟେ ପରି
ତା ଇଲାକାଯାକ
ଆଶାଭଙ୍ଗର ବିସ୍ତୀର୍ଣ୍ଣ ବାଲି
ଫସଲ କଟା କ୍ଷେତପରି
ନିଃସଙ୍ଗ ଖାଁ ଖାଁ
ତଥାପି ସ୍ୱପ୍ନ ଲୁଟାଏ ମରୀଚିକା ପରି ।
ଏସବୁକୁ
ପାନଛେପ ପରି
ପକାଇ ଅଯାଗାରେ
ଚାଲୁଥାଏ ଆଗକୁ
ହସୁଥାଏ ବଞ୍ଚିବାର
ଅନନ୍ୟ କଳାକୁ ଧରି
ପିଢ଼ି ପରେ ପିଢ଼ି ।
ଆଶାର ବୀଜପତ୍ର ମୁକୁଳେ
ଖୋଲିଦେବ ହୃଦୟରୁ ସଦିଚ୍ଛା ଧାରେ
ବିଶ୍ୱସ୍ତ ବନ୍ଧୁଟେ ପରି ,
ଆବୋରିବ ମନ-ଧନ ଦେଇ
ରକ୍ତଜ ର ସରି ।
ଆଶା ରଖେ ସେ
କେହି ପଢୁ ତା ଭିତର ନାରୀତ୍ୱ
ବିଶ୍ୱାସ କୁ ରୋଇଦେଉ
ଘରଠୁଁ ପୃଥିବୀଯାକ ।
ସେ ତ କାଳ କାଳ
ଦହନ, ଦ୍ଵନ୍ଦ, ଦୁର୍ବିପାକ କୁ
ପଛରେ ପକେଇ ହସେ,
ରାଜ୍ୟରୁ ରାଜ୍ୟ ଜୟ କରି
ବିଜେତା ସୈନିକ ଭଳି
ଉଜ୍ଜ୍ୱଳ ବିଭାମୟୀ ଦିଶେ ।
ଦର୍ପରେ କହୁଥାଏ
ଦୁଇଟୋପା ଲୁହକୁ ତାର
ଅକୁଳାଣ ସଂସାରଯାକର ପାପ
ଆସ, ଚାଲିଆସ ପାଖକୁ
କରିଦେବି ଶୁଦ୍ଧ ସୁବର୍ଣ୍ଣ ସଭିଙ୍କୁ
ବରଂ ମୁଁ ଭୋଗୁଥାଏ
ଏ ସଂସାରର କୁମ୍ଭୀପାକ ନର୍କ !!