ଚାରୁଶିଳ୍ପକଳା ଶାଶ୍ୱତ ଗୌରବ,
ନିହାଣରଧାରେ ଅମୃତ ବୈଭବ ।
ଓଡ଼ିଆ ଜାତିର ସ୍ୱାଭିମାନ ସାଜି,
କୋଣାର୍କ ସାଇତେ ଯଶ-କୀର୍ତ୍ତିରାଜି ।
ପ୍ରଥମ ନରସିଂହଙ୍କ ସ୍ୱପ୍ନର ସଉଧ,
ତ୍ରୟୋଦଶ ଶତାବ୍ଦୀର ଅମୂଲ୍ୟ ସମ୍ପଦ ।
ଦର୍ଶନକଲି କୋଣାର୍କ ଯେବେ ସାୟଂକାଳେ,
ଅପରୂପ ଘନନୀଳ ଅନ୍ତରୀକ୍ଷ ତଳେ ।
ବିସ୍ମୟ ମାନସ ମୋର ଦେଖି ସେହିଛବି,
ସପ୍ତତୁରଙ୍ଗ ରଥରେ ବିରାଜିତ ରବି ।
ଦ୍ୱାଦଶହଳ ଚକରେ ରଥ ସୁସଜ୍ଜିତ,
ବିଶାଳ ଭାନୁମନ୍ଦିର ଶୋଭା ଅଦଭୁତ ।
ସବୁଚକ ଦେହେ ସଜା କାରୁକାର୍ଯ୍ୟ କେତେ,
ସୂର୍ଯ୍ୟଘଡି,ଚନ୍ଦ୍ରଘଡି,ଋତୁଚକ୍ର ସତେ ।
ଧ୍ୱଂସପ୍ରାପ୍ତ ମୁଖ୍ୟ ଦେଉଳ କଳ୍ପନା,
ହୃଦୟ ବିଦାରକ ସେ ଅବ୍ୟକ୍ତ ଯନ୍ତ୍ରଣା ।
ନାଟ ମନ୍ଦିରର ଭଗ୍ନ-ଅବଶେଷ ଦେଖି,
ପୂର୍ଣ୍ଣ ନାଟ-ମନ୍ଦିରକୁ ଝୁରିହୁଏ ଆଖି ।
ଧନ୍ୟସେ କୋଣାର୍କ ଧନ୍ୟ ବାରଶ’ ବଢେଇ,
ଧନ୍ୟ ଉତ୍କଳ ଜନନୀ ପୁଣ୍ୟ ତୋର ଦେହୀ ।
ସହସ୍ର ପ୍ରଣତିଢାଳି କୋଣାର୍କ କଳାକୁ,
ଗମ୍ଭୀର ହୃଦୟେ ଫେରାଇଲି ଦ୍ୱିନେତ୍ରକୁ ।