ପ୍ରବନ୍ଧ

ଭିତ୍ତିହୀନ ବିଶ୍ୱାସ ବିରୁଦ୍ଧରେ ସଂଘର୍ଷ

Balmiki Naayak's odia prose Bhittihina Bishwaas Biruddhare Sangharsa

ଯୁଗ ଯୁଗ ଧରି ଅନ୍ଧ ବିଶ୍ୱାସର ଅମୁହାଁ ଗଳିରେ ବାସ କରୁଥିବା ମଣିଷମାନଙ୍କୁ ନୂତନ ଜ୍ଞାନରେ ଆଲୋକିତ କରି ପରିବର୍ତ୍ତନ କରିବା ପାଇଁ ସମୟ ତ ଲାଗିବ ।

ଭିତ୍ତିହୀନ ବିଶ୍ୱାସ ବିରୁଦ୍ଧରେ ସଂଘର୍ଷ

ବିଭିନ୍ନ ପ୍ରକାର ଭିତ୍ତିହୀନ ବିଶ୍ୱାସକୁ ପ୍ରଚାର କରି ଧର୍ମଭୀରୁ ଜନତାଙ୍କୁ ଠକିବା ପାଇଁ ଦୋକାନ ଖୋଲି ବସିଥିବା ତଥାକଥିତ ବାବା, ମାତା, ତାନ୍ତ୍ରିକ, ଗୁଣିଆ, ଜ୍ୟୋତିଷ, ସାଧୁ, ସନ୍ନ୍ୟାସୀମାନଙ୍କ ବିରୁଦ୍ଧରେ ସମାଜର କିଛି ମୁକ୍ତମନା ବୁଦ୍ଧିବାଦୀମାନଙ୍କ ଦ୍ୱାରା ସଂଘର୍ଷ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । କିଛି ବୁଦ୍ଧିବାଦୀ, ପ୍ରଗତିଶୀଳ, ହେତୁବାଦୀ ଓ ସାହାସୀ ବ୍ୟକ୍ତି ଜନ ମାନସରେ ଜମି ରହିଥିବା ଅସଂଖ୍ୟ ପ୍ରକାର ଭିତ୍ତିହୀନ ବିଶ୍ୱାସ ଦୂର କରିବା ପାଇଁ ଦୃଢ଼ତାର ସହ ପ୍ରୟାସ କରିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଦୁଇଟି ହିନ୍ଦୀ ଚଳଚ୍ଚିତ୍ର ଓ ମାଇଁ ଗଡ଼ ଏବଂ ପିକେ ପ୍ରଦର୍ଶିତ ହୋଇ ଦେଶର ସାମାଜିକ କୁସଂସ୍କାର ଏବଂ ରୀତିବାଦୀ ବିଚାରଧାରାକୁ ଦୋହଲେଇ ଦେଇଛି । ବିଶେଷ କରି ବିଭିନ୍ନ ଧର୍ମସ୍ଥଳ ଓ ମଠମାନଙ୍କରେ ବସି ନିଜର ସ୍ୱାର୍ଥସିଦ୍ଧ କରୁଥିବା ପରଜୀବି ଗୋଷ୍ଠୀଙ୍କ ମୁହଁରୁ ପରଦା ଉଠେଇବା ପାଇଁ ଏହି ଦୁଇଟି ଚଳଚ୍ଚିତ୍ର ଜବରଦସ୍ତ ସନ୍ଦେଶ ଦେଇଛି । ମୌଳବାଦୀ ଗୋଷ୍ଠୀ ଯେତେ ତର୍କ ଦେଉଥିଲେ ବି ଆସ୍ତିକବାଦୀ ଦର୍ଶକ ଚଳଚ୍ଚିତ୍ରରେ ପ୍ରଦର୍ଶିତ ଦୃଶ୍ୟ ଓ ସମ୍ୱାଦକୁ ଅସ୍ୱୀକାର କରିପାରି ନାହାନ୍ତି । ସାମାଜିକ ସଂସ୍କାର ପାଇଁ ଏହା ଏକ ଶୁଭ ସୂଚନା । ବହିରେ ପଢ଼ିବା କିମ୍ୱା କାହାରି ଭାଷଣ ଶୁଣିବା ଅପେକ୍ଷା ଟି.ଭି. ଓ ସିନେମାର ଦୃଶ୍ୟ ମଣିଷକୁ ବେଶୀ ପ୍ରଭାବିତ କରିଥାଏ । ସେଥିପାଇଁ ଟିଭି ଚ୍ୟାନେଲ୍ ଗୁଡ଼ିକରେ ଯଦି ଭିତ୍ତିହୀନ ବିଶ୍ୱାସ ବିରୁଦ୍ଧରେ କାର୍ଯ୍ୟକ୍ରମ ପ୍ରସାର ହୁଅନ୍ତା, ଖୁବ୍ ଶୀଘ୍ର ସମାଜରେ ଏକ ସୁସ୍ଥ ବିଚାରଧାରା ବିକାଶ ଲାଭ କରନ୍ତା । କିନ୍ତୁ ଆଜିକାଲି କେବଳ ଭିତ୍ତିହୀନ ବିଶ୍ୱାସକୁ ବେଶୀ ପ୍ରସାର କରାଯାଉଛି । କାରଣ ସେଥିରେ ଆର୍ଥିକ ଲାଭ ବେଶୀ ହେଉଛି ।

ଗତ ଆଠ ବର୍ଷ ଧରି “ଅନ୍ଧବିଶ୍ୱାସ ଭଗାଓ, ଦେଶ ବଚାଓ” ସ୍ଲୋଗାନ୍ ଦେଇ ବିହାର ପ୍ରଦେଶରେ ବାସ କରୁଥିବା ବୁଦ୍ଧ ପ୍ରକାଶ ଭନ୍ତେ ସମାଜରୁ କୁସଂସ୍କାର ଓ ଭିତ୍ତିହୀନ ବିଶ୍ୱାସ ଦୂର କରିବା ପାଇଁ ସଂଘର୍ଷ କରି ଆସୁଛନ୍ତି । ସେ କୁହନ୍ତି- ମୋ ଜୀବନର ଲକ୍ଷ୍ୟ ହେଉଛି- ପଣ୍ଡିତ, ମୁଲ୍ଲା ଏବଂ ଭଣ୍ଡଧର୍ମ ଗୁରୁମାନଙ୍କୁ ଦ୍ୱାରା ପ୍ରଚାରିତ ଭାଗ୍ୟ, ଭଗବାନ, ମୂର୍ତ୍ତିପୂଜା, ପୁନର୍ଜନ୍ମବାଦ ଆଦିକୁ ବିରୋଧ କରିବା । ସେମାନେ ପ୍ରଚାର କରୁଛନ୍ତି “କଣ କଣ ମେଁ ଭଗବାନ୍ ହୈ, ବାସ୍ତବ ମେଁ କଣ କଣ ମେଁ ବିଜ୍ଞାନ ହୈ ବ୍ୟକ୍ତି”, ସମାଜ, ଦେଶ ଓ ଦୁନିଆଁର ବିକାଶ କେବଳ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସମ୍ଭବ ହୋଇଛି । ଏଥିରେ ତଥାକଥିତ ଭଗବାନଙ୍କ କୌଣସି ହାତ ନାହିଁ । ବୁଦ୍ଧ ପ୍ରକାଶ ନିଜର ବଳିଷ୍ଠ ତର୍କ ଏବଂ ବିଜ୍ଞାନର କୌଶଳ ପ୍ରୟୋଗ କରି ବାବାମାନଙ୍କ ଦ୍ୱାରା ପ୍ରଦର୍ଶିତ ହେଉଥିବା ଚମତ୍କାରୀ ଖେଳର ପର୍ଦ୍ଦାଫାଶ କରି ଦେଉଛନ୍ତି । ସେ ବିହାର ପ୍ରଦେଶର ଅଳ୍ପ ସଂଖ୍ୟକ ଆୟୋଗର ଜଣେ ସକ୍ରିୟ ସଦସ୍ୟ । ସେ କୁହନ୍ତି ଯୁଗ ଯୁଗ ଧରି ଅନ୍ଧ ବିଶ୍ୱାସର ଅମୁହାଁ ଗଳିରେ ବାସ କରୁଥିବା ମଣିଷମାନଙ୍କୁ ନୂତନ ଜ୍ଞାନରେ ଆଲୋକିତ କରି ପରିବର୍ତ୍ତନ କରିବା ପାଇଁ ସମୟ ତ ଲାଗିବ । ଧିରେ ଧିରେ ହେଉ ପଛେ ଲୋକମାନେ ଠକମାନଙ୍କ ଅସଲ ଉଦ୍ଦେଶ୍ୟ ବୁଝିବାକୁ ସକ୍ଷମ ହେଲେଣି ।

ଅନ୍ୟ ଜଣେ ହେତୁବାଦୀ ଡାକ୍ତର ଦିବାକର ତେଜସ୍ୱୀ ଗତ ଚଉଦ ବର୍ଷ ଧରି ସ୍ୱାସ୍ଥ୍ୟ ଓ ରୋଗ ସମ୍ପର୍କରେ ପ୍ରଚଳିତ ଅନେକ ଭ୍ରାନ୍ତ ଧାରଣା ଓ ଭିତ୍ତିହୀନ ବିଶ୍ୱାସକୁ ନିଜର ବଳିଷ୍ଠ ତର୍କ ଓ ଚିକିତ୍ସା ବିଜ୍ଞାନ ସାହାଯ୍ୟରେ ଭୁଲ୍ ପ୍ରମାଣିତ କରି ଆସିଛନ୍ତି । ଏଡ୍ସ ଭଳି ମାରାତ୍ମକ ରୋଗ ସମ୍ପର୍କରେ ସମାଜରେ ଥିବା କିଛି ଭୁଲ୍ ଧାରଣାକୁ ଦୂର କରିବା ପାଇଁ, ସେ ଲୋକମାନଙ୍କୁ ବୁଝେଇ ଥାନ୍ତି । ଥରେ ସେ ପ୍ରମାଣିକ ରୂପେ ଜଣେ ଏଡ୍ସ ରୋଗୀର ଅଇଁଠା ବିସ୍କୁଟ୍ ତାରି ହାତରେ ନିଜେ ଖାଇ ସମସ୍ତଙ୍କୁ ଦେଖେଇ କହିଲେ- ଏହି ରୋଗୀ ସହ ମିଳାମିଶା କଲେ କିମ୍ୱା ଭୋଜନ କଲେ ଏଡ୍ସ ରୋଗ ଜୀବାଣୁ ଆକ୍ରାନ୍ତ କରନ୍ତି ନାହିଁ । ରୋଗୀ ସହ ଅସୁରକ୍ଷିତ ଭାବେ ଯୌନ ସମ୍ୱନ୍ଧ ରଖିବା କିମ୍ୱା ରୋଗୀର ରକ୍ତ ସୁସ୍ଥ ବ୍ୟକ୍ତିଙ୍କ ରକ୍ତରେ ମିଶିବା କାରଣରୁ ଏଡ୍ସ ରୋଗ ବ୍ୟାପି ଥାଏ । ଆଗରୁ ହଇଜା, ପ୍ଲେଗ୍, ବସନ୍ତ ଆଦି ରୋଗ ଦୈବୀ ପ୍ରକୋପ ଯୋଗୁଁ ହୁଏ ବୋଲି ବିଶ୍ୱାସ ଥିଲା । ବର୍ତ୍ତମାନ ମେଡ଼ିକାଲ୍ ସାଇନ୍ସ ଉଦ୍ଭାବନ କରିଥିବା ଆଧୁନିକ ଚିକିତ୍ସା ପଦ୍ଧତି ଓ ଔଷଧ ଦ୍ୱାରା ଉପରୋକ୍ତ ସମସ୍ତ ରୋଗର ସଫଳତା ପୂର୍ବକ ଚିକିତ୍ସା ହୋଇପାରୁଛି । ଲୋକମାନେ ହଇଜା ବ୍ୟାପିଲେ ଆଜି ଦେବୀ, ଦେବତାଙ୍କ ଭରସାରେ ବସି ରହୁନାହାନ୍ତି ବରଂ ଡାକ୍ତରଙ୍କ ପାଖକୁ ଦୌଡ଼ି ଯାଉଛନ୍ତି ।

ଆଜିର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ଡିପ୍ରେସନ୍ ବା ମାନସିକ ଅବସାଦର ଶିକାର ହୋଇ ଅସ୍ୱଭାବିକ୍ ବ୍ୟବହାର କରନ୍ତି ଓ ଅପ୍ରୀତିକର କଥାବାର୍ତ୍ତା କରନ୍ତି । ସେମାନଙ୍କ ଉପରେ କୌଣସି ପ୍ରେତ ବାଧା ଲାଗି ଯାଇଛି କହି ପରିବାର ଲୋକେ କୌଣସି ଜଣାଶୁଣା ତାନ୍ତ୍ରିକ ବା ଗୁଣିଆ ପାଖକୁ ନେଇ ଯାଆନ୍ତି । ତାନ୍ତ୍ରିକ ଭୂତ ଉତାରିବା ବାହାନାରେ ପୂଜା କର୍ମକାଣ୍ଡ କରେ । ପୂଜା ଏବଂ ଦକ୍ଷିଣା ଖର୍ଚ୍ଚର କୌଣସି ସୀମା ନ ଥାଏ । କିନ୍ତୁ ରୋଗୀ ଭଲ ନ ହୋଇ ଆହୁରି ବେଶୀ ଅବସାଦ ଭିତରେ ବୁଡ଼ି ରହେ । ଯଦି ସେହି ବ୍ୟକ୍ତିଙ୍କୁ କୌଣସି ମନୋବୈଜ୍ଞାନିକ ପାଖକୁ ନିଆଯାଆନ୍ତା, ତେବେ ସେ ତା’ ମନର ଅବସାଦର ଅସଲ କାରଣ ଖୋଜି ନିରାକରଣର ଉପାୟ ବତେଇ ଦିଅନ୍ତେ ଏହା ଦ୍ୱାରା ରୋଗୀ ଜଣକ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରନ୍ତେ ।

ସାଧାରଣତଃ କୁହାଯାଏ ଯେ ଗାଁ ଗହଳିର ଅଶିକ୍ଷିତ ଲୋକମାନେ ବେଶୀ ଅନ୍ଧବିଶ୍ୱାସୀ କିନ୍ତୁ ଏହାର ବିପରୀତ ଆମେ ଦେଖୁଛୁ ସହରର ଶିକ୍ଷିତ ଓ ଉଚ୍ଚଶିକ୍ଷିତ ଲୋକମାନଙ୍କ ଭିତରେ ବି ଭିତ୍ତିହୀନ ବିଶ୍ୱାସ ପ୍ରବଳ ଭାବେ ଭବି ରହିଛି । ଇଣ୍ଡିଆନ୍ ମେଡ଼ିକାଲ୍ ଆସୋସିଏସନ୍‌ର ପ୍ରାକ୍ତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ. ଅଜୟ କୁମାର ବାବାମାନଙ୍କର ଠକ ବିଦ୍ୟା ବିରୁଦ୍ଧରେ ସ୍ୱର ଉଠେଇ ଥିଲେ । ବିଶେଷ କରି ବାବା ରାମଦେବଙ୍କ ଦ୍ୱାରା ପ୍ରଚାରିତ ଯୋଗ ଏବଂ ତାଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ ଦ୍ୱାରା ସମସ୍ତ ପ୍ରକାର ରୋଗକୁ ଠିକ୍ କରିଦେବା ଦାବିକୁ ସେ ଅସ୍ୱୀକାର କରି ଦେଇଥିଲେ । ସେ କୁହନ୍ତି- ଏଡ୍ସ, ଡାଇବେଟିସ୍, ବ୍ଲଡ୍ ପ୍ରେସର୍, ବାତ, ଅନ୍ଧତ୍ୱ, ହାର୍ଟ, କିଡ୍ଡନୀ ଓ ଲିଭର୍ର ରୋଗ ଗୁଡ଼ିକ କେବଳ ଯୋଗ ବା ପ୍ରାଣାୟମ ଦ୍ୱାରା ଠିକ୍ କରି ଦେବା ଦାବି ଆଦୌ ଗ୍ରହଣୀୟ ନୁହେଁ । ଯଦି ଚେରମୂଳ, ଝଡ଼ାଫୁଙ୍କା ଓ ଯୋଗ ଦ୍ୱାରା ସମସ୍ତ ରୋଗର ଚିକିତ୍ସା ସମ୍ଭବ ହୋଇପାରୁଥାନ୍ତା, ତେବେ ଆୟୁର୍ବେଦ, ଏଲୋପ୍ୟାଥି ଏବଂ ସମଗ୍ର ମେଡ଼ିକାଲ୍ ସାଇନ୍ସର ଆବଶ୍ୟକତା ରହନ୍ତା ନାହିଁ । ଅସଲ କଥା ହେଉଛି- ଅନ୍ୟାନ୍ୟ ଶାରୀରିକ ବ୍ୟାୟାମ ଭଳି ଯୋଗ ଦ୍ୱାରା ଅନେକାଂଶରେ ରୋଗକୁ ନିୟନ୍ତ୍ରଣ କରି ରଖି ହେବ କିନ୍ତୁ ରୋଗର ଚିକିତ୍ସା ସମ୍ଭବ ନୁହେଁ । ଯେଉଁମାନେ ଯୋଗ ଦ୍ୱାରା ରୋଗ ମୁକ୍ତ କରିଦେବା ଦାବି କରୁଛନ୍ତି, ସେମାନେ ରୋଗୀକୁ ମୃତ୍ୟୁ ମୁହଁକୁ ଠେଲି ଦେଉଛନ୍ତି ।

କୁଷ୍ଠରୋଗ ସମ୍ପର୍କରେ ବି ପ୍ରଚଳିତ ଧାରଣା ଅଛି- ଏହା ପୂର୍ବ ଜନ୍ମର ପାପ କର୍ମର ଫଳ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଭ୍ରାନ୍ତ ଧାରଣା ଓ ଭିତ୍ତିହୀନ ବିଶ୍ୱାସ । ଡଃ. ଦିବାକର ତେଜସ୍ୱୀ କୁହନ୍ତି- ଯେଉଁ ବ୍ୟକ୍ତିକୁ କୁଷ୍ଠ ରୋଗ ଆକ୍ରାନ୍ତ କରେ, ତାକୁ ଅଧିକ ଯତ୍ନ ଓ ସହାନୁଭୂତିର ଆବଶ୍ୟକ କିନ୍ତୁ ତା’ର ପରିବାର ଲୋକମାନେ ହିଁ ତାକୁ ଘୃଣା କରି, ଉପେକ୍ଷା କରି ଦିଅନ୍ତି । ଏହି ରୋଗ ମାଇକ୍ରୋବେକ୍ଟିରୀୟମ୍ ଲେପ୍ରି ନାମକ ଭୂତାଣୁ ଯୋଗୁଁ ହୋଇଥାଏ । ଏହି ରୋଗକୁ ପ୍ରାରମ୍ଭିକ ସ୍ତରରୁ ହିଁ ଚିହ୍ନଟ କରି କ୍ରମାଗତ ଭାବେ ଆଧୁନିକ ଚିକିତ୍ସା କଲେ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଏ । ଦେଶରେ ଅନେକ କୁଷ୍ଠାଶ୍ରମ ଗଠନ ହୋଇଛି । ପରିବାର ଦ୍ୱାରା ବିତାଡ଼ିତ ହୋଇ ଅନେକ ରୋଗୀ କୁଷ୍ଠାଶ୍ରମକୁ ଆସନ୍ତି କିନ୍ତୁ ସେଠାରେ ବି ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼େ ।

ଉପରୋକ୍ତ ସମସ୍ତ ପ୍ରକାର ଭିତ୍ତିହୀନ ବିଶ୍ୱାସ ମୂଳରେ ରହିଛି ବୈଜ୍ଞାନିକ ଚିନ୍ତନର ଅଭାବ । ଯେଉଁମାନେ ଏଥିପାଇଁ ସଂଘର୍ଷ କରୁଛନ୍ତି, ସେମାନଙ୍କୁ ମୁକ୍ତ ମନରେ ସ୍ୱାଗତ କରି ସମର୍ଥନ କରିବା ହେଉଛି ଆଜିର ଆହ୍ୱାନ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top