ଗଳ୍ପ

ସୁବର୍ଣ୍ଣ କଳସ

Manoj Das's odia story Subarnna Kalasa

ନା- ମଣିଷ ନିଜେ ହିଁ ନିଜ ଭାଗ୍ୟ ବଦଳାଇପାରେ, କିମ୍ୱା ପାରେ ଦିବ୍ୟକୃପା ।

ସୁବର୍ଣ୍ଣ କଳସ

ଦୁର୍ଗମ ବନସ୍ତ ପରେ ଅବଶ୍ୟ କୌଣସି ମନୋରମ ମୁଲକ ପଡ଼ିବ, ଅବୋଲକରା ମନରେ ଏମନ୍ତ ଆଶାର ସଞ୍ଚାର ହୋଇଥିଲା । ରାତି ପରେ ଦିନ ଦେଖିବାରେ ଅଭ୍ୟସ୍ତ ମଣିଷ ମନ ହୁଏତ ଦୁର୍ଗମତା ପରେ ସୁଗମତା ଭଳି ବୈପରୀତ୍ୟର ଅଭିଜ୍ଞତା ପାଇଁ ସ୍ୱଭାବତଃ ଉନ୍ମୁଖ ଥାଏ ।

ଏବଂ ସେମାନେ ଯେଉଁ ରାଜ୍ୟରେ ପହଞ୍ଚିଲେ, ତାହା ବେଶ୍ ସୁନ୍ଦର ଦିଶିବାକୁ ଆରମ୍ଭ କରିଥିଲା । ଗଛଲତା ପାଣିପବନ ଉପରେ ଗୋଟାଏ ଗୋଟାଏ ମୂଲ୍ୟବାନ୍ ମନ୍ତବ୍ୟ ଦେଇ ଅବୋଲକରା ବାଟ ଚାଲୁଥାଏ । ତେବେ ଗୋଟିଏ ଉପବନ ଭିତରେ ସେମାନଙ୍କୁ କିଛି ସମୟ ପାଇଁ ଅଟକିଯିବାକୁ ପଡ଼ିଲା । ବିପରୀତ ଦିଗରୁ ଆସୁଥିଲା ରାଜକୀୟ ଶୋଭାଯାତ୍ରା । ଉପବନର କେନ୍ଦ୍ରରେ ସ୍ଥାପିତ ଗୋଟିଏ ସମାଧି । ରାଜା ଅଦୂରରେ ହାତୀରୁ ଅବତରଣ କରି ସେ ସମାଧିରେ ପୁଷ୍ପାଞ୍ଜଳି ଦେଲେ, ନିରବରେ କିଛି ସମୟ ଧ୍ୟାନସ୍ଥ ରହି ତା’ପରେ ନଗରୀ ଭିତରକୁ ବାହୁଡ଼ିଗଲେ ।

ରାଜାଙ୍କୁ ଦେଖି ବଡ଼ ଭଲ ଲାଗିଲା, ସତେ ଅବା ଜଣେ ସାଧୁ । “ସାଆନ୍ତେ, ଏ ସମାଧି କାହାର ?” – ଅବୋଲକରା ପ୍ରଶ୍ନ କଲା ।

ଦେଢ଼ଥର ମୃତା ଜଣେ ନାରୀଙ୍କର ! – ସାଆନ୍ତେ ଭାବୁକ କଣ୍ଠରେ ସତେ ଅବା କଥାଟି ନିଜକୁ ହିଁ କହୁଥିଲେ ।

ଅଦୂରରେ ଜଳାଶୟ । ଏକ ବିଶାଳ ବରଗଛ ତଳେ ଦୁହେଁ ଦିବାହାର ସମାପନ କରିବା ଉତ୍ତାରୁ ଅବୋଲକରା ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ କଣ୍ଠରେ ସମ୍ୱୋଧନ କଲା- ସାଆନ୍ତେ !

କ’ଣ ?

ବସିଲି ।

ବସିଛୁ ତ. . . ଘୋଷଣା କରିବା ଦରକାର କ’ଣ ?

ବସିରହିଲି ।

ଦେଖ ଅବୋଲ୍ ! କେତେଥର କହିଛି, ଭୂମିକାର ପ୍ରୟୋଜନ ନାହିଁ । ମୁଁ ଗୋଟାଏ ରହସ୍ୟଘନ ବାକ୍ୟ କହିପକାଇଛି । ତା’ର ମର୍ମ ନ ବୁଝିଲେ ହେବ ନାହିଁ- ସିଧା ସେ କଥା କହୁନୁ ।

————————————————-

ନଗରୀ ଉପକଣ୍ଠରୁ ବିସ୍ତୃତ ଅଗନାଅଗନି ବନସ୍ତ । ତାହାରି ଭିତରେ, ଅବଶ୍ୟ ଖୁବ୍ ଗହନରେ ନୁହେଁ, ଥିଲା ଯୋଗୀ ଧୀମାନ୍-ପରିଚାଳିତ ଗୁରୁକୁଳ । ତହିଁ ରହୁଥିଲେ ଅଳ୍ପ କେତେଜଣ ସୁନିର୍ବାଚିତ ବିଦ୍ୟାର୍ଥୀ । ସେମାନଙ୍କ ଭିତରେ ଅନ୍ୟତମ ତନ୍ମୟ । ବିଦ୍ୟାଧ୍ୟୟନରେ ଯେପରି, ସାଧନାରେ ସେହିପରି ନିଷ୍ଠାପରତାର ନିର୍ଭୁଲ ପରିଚୟ ଦେଇଥିଲେ ତନ୍ମୟ । ଉତ୍ତମ ସ୍ୱଭାବ ଓ ସଦୟ ଆଚରଣ ଯୋଗୁଁ ସେ ଥିଲେ ସମସ୍ତଙ୍କର ପ୍ରୀତିଭାଜନ ।

ଗୁରୁକୁଳ ସନ୍ନିକଟବର୍ତ୍ତୀ କ୍ଷିପ୍ରା ନଦୀରେ ଆସିଥିଲା ବନ୍ୟା । ସାହସୀ ତଥା ସନ୍ତରଣପଟୁ ତନ୍ମୟ ସ୍ରୋତର ପ୍ରାବଲ୍ୟ ଭିତରେ ଛନ୍ଦି ହୋଇ ସ୍ନାନ କରିବାରେ ତୃପ୍ତି ପାଉଥିଲେ । ତୁଠ ପରେ ପରେ ନଈର ବାଙ୍କ । ସେଇ ଦିଗରୁ ଶୁଭିଲା ଗୋଟିଏ ଆର୍ତ୍ତନାଦ । ଏକାଗ୍ର ହେଲେ ତନ୍ମୟ । ଆର୍ତ୍ତନାଦର ବ୍ୟାଖ୍ୟା ଖୋଜି ପାଇବା ପୂର୍ବରୁ ହିଁ ତାଙ୍କ ଦେହରେ ଗୁଡ଼େଇ ହୋଇଯାଇଥିଲା ଗୋଟିଏ କୋମଳ କ୍ଷୀଣାଙ୍ଗୀ । ସେ ଯଦି ମୁହୂର୍ତ୍ତକ ପାଇଁ ଭାରସାମ୍ୟ ହରାଇଥାନ୍ତେ, ତେବେ କ୍ଷୀଣାଙ୍ଗୀଟି ସହ ସ୍ୱୟଂ ହୋଇଥାନ୍ତେ ସ୍ରୋତର ଶିକାର । କିନ୍ତୁ କ୍ଷୀଣାଙ୍ଗୀକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ସେ ଆତ୍ମରକ୍ଷା ବି କରିପାରିଲେ ।

କିନ୍ତୁ କ୍ଷୀଣାଙ୍ଗୀ କବଳରୁ ନୁହେଁ, କୃତଜ୍ଞ କନ୍ୟା ତାଙ୍କ ଚେତନାକୁ ଆବୋରି ବସିଲା । ନାମଟି ତାର ସୁସ୍ମିତା, ନଈ ଆର ତଟରେ, ଅରଣ୍ୟର ନିବିଡ଼ତର ଅଞ୍ଚଳରେ ବାସ କରୁଥିବା ତାନ୍ତ୍ରିକ ଚଣ୍ଡଗୌରାଙ୍ଗଙ୍କର ପାଳିତା କନ୍ୟା । ତନୁଟି ତାର ଚମ୍ପା, ନୟନ ଦୁଇଟି ନକ୍ଷତ୍ର, କେତେବେଳେ ତାହା ହୀରାର ପ୍ରଖରତା ବିକିରଣ କରେ ତ କେତେବେଳେ ଶିଶିରବିନ୍ଦୁର କମନୀୟତା ।

ନଈକୂଳରେ, ତମାଳ ବନରେ, ମୃଦୁ ମେଘର ଛାୟା ତଳେ, କେବେ କେବେ ସର୍ବନିମ୍ନ ଶବ୍ଦ ବିନିମୟରେ ଓ କେବେ କେବେ ନିଜେ ନିଜେ ନିରବ ରହି, ବକ୍ତବ୍ୟତକ ଯୋଡ଼ିଏ କୋଇଲିଙ୍କ କଣ୍ଠରେ ନ୍ୟସ୍ତ କରିଦେଇ, ମନ୍ଦ ମନ୍ଦ ହସର ବିନିମୟରେ ଦୁହେଁ ପରସ୍ପରର ନିକଟତର ହେବାର ପ୍ରଥମ ପର୍ଯ୍ୟାୟ ସମାପିତ ହୋଇ, ତନ୍ମୟ ସୁସ୍ମିତା ଘରକୁ ଯାଇ ତାନ୍ତ୍ରିକ ଚଣ୍ଡଗୌରାଙ୍ଗଙ୍କୁ ଶ୍ରଦ୍ଧା ନିବେଦନ କରିବା ପର୍ଯ୍ୟାୟ ଆରମ୍ଭ ହେଲା- ଅର୍ଥାତ୍ ତନ୍ମୟ ଓ ସୁସ୍ମିତାଙ୍କ ମିଳାମିଶା ହେଲା ଅବାଧ । ସୁସ୍ମିତାର ବୁଦ୍ଧି ତଥା ତା’ର ବିଚକ୍ଷଣ ପ୍ରୟୋଗ, ସାହସ ତଥା ତା’ର ସଦୁପଯୋଗର ବହୁ ଦୃଷ୍ଟାନ୍ତ ଯେମିତି ତନ୍ମୟଙ୍କୁ ମୁଗ୍ଧ କଲା, ତା’ ପ୍ରତି କନ୍ୟାଟିର ଆନ୍ତରିକ ସରାଗ ତାଙ୍କୁ ସେହିପରି ଅଭିଭୂତ କଲା ।

ବାପା କହୁଥିଲେ, ତମେ ଇଚ୍ଛା କଲେ ତନ୍ତ୍ରବିଦ୍ୟା ଆୟତ୍ତ କରିବାରେ ଅସାମାନ୍ୟ ସାଫଲ୍ୟ ଲାଭ କରନ୍ତି । – ଦିନେ ସୁସ୍ମିତା କହିଲା ।

ତୁମ ପିତା ମୋ ସାମର୍ଥ୍ୟର ଅତିରଞ୍ଜିତ ଆକଳନ କରିଛନ୍ତି ବୋଲି କହିବାର ସାହସ ଯେପରି ମୋର ନାହିଁ, ତନ୍ତ୍ରଶିକ୍ଷା ପାଇଁ ଆବଶ୍ୟକୀୟ ସାହସ ବି ମୋର ସେହିପରି ନାହିଁ ।

କାହିଁକି ?

ଗୁରୁଦେବଙ୍କଠୁଁ ଶୁଣିଥିଲି ତନ୍ତ୍ରର ଆଭିମୁଖ୍ୟ । ସଂସାରର ସବୁ ବସ୍ତୁ, ସବୁ ଆକର୍ଷଣ, ସବୁ ଅବସ୍ଥାର ଗଭୀରରେ ନିହିତ ଦିବ୍ୟତତ୍ତ୍ୱ, ଆଧ୍ୟାତ୍ମ୍ୟବିଜ୍ଞାନର ଏହି ମୌଳିକ ସତ୍ୟ ଉପରେ ତନ୍ତ୍ର ପ୍ରତିଷ୍ଠିତ । ତେବେ ଦିବ୍ୟତର ସନ୍ଧାନରେ ବାହାରି ଅନ୍ୟ ଆଧ୍ୟାତ୍ମିକ ଅନୁସନ୍ଧିତ୍ସୁମାନେ ଯେଉଁସବୁ ବସ୍ତୁ ଆକର୍ଷଣ ଓ ଅବସ୍ଥାକୁ ଏଡ଼ାଇ ଯିବା ଅନିବାର୍ଯ୍ୟ ମନେକରନ୍ତି, ଦୁଃସାହସିକ ତାନ୍ତ୍ରିକମାନେ ପ୍ରକୃତିର ସେହିସବୁ ଆକର୍ଷଣ ସମ୍ୱଳିତ ମାୟା-ସୁଡ଼ଙ୍ଗରେ ସଚେତନ ଭାବରେ ପ୍ରବେଶ କରନ୍ତି । କିନ୍ତୁ ସୁଡ଼ଙ୍ଗ ଶେଷରେ ସତ୍ୟର ଆଲୋକରେ ଯାଇ ପହଞ୍ଚିବା ଭଳି ସୌଭାଗ୍ୟ କ୍ୱଚିତ୍ କାହାର ହୁଏ । ଅଧିକାଂଶ ସନ୍ଧାନୀ ସୁଡ଼ଙ୍ଗନିହିତ ଗୋପନ ଗୁମ୍ଫା ସବୁରୁ ନିଃସୃତ ରଙ୍ଗବେରଙ୍ଗର ଭେଜାଲ ଆଲୁଅରେ ମୁଗ୍ଧ ହୋଇ- ଅର୍ଥାତ୍ କିଛି କିଛି ବିଭୂତି ବା ହବୁକରୀ ବିଦ୍ୟା ଆୟତ୍ତକରି- ଅବାଟ ଦେଇ ସୁଡ଼ଙ୍ଗରୁ ବାହାରିଆସନ୍ତି । ଯାଇଥାନ୍ତି ସତ୍ୟର ଉପଲବ୍ଧି ପାଇଁ, ଆସନ୍ତି ଅବିଦ୍ୟାର କ୍ରୀତବାସ ହୋଇ । ମୁଁ ଶେଷ ପର୍ଯ୍ୟନ୍ତ ମୋ ସଂକଳ୍ପରେ ଅଟଳ ରହି ସୁଡ଼ଙ୍ଗ ଶେଷର ସୂର୍ଯ୍ୟ ଦେଖିବି, ସେତେ ବଡ଼ ଆତ୍ମ-ବିଶ୍ୱାସ ମୋର ନାହିଁ । ତା’ ଛଡ଼ା ତାନ୍ତ୍ରିକ ପଥ ମୋର ସ୍ୱଧର୍ମ ହୋଇଥିଲେ ଗୁରୁଦେବ ମୋତେ ତୁମ ପିତାଙ୍କ ପାଖକୁ ପଠାଇ ଦେଇଥାନ୍ତେ ।

ସୁସ୍ମିତା ମୁହଁରେ ଯେଉଁ ଭାବ ଫୁଟିଉଠିଲା, ତାହା ଖୁସିର ବୋଲି କହିବାକୁ ହେବ । ସେଭଳି କୌଣସି କଠୋର ଜୀବନଯାପନ ଯଦି ତୁମର ଉଦ୍ଦେଶ୍ୟ ନୁହେଁ, ତେବେ. . . ।

ଅନୁଚ୍ଚାରିତ ପ୍ରସ୍ତାବର କମନୀୟତା ଅନୁପାତରେ ସୁସ୍ମିତା ଲଜ୍ଜାରୁଣା ହେଲା ।

ମୃଦୁ ହସି କହିଲା ତନ୍ମୟ- ତନ୍ତ୍ରମାର୍ଗରେ ନ ହେଲେ ବି କଠୋର ଯୋଗମାର୍ଗରେ ଅଗ୍ରସର ହେବା ମୋର ଉଦ୍ଦେଶ୍ୟ ଥିଲା ନିଶ୍ଚୟ । କିନ୍ତୁ ତାହା ତୁମ ସହ ଭେଟ ହେବା ପୂର୍ବରୁ. . . ।

ସେଦିନ ଦୁହେଁ ସେ ଦିଗରେ ଆଉ ଅଗ୍ରସର ହୋଇନଥିଲେ । ସେତେବେଳେ ଅରଣ୍ୟରେ ବସନ୍ତଋତୁର ପ୍ରଥମ ସ୍ପର୍ଶ ଲାଗିଥିଲା । ଫୁଲମାନେ ଅଳ୍ପ ପରିମାଣରେ ଫୁଟି ଆଗାମୀ କାଲିଗୁଡ଼ିକୁ ଯେପରି ବିପୁଳ ଆଶାବାଦସହକାରେ ଅପେକ୍ଷା କରିଥିଲେ । ସେଥିରେ ଅନୁପ୍ରାଣିତ ତନ୍ମୟ ଓ ସୁସ୍ମିତା ବି ସେହିପରି ସବୁ ସ୍ୱପ୍ନ ଏକାବେଳକେ ଫୁଟାଇଦେବାକୁ ପ୍ରସ୍ତୁତ ନଥିଲେ । ବସ୍ତୁତଃ ସେତେବେଳେ ସମଗ୍ର ଭବିଷ୍ୟତ୍ ଏକ ନିରବଚ୍ଛିନ୍ନ ବସନ୍ତ ବୋଲି ସେମାନଙ୍କର ଭ୍ରମ ହେଉଥିଲା ।

ଗୁରୁ ଧୀମାନ୍ ତାଙ୍କର ଜଣେ ବୟସ୍କ ପଟ୍ଟଶିଷ୍ୟ ଉପରେ ଗୁରୁକୁଳର ଦାୟିତ୍ୱ ନ୍ୟସ୍ତ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ହିମାଳୟ ଯିବାକୁ ପ୍ରସ୍ତୁତ ହେଉଥିଲେ । ସେ ପ୍ରସ୍ତୁତିରେ ତନ୍ମୟକୁ କେତେକ ବିଶେଷ ସାହାଯ୍ୟ କରିବାକୁ ପଡୁଥିଲା । ଉପରୋକ୍ତ ସଂଳାପ ପରେ ପାଞ୍ଚଦିନ ପର୍ଯ୍ୟନ୍ତ ସୁସ୍ମିତା ସହ ତା’ର ସାକ୍ଷାତ୍ ହେଲା ନାହିଁ । ଷଷ୍ଠଦିନ ଯେତେବେଳେ ଉଭୟଙ୍କର ଭେଟ ହେଲା, ସେତେବେଳେ ସୁସ୍ମିତା କେମିତି ଅଭିଭୂତ ଦିଶୁଥିଲା- ସତେ ଅବା ସେ ଅଟକିଯାଇଛି ନିଦ୍ରା ଓ ଜାଗରଣର ସୀମାନ୍ତରେ ।

“ତୁମେ ଏମିତି ଦିଶୁଛ କାହିଁକି ?” – ଆଶ୍ଚର୍ଯ୍ୟ ହୋଇଥିଲା ତନ୍ମୟ ।

ତୁମ ପାଇଁ. . . !

ତନ୍ମୟ ପ୍ରଶ୍ନବାଚୀ ଆଖିରେ ଅନେଇ ରହିଲା । ତା’ ସଂସ୍ପର୍ଶରେ ସୁସ୍ମିତା ଯଥାଶୀଘ୍ର ସ୍ୱାଭାବିକ ଚେତନାକୁ ପ୍ରତ୍ୟାବର୍ତ୍ତନ କଲା ଓ ଯାହା କହିଲା, ତା’ର ମର୍ମ ହେଲା, ସେ ତା’ ପିତାଙ୍କ ଅଜ୍ଞାତସାରରେ, ଏକ ବିଶେଷ ନାକ୍ଷତ୍ରିକ ଯୋଗାଯୋଗର ସୁଯୋଗ ନେଇ ଏପରି ଏକ ତାନ୍ତ୍ରିକ ଅନୁଷ୍ଠାନ କରିଛି, ଯାହା ଫଳରେ ତନ୍ମୟର କପାଳରେ ରାଜତିଳକ ଅଙ୍କିତ ହେବା ସମ୍ଭବ ହୋଇପାରେ ।

ଏ କଥା ଉପରେ ତନ୍ମୟ କେତେ ଗୁରୁତ୍ୱ ଦେଲା, କହିହେବ ନାହିଁ । ସେ ପ୍ରଶ୍ନ କଲା, ତନ୍ତ୍ର ଦ୍ୱାରା କ’ଣ ଜଣକର ଭାଗ୍ୟ ବଦଳାଇ ଦେବା ସମ୍ଭବପର ।

ନା- ମଣିଷ ନିଜେ ହିଁ ନିଜ ଭାଗ୍ୟ ବଦଳାଇପାରେ, କିମ୍ୱା ପାରେ ଦିବ୍ୟକୃପା ।

ଦିବ୍ୟକୃପା ମୋତେ ରାଜା କରିବାର କୌଣସି କାରଣ ନାହିଁ । ଆଉ ମୋ ଭାଗ୍ୟ ସେଭଳି ମୋଡ଼ ନେବା ପାଇଁ ମୁଁ ନିଜେ କିଛି କରିନାହିଁ । – ଯୁକ୍ତି ଦେଲା ତନ୍ମୟ ।

କରିନାହଁ ।

ନା ତ !

ସୁସ୍ମିତା ହସିଲା । ମୋ ସହ ତୁମର ସମ୍ପର୍କ କ’ଣ ଏକ କର୍ମ ନୁହେଁ ? ଏ ସମ୍ପର୍କ କ’ଣ ତୁମ ଭାଗ୍ୟକୁ ପ୍ରଭାବିତ କରନ୍ତା ନାହିଁ ? ଆଉ ଏ ସମ୍ପର୍କ କ’ଣ ତୁମର ଅନିଚ୍ଛାକୃତ ?

ଏ ପ୍ରଶ୍ନର ଉତ୍ତର ଦେପାରିଲା ନାହିଁ ତନ୍ମୟ । ମଣିଷର ଇଚ୍ଛା ଅନିଚ୍ଛା ଏବଂ ଘଟଣାଚକ୍ର ଭିତରେ ଠିକ୍ କେଉଁଠି ସୀମାରେଖା ଟାଣିବା ସମ୍ଭବପର । ସୁସ୍ମିତା ସହ ତା’ର ସମ୍ପର୍କ ସେ ଠିକ୍ କେଉଁ ପର୍ଯ୍ୟାୟରେ ରୋକି ଦେଇପାରିଥାନ୍ତା ।

ତା’ ଚିନ୍ତାରେ ବାଧା ଦେଇ ଆଶ୍ୱାସନା ଶୁଣାଇଲପା ଭଳି କହିଲା ସୁସ୍ମିତା ।

ରାଜପଦ ଏଭଳି କିଛି ଅସ୍ୱାଭାବିକ ଭାଗ୍ୟ ନୁହେଁ । ବାପା କହୁଥିଲେ, ତୁମ କପାଳରେ ଅସାଧାରଣ ଲକ୍ଷଣ ରହିଛି । ରାଜା ନ ହେଲେ ହୁଏତ ହେବ ଗୁରୁ । ସମାଜ ଆଗରେ ରାଜା ବିରାଟ, କିନ୍ତୁ ଅତିଭୌତିକ ସ୍ତରରୁ ଦେଖିଲେ ତାହା ବହୁ ସମ୍ଭାବନା ଭିତରେ ଅନ୍ୟତମ ମାତ୍ର ।

ତନ୍ମୟ ମୁଗ୍ଧ ହେବା ସଙ୍ଗେ ସଙ୍ଗେ ଜ୍ଞାନମାର୍ଗରେ ନିଜର ସୀମା ବିଷୟରେ ସଚେତନ ହେଲା ଓ ଆଲୋଚନାକୁ ଅବନମିତ କଲା ଭିନ୍ନ ଏକ ପର୍ଯ୍ୟାୟକୁ- ଆଚ୍ଛା, ନାରୀମାନଙ୍କ ପାଇଁ ପରା ତାନ୍ତ୍ରିକ କ୍ରିୟାକଳାପ ମନା ।

କୁସଂସ୍କାର. . . ତନ୍ତ୍ରର ଉତ୍ସ କିଏ ? ଶକ୍ତି ନାରୀରୂପରେ ପୂଜିତା । ମୋ ବାପାଙ୍କ ଦୀକ୍ଷାରେ କେତେ ନାରୀ ଭୈରବୀ ବନିଛନ୍ତି । ତେବେ କେତେକ ନିର୍ଦ୍ଦିଷ୍ଟ କ୍ରିୟାକଳାପ ନିଷେଧ- ନିଜ ପାଇଁ, ଅନ୍ୟର ହିତାହିତପାଇଁ ଉଦ୍ଦିଷ୍ଟ କୌଣସି ଅନୁଷ୍ଠାନ ନିଷିଦ୍ଧ ନୁହେଁ । ଅନ୍ତତଃ ଅନ୍ୟ ପ୍ରତି କଲ୍ୟାଣ ଭାବରେ ଉଦ୍ବୁଦ୍ଧ ହୋଇ ଯାହା କରାଯାଇଥାଏ, ତାହା ଦୋଷାବହ ହୋଇପାରେନା ।

ତନ୍ମୟ କହିବାକୁ ଯାଉଥିଲା, କିନ୍ତୁ ତୁମେ ଯାହା କଲ, ତାହା ନିର୍ମଳ କଲ୍ୟାଣ କାମନା ଦ୍ୱାରା ବା କଲ୍ୟାଣୀୟର ଭାଗ୍ୟକୁ ନିୟନ୍ତ୍ରିତ କରିବାର ଆସ୍ପର୍ଦ୍ଧା ଦ୍ୱାରା ପ୍ରେରିତ । ତେବେ ସେଭଳି ରୁକ୍ଷ ବାକ୍ୟ ସେ କାହାରି ପ୍ରତି ପ୍ରୟୋଗ କରିପାରୁନଥିଲା- ସୁସ୍ମିତା ପ୍ରତି କରିବାର ପ୍ରଶ୍ନ ବା କାହୁଁ ଉଠୁଥିଲା ।

ଯେପରି ନିଜକୁ ସମର୍ଥନ କରିବାର ଆବଶ୍ୟକତା ଦୃଷ୍ଟିରୁ ସୁସ୍ମିତା ପୁଣି କହିଲା, “ମୁଁ ମୋ ପାଇଁ କିଛି କରିନାହିଁ- କରିଛି ତୁମ ପାଇଁ ।”

ତନ୍ମୟ ହସି କହିଲା, “କିନ୍ତୁ ରାଜାଙ୍କ ବାମ ପାର୍ଶ୍ୱ ସିଂହାସନ କ’ଣ ଖାଲି ରହିବ । ତହିଁ ସୁବର୍ଣ୍ଣ ପ୍ରତିମା ଥାପି ମୁଁ ଅନ୍ତତଃ ସନ୍ତୁଷ୍ଟ ରହିପାରିବି ନାହିଁ ।”

ମୋ ନିଜ ଭାଗ୍ୟ ମୁଁ ଜାଣେନା । ବାପାଙ୍କୁ ସେ ବିଷୟରେ ପ୍ରଶ୍ନ କଲେ ସେ ପ୍ରସଙ୍ଗ ହାଲୁକା କରିଦେବାକୁ ଚେଷ୍ଟା କରନ୍ତି, ଅର୍ଥାତ୍ ଏଡ଼ାଇଯାନ୍ତି । କିନ୍ତୁ ପରେ ତାଙ୍କ ମୁହଁରେ ମୁଁ ଲକ୍ଷ୍ୟ କରିଛି ଏକପ୍ରକାର ଉଦାସ ଗାମ୍ଭୀର୍ଯ୍ୟର ଛାୟା- ଏକାଧିକବାର । ତେଣୁ ମୋ ପ୍ରଶ୍ନ ସହ ସେ ଗାମ୍ଭୀର୍ଯ୍ୟର ସମ୍ପର୍କ ନାହିଁ ବୋଲି କହିବି କିପରି ? – ଏଥର ସୁସ୍ମିତା ନିଜେ ଗମ୍ଭୀର ଦେଖାଗଲା ।

– ତା’ପରେ –

ଲୋକପ୍ରିୟ ଲେଖା

To Top