ସତ୍ୟସ୍ୱରୂପ ଶ୍ରୀରାମ ନବଘନକାନ୍ତି ,
ଧର୍ମଦଣ୍ଡଧାରୀ ଜୟ ଅଯୋଧ୍ୟାଧିପତି ।
ବାମଭାଗେ ମହାସତୀ ମୈଥିଳୀ ଶୋଭିତା,
ନିଖିଳ ବ୍ରହ୍ମାଣ୍ଡକର୍ତ୍ତା ଶାନ୍ତିମୁକ୍ତିଦାତା ।
ଦଶରଥ-କୌଶଲ୍ୟାଙ୍କ ହୃଦୟଚନ୍ଦନ,
ଚିରଞିବୀ ହନୁମନ୍ତ ହୃଦୟସ୍ପନ୍ଦନ ।
ବଶିଷ୍ଠ-ବିଶ୍ୱାମିତ୍ରଙ୍କ ଶିଷ୍ୟ ଶିରୋମଣୀ,
ମୁଖାରବିନ୍ଦୁ ଝରଇ ସଦା ମିଷ୍ଟବାଣୀ ।
ସିଂହାସନ ହର୍ଷେ ତ୍ୟାଗି ଚତୁର୍ଦ୍ଦଶ ବର୍ଷ,
ବିପିନେ ନିବାସୀ ପ୍ରଭୁ ନାଶିଲ ରାକ୍ଷସ ।
କୋଦଣ୍ଡପ୍ରତାପେ ନିଶାଚରେ ଥରହର,
ବିଂଶହସ୍ତମହାକାଳ ଜୟ ରଘୁବୀର ।
ସୁଗ୍ରୀବବାନ୍ଧବ ବାଳିପରାଣନାଶକ,
ବିଭୀଷଣଙ୍କଆଶ୍ରୟ ଶରଣରକ୍ଷକ ।
ସ୍ଥିତପ୍ରଜ୍ଞ ରାମ ମହାତ୍ୟାଗୀ କ୍ଷମାନିଧି,
ସମଦର୍ଶୀ ସଦାସ୍ଥିର କରୁଣାବାରିଧି ।
କଳିଯୁଗଯେ କରାଳକାୟା ବିସ୍ତାରଇ,
ସତ୍ୟନିଷ୍ଠମାନେ ବୋଲୁଛନ୍ତି ତ୍ରାହି ତ୍ରାହି ।
ଏକାତୁମେହିଁ ଭରସା ସତ୍ୟଧ୍ୱଜାଧାରୀ,
ଧର୍ମର ରକ୍ଷକ ନାନା ଅବତାର ଧରି ।
ସମଗ୍ର ଧରାରେ ହେଉ ସତ୍ୟର ବିଜୟ,
ସବୁରି ଆତ୍ମାରୁ ଶୁଭୁ “ରାମଚନ୍ଦ୍ର ଜୟ” ।