ନିରିମାଖି ଆଖିରେ ତାର ସଞ୍ଚିତ ସ୍ୱପ୍ନ
ନିର୍ବିକାର ମନରେ ସେ ସହିନିଏ ସବୁ ଯାତନାକୁ
ବୁଝେ ସେ ସବୁ କଥା ଯାହା ଅକୁହା,
ପରଖିନିଏ ସଭିଙ୍କ ମନକୁ,
ପରଶି ଦିଏ ବରାଭୟ ମୁଦ୍ରାରେ ।
ସେ ଲାବଣ୍ୟା, ସେ ସୁକନ୍ୟା,
ସେ ମନୋହାରିଣୀ ପ୍ରିୟତମା
ସେ ଅଭୟଦାୟିନୀ, କଳ୍ମଷନାଶିନୀ, ରୁଦ୍ରାଣୀ
ତ୍ୟାଗ ସବୁର ହିସାବ କେହି ରଖେନା ଏଠି
ନିଜକୁ ତିଳତିଳ କରି ଜାଳି ଅମୃତ ସିଞ୍ଚିଲା ତ ଦେବୀ,
ପ୍ରତିବାଦର ସ୍ୱର ତାର ଗହଣା ନୁହେଁ ଯେମିତି !
ତାକୁ ବଞ୍ଚିବାକୁ ହୁଏ ଜୀବନ ଅନ୍ୟର ଖୁସିରେ
ତାକୁ ମଧ୍ୟ ଲୋଡା ଗୋଟେ ପ୍ରଶସ୍ତ ଆକାଶ, ତାରା ଭର୍ତ୍ତି ରାତି,ସ୍ୱପ୍ନମୟ ନିଦ୍ରା
ସେ ବି ଖୋଜେ ସୁମନର ସୁଗନ୍ଧ, ଭଲପାଇବାର ବେହରଣ, କାହାର ଏକାନ୍ତ ନିରୁତା ମନ ।
ସଂସାରର ଖଣ୍ଡାଧାରରେ ନିରନ୍ତର ଅଗ୍ନି ପରୀକ୍ଷା
କେତେ ଦିନ ଆଉ ?
ସେ ବି ପାଉ ତାର ମନୋନୀତ ଜୀବନ
ସେ ଲେଖୁ ତାର ସ୍ୱର୍ଣ୍ଣାଭ ଜୀବନ ଲିପି
ସେ ହେଉ ନିଜ ଜୀବନର ନିୟନ୍ତ୍ରକ
ତେବେ ତାର ଅମୃତ ଦୃଷ୍ଟିରେ ସଂସାର ହେବ ରମଣୀୟ ସ୍ନିଗ୍ଧ ନିର୍ଜର ଚିରକାଳ ।
