ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ସେ ଆବିଷ୍କୃତ କରିଛନ୍ତି ନୂଆ ଏକ ଲୀନାକୁ । ତା ଭିତରର ବ୍ୟାକୁଳ ଅନୁରାଗକୁ ! ତା ନିଷ୍କଳଙ୍କ ପ୍ରେମ ଓ ଜୀବନର ତ୍ୟାଗକୁ ! ରାତିବଢୁଥିଲା ଉଛୁଳା ନଈଟିଏ ପରି ହେଲେ ବନ୍ଧଭାଙ୍ଗିବାକୁ ନୁହେଁ । ତା କାଳିମାର ଗହନତା ବଢାଇବାକୁ ।

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୂର୍ବରୁ :-

ହଠାତ୍ କିଛି ଭାଙ୍ଗିବାର ଶବ୍ଦ..ଲୀନାର ଛାତିଥରୁଛି ଭୟରେ । କଣହେଲା ସାନ ବାବୁଙ୍କର? ସେ ଭଲଅଛନ୍ତି ତ? ଏତେ ଦୁଃଖ ଯନ୍ତ୍ରଣାରେ ଥାଇ ସେ କିଛି କରିବସିନାହାନ୍ତି ତ? ମନର ବଳଖଟାଇ ବିବ୍ରତହୋଇ ସେ ଚାଲିଗଲା ସାନବାବୁଙ୍କ ରୁମ୍‌କୁ । କିଛିକ୍ଷଣ ପାଇଁ ଆଶ୍ୱସ୍ତ ହେଲେ ବି ତାର ଚିନ୍ତା ସଂପୂର୍ଣ୍ଣ ଭାବେ କଟିନଥିଲା ମନତଳୁ । ସାନବାବୁଙ୍କ ହାତରୁ କ୍ଷୀରଗ୍ଲାସ୍ ପଡି ଖଣ୍ଡବିଖଣ୍ଡିତ ହୋଇଯାଇଛି । ସେ କାଚଖଣ୍ଡମାନ ତାଙ୍କ ହାତରେ ପଶି ରକ୍ତଝରୁଛି । ଲୀନା ବ୍ୟସ୍ତହୋଇ ମେଡିସିନ୍‌ବାକ୍ସରୁ ମଲମ ଲଗାଇ ପଟିବାନ୍ଧିଦେଲା । ଘରର ଚଟାଣ ସଫା କରିପକାଇଲା । ଛୋଟବଡ କାଚଖଣ୍ଡମାନଙ୍କୁ ଗୋଟେ ଅଲଗା କାଗଜରେ ଅପହଞ୍ଚ ଜାଗାରେ ରଖିଦେଲା । ମନେ ମନେ ଭାବୁଥିଲା-କଣ ଯତ୍ନର ସହିତ ଗ୍ଲାସଟି ଉଠାଇଥିଲେ ହୋଇନଥାନ୍ତା ! ଏତେ ଅନ୍ୟମନସ୍କ କାହିଁକି? ସେ କଣ ଏତେ ଦୁର୍ବଳ ? ସେ କଣ ପରାଜୟ ବରଣ କରି ସାରିଛନ୍ତି ଜୀବନଯୁଦ୍ଧରେ? ସେ କଣ ସ୍ତ୍ରୈଣ? ପୁରୁଷତ୍ୱର ଅହଂକାର ନାହିଁ ତାଙ୍କଭିତରେ ? ନିଜ ଦୁଃସ୍ଥିତିର ମୁକାବିଲା କରିବାର କ୍ଷମତା ନାହିଁ ଯଦି ସେ କାହିଁକି ଫେରି ଯାଉନାହାନ୍ତି ସାନମାଲିକାଣୀଙ୍କ ପାଖକୁ ? ସୁଖର ସଂସାର ନିକଟକୁ । ଜୀବନରେ କିଛିଟାର ସାଲିସ୍ ସେ କାହିଁକି କରିପାରୁନାହାନ୍ତି? କାହିଁକି ସେ ଜୀବନକୁ ଠିକ୍ ସେଇଭଳି ଭାବେ ଗ୍ରହଣ କରିପାରୁନାହାନ୍ତି ? ସେ ଖୋଜୁଛନ୍ତି ନିଜକୁ ସୁହାଉଥିବା ପୃଥିବୀଟିଏ, ଯେଉଁଠି ତାଙ୍କ ହିସାବରେ ଚାଲିବ ଦୁନିଆଁର ନୀତିନିୟମ । ସେ ଚାହିଁଲେ ସକାଳ ହେବ, ଗଛରେ ଫୁଲ ଫୁଟିବ ଆଉ ସେ ଚାହିଁଲେ ଫୁଲ ମଉଳିଯିବ, ରାତି ଆସିବ । ସେ ତ ଆଗରୁ ଏମିତି .. । ଆଉ ଆଜି ବି ନିଜ ଭିତରେ ସଂକୁଚିତ । ସାଲିସ୍ ବିହୀନ ଜୀବନଟିଏ ଜୀଇଁବାର ଲୋଭ ତାଙ୍କୁ ସର୍ବଦା କବଳିତ କରିରଖିଛି । ଆଉ ସେ ତା ଭିତରେ ଗୋଟେ ବାରମାସୀ ଚଢେଇପରି ବାରବାର ରଙ୍ଗ ବଦଳାଇ ଚାଲିଛନ୍ତି । ତାଙ୍କ ନଜରରେ ସେ ଜୀବନକୁ ରଙ୍ଗାଉଛନ୍ତି । ପୁଣି ବେରଙ୍ଗ କରିଦେଉଛନ୍ତି । କାହିଁକି ସାନବାବୁ ସବୁବେଳେ ଆତ୍ମମଗ୍ନ? ଗଭୀର ପ୍ରତ୍ୟଶା ଜୀବନର ସ୍ୱାଭାବିକତାକୁ ନଷ୍ଟ କରିଚାଲିଛି ଅବିରତ । ଅଥଚ ସେ କିଛି କରୁନାହାନ୍ତି,ଜୀବନ ପାଇଁ କିଛି ସନ୍ଧି..କିମ୍ବା ସାଲିସ୍ କିଛି ବି ନୁହେଁ! ଏତେସବୁ ଭାବିଲେ ବି ସେ କିଛି କହି ପାରିନଥିଲା ତାଙ୍କୁ । ଏମିତିକି ମୁହଁ ଉଠାଇ ସ୍ପଷ୍ଟଭାବରେ ଚାହିଁ ବି ପାରୁନଥିଲା । ତାଙ୍କ ମୁହଁରେ ବିଷାଦର କାଳିମା ଦେଖିଲେ ସେ କଣ ଶାନ୍ତିରେ ରହିପାରିବ? ଆଜି ଯାଏଁ କଣ ପାରିଛି?

ଅନିମେଶ୍ ଚାହିଁଥିଲେ ତାକୁ ଅପଲକ ନୟନରେ । ସତେଯେପରି ସେ ଆଜି ଲୀନା ନୁହେଁ, ଆଉକେହି ! ଯାହାକୁ ସାନବାବୁ ଜାଣିନାହାନ୍ତି କି ଦେଖିନାହାନ୍ତି ଆଗରୁ ! ଏବଂ ସେ ଯେପରି ଆଜି ତାର ପରିଚୟ ଖୋଜୁଛନ୍ତି ନିଜଭିତରେ ! ତାର ନୂଆଏକ ରୂପରେଖ ସେ ପାଇଯାଇଛନ୍ତି ହଠାତ୍ । ସେ ଆବିଷ୍କୃତ କରିଛନ୍ତି ନୂଆ ଏକ ଲୀନାକୁ । ତା ଭିତରର ବ୍ୟାକୁଳ ଅନୁରାଗକୁ ! ତା ନିଷ୍କଳଙ୍କ ପ୍ରେମ ଓ ଜୀବନର ତ୍ୟାଗକୁ ! ରାତିବଢୁଥିଲା ଉଛୁଳା ନଈଟିଏ ପରି ହେଲେ ବନ୍ଧଭାଙ୍ଗିବାକୁ ନୁହେଁ । ତା କାଳିମାର ଗହନତା ବଢାଇବାକୁ । ସେ ବହଳିଆ ଅନ୍ଧାର ଭିତରେ ସାରାସଂସାରକୁ ଆଶ୍ଳେଷି ନେବାକୁ । ସେପଟେ ଉଲ୍କାଟିଏ ଖସୁଥିଲା ସାମୟିକଭାବେ ନିଜ ଅସ୍ତିତ୍ୱକୁ ଜାହିର୍‌କରି । ପୁଣି ମିଶିଯାଉଥିଲା ଅନ୍ଧକାରର ବହଳତା ଭିତରେ । ତାରାମାନେ ଆଖି ମିଟିମିଟି କରି ଗପରେ ମାତିଯାଇଥିଲେ ପରସ୍ପର ଭିତରେ । ଲାଗୁଥିଲା ଯେମିତି ସେମାନେ ଓଠଚିପି ହସୁଛନ୍ତି । ସେମାନଙ୍କର କଣ ଦୁଃଖ ନାହିଁ, ଅସହାୟତା ନାହିଁ ? ସେମାନେ କଣ ସବୁବେଳେ ହସିବାର ଅଧୀକାର ପାଇଛନ୍ତି ଈଶ୍ୱରଙ୍କଠାରୁ ? ଖୁବ୍ ଈର୍ଷାହୁଏ ଏଇ ତାରାମାନଙ୍କଉପରେ । ଏମାନେ ସବୁବେଳେ ଏମିତି ନିର୍ଲ୍ଲଜ..ଉଦ୍ଧଣ୍ଡ । ଏତେ ହସକଣ ପାଇଁ ଯେ ! ଜେଜେମାଆ କହେ-ଏତେ ହସିଲେ କୁଆଡେ ସମୟ ବି କ୍ଷୁବ୍ଧ ହୁଏ, ସେଥିପାଇଁ ଠିକ୍ ତା ପର ମୁହୂର୍ତ୍ତରେ ଦୁଃଖ ଆଣି ଅଜାଡିଦିଏ । ସେଇଥିପାଇଁ ତ ଜହ୍ନ ମଉଳିଯାଏ । ତାରାମାନଙ୍କ ଉଦ୍ଧଣ୍ଡ ଆଚରଣ ପାଇଁ ଆଲୋକ ବି ନିଷ୍ପ୍ରଭ ପଡିଯାଏ । ପୁଣି ଅପେକ୍ଷା କରିବାକୁପଡେ ପକ୍ଷଟିଏ । ଏମିତି ଅନେକମୁହୂର୍ତ୍ତରେ ଅପସରି ଯାଉଥିଲେ । ରାତିର ବୟସ ବଢୁଥିଲା । ବୟସ କାହାର ବଢେନାହିଁ ଯେ !

ଭିନ୍ନଏକ ରୂପରେ ପରିବର୍ତ୍ତିତ ସାନବାବୁ ତନ୍ମୟ ହୋଇ ପଚାରୁଥିଲେ-ଲୀନା ତୋପରି ମନୀଷାକାହିଁକି ହେଲାନି? ସେ କାହିଁକି ମୋ ଫେରିବାର ପ୍ରତିଟି ମୁହୂର୍ତ୍ତକୁ ପ୍ରତୀକ୍ଷା କରିକରି ନୀରବ ଅଭିମାନରେ ଜର୍ଜରି ଉଠିଲାନି ? କିଛିନକହି ବି ଅସଂଖ୍ୟ ଅଭିଯୋଗରେ ମୋତେ କ୍ଷତବିକ୍ଷତ କଲାନି? ରାତିନ ପାହୁଣୁ, ଆଖି ନ ଖୋଲୁଣୁ ଫୁଲଟିଏ ମୋପାଇଁ ତୋଳିବାକୁ ବ୍ୟାକୁଳ କାହିଁକି ହେଲାନିି ? ମୋ ସୁଖର ପ୍ରତ୍ୟାଶା କରିକରି ସେ କାହିଁକି ମୋ ଭିତରେ କିଛିମୁହୂର୍ତ୍ତ ହଜିଯାଇପାରିଲାନି ? ମୋର ସବୁ ସୁଗୁଣ ଓ ଦୁର୍ଗୁଣକୁ ଆପଣେଇ ନେଇ ମୋ ଉପରେ ଅନୁରାଗର ଧାରେ ବର୍ଷା ଝରାଇ ପାରିଲାନି ? ତୋ ଭଳି ସେ କାହିଁକି ମୋର ଯତ୍ନନେଇ ଆତ୍ମହରା ହୁଏନାହିଁ? କିମ୍ବା ମୋ କଷ୍ଟରେ ନୀରବରେ ବିଳପି ଉଠେନି ? ସେ କାହିଁକି ମୋ ଭିତରେ ତାକୁ ଖୋଜିପାରେନି ? ମୋଠାରୁ ସେ ମୋତେ କାଇଁ ବେଶୀ ବୁଝେନି ତୋ ପରି ? କାହିଁକି ସେ ମୋତେ ଭଲ ପାଇପାରେନି ? ସେ କଣ ଚରମ ସ୍ୱାର୍ଥପର ? ତୋ ଗୁଣରୁ ଗୋଟିଏ ଗୁଣ ବି ତା ପାଖରେଥିଲେ ମୁଁ ସୁଖୀହୋଇପାରିଥାନ୍ତି ଲୀନା । ହେଲେ ତୋର କିଛି ଗୋଟାଏ ବି ଗୁଣ ନାହିଁ ତା ପାଖରେ । ତା ଭିତରେ ମୁଁ ସବୁବେଳେ ତୋତେ ଖୋଜିଖୋଜି ବୋଧହୁଏ ଆଜି ଜୀବନର ବାଜି ହାରିଯାଇଛି । ମୁଁ ଆଜି ସଂପୂର୍ଣ୍ଣଭାବରେ ଏକୁଟିଆ ହୋଇ ଯାଇଛି ଲୀନା ! ମୋ ଆଖପାଖରେ କେହିନାହାନ୍ତି ଆଜି । ମୋ ମନଭିତରେ ଏଭଳି ସ୍ତ୍ରୀଟିର ରୂପରେଖ ଛପିଯାଇଥିଲା, ଯିଏ କି ତୋ ଭଳି ମୋତେ ଆଦର କରିବ, ଆପଣାରକରିବ । ମୁଁ ମୋ ଭଳି ଥିଲେ ହୁଏତ ହାରିନଥାନ୍ତି କି ଏକାଟିଆ ପାଲଟି ନଥାନ୍ତି । କିନ୍ତୁ ମୋ ଭିତରେ ତୋର ପ୍ରତିଫଳନ ହିଁ ମୋତେ ହରାଇଦେଇଛି । ସମସ୍ତଙ୍କ ଭିତରେ ତୋତେ ଖୋଜି ଖୋଜି ମୁଁ ପରାସ୍ତ । ତୁ ମୋତେ ମାନସିକ ସ୍ତରରେ ଏତେ ରୁଗ୍ଣ କରିଦେଇଛୁ ଯେ ଶତଚେଷ୍ଟା କରି ବି କାହାଭିତରେ ସନ୍ତୁଷ୍ଟ ହୋଇ ପାରୁନି ମୁଁ । ସମସ୍ତ ପ୍ରାପ୍ତିଭିତରେ ବି ଅଶାନ୍ତିବୋଧ, ସବୁଖୁସି ଭିତରେ ବି ଅସହିଷ୍ଣୁତା, ସବୁ ପାଖରେ ଥାଇ ବି କିଛିଗୋଟାଏ ଯନ୍ତ୍ରଣାବୋଧ..କିଛି ଅମୂଲ୍ୟ ଜିନିଷଟିକୁ ହଜାଇ ଦେବାର ଅପରାଧବୋଧ..ମୋତେ ଘୁଣପୋକଟି ପରି ଖାଇଚାଲିଛି ସାରାଜୀବନ । ମୁଁ ମୁକ୍ତ ଅଥଚ ମୁକ୍ତି କାହିଁ ? ମୁଁ ସୁଖୀ ଅଥଚ ସୁଖ ମୋଠାରୁ ଢେର୍ ଦୂରରେ । ସବୁକିଛି ପାଇ ବି ମୁଁ ହଜାଇଦେଇ ସାରିଛି । ବୋଧହୁଏ ତୁ ମୋ ଭିତରେ ଜମାଟ ବାନ୍ଧିଛୁ ନିବିଡଭାବରେ । ମୁଁ ତୋତେ ଅନୁଭବ ତ କରିପାରୁଛି ହେଲେ ଛୁଇଁପାରିନି । ତୋତେ ଦେଖି ପାରୁଛି ହେଲେ ତୋ ସହିତ ଚାଲିପାରୁନି ନିରବଚ୍ଛିନ୍ନ ଭାବରେ । ତୁ ମୋ ଜ୍ଞାତ କିମ୍ବା ଅଜ୍ଞାତରେ ମୋ ଭିତରେ ଏମିତି ମିଶିଯାଇସାରିଛୁ ଯେ ମୁଁ ଚାହିଁ ବି ନିଜଠାରୁ ତୋତେ ପୃଥକ୍ କରିପାରୁନି । ଆଉ ଅନ୍ୟକାହା ପାଖରେ ମଧ୍ୟ ନିଜକୁ ସ୍ୱାଭାବିକ୍ କରିପାରୁନି । ଲାଗୁଛି ମୁଁ ଯେପରି ଖୁବ୍ ଦରିଦ୍ର । ମୋ ଭିତରର ଅଭାବପଣ ଭିତରେ ମୁଁ ନିଃସ୍ୱ ! ସାମାନ୍ୟ ଶୋଷଲାଗିଲେ ତୁ ମନକୁ ସ୍ୱତଃ ଆସିଯାଉ । ଭୋକଲାଗିଲେ..ବିରକ୍ତ ହେଲେ ବି ତୁ ମନେପଡୁ । ପୁଣି ଅଫିସ୍‌ରେ ବି ଫାଙ୍କା ସମୟରେ ତୋ ଚେହେରା ଆପେ ଆପେ ଆଖି ଆଗକୁ ଆସିଯାଏ । ମୋର କେତେବେଳେ କଣ ଦରକାର, ମୋର ପସନ୍ଦ ଅପସନ୍ଦ ସବୁକିଛି ତୋଠାରୁ ବେଶୀ କେହିଭଲଭାବେ ଜାଣନ୍ତିନାହିଁ । କାରଣ ତୁ କାହାରିକୁ କରିବାକୁ କିମ୍ବା ଜାଣିବାକୁ ବି ଦେଉନାହିଁ । ହେଲେ ମନୀଷା ଆସିବା ପରେ ଲାଗିଲା-ଏଥର ମନିଷା ସହିତ ମୋତେ ଅଭ୍ୟସ୍ତ ହେବାକୁ ପଡିବ । ତୋତେ ବି ମୋ କାମରୁ ମୁକ୍ତି ମିଳିଯିବ । ତୁ ବି ଟିକେ ସମୟ ପାଇବୁ । ଆଜିଯାଏଁ ତୁ ଖାଲି କରିଛୁ ଆଉ କରୁଛୁ ଆମପାଇଁ । ହେଲେ ସେ ବି ତୋ ଉପରେ ନିର୍ଭର କଲା । ତା କାମ ବି ତୋତେ ହିଁ କରିବାକୁ ହେଲା । ଚାହିଁକି ବି ତୋଠାରୁ ମୁକୁଳି ପାରିଲିନି । ସମୟ ତାହା କରାଇଦେଲାନି ।

ଜାଣୁ ଲୀନା, ମୁଁ ମନୀଷା ପାଇଁ ମୋ ଘର ଛାଡିପାରିବିନି ! କାରଣ ମୁଁ ବିବାହପରେ କଣ ଖାଲି ମନୀଷାର ? ମୋ ବାପାମାଆଙ୍କର ନୁହେଁ ? କାହିଁକି, ମୁଁ କଣ ଏକ ସାମାଜିକ ପ୍ରାଣୀନୁହେଁ ? ମୋ ଭିତରେ କଣ ମୋ ନିଜର ଇଚ୍ଛାନାହିଁ କି ଅବଶୋଷ ନାହିଁ ? ଅନ୍ୟର ଭଲମନ୍ଦ ଦେଖିଦେଖି କଣ ମୁଁ ମୋ ନିଜକୁ ଓ ମୋର ଇଚ୍ଛାମାନଙ୍କୁ ମୋ ଭିତରେ ମାରିଦେବି ? ତା ବି କରିଦେଖିଛି । ସବୁଇଚ୍ଛାମାନଙ୍କ ପରିତ୍ୟାଗ କରି ମନୀଷାକୁ ସୁଖୀକରିବା ପାଇଁ ଏ ଘରକୁ ଛାଡିଦେବାର ଦୁଃସ୍ୱପ୍ନ ବି ଦେଖିଛି । ହେଲେ ମନୀଷା ସେଥିରେ ବି ସୁଖୀନଥିଲା । ଦିଲ୍ଲୀର ଆଧୁନିକତା ଭିତରେ ସେ ଜଣେ ସ୍ତ୍ରୀ ଓ ମାଆର ଭୂମିକା ଭୁଲିସାରିଥିଲା । ସାରାଦିନ ଆୟା ପାଖରେ ପିଲାମାନଙ୍କୁ ଛାଡିଦେଇ ସେ ଅଫିସରେ ରହୁଥିଲା ନୋଚେତ୍ କୌଣସି କ୍ଲବ୍ କିମ୍ବା ପାର୍ଟିରେ ବ୍ୟସ୍ତଥିଲା । ମୁଁ ପିଲାମାନଙ୍କୁ ନେଇ ଏଠିକୁ ଚାଲିଆସିବାକୁ ଚାହିଁଲି । ସେଥିରେ ବି ତାର ଅରାଜି । ସେ କେଶ୍ କରିବବୋଲି ଧମକ ବି ଦେବାପରଠାରୁ ମୁଁ ଆଉ ପଛକୁ ଫେରିଚାହିଁଲିନି । ମୁଁ ଜାଣେ ସେ ପିଲାମାନଙ୍କର ଅମଙ୍ଗଳ କରିବନି । ଯେଉଁ ସୋସାଇଟିରେ ସେ ଜୀଇଁବାକୁ ଚାହେଁ, ସେ ସୋସାଇଟି ମୁଁ ତାକୁ ଦେଇପାରିବିନି । ମୁଁ କୁଆଡେ ରୁଢିବାଦୀ ! ହେଲେ ମୁଁ ସତକହୁଛି ଲୀନା-ସବୁ କିଛି ପରିତ୍ୟାଗ କରି ମୁଁ ସଂସାର ରଚିବାକୁ ଚାହୁଁଥିଲି ତା ସହିତ । ହେଲେ ସେ ମୋତେ ତା ଭିତରେ ବାନ୍ଧିପାରିଲା ନାହିଁ ଠିକ୍ ତୋ ଭଳି । ତାର ଅମୂଳକ ସନ୍ଦେହ ଯେ ତା ଭିତରେ ମୁଁ କାଳେ ଆଉକାହାକୁ ଖୋଜେ । ମୋର ଉଦ୍‌ବେଗ କୁଆଡେ ସରିଯାଇଛି । ମୁଁ କାଳେ ତା ପରି ଆଉ କାହାକୁ ଭଲପାଇ ବସିଛି । ହେଲେ କାହାକୁ…ସେ ମୋତେ ବାରମ୍ବାର ପଚାରେ..ସେ କିଏ ? ହେଲେ ସେ କିଏ..ମୁଁ ନିଜେ ବି ଜାଣେନି । ହୁଏତ ମୁଁ ମୋ ନିଜକୁ ବୁଝିନି ସଠିକ୍ ଭାବେ । ନହେଲେ ଆଜି ମୋର ଏପରି ବିଡମ୍ବିତ ସ୍ଥିତି ହୋଇନଥାନ୍ତା ! ଜାଣୁ, ସେ ଗତ ସପ୍ତାହରେ ଅନ୍ୟତ୍ରବିବାହ କରିଛି । କେବଳ ଦୁଇବର୍ଷ ପରେ ପିଲାମାନଙ୍କ ଦାୟିତ୍ୱ ମୁଁ ବୁଝିବି ବୋଲି କୋର୍ଟ ଅର୍ଡର କରିଛି! ।

ଲାଗୁଥିଲା ସାନବାବୁ ତାହେଲେ ତାକୁ ଜାଣିଛନ୍ତି ଓ ବୁଝିଛନ୍ତି ବହୁଆଗରୁ । ଅଥଚ ଆଜି ଜୀବନଯୁଦ୍ଧରେ ହାରି ସମ୍ପୂର୍ଣ୍ଣ ଏକାଟିଆ ହୋଇଯିବାପରେ ସେ ତାକୁ ବୁଝିବାର ଦୃଢୋକ୍ତି ପ୍ରକାଶ କରୁଛନ୍ତି । ତାର ଅନୁରାଗର ଭିଜା ମୁହୂର୍ତ୍ତମାନଙ୍କୁ ସ୍ୱୀକାର କରୁଛନ୍ତି! ହେଲେ ସେ ସମୟମାନଙ୍କ ତାଡନା, ଅସହାୟତାମାନଙ୍କ ମୂର୍ଚ୍ଛନା, ଉପେକ୍ଷାର ଯନ୍ତ୍ରଣା..ଏସବୁର ମୂଲ୍ୟକଣ ସେ ଦେଇପାରିବେ ? ଫେରାଇଦେଇପାରିବେ ସେ ଅମୂଲ୍ୟଦିନମାନଙ୍କୁ ? ଅତନ୍ଦ୍ରରାତ୍ରିମାନଙ୍କ ଯନ୍ତ୍ରଣାକୁ ସେ ଉପଶମ କରି ପାରିବେ ? ତା ଜୀବନର ଆରମ୍ଭ ହିଁ ସେ..ଶେଷ ବି ସେ ଠିକ୍ ଦିନ ଓ ରାତିଭଳି । ଏଥିପାଇଁ ସେ ଜେଜେମା’ଠାରୁ କେତେ ଗାଳି ଖାଇଛି ! ତଥାପି ତା ତପସ୍ୟାରେ ବ୍ୟାଘାତ ଘଟିନି । ସାନବାବୁଙ୍କୁ ସେ ପୂର୍ବଠାରୁ ବି ଆହୁରିବେଶୀ ଭଲପାଇଛି । ଜେଜେମା’ ତାରି ଚିନ୍ତାରେ ହିଁ ଚାଲିଗଲା ସଂସାରରୁ । ସାନବାବୁ କଣ ତା ଜେଜେମା’କୁ ତାକୁ ପୁଣିଠିକ୍ ସେଇଭଳି ଫେରାଇଦେଇ ପାରିବେ ? ଏତେସବୁ ଅକୁହାବେଦନା ଭିତରେ ଥାଇ ଲୀନା କିଛି ପ୍ରତିକ୍ରିୟା ଦେଇପାରୁନଥିଲା । ନିବିଡରାତିର ଘନନ୍ଧକାର ଭିତରେ ଘରର ଆଲୋକ ଦେଖି ହୁଏତ ଝର୍କାଦେଇ ମହୁମାଛିଟିଏ ବଗିଚାରୁ କେତେବେଳୁ ଘରଭିତରକୁ ଉଡିଆସିଥିଲା । ଆଉ ସେ କେତେବେଳେ ଲୀନାର ଅଲକ୍ଷ୍ୟରେ ତା କାନ୍ଧ ଉପରେ ନୀରବରେ ବସିପଡିଥିଲା । ପିଲାବେଳେ ମହୁମାଛି, ଭଅଁରମାନଙ୍କୁ ସେ କେତେ ଭୟକରେ! ଅଥଚ ସେ ଭୟ ଆଜିନାହିଁ ମନରେ । ଆଜି ସେ ଭିନ୍ନଏକ ଇଲାକାରେ.. । ଜୀବନର କେତେ ଦଂଶନ ସେ ସହିଛି । ଗୋଟେ ମହୁମାଛିର ଦଂଶନକୁ କଣ ସହିପାରିବ ନାହିଁ? ସେ ତ ଖାଲି ଦଂଶିତ ହେବାକୁ ଜନ୍ମିଛି ! ସେସବୁକୁ ଖାତିର୍ ନକରି ସାନବାବୁଙ୍କ ମୁହଁରୁ ତାଙ୍କ ମନକଥା ଆଜି ସେ ମନଦେଇ ଶୁଣୁଛି । ହେଲେ ଜୀବନର ଏଭଳି ମୋଡରେ ସାନବାବୁ ଏସବୁ ତାକୁ କାହିଁକି କହୁଛନ୍ତି? ସେ କଣ ନିଶାଗ୍ରସ୍ତ ? ନା ନା ସେସବୁ ଅସମ୍ଭବ । ଏ ଘରେ ବାସ୍ନା ତ କିଛିନାହିଁ । ବରଂ ବାହାର ବଗିଚାରେ ରାଧାତମାଳ ବାସ୍ନା ଝର୍କାଦେଇ ପଶିଆସୁଛି ଯୋର୍ ଜବରଦସ୍ତ । ତାଙ୍କର ଏସବୁ ଦୁର୍ଦ୍ଧଶା ପାଇଁ ସେ ତାହେଲେ କଣ ସମ୍ପୂର୍ଣ୍ଣ ଦାୟୀ ? ତାରିପାଇଁ ତାହେଲେ ସାନବାବୁ ସାନ ମାଲିକାଣୀଙ୍କ ସହିତ ସାଲିସ୍ କରିପାରିନାହାନ୍ତି ? ଜୀବନକୁ ମନଭରି ଉପଭୋଗ କରିପାରିନାହାନ୍ତି ? ସେ ତାହେଲେ ତାଙ୍କର ସବୁ ଅନର୍ଥର ମୂଳ ? ଆଜିଯାଏଁ ସେ ସାନ ବାବୁଙ୍କର ଅହିତ ହିଁ କରିଆସିଛି ତା ଅଲକ୍ଷ୍ୟରେ ? ଠାକୁରଙ୍କ ପାଖରେ କେତେକଣ ଶୁଭମନାସି ଅସଂଖ୍ୟ ସ୍ୱପ୍ନ ଦେଖି ତାହେଲେ କଣ ସେ ଖାଲି ନିଜକୁ ପ୍ରତାରଣା କରିଛି ? ନିଜ ଅଜାଣତରେ ହିଁ ତାଙ୍କ ପଥରୁଦ୍ଧ କରି ସୁଖରୁ ତାଙ୍କୁ ବଞ୍ଚିତ କରିଛି? ତାଙ୍କଜୀବନରେ କଳାଛାଇ ପରି ମାଡିଚାଲିଛି ଜୀବନତମାମ୍ । ଅଥଚ ତାଙ୍କର ଏକମାତ୍ର ହିତାକାଂକ୍ଷୀ ବୋଲି ମନତଳେ ଦାବୀକରି ମନକୁ ବି ଠକିଛି ? ଇସ୍, ତାହେଲେ କି ଜୀବନଟେ ଜୀଇଁଛି ସେ ? ନିଜକୁ ଧିକ୍କାରିଲା ନୀରବରେ । ତା ଆଖିତଳୁ ଲୁହମାନେ ନିଶବ୍ଦରେ ଝରିପଡିଲେ ।

ଅନିମେଶ୍ କିନ୍ତୁ ତାର ନିକଟତର ହେଉଥିଲେ । ମହୁମାଛିର ଦଂଶନ ଓ ତାର ପ୍ରତିକ୍ରିୟା ସ୍ୱରୂପ ଲୀନାର କିଛିସମୟର ବ୍ୟତିବ୍ୟସ୍ତତା ଦେଖି ସେ ତା କାନ୍ଧରେ ହାତରଖିଲେ । ମହୁମାଛି ଏବେଯାଏଁ ବି ମୁକୁଳିପାରିନି ତାଠାରୁ । ତା ନାହୁଡସହିତ ସେ ଛଟପଟ ହେଉଛି । ତାପରେ ସେ ମୃତ୍ୟୁଲଭିବ! ଏଇ ତ ଜୀବନର ବିଡମ୍ବନା । ନିଜଠାରୁ ନାହୁଡକୁ ଅଲଗାକଲେ ତା ଜୀବନର ସମାପ୍ତି ଘଟିବ । ଏଇଆ ହିଁ ତାର କପାଳଲିଖନ । ଯେପରି ଲୀନାକୁ ନିଜଠାରୁ ଅଲଗା କଲେ ସେ ବି ଜୀବନରୁ ବିଚ୍ୟୁତ ହୋଇପଡିବେ! ହୁଏତ ମୃତ ପାଲଟିବେ ! ଲୀନା ତାଙ୍କ ଶରୀର ଓ ମନର ଅବିଚ୍ଛେଦ୍ୟ ଅଙ୍ଗ । ଠିକ୍ ମହୁମାଛି ଓ ତାର ନାହୁଡ ପରି ! ତାକୁ ଛାଡି ସେ ବଞ୍ଚିବେ କିପରି? ମହୁମାଛିଟିକୁ ସେ ମୁକ୍ତ କରିଦେଲେ ଲୀନା ଦେହରୁ । ତା ମାଂସଭିତରେ ଲାଖିଯାଇଥିବା ସେ ନାହୁଡକୁ ଆସ୍ତେକରି କାଢିଦେଲେ । ସେ ସ୍ଥାନଟିରୁ ରକ୍ତ ଝରୁଛି । ବିନ୍ଦୁଟିଏ ରକ୍ତଝରି ବ୍ଲାଉଜ୍‌ର କିଛିସ୍ଥାନ ଭିଜିଯାଇଛି । ଠିକ୍ ସେଇସ୍ଥାନରେ ସାନବାବୁଙ୍କ ହାତର ସ୍ପର୍ଶ । ଲୀନା ଦେହରେ ବିଜୁଳିର ଚମକପରି ସଞ୍ଚରିଯାଉଛି ସେ ସ୍ପର୍ଶ !

..ଆଜି ପ୍ରଥମକରି ଅଚାନକ୍ ସାନବାବୁ ତାକୁ ଛୁଇଁପକାଇଛନ୍ତି । କାଲିଯାଏଁ ସେ ଅଛୁଆଁଥିଲା । ଆଜି ସେ ଦୋଷ ହୁଏତ ସାନବାବୁଙ୍କ ଦୃଷ୍ଟିରେ କଟିଯାଇଛି ! ଆଉ ବିଶେଷ ଯନ୍ତ୍ରଣା ଅନୁଭୂତ ହେଉନି କାହିଁକି ସେ ଦଂଶିତ ଯାଗାରେ ! କାହିଁକି ସେ ଅକଥନୀୟ ଯନ୍ତ୍ରଣାଟି ସରିଯାଉଛି ସେଇ ଜାଗାଟିରୁ.. । ଏବେ ସଞ୍ଚରିଯାଉଛି ଆଉ କିଛି ଅକୁହା ଶୀହରଣ..ସାରାଦେହ ଓ ମନତଳେ । ସାନବାବୁଙ୍କ ନିଶ୍ୱାସ ପ୍ରଶ୍ୱାସକୁ ସେ ଏବେ ସେ ସ୍ପଷ୍ଟଭାବେ ଅନୁଭବ କରିପାରୁଛି ନିଜଭିତରେ । ଠିକ୍‌ଭାବେ ବ୍ୟକ୍ତ କରିପାରୁନି ସେ ଅନୁଭବକୁ । ଧୀରେଧୀରେ ନିବିଡ ଆଶ୍ଳେଷଟିଏ ତା ଚାରିପଟେ ଜମାଟ ବାନ୍ଧୁଛି । ସେ ହଜିଯାଉଛି ତା ଭିତରେ ! ମନେପଡିଲା ସେ କାଳରାତ୍ରିର କଥା..ତା ଉପରେ ଝପଟିପଡିଥିବା ଦଳେରାକ୍ଷସମାନଙ୍କ କଥା । ସେ ଆହତ ଯନ୍ତ୍ରଣା ଓ କୀଟଦ୍ରଂଷ୍ଟା ଫୁଲଟିରବ୍ୟଥା ! ତା ଆଖିରୁ ଲୁହଝରିଲା ଶ୍ରାବଣର ବାରିଧାରାପରି ! ସାନବାବୁଙ୍କଠାରୁ ଘୁଞ୍ଚିଗଲା ସେ ଦୂରକୁ । ଗୋଟେ ପତିତାର ଯନ୍ତ୍ରଣାକୁ ସେ କେମିତି ଲୁଚାଇବ ? ଯାହା ଆଜିଯାଏଁ ନିଜଛାତି ତଳେ ବୋହିଚାଲିଛି ନୀରବରେ, ଯାହାପାଇଁ ସେ ରାତିରାତି ଭୟରେ ଜାକିହୋଇଯାଇଛି ନିଜଭିତରେ, ତା ଆଖିରୁ ଲୁହ ନୁହେଁ ଲହୁ ଝରୁଛି ଆଜିକାଲି, ଯାହାପାଇଁ ସାଂକୁଳି ପଡିଯାଉଛି ଭିତରେ, ସେ ହାରିଯାଉଛି ଜୀବନରଯୁଦ୍ଧ, ସେଦିନର ସେ ଅତ୍ୟାଚାର ବାରବାର ଘଟିଚାଲିଛି ତା ଭାବନା ରାଜ୍ୟରେ । ସେ ଅପବିତ୍ରା ! ସାନବାବୁଙ୍କୁ ସେ କେବଳ ମନମନ୍ଦିରରେ ଠାକୁରଙ୍କପରି ପୂଜିପାରିବ । ଅଥଚ ତାଙ୍କୁ ସ୍ଥୂଳଭାବରେ ପାଇବାକୁ ଚାହିଁବାର ଧ୍ରୁଷ୍ଟତା କରିବନି । କିପରି ସେ ଜାଣିଜାଣି ତା ଠାକୁରଙ୍କ ଉପରେ ଅନ୍ୟାୟକରିବ ! ପିଲାଟିଦିନରୁ କିଛିକିଛି ମରିବାପରେ ଆଜି ସେ ପ୍ରକୃତରେ ମରି ସାରିଛି ! କେତେବେଳେ ଭାଗ୍ୟ ମାରିଛି ତ କେତେବେଳେ ସମୟ, କେତେବେଳେ ନିଜର ଦୁର୍ଗତି ତ କେତେବେଳେ ଅସଂଖ୍ୟ ଅସହାୟତା, କେବେକେବେ ଜେଜେ ମାଆର ଦୁଃଖ ଯନ୍ତ୍ରଣା ତ କେତେବେଳେ ସାନବାବୁ..ଓ ତାଙ୍କ ସମ୍ପର୍କିତ ଦୁଃଖରାଶି! ଏ ସମସ୍ତେ ତାର ହତ୍ୟାକାରୀ..! ତାକୁ ଟିକିଟିକି କରି ହାଣିଚାଲିଛନ୍ତି ଅଲକ୍ଷ୍ୟରେ । କେତେବେଳେ ତାକୁ ଶ୍ୱାସରୁଦ୍ଧା କରିଛନ୍ତି ତ କେତେବେଳେ ପଙ୍ଗୁ କରିଦେଇଛନ୍ତି । କେତେବେଳେ ଆଖିତଳୁ ସ୍ୱପ୍ନ ଛଡାଇନେଇଛନ୍ତି ତ ପୁଣି କେତେବେଳେ ତାକୁ ତାର ବୟସ ଅନୁସାରେ ବଡ ବନାଇ ହାତରେକାମ ଓ ମନରେ ଆଶାରପାହାଡ ଧରାଇ କହିଛନ୍ତି-ଏହା ହିଁ ତୋରକାମ ଓ କର୍ତ୍ତବ୍ୟ । ସେ ମାନିନେଇଛି ସେସବୁକୁ ଅତି ଆଦରରେ । ତାକୁ କିଏ ମାରିନାହିଁ ଯେ ! କିଏ ତା ଶବଉପରେ ପାଦଦେଇ ସିଡିଚଢିନି ଯେ ! ତଥାପି ତାକୁ ମାରିଥିବା ଲୋକମାନଙ୍କୁ ସେ ଭଲପାଏ । ସେହିମାନଙ୍କ ହାତରେ ସେ ବାରମ୍ବାରମରିବାକୁ ଇଚ୍ଛାକରେ । ଲାଗେ ସେ ଯେପରିସେହି ବାଞ୍ଛିତ ମୃତ୍ୟୁରେ ବାରମ୍ବାର ନିର୍ବାଣଲଭୁଛି ! ମୁକ୍ତିପାଉଛି । ଏମିତି ଭାବୁଭାବୁ ସାନବାବୁ ପଚାରିଲେ-କଣ ଭାବୁଛୁ ଏତେବେଳଯାଏଁ ? କି ଚିନ୍ତାରେ ଆଚ୍ଛନ୍ନ ତୁ ? କିଛିକହୁନୁ କାହିଁକି ? ବାବୁ, ତୁମେ ଶୋଇପଡ । ଅନେକ ରାତି ହେଲାଣି !

ହେଲେ ମୋ ଆଖିରେ ନିଦନାହିଁ ଏବେ । ମୋତେ ଅନେକ କଥା ଭାବିବାକୁ ଓ କରିବାକୁ ଅଛି ।

କାଲି ଅଫିସ୍ ଯିବ ପରା ! କଣଗୋଟାଏ ମିଟିଙ୍ଗ୍ ଥିଲାବୋଲି କହୁଥିଲ !

ନଗଲେ ବି ଚଳିବ! ଏବେ ମୋ ପାଇଁ ବେଶି ଇମ୍ପୋଟାଣ୍ଟ ମୋର ଭବିଷ୍ୟତ..ଯାହାକୁ ଏବେ ଗଢିବାର ଅଛି !

ମୁଁ ଯାଉଛି ଶୋଇବି । ସକାଳୁ ଅନେକ କାମ ଅଛି କରିବାକୁ ।

ସବୁବେଳେ ତ କାମ ହିଁ କରୁଛୁ । ଆଜିଟା ଯାଆନି, ମୋ ପାଖରୁ । ମନତଳେ ଅନେକ ଅକୁହା ଯନ୍ତ୍ରଣା । ନୀରବ ଝଡ । ଖୁବ୍ ଅସହ୍ୟ.. । ତୋ ବିନା ମୁଁ ଆଗକୁ କିପରି ବଢିବି ଲୀନା ? ତୁ ହିଁ ତ ମୋତେ ତୋମନସ୍କ କରିଦେଇଛୁ । ତୋ ବ୍ୟତୀତ ଅନ୍ୟକିଛି ଭିନ୍ନ ବା ସ୍ୱାଧୀନଭାବରେ ମୁଁ ଚିନ୍ତାକରିପାରିନି କେତେବେଳେ । ତୁ ହିଁ ମୋ ଅଲକ୍ଷ୍ୟରେ ମୋତେ ଓ ମୋର ବ୍ୟବହାରକୁ ନିୟନ୍ତ୍ରିତ କରିଛୁ ସବୁବେଳେ । ଯାହା ମୁଁ ଆଗରୁ ବୁଝିପାରୁନଥିଲି । ଆଉ ମୁଁ ଆଜି ବୁଝିପାରୁଛି ମୋ ଭିତରେ ଥିବା ତୋର ତୀବ୍ର ଓ ପ୍ରଚ୍ଛନ୍ନ ଅବସ୍ଥିତିକୁ ! କାରଣ ତୋ ସହିତ ଅଭ୍ୟସ୍ତ ହୋଇଆସିଛି ମୁଁ ସବୁକାଳେ । ଏବେ ମୋଠାରୁ ଅଲଗା ହେବାକଥା ଭାବୁନୁ ତ?

ଆଉକିଛି କହିଲାନି ଲୀନା । ତଳକୁ ଚାହିଁ ପାଦରେ ଗାର ଟାଣିଲା ସେ ତଳେ ।

ମୋ ପାଖକୁ ଆସିବୁନି ? ତୁ କଣ ମୋତେ ଭୟକରୁଛୁ ?

ତା’ପରେ

ଲୋକପ୍ରିୟ ଲେଖା

To Top