ବଡ଼ ଭାଇ ନେଇ ଆସିଥିଲେ ରଜ ଭାର
ମଉସା ମାଉସୀ କହି ହେଲା ସେ ଜୁହାର
କହିଲା ବାପା କହିଛନ୍ତି ଝିଅ ଜ୍ବାଇଁ ରଜରେ ବୁଲି
ଯିବେ ଆମ ଘର ଏଥର
ଶଶୁର ବୁଢ଼ା କହିଲା ବସ ହେ ବାବୁ, ଚର୍ଚ୍ଚା ସରୁ ସବୁ
କରିବା ବିଚାର
ବୋହୂ ଆସି ଭାଇଙ୍କୁ କଲା ପ୍ରଣାମ
ଧରି ନେଇ ଭାଇ କହିଲେ ରହମ
ଶାଶୁ ବୁଢ଼ୀ ଧରି ଆସିଲେ ମିଠା ସର୍ବତ
ପିଇଗଲେ ଭାଇ ହେଉଥିଲା ଶୋଷ ତ
ବନ୍ଧୁଙ୍କ ଚର୍ଚ୍ଚାରେ ଲାଗିଲେ ସର୍ବେ
ଖାଇ ଦେଇ ବନ୍ଧୁ ବେଗେ ଯେ ବାହାରି ଯିବେ
ଖାଇବା ବେଳେ ଶାଶୁ ରହିଲେ ବସି
ସରୁ ସରୁ ପୁଣି ଦେଲେ ପରଷି
ଅଧା ଖାଇ ଅଧା ରଖି ଉଠିଲେ ଭାଇ
ଏଇ ସମୟରେ ପହଞ୍ଚିଲେ ତାଙ୍କ ଭିଣୋଇ
ସ୍ମିତ ହସି ନମସ୍କାର କରି ଗଲେ ପଳେଇ
ବହାରିଲାବେଲେ କହିଲେ ଶାଶୁ ପ୍ରଥମ ରଜ ବୋହୂ
ଏଇଠି କରି
ଆଉ ଦୁଇ ଦିନ ପାଇଁ ପୁଅ ବୋହୂ ଦୁହେଁ ଯିବେ ତମ
ଘରକୁ ବାହାରି
ଜୁହାର ହେଇ ଭାଇ ନେଲେ ବିଦାୟ
ହସିଦେଇ ଗଲେ ଶୁଣି ମାଉସୀଙ୍କ ରାୟ ।।
ରଜବତୀ ହେଲେ ମା ବସୁମତୀ
ବୋହୂ ଭାବୁଥାଏ କେମିତି କାଟିବ ପହିଲି ରଜ ରାତି
କୋହଲା ପାଗରେ ହେଲା ରଜ ସଂକ୍ରାନ୍ତି
ବୋହୂକୁ ଧରି ଜ୍ବାଇଁ ବାବୁ ଶଶୁର ଘର ଚଳନ୍ତି
ପହଞ୍ଚି ଦେଖନ୍ତି ଶଶୁର ବସିଛନ୍ତି ପରିବା କାଟି
ବଡ଼ ଶଳା ଦେଉଛନ୍ତି ମସଲା ବାଟି
ରନ୍ଧାଶାଳେ ବସି ରାନ୍ଧୁଥିଲେ ଶାଶୁ
ଓଢ଼ଣା ଟାଣି ଦେଲେ ଜ୍ବାଇଁ ପୁଅ ପସୁ ପସୁ
ସବୁ କାମ ସାରି ଅଗଣା ରେ ବସିଗଲେ ଜ୍ବାଇଁ
ପଘା ଛିଡି ହେଲା ଓଲିଆ ଗାଈ
ବୋହୂରୁ ଝିଅ ହେଇ ସେ ଗଲା ଉଭେଇ
ଶଳା ଭାଉଜ ଆସିଲେ ପୋଡ ପିଠା ସାଙ୍ଗକୁ ପଣା ଟି
ନେଇ
ଥଟା ମଜା କରି କହିଲେ ଭାଉଜ
ତମ ପାଇଁ ଆମ ଛୁଟି ଖାରଜ
ବଢେଇ ଦେଲେ ପୁଣି ହାତକୁ ପାନ
କହିଲେ ମନା କରିବନି ଚୂନ ବଦଳେ ଦେଇଛି ମନ
ଧଇଁ ସଇଁ ହୋଇ ଆସିଲା ସାନ ଶାଳୀ
କହିଲା ବସି ବସି ଟିକେ ଦବା ଲୁଡୁ ଖେଳି
ତିନିହେଁ ବସିଲେ କରିକି ମେଳି
ଜ୍ବାଇଁ ପୁଅଙ୍କୁ କହିଲେ ପକାଅ ପ୍ରଥମ ପାଳି
ଖୁସିବାସି ହୋଇ କଟିଲା ରଜ
ରଜ ଆଣିଥିଲା ସମ୍ପର୍କ ରେ ମଉଜ ।।