କବିତା

ଅବଣ୍ଟା ସୁଖ ଦୁଃଖ

Dr Nilamadhab Kar's odia poem Abanta Sukha Duhkha

ଅନ୍ୟର ଖୁସି ଜଳ ଜଳ ଦିଶେ,
ବେଳେବେଳେ ଜଳାଏ ଦିହକୁ,

ଦୁଃଖ ବାଣ୍ଟିବାକୁ କୁଣ୍ଠା,
କାଳେ କିଏ କେଉଁ ନଜରେ ଦେଖିବ,
ମୁଁହ ବୁଲେଇ ହସିବ,
ଏ ଯେମିତି ଅଜାଗା ଘା’,
ତାକୁ ଲୁଚେଇ ରଖିବାକୁ ଇଚ୍ଛା

ଖୁସି ବାଣ୍ଟିବାକୁ ଡର,
କାଳେ କିଏ ଆଖି ପକେଇବ, ଦୃଷ୍ଟି ହେବ,
କାହା ମନ ଭିତରେ କଣ ଅଛି, କିଏ ଜାଣେ
ହେବା କଥା ହେବନି ଭୟରେ,
ହସିବାକୁ ମନା

ମାପଦଣ୍ଡରେ ମାପି ପାରିଲେ,
ଆହୁରି ଗଭୀର ଦୁଃଖ ଅଛି,
ଦୁନିଆରେ, ଅନ୍ୟ ବୁଜୁଲିରେ,
ହୁଏତ ଅସ୍ପଷ୍ଟ, ଅଦୃଶ୍ୟ,
ନିଜପର ବାହାର ମଣିଷଙ୍କ ପାଇଁ

ଅନ୍ୟର ଖୁସି ଜଳ ଜଳ ଦିଶେ,
ବେଳେବେଳେ ଜଳାଏ ଦିହକୁ,
ଦିଶେ ନାହିଁ ଲୁଚିଥିବା ଦୁଃଖ ଅପରର
ମିଛ ମିଛ ହସ ଓଢ଼ଣିରେ
ଢାଙ୍କି ହେଇଥିବା ଦୁଃଖ

ସବୁ କଥା, ମନ ଭିତରର, ହୃଦୟ ତଳର
ଲୁଚେଇ ଢଙ୍କା ହେଇଥାଏ ଅମାର ତଳେ
ପାଛିଆ ଘୋଡ଼େଇ ହେଇ ଲୁଚିଥାଏ ଲୁହ
ଅଣଦେଖାରେ ବତୁରିଯାଏ ସୁଖ
ଅନ୍ଧାରରେ ରୁନ୍ଧି ହେଇ ଫିକା ପଡ଼େ ଜୀବନ

ଦୁଃଖ ବାଣ୍ଟିଲେ ସରେ, ସୁଖ ବାଣ୍ଟିଲେ ବଢ଼େ
କେହି କିନ୍ତୁ ବାଣ୍ଟେନି କିଛି ଯେମିତି
ବାହାରକୁ ଦିଶେ ଖାଲି ମିଛ ମିଛ ହସର ପରଶ
ଭଳି ଭଳି ରଙ୍ଗ ବୋଳା ମୁଖା
ନଟନଟୀ, କିନ୍ତୁ ଭିତର ମଣିଷ ନୁହଁ

ସଂସାରରେ ଦୁଃଖ ଆଉ ସୁଖର କଥା
ଅଲଗା ଅଲଗା ନୁହେଁ
ପର ଅପରର ଜୀବନର ଗପ
ଭିନ୍ନ ନୁହେଁ ଆକାଶ ପାତାଳ ପରି
ହୁଏତ ଈଷତ ରଙ୍ଗର ଫରକ ଏଠି ସେଠି

ବାନ୍ଧି ରଖିଲେ, ଅସ୍ଵସ୍ତି ହୁଏ ନଈ ପାଣି
ଗଣ୍ଠି ପକେଇଲେ, ଅଟକି ଯାଏ ଜୀବନ
ମନଖୋଲି କହି ପକେଇଲେ
କଥାସବୁ ବହିଯାଏ, ଛୁଏଁ, ଭିଜାଏ
ଫୁଲଫୁଟେ, ସୁଗନ୍ଧରେ ଭରିଯାଏ ଦିନସବୁ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top