କବିତା

ଏକା ଏକା

Brundabana Das's odia poem Ekaa Ekaa

ଘଟଣା ଦୁର୍ଘଟଣାର ଭିନ୍ନ ଦୁଇ ରୂପ
ଜୀବନକୁ ଛୁଏଁ ହୃଦୟକୁ ଘାରେ
ଏପରି ବି ହୋଇପାରେ
କେବେ କେବେ ଅବିବେକୀତାର ଦ୍ବିଧାହୀନ ପ୍ରୟାସରେ
ଅନିଶ୍ଚିତତାର କଳାଛାଇ ଛୁଏଁ କେତେକାଳ ଆଗାମୀ ଦିନକୁ ।

ସମସ୍ତଙ୍କ ଅଲକ୍ଷ୍ୟରେ ଅତି ଏକାନ୍ତରେ
ଅନ୍ତର୍ଦାହକୁ ବ୍ୟବଚ୍ଛେଦ କରି ନିଦାନ ଖୋଜିବା
ନିଜକୁ ପଚାରି ଧିକ୍କାର କରି
କାନମୁଣ୍ଡା ଆଉଁଶି
କିଛି ଗୋଟେ ରାସ୍ତା ନିଜ ପାଇଁ ପ୍ରସ୍ତୁତ କରିବା
କେହି କିଛି ଜାଣିବା ଆଗରୁ
ଦୃଢ଼ ନିଷ୍ପତ୍ତିରେ ପ୍ରାଞ୍ଜଳ ଅଭିବ୍ୟକ୍ତିରେ
ସବୁ ସ୍ପଷ୍ଟ କରିଦେବା ନିଜ ପାଖେ
ପରିଷ୍କାର ଦିନ ଆଲୁଅରେ ।

ଏମିତି ଦିନ ଥିବ ଉଇଁ ନ ଥିବ ସୂର୍ଯ୍ୟ
ଅନ୍ଧାରି ଆକାଶର କାନଭାସରେ
ଫୁଟି ନଥିବ ଚିକିମିକି ଅଗଣିତ ତାରା
ତୃଷ୍ଣାର ଶତ ଝଲକରେ ହସି ନ ଥିବ ଜହ୍ନ
ପଛକରି ଯେତେ ସବୁ ଦୁଃସ୍ଥ ଅବବୋଧ
ଛାଇ ଦେବାକୁ କମନୀୟ ଶୁଭ୍ରତାରେ
ପୃଥିବୀ ଆକାଶ ସାରା ମନ ବୁଦ୍ଧି ଓ ବିବେକ ।

ଏମିତି ହିଁ ଘଟିଥିବ ଯେପରି
ସମୟର ଅବାରିତ ସ୍ରୋତ ନଦୀ ପରି ବହେ
ନଦୀ ଗର୍ଭରୁ ସ୍ରୋତ କାଟି କୂଳ ଛୁଉଁଥିବା
କି ଛୁଇଁବାର ମୁହୂର୍ତ୍ତେ ପୂର୍ବରୁ ଡୁବୁଥିବା ଡଙ୍ଗା ।

ଘଟଣା ଦୁର୍ଘଟଣାର ଭିନ୍ନ ଦୁଇ ରୂପ
ଜୀବନକୁ ଛୁଏଁ ହୃଦୟକୁ ଘାରେ
ଏପରି ବି ହୋଇପାରେ
କେବେ କେବେ ଅବିବେକୀତାର ଦ୍ବିଧାହୀନ ପ୍ରୟାସରେ
ଅନିଶ୍ଚିତତାର କଳାଛାଇ ଛୁଏଁ କେତେକାଳ ଆଗାମୀ ଦିନକୁ ।

ସବୁସତ ପରି ସତ ଅନ୍ଧାର ଆଲୁଅ
ପାପପୁଣ୍ୟ ଦେହ ସୁହା ବାସ୍ତବିକତା
ଦେହରୁ ଛାଇ ଯେତିକି ଦୂର
ତା’ଠୁଁ ନିକଟ ଆଖି ଖୋଲିବାଠୁଁ ବୁଜିବା
କ୍ଷଣ କ୍ଷଣକେ
ଛନ୍ଦ ପତନରେ ଦୃଶ୍ୟ ଅଦୃଶ୍ୟର ଅନୁଭବ
ଖସି ଯାଉଥବା ସମୟ, ପ୍ରେମ, ବିରହ-କଳହ
ଅପେକ୍ଷା ଓ ଉପେକ୍ଷାର ଘନ କୁହୁଡିରୁ
ନିଜକୁ ମୁକାଳି
ଛୁଇଁବାକୁ ହେବ ଈପସିତ ଠିକଣା ।

ଶୂନ୍ ଶାନ୍ ରାସ୍ତାରେ
ନିଜ ଅସ୍ତିତ୍ଵର ବୋଝ ମାଡ଼ି ବସୁଥିବା ବେଳେ
କ୍ରମଶଃ କ୍ଷୀଣ ହେଉଥିବ ପଦଶଦ୍ଦ ସବୁ
ଅନ୍ଧଦୌଡର ତୀବ୍ର ପ୍ରତିଯୋଗିତାରେ
ସଖା ସହୋଦରମାନେ
ଅଚିହ୍ନାପଣରେ ହେଉଥିବେ ଦୋ’ ଦୋ ଚିହ୍ନା
ଏତିକିବେଳେ ପ୍ରସ୍ତୁତ କରିବ ନିଜକୁ
ଆତ୍ମ ବିଶ୍ବାସର ହାତ ଧରି
ଚାଲିବାକୁ ଏକା ଖୁବ୍ ଏକା ଏକା ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top