ଆଜି ମୋର ଏଇ ବରଷା ପାଣିରେ
ଭାସିଯାଏ କେତେ ସ୍ମୃତି
ପିଲାଦିନର ସେ ହସ ଖୁସି କଥା
ଭାବୁଛି ମୁଁ ଦିନରାତି ।।
କେମିତି ଭୁଲିବି ମାଟି କାଦୁଅର
ଜନମ ଭୂଇଁକୁ ମୋର
ସେ କାଗଜ ଡଙ୍ଗା, ସେ ସାଧବ ବୋହୂ
ପୁଣି ସେଇ ବାଲିଘର ।।
ସାଙ୍ଗ ମେଳର ସେ କୁଆଁର ପୁନେଇଁ
ଖୁଦୁରୁକୁଣୀ ଓଷା
ସବୁ ଆଜି ମନେ ପକେଇ ଦେଉଛି
ଏଇ ଝିପିଝିପି ବର୍ଷା ।।
ବରଷା ପାଣିକୁ ଖାତିରି ନ କରି
ଯାଇଥିଲି ପାଠପଢ଼ି
ଆଜି ପୁଣି ଏଇ ବରଷାକୁ ଦେଖି
ସବୁଯାଏ ମନେ ପଡ଼ି ।।
ବର୍ଷା ସଙ୍ଗେ ଅଛି କେତେ ମିଠା ସ୍ୱପ୍ନ
କେତେ ଯେ ମଧୁର କାହାଣୀ
ସେଇ ମିଠା ସ୍ମୃତି ଏ ମନ ଭିତରୁ
ହେବନି ତ କେବେ ବାହୁନି ।।
