ଗଳ୍ପ

ସୁବର୍ଣ୍ଣ କଳସ

Manoj Das's odia story Subarnna Kalasa

ଯଦି ମୁଁ ବିବାହ କରିବି, ତେବେ ତାହା କେବେ ତାନ୍ତ୍ରିକ ଚଣ୍ଡଗୌରାଙ୍ଗଙ୍କ କନ୍ୟା ସୁସ୍ମିତା ସହ । ମୁଁ ପ୍ରତିଶ୍ରୁତିବଦ୍ଧ ।

ସୁବର୍ଣ୍ଣ କଳସ

-: ପୂର୍ବରୁ :-

ସେଦିନ କାହିଁକି କେଜାଣି ସୁସ୍ମିତାଠୁଁ ବିଦାୟ ନେବାବେଳେ ଏକପ୍ରକାର ଅନୁଭୂତପୂର୍ବ ଭାବ ତନ୍ମୟକୁ ଆଚ୍ଛନ୍ନ କରିଥିଲା । ସେ ଭାବରେ ପୁଲକ ବା ଅନାଗତ ମଙ୍ଗଳର ଶିହରଣ ନଥିଲା, ଥିଲା ସୁସ୍ମିତା ପ୍ରତି ଗଭୀର କୃତଜ୍ଞତା- କିନ୍ତୁ କରୁଣ, ବିଷାଦମୟ । ଯେକୌଣସି ମଣିଷର ସ୍ୱତଃପ୍ରବାହିତ ଭାଗ୍ୟଧାରା ଓ ତା’ର ନିୟାମକ ବିଧାତା ମଝିରେ ଅନୁପ୍ରବେଶ କରି ସେ ଧାରାକୁ ନିୟନ୍ତ୍ରଣ କରିବାର ଚେଷ୍ଟା ବିପଜ୍ଜନକ । କାହିଁକି ତା’ର ପ୍ରିୟ ସୁସ୍ମିତା ସେଭଳି ଦୁଃସାହସ କଲା । ସୁସ୍ମିତା ନିଜେ ବି ସ୍ୱତଃସ୍ଫୂର୍ତ୍ତ ଭାବରେ ହସିପାରୁନଥିଲା ।

ପରଦିନ ସନ୍ଧ୍ୟାରେ ଗୁରୁ ଧୀମାନ୍ ତନ୍ମୟକୁ ଡକାଇଲେ ଓ ତା’ ଆଖିରେ ଦୃଷ୍ଟି ନିବଦ୍ଧ କଲେ । ଅଚିରେ ତନ୍ମୟ ଆଖି ଅବନତ କଲା ।

ବତ୍ସ ! ଆଗାମୀ କାଲି ସୂର୍ଯ୍ୟୋଦୟ ସମୟରୁ ସୂର୍ଯ୍ୟାସ୍ତ ଭିତରେ ତମେ କୁଆଡ଼େ ନ ବାହାରିଲେ ଉତ୍ତମ । ତମର ତ ଦୀର୍ଘ ସମୟ ଧ୍ୟାନସ୍ଥ ରହିବାର ଅଭ୍ୟାସ ଅଛି- ତେଣୁ ସମୟ ବିତିଯିବ ।

ତନ୍ମୟ ଜିଜ୍ଞାସୁ ଦୃଷ୍ଟିରେ ଅନାଇଲା । କିନ୍ତୁ ଗୁରୁ ଉଠିପଡ଼ିଲେ- ଅର୍ଥାତ୍ ସେ ନିଜ ନିର୍ଦ୍ଦେଶର ବ୍ୟାଖ୍ୟା ଦେବାକୁ ପ୍ରସ୍ତୁତ ନଥିଲେ ।

ବିସ୍ମିତ ହେଲେ ବି ତନ୍ମୟ ଆଜ୍ଞା ପାଳନ ପାଇଁ ପ୍ରସ୍ତୁତ ହେଲା । ଅନୁଚ୍ଚ ପାହାଡ଼ର ଧାଡ଼ିଏ ଗୁମ୍ଫା ଉପରେ କେତୋଟି କୁଟୀର- ତହିଁରୁ ଗୋଟିଏ ତା’ର । ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନାଦି ସମାପନ କରି ତନ୍ମୟ ଧ୍ୟାନରେ ବସିଲା । ଅଭ୍ୟାସ ବ୍ୟାହତ ହୋଇଥିଲେ ବିଚଳିତ ଚିତ୍ତବୃତ୍ତି ନିରୋଧ କଡ଼େ କଷ୍ଟସାଧ୍ୟ, ଆଜି ସେ ତାହା ବୁଝିଲା ଓ ବୁଝି ଲଜ୍ଜିତ ହେଲା । ସଙ୍ଗେ ସଙ୍ଗେ ସେ ଆହୁରି ଗୋଟିଏ କଥା ବୁଝି ଚମତ୍କୃତ ହେଲା- ସେ ଏ ତ୍ରୁଟି ପାଇଁ ନିଜକୁ ଧିକ୍କାର ଦେବାକୁ ଅକ୍ଷମ । କାରଣ, ଧ୍ୟାନାଭ୍ୟାସର ବିକଳ୍ପ ହୋଇ ଦେଖା ଦେଇଥିବା ସୁସ୍ମିତା ଉଦ୍ଦେଶ୍ୟରେ ବଳେ ବଳେ ସେ ଧିକ୍କାରର ଅର୍ଦ୍ଧେକ ଚାଲିଯିବ । ତାହା ହେବାକୁ ଦେବା ଅସମ୍ଭବ ।

ସେ ଯାହା ହେଉ, କ୍ରମେ ଧ୍ୟାନ ତାକୁ ପରିପାର୍ଶ୍ୱକୁ ଭୁଲାଇ ଦେଲା ।

କୌଣସି ପ୍ରତ୍ୟାଶିତ କୋଳାହଳ ଓ ଧ୍ୱନିରେ ତା’ ଧ୍ୟାନ ଭଙ୍ଗ ହେଲା । ସେ ପୁରାପୁରି ପ୍ରକୃତିସ୍ଥ ହେବା ପୂର୍ବରୁ କୁଟୀର ବାହାରକୁ ଚାଲିଆସିଲା । ସୂର୍ଯ୍ୟାସ୍ତକୁ ଅଳ୍ପ ସମୟ ବାକି । ସୁସଜ୍ଜିତ, ଅଳଙ୍କୃତ ହାତୀ ପଛେ ପଛେ ଚାଲିଥିଲେ ରାଜ୍ୟର ପ୍ରବୀଣ ମନ୍ତ୍ରୀ, ସେନାପତି, ରାଜପୁରୋହିତ, କଟୁଆଳ, ଅମାତ୍ୟବର୍ଗ, ସହସ୍ରାଧିକ ନାଗରିକ । ତନ୍ମୟ କିଛି ବୁଝିପାରିବା ପୂର୍ବରୁ ହାତୀ ଶୁଣ୍ଢ ଉପରକୁ ଉଠିଗଲା, ସୁବର୍ଣ୍ଣ କଳସରୁ ଗଳଗଳ ସୁଗନ୍ଧ ନୀର ଅଜାଡ଼ି ହୋଇପଡ଼ିଲା ତନ୍ମୟ ମୁଣ୍ଡରେ । ବିପୁଳ କରତାଳି ଓ ଜୟଧ୍ୱନିରେ ଅରଣ୍ୟ ମୁଖରିତ ହେଲା । ଉଠିପଡ଼ି ଓ ଶିଳାଖଣ୍ଡମାନ ଆରୋହଣ କରି ମନ୍ତ୍ରୀ, ସେନାପତି ଓ କଟୁଆଳ ତନ୍ମୟକୁ ଅଭିବାଦନ ଜଣାଇଲେ ଓ ନମ୍ରଭାବରେ କହିଲେ, “ମଣିମା ! ହାତୀ ଉପରେ ଆସନ ଗ୍ରହଣ କରନ୍ତୁ ।”

“କାହିଁକି ?” – ତନ୍ମୟ ବିକଳ-ବିହ୍ୱଳ କଣ୍ଠରେ ପ୍ରଶ୍ନକଲା ।

“ଆପଣ ଆମର ବିଧି- ନିର୍ଦ୍ଦିଷ୍ଟ ନୂତନ ରାଜା ।” – ମନ୍ତ୍ରୀ ଜଣାଇଲେ ।

“ରାଜା ଅପୁତ୍ରକ ଅବସ୍ଥାରେ ମୃତ୍ୟୁବରଣ କରିବା ସମ୍ୱାଦ ବୋଧହୁଏ ଆପଣଙ୍କ ଗୋଚରକୁ ଆସିନାହିଁ ।” – କହିଲେ ସେନାପତି ।

“ବହୁ ପୁରାତନ, ପରୀକ୍ଷିତ ଓ ପବିତ୍ର ବିଧି ଅନୁସାରେ ପାଟହାତୀ ଉପରେ ନୂତନ ରାଜା ମନୋନୟନର ଭାର ଛାଡ଼ି ଦିଆଯାଇଥିଲା । ନଗର ଜନପଦ ଛାଡ଼ି ହାତୀ କାହିଁକି ଅରଣ୍ୟରେ ପ୍ରବେଶ କଲା, ଆମେ ତାହା ଭାବି ବିସ୍ମିତ ହେଉଥିଲୁ । ହାତୀ କିନ୍ତୁ ଯଥାବିଧି ତା’ କର୍ତ୍ତବ୍ୟ ପାଳନ କରିଛି ।” – କହିଲେ କଟୁଆଳ ।

“ଚାଲନ୍ତୁ, ମଣିମା ! ଅଭିଷେକ ଓ ସିଂହାସନାରୋହଣ ପରେ ଆପଣ ନିର୍ଦ୍ଦେଶ ଦେଲେ ଯାଇ ପୂର୍ବ ରାଜାଙ୍କ ସତ୍କାର ହେବ । ରାଜା ବିନା ଆଉ ଜଣେ ରାଜାର କଳେବର ଅପସାରଣ କରିବାର ଆଦେଶ ଆଉ କିଏ ବା ଦେଇପାରିବ ।” – କହିଲେ ପୁରୋହିତ ।

ମନ୍ତ୍ରୀ ଓ ସେନାପତି ତନ୍ମୟକୁ ପ୍ରାୟ ଠେଲି ନେଇ ଚାଲିଲେ । ଜନତାର ଉଲ୍ଲାସ ଧ୍ୱନି ଅବ୍ୟାହତ ରହିଥାଏ । ତନ୍ମୟକୁ ହାତୀ ଉପରେ ଚଢ଼ାଇ ଦିଆଗଲା । ହାତୀ ନଗରୀ ଅଭିମୁଖେ ଚାଲିଲା । ଉଆସରେ ତନ୍ମୟ କଣ୍ଠରେ ପୁଷ୍ପମାଲ୍ୟ ତଥା ରତ୍ନହାର ପକାଇ ତାକୁ ସ୍ୱାଗତ କଲେ ପିତୃମାତୃହରା ରାଜକନ୍ୟା ହୈମବତୀ । ଅଭିଷେକ ସକାଶେ ପ୍ରସ୍ତୁତି ସରିଥାଏ । ତନ୍ମୟ ସିଂହାସନାରୂଢ଼ ହୋଇ ମୃତ ରାଜାଙ୍କ ସତ୍କାର ପାଇଁ ନିର୍ଦ୍ଦେଶ ଦେଲା । ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ ତଥା ଅମାତ୍ୟବର୍ଗ ଓ ସମ୍ଭ୍ରାନ୍ତ ଜନତାର ଜୟଧ୍ୱନି ଭିତରେ ତନ୍ମୟ ଭାବୁଥାଏ ସୁସ୍ମିତା କଥା । କେଡ଼େ ଅସାଧାରଣ ତା’ର ଶକ୍ତି । ପୁଣି ଭାବୁଥାଏ, ଗୁରୁଙ୍କ ନିର୍ଦ୍ଦେଶ କଥା । ଦିବ୍ୟଜ୍ଞାନୀ ଗୁରୁ ନିଶ୍ଚୟ ତା’ର ଏଭଳି ଭବିଷ୍ୟତ୍ ଚାହୁଁ ନଥିଲେ । ସେ ତାକୁ କୁଟୀରରୁ ବାହାରିବାକୁ ନିଷେଧ କରିଥିଲେ ।

ମୁଁ ଗୁରୁଙ୍କୁ ଭେଟିବାକୁ ଯିବି । ଆସିବା ପୂର୍ବରୁ ତାଙ୍କର ଅନୁମତି ଓ ଆଶୀର୍ବାଦ ଆଣିବାର ସମୟ ପାଇଲି ନାହିଁ । ତିନିଦିନ ବ୍ୟାପୀ କ୍ରମାଗତ ଅନୁଷ୍ଠାନ ପରେ, ସୁଯୋଗ ପାଇ ତନ୍ମୟ ମନ୍ତ୍ରୀଙ୍କୁ କହିଲା ।

“ମହାରାଜ ! ଗୁରୁ ଧୀମାନ୍ ହିମାଳୟ ଚାଲିଗଲେଣି । ତା’ ଛଡ଼ା ପରବର୍ତ୍ତୀ ଅନୁଷ୍ଠାନଟି ଶେଷ ହୋଇଯାଉ- ତେଣିକି ଆପଣ ଉଆସରୁ ବାହାରିବେ ।” – ମନ୍ତ୍ରୀ ଜଣାଇଲେ ।

ପରବର୍ତ୍ତୀ ଅନୁଷ୍ଠାନ ।

ମହାରାଜ ! ରାଜକୁମାରୀ ହୈମବତୀଙ୍କ ସହ ଆପଣଙ୍କର ଶୁଭପରିଣୟ ।

ଅସମ୍ଭବ ! ସଜ୍ଞାନ ଜୀବନରେ ପ୍ରଥମଥର ପାଇଁ ଚିତ୍କାର କରି କହିଲା ତନ୍ମୟ । ଚମକି ପଡ଼ିଲେ ମନ୍ତ୍ରୀ, ସେନାପତି, ପୁରୋହିତ ଓ କଟୁଆଳ ।

ଏଥିରେ ଅସମ୍ଭବ ବା ଅସ୍ୱାଭାବିକ କ’ଣ, ମହାରାଜ ? – ଅନ୍ୟମାନଙ୍କୁ ସେଠାରୁ ଚାଲିଯିବାକୁ କହି ଚାରି ଶାସନ- ପ୍ରମୁଖ ତନ୍ମୟଙ୍କୁ ପ୍ରଶ୍ନ କଲେ ।

“ଯଦି ମୁଁ ବିବାହ କରିବି, ତେବେ ତାହା କେବେ ତାନ୍ତ୍ରିକ ଚଣ୍ଡଗୌରାଙ୍ଗଙ୍କ କନ୍ୟା ସୁସ୍ମିତା ସହ । ମୁଁ ପ୍ରତିଶ୍ରୁତିବଦ୍ଧ ।”

ହସିଲେ ମନ୍ତ୍ରୀ ଓ ସେନାପତି । ସୁସ୍ମିତାକୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା ଜଣେ ଆଶ୍ରମବାସୀ ଗରିବ ଯୁବକ- ମହାରାଜ ତନ୍ମୟଚନ୍ଦ୍ର ନୁହନ୍ତି । ସେ ପ୍ରତିଶ୍ରୁତି ବର୍ତ୍ତମାନ ଅର୍ଥହୀନ । ଦୁଇ ପ୍ରଧାନ କର୍ମଚାରୀ ନିଜ ନିଜ ଭିତରେ ଭାଗ କରି ବିବୃତିଟି ଦେଲେ ।

ମହାରାଜ ! ସୁସ୍ମିତା ସହ ଆପଣଙ୍କ ବିବାହର କଳ୍ପନା ଅବାସ୍ତବ । ସେ ଚଣ୍ଡଗୌରାଙ୍ଗଙ୍କ କନ୍ୟା ନୁହେଁ- ତା’ର କୁଳ ଅଜ୍ଞାତ- ହୁଏତ ଅବୈଧ । ଅଭିଭାବକ ସୁଲଭ ରୀତିରେ ବୁଝାଇଲେ ପୁରୋହିତ ।

ଅବଶ୍ୟ, ମହାରାଜ, ସୁସ୍ମିତା ଉଆସରେ ଆମ ରାଜକନ୍ୟାଙ୍କର ସଖୀ- ଅର୍ଥାତ୍ ଆପଣଙ୍କ ସେବିକା ଭାବରେ ରହିବାରେ କାହାରି ଆପତ୍ତିର ଅବକାଶ ଥାଇନପାରେ । – ସମସ୍ୟାର ସମାଧାନ ଯୋଗାଇ ଦେବା ଭଙ୍ଗୀରେ କହିଲେ କଟୁଆଳ ।

ଅସମ୍ଭବ ! – ପୁନର୍ବାର ଚିତ୍କାର କଲା ତନ୍ମୟ, ମୁଁ ରାଜକନ୍ୟାଙ୍କୁ ବିବାହ କରିବି ନାହିଁ ।

“ଆପଣ କରିସାରିଛନ୍ତି ମହାରାଜ- ତାଙ୍କ ମାଳା ଗ୍ରହଣ କରି । ଆଉ ସର୍ବସମକ୍ଷରେ ଆପଣଙ୍କୁ ବରଣ କରିବାର ପ୍ରମାଣ ରଖିବା ପରେ ରାଜକନ୍ୟା ଭିନ୍ନ କାହାକୁ ବିବାହ କରିବାର ପ୍ରଶ୍ନ ବା ଉଠିବ କିପରି ? ଯାହା ହେଉଛି ତାହା ପରମ୍ପରା । ଅପୁତ୍ରକ ରାଜାଙ୍କର ବିଧି- ନିର୍ଦ୍ଦିଷ୍ଟ ଉତ୍ତରାଧିକାରୀ ରୂପେ ଯିଏ ସିଂହାସନାରୋହଣ କରିବ, ସିଏ ରାଜକନ୍ୟାଙ୍କୁ ବିଭା ହେବାକୁ ବାଧ୍ୟ । ରାଜକନ୍ୟା ନଥିଲେ ଅବଶ୍ୟ ଆପଣଙ୍କର ଅନ୍ୟତ୍ର ବିବାହର ସ୍ୱାଧୀନତା ଥାନ୍ତା ।” – କହିଲେ ମନ୍ତ୍ରୀ ।

ଅଧୈର୍ଯ୍ୟ ଭାବରେ କହିଲା ତନ୍ମୟ, “ହାତୀ ଯେ ମୋ ମୁଣ୍ଡରେ ସୁବର୍ଣ୍ଣ କଳସ ଢାଳିଲା, ତାହା ସୁସ୍ମିତା ଯୋଗୁଁ । ସେ ରହସ୍ୟ ଆପଣମାନଙ୍କୁ ମୁଁ ବୁଝାଇବି କିପରି ?”

ପ୍ରମୁଖଗଣ ପରସ୍ପରକୁ ଅନାଇଲେ ଓ ପୁରୋହିତ କହିଲେ, “ମହାରାଜ, ଆପଣ ବାସ୍ତବିକ ବୁଝାଇପାରିବେ ନାହିଁ । ଆମ ପାଇଁ ସେ ରହସ୍ୟର ଏକମାତ୍ର ଅର୍ଥ ହେଲା ଦୈବବିଧାନ, ଆପଣଙ୍କ ପାଇଁ ଭାଗ୍ୟ, ସୌଭାଗ୍ୟ- ବାସ୍ !”

ତନ୍ମୟ ବୁଝିଲା ନାହିଁ । ଯୁକ୍ତି ପ୍ରତିଯୁକ୍ତି ଲାଗି ରହିଲା ମଧ୍ୟରାତ୍ରି ଯାଏ । ସେସବୁ ଅମୀମାଂସିତ ରଖି ପ୍ରମୁଖ ଚାରିଜଣ ବିଦାୟ ନେଲେ । ଶୋଇବାକୁ ଚେଷ୍ଟାକଲା କ୍ଳାନ୍ତ ତନ୍ମୟ- ନିଦ ଆସିଲା ନାହିଁ ।

ଶେଷ ପ୍ରହରରେ ସେ ଚମକି ପଡ଼ିଲା । ପ୍ରାସାଦ ସମ୍ମୁଖରେ ଏ କାହାର କଣ୍ଠସ୍ୱର । କାହା ପ୍ରତି ଦ୍ୱାରରକ୍ଷୀମାନଙ୍କର ଧମକ । ତନ୍ମୟ ଶୟନକକ୍ଷରୁ ବାହାରି ଆସିବା ମାତ୍ରେ ବ୍ୟକ୍ତିଗତ ସେବକ ଦୁଇଜଣ ଅଭିବାଦନ ଜଣାଇ ପ୍ରଶ୍ନ କଲେ, କି ଆଜ୍ଞା, ମଣିମା !

– ତା ପରେ –

ଲୋକପ୍ରିୟ ଲେଖା

To Top