ଘରେ ଅଛ ନିରଞ୍ଜନ
ହଁ ଘରେ …।
ତମର ତା ଦକ୍ଷିଣଦୁଆରି ଘର
ଯାଉଁଳି କବାଟ ,
କେଉଁ – ଫାଙ୍କରେ ପ୍ରବେଶି ପାରେ ସେ
ବୁଝେନା ଆକଟ ।
ଉଜାଣି ପବନର ଖେଳ
ତମ ଘରେ ଅହିର୍ନିଶ ନିରଞ୍ଜନ
ତା’ ସାଥିରେ କି’ ଖେଳ ?
ସବୁବେଳେ କହୁଥିବ / ମୁଁ ତୋର କୋୟର
ସିଏ କିନ୍ତୁ ଚିରଦିନ ପର ।
ଜାଣନା’କି ! ଖେଳୁ ଖେଳୁ ସିଏ ପହି ଛାଡ଼ିଦେବି
ଏକା ଏକା ତମେ ଖେଳୁଥିବ
ସେ ସେଠି ନଥିବ ।
ହାତେ ଚଉକର ଘର
ଭାଙ୍ଗିବାକୁ ଆସିଲାଣି କେତେଥର
କିଏ ପାଣିରେ ବୁଡ଼େଇ ମାରେ
ସିଏ କିନ୍ତୁ ଧୂଳିରେ …
ବେଳସୁଁ…
କେଉଁ ଛଟକରେ ଆସି ହାତେଇ ନେବ ତମକୁ
ପାଇବନି କୂଳ କି’ କିନାରା ।।
ତା’ସାଥିରେ ଏତେ ପ୍ରୀତି ଭଲ ନୁହେଁ ନିରଞ୍ଜନ …
ଆବର କଥାଏ କହିବି
ଭେଟିନେବ ଗଣ୍ଠିକଥା
ସବୁଠାରେ ତାହାରି ମୁହାଁସ / ବହୁରୂପି ଭେକ
ଆଖି ମୁଦିନିଅ ; ନିଶବ୍ଦ ଘରୁ ଶବ୍ଦ ଆସୁଛି
ଶୁଣ , କାନ ପାତି ଶୁଣ
ସୁଗମ ପଥ ମିଳିଯିବ ।
