ଅନୁବାଦ ସାହିତ୍ୟ

ସର୍ଦାର ପଟେଲ ଏବଂ ୫୫ କୋଟି

Ritika Pattnaik's odia Translated Sardar Patel ebn 55 Koti : Mun Gandhi Baddha Kana Pain Karili ?

ପାକିସ୍ତାନକୁ ୫୫ କୋଟି ଦେବା ଦ୍ୱାରା ଗାନ୍ଧୀଜୀଙ୍କ ପ୍ରତି ଜନତା ମନରେ ବିତୃଷ୍ଣା ଭରିଗଲା ଏବଂ ସର୍ଦାର ପଟେଲ ଏସବୁ ଜାଣିଥିଲେ ।

ସର୍ଦାର ପଟେଲ ଏବଂ ୫୫ କୋଟି

ସର୍ଦାର ପଟେଲଙ୍କ ସୁପୁତ୍ରୀ ଶ୍ରୀମତୀ ମଣିବେନ ପଟେଲ କପୁର ଆୟୋଗରେ ବୟାନ ଦେଇଥିଲେ । ଶ୍ରୀମତୀ ମଣୀବେନଙ୍କ ଡାଏରୀରେ ୨୫ ଜାନୁଆରୀରେ ଲିଖିତ କଥାରୁ ପ୍ରମାଣ ମିଳେ ଯେ ସର୍ଦାର ପଟେଲ ସର୍ବଶ୍ରୀ ମଥାଈ, ଚେଟ୍ଟି, ପଣ୍ଡିତ ନେହେରୁ ଏବଂ ଗାନ୍ଧୀଙ୍କ ସହିତ ୫୫ କୋଟିର ଅର୍ଥ ରାଶି ବିଷୟରେ ବିଚାରବିମର୍ଶ କଲେ । ଗାନ୍ଧୀଙ୍କ ଆଖି ଲୁହରେ ଢଳ ଢଳ କରୁଥିଲା ଏବଂ ତାଙ୍କ ଶବ୍ଦ କଠୋର ଥିଲା । ଏହା ପରେ ସର୍ଦାରଜୀ ବି ଦୁଃଖିତ ହେଲେ । ସେ କହିଲେ, “ଏପରି ସ୍ଥିତିରେ ମୁଁ ଶାସନ ଗାଦିରେ ରହି ପାରିବି ନାହିଁ ।”
(ପୃଷ୍ଠା ୧୬୨)

ଶ୍ରୀମତୀ ମଣିବେନ କହିଲେ, ମଦନଲାଲ (ଜଣେ ଶରଣାର୍ଥୀ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା ସଭାରେ ବୋମା ବିଷ୍ଫୋରଣ କରିଥିବା ମହାରାଷ୍ଟ୍ର ଓ ଗୋୱାଲିରର ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଅନ୍ୟତମ )ଙ୍କ ବ୍ୟକ୍ତବ୍ୟ ସର୍ଦାର ପଟେଲଙ୍କୁ ଦେଖାଯାଇଥିଲା । (ପୃଷ୍ଠା ୧୮୦) । ବୋମା ବିଷ୍ଫୋରଣ ବାବଦରେ ଯାହା ଯାହା ତଥ୍ୟ ଅନୁସନ୍ଧାନ ଦ୍ୱାରା ପ୍ରାପ୍ତ ହେଉଥିଲା ତାହାର ପ୍ରତି ଖବର ପିତାଙ୍କ ଦିଆଯାଉଥିଲା । ମୋତେ ସ୍ମରଣ ନାହିଁ ମୋ ପିତା ଏହି ବିଷୟରେ, ଏହି ଅନୁସନ୍ଧାନ ପରିପ୍ରେକ୍ଷୀରେ କିଭଳି ଆଦେଶ ଦେଇଥିଲେ । ଦେଶଦ୍ରୋହର ପର୍ଯ୍ୟାପ୍ତ ପ୍ରମାଣ ନମିଳିବା ପର୍ଯ୍ୟନ୍ତ ସେ ଗିରଫଦାରୀର ଆଦେଶ ଦେଉ ନଥିଲେ ।

(ପୃଷ୍ଠା ୧୭୯)ମୋତେ ନିଶ୍ଚିତ ରୂପେ ସ୍ମରଣ ଅଛି ଯେ ଗାନ୍ଧୀ ହତ୍ୟାର ଦୁଇ ସପ୍ତାହ ପୂର୍ବରୁ ପୁଣେର କେହି ସମ୍ପାଦକ ଯାହାଙ୍କ ସମାଚାର ପତ୍ରରୁ ଜମାନତ ମଗାଯାଇଥିଲା ମୋ ପିତାଜୀଙ୍କୁ ପ୍ରାତଃକାଳ ୫ ଘଟିକା ସମୟରେ ଭେଟିବାକୁ ଆସିଥିଲେ । ସେହି ସମୟରେ ଅନ୍ଧାକାର ହେତୁ ମୁଁ ସେହି ବ୍ୟକ୍ତିଙ୍କୁ ଚିହ୍ନି ପାରିଲିନି । କିନ୍ତୁ ମୋତେ ସ୍ମରଣ ଅଛି ଯେ ସେ ବ୍ୟକ୍ତି ଜଣକ ନିଜ ବୃତ୍ତ-ପତ୍ରରେ ତାଙ୍କଠାରୁ ମଗାଯାଇଥିବା ପ୍ରତିଭୂ ବିଷୟରେ ଚର୍ଚ୍ଚା କରିଛନ୍ତି । ସେ ବ୍ୟକ୍ତିଙ୍କ ଅଭିଯୋଗ ଥିଲା ଯେ ମୋରାରଜୀ ଦେଶାଇ (ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ) ତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି ।

ନାଥୁରାମ ସେତେବେଳେ ସେଠାରେ ଥିଲେ । ନାନା ଆପ୍ତେ(ନାରାୟଣ ଦତ୍ତାତ୍ରେୟ ଆପ୍ତେ, ମହାତ୍ମା ଗାନ୍ଧୀଙ୍କ ହତ୍ୟା ଅଭିଯୁକ୍ତ ଏବଂ ଫାଶୀଦଣ୍ଡରେ ଦଣ୍ଡିତ) ବି ସେଠାରେ ଥିଲେ । ତାଙ୍କ ସମ୍ବାଦପତ୍ର(‘ଅଗ୍ରଣୀ’, ସରକାରୀ ପ୍ରତିବନ୍ଧରୁ ବର୍ତ୍ତିବା ସକାଶେ ନାମ ପରିବର୍ତ୍ତିତ ହୋଇ ‘ହିନ୍ଦୁ ରାଷ୍ଟ୍ର’ ନାମରେ ପ୍ରକାଶିତ)ରୁ ଅନେକ ପ୍ରତିଭୂମାନ ମଗାଯାଇଥିଲା । ଶ୍ରୀ ମୋରାରଜୀଙ୍କ ବିରୁଦ୍ଧରେ ତାଙ୍କର କଠୋର ଅଭିଯୋଗମାନ ଥିଲା । ଏସବୁ ତଥ୍ୟ ଶ୍ରୀମତୀ ମଣିବେନ ପଟେଲଙ୍କ ବୟାନ ସହିତ ଅନେକ ସାମଞ୍ଜସ୍ୟ ବହନ କରେ । କିନ୍ତୁ ନାଥୁରାମ ବା ଆପ୍ତେ କହିନଥିଲେ ଯେ ସେମାନେ ସର୍ଦାର ପଟେଲଙ୍କୁ ଭେଟିଥିଲେ । ତେଣୁ ପ୍ରକୃତରେ ସେମାନେ ପଟେଲଙ୍କୁ ଭେଟିଥିଲେ ନା ନାହିଁ ସେଦିନ ଅନ୍ଧାରୁଆ ଭୋରବେଳା ଆସିଥିବା ବ୍ୟକ୍ତିଙ୍କ ପରିଚିତି ଅଜଣା ରହିଗଲା ସମାନ ଅନ୍ଧାରରେ ହିଁ ରହିଗଲା ।

ଶ୍ରୀ ରାଜଗୋପାଳାଚାରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘Gandhiji’s Teaching & Philosophy’ ବିଷୟରେ ନ୍ୟାୟମୂର୍ତ୍ତି କପୁର ନିଜ ରିପୋର୍ଟର ପୃଷ୍ଠା ୧୮୫ରେ ଉଲ୍ଲେଖ କରିଛନ୍ତି । ରାଜଗୋପାଳାଚାରୀ ନିଜ ପୁସ୍ତକର ପୃଷ୍ଠା ୨୦-୨୧ରେ ଲେଖିଛନ୍ତି, “୩୦ ଜାନୁଆରୀ ୧୯୪୮ରେ ନାଥୁରାମ ଗାନ୍ଧୀଜୀଙ୍କ ହତ୍ୟା କଲେ, ସେହି ସମୟରେ ସର୍ଦାର ପଟେଲ ଚିନ୍ତା କରୁଥିଲେ ଯେ ଏକ ପଟେ ପାକିସ୍ତାନ, ହିନ୍ଦୁସ୍ତାନ ବିରୁଦ୍ଧରେ ସୈନିକ ବ୍ୟୁହ ରଚନାରେ ବ୍ୟସ୍ତ ଓ ଅନ୍ୟ ପଟେ ଗାନ୍ଧୀଜୀ ଏତେ ବଡ଼ ଧନରାଶି ପାକିସ୍ତାନକୁ ଦେବାପାଇଁ ଜିଦ୍ କରିବସିଛନ୍ତି । ସେଥିପାଇଁ ହିନ୍ଦୁଙ୍କର ଗାନ୍ଧୀଜୀଙ୍କ ପ୍ରତି ଉତ୍ପନ୍ନ କ୍ରୋଧରୁ ହିଁ ଗାନ୍ଧୀ ହତ୍ୟା ଷଡ଼ଯନ୍ତ୍ରର ମୂଳଦୁଆ ପଡ଼ିଲା । ସେହି ସମୟରେ ଶତ୍ରୁକୁ ୫୫ କୋଟି ଦେବାର ଯେଉଁ ମୁର୍ଖତା ସରକାର କଲେ ତାହା ଏକ ବର୍ଗକୁ ଅକ୍ଷମଣୀୟ ଅପରାଧ ପ୍ରତୀତ ହେଲା । ଗାନ୍ଧୀ ବିରୋଧୀ ମହାରାଷ୍ଟ୍ରର ଏକ ଅସନ୍ତୋଷ ଗୋଷ୍ଠୀଙ୍କ, ଗାନ୍ଧୀ ଦେଶର ହାନୀ ହେଲାଭଳି କାର୍ଯ୍ୟ କରୁଛନ୍ତି ଓ ସେ ଚରମ ସୀମା ଡେ଼ଇଛନ୍ତି ବୋଲି ନିଶ୍ଚିତ ହେଲେ । ତେଣୁ ସେମାନେ ମୂଢ଼ ସନ୍ଥଙ୍କୁ ଚିରଦିନ ପାଇଁ ସମାପ୍ତ କରିବାକୁ ଯୋଜନା କଲେ । ସେମାନେ ବୁଝିସାରିଥିଲେ ଯେ ଅନ୍ୟ କୌଣସି ମାର୍ଗ ଦ୍ୱାରା ତାଙ୍କୁ ନେତୃତ୍ୱରୁ ହଟାଇବା ସମ୍ଭବ ନୁହେଁ । ଗାନ୍ଧୀଜୀଙ୍କ ପ୍ରଭାବ ଏତେ ଅଧିକ ଥିଲା ଯେ ଓ ଲୋକେ ପାଗଳ ପରି ତାଙ୍କର ଆଦର କରୁଥିଲେ ଯେ ଓ ତାଙ୍କ ଭାଷଣ ଶୁଣିବାକୁ ଅତ୍ୟନ୍ତ ଆଗ୍ରହୀ ଥିଲେ । ସର୍ଦାର ପଟେଲଙ୍କ ଅନୁସାରେ ସେଇ ହିନ୍ଦୁ କୋଠରପନ୍ଥୀଙ୍କ ଗାନ୍ଧୀ ବଧ ଭିନ୍ନ ଅନ୍ୟ କୌଣସି ମାର୍ଗ ନାହିଁ ବୋଲି ମତ ପୋଷଣ କରୁଥିଲେ ।”

ପାକିସ୍ତାନକୁ ୫୫ କୋଟି ଦେବା ଦ୍ୱାରା ଗାନ୍ଧୀଜୀଙ୍କ ପ୍ରତି ଜନତା ମନରେ ବିତୃଷ୍ଣା ଭରିଗଲା ଏବଂ ସର୍ଦାର ପଟେଲ ଏସବୁ ଜାଣିଥିଲେ । ଉପରଲିଖିତ ଅନୁଚ୍ଛେଦରୁ ଏହା ହିଁ ସ୍ପଷ୍ଟ ହୁଏ ।
( ପୃଷ୍ଠା ୧୮୫, ଅନୁଚ୍ଛେଦ ୧୨-ଇ /୧୨)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top