ନିଶବ୍ଦ ପାଦ ଧ୍ଵନି କୁ
କେବେ କେବେ କାନେଇଲେ
ଚିହ୍ନା ପଡିଯାଏ
ଗୁଣ, ଖୁଣ, ଆଉ ଲକ୍ଷଣ
ସବୁଥିରେ ଧରା ପଡେ ତାର ଶୈତାନ ପଣ ।
ଏମିତି ତ ପାଦ ତଳୁ ଖସି ଯାଏ ମାଟି
ତଥାପି ଜାବୋଡି ଧରିବାକୁ ପଡେ
ନିଜକୁ ସାଉଁଟି ନେଇ,
ଭଗ୍ନତାରୁ ଉଠି ।
ମାନି ନେବାକୁ ପଡେ ତାର ଉପସ୍ଥିତି
ଗୋଟାଇବାକୁ ହୁଏ –
ଗୋଟି ଗୋଟି କରି ବିଶ୍ୱାସ ଓ ସାହସର ଭିତ୍ତି
ଯୁଦ୍ଧ ଡାକରାରେ ହୁଏ ତ ଦୋହଲି ଯାଏ
କେତେ ଭରସା ଓ ଆଶା।
ଭାଙ୍ଗି ଯାଏ ଅୟୁତ ଯୁଗରୁ ବସା ବାନ୍ଧିଥିବା ସ୍ୱପ୍ନ ଆଉ ନିଶା ।
ସେତେବେଳେ ନିଜକୁ ଖୁବ ଭଲ ପାଇବାକୁ ପଡେ, ପୁଣିଥରେ
ଖୋଜିବାକୁ ପଡେ ଆଲୋକ,
ଯୋଗ, ପ୍ରାର୍ଥନା, ଚିକିତ୍ସା ଆଉ ଶୁଭ କାମନାରେ
ପୁଣିଥରେ କଟି ଯାଏ କର୍କଟ ର ସମସ୍ତ ପଞ୍ଝା-
ଗୋଟିକ ପରେ ଗୋଟେ।
ଜୀବନ ହସେ ବିଜୟ ର ହସ
ପୁଣିଥରେ ଖୁସିର ଫୁଲ ଫୁଟେ…
