ନାଁଟି ତା’ର ପାଣୁଆ
ଖଣ୍ଡ ମଣ୍ଡଳରେ ନଥିଲେ କେହି
ତାହାରି ପରି ବାଣୁଆ
ଏକଦା ଗୋଟେ ବଣୁଆ ହାତୀ
କେଉଁ କାରଣରୁ ଉଠିଲା ମାତି
ଉଜାଡ଼ି ଦେଲା ଫସଲ ସବୁ
ଭାଙ୍ଗିଲା ଘର ଦ୍ୱାର
ଲୋକଙ୍କୁ ଦେଲା ପାଦରେ ଦଳି
ପଡ଼ିଲା ହାହାକାର !
ଆସିଲେ କେତେ ବନ୍ଧୁକଧାରୀ
ପାଗଳା ହାତୀକୁ ଦେବାକୁ ମାରି
ପାରିଲେ ନାହିଁ, ଗାଁ ଗାଁରେ
ଆତଙ୍କ ଗଲା ଖେଳି
ନିଆଁ ଜଳାଇ, ବାଜା ବଜାଇ
ଲୋକେ ହୋଇଲେ ମେଳି
ଜିଲ୍ଲା ସାଇବ ଘୋଷଣା କଲେ
ମାରିବ ଯିଏ ହାତୀକୁ ଭଲେ
ପ୍ରମାଣ ପତ୍ର ପାଇବ ସିଏ
ପାଇବ ପୁରସ୍କାର
ପାଣୁଆ ଛାତି ଟାଣୁଆ ଭାରି
ହୋଇଲା ଆଗୁସାର ।
ରାଇଫଲଟେ ଧରିଲା ହାତେ
ନେଲାନି ସିଏ କାହାକୁ ସାଥେ
ଘୁରି ବୁଲିଲା ଜଙ୍ଗଲ ମଧ୍ୟେ
ସାହସ ଧରି ଏକା
ଭାଗ୍ୟର ବଳେ ପାଗଳା ହାତୀ
ମିଳିବ କାଳେ ଦେଖା ।
ବସିଲା ସିଏ ଗଛରେ ଚଢ଼ି
ପାଗଳା ହାତୀ ଛାଡ଼ିଲା ରଡ଼ି
ଯାଇଥିଲା ସେ ସେହି ବାଟରେ
ଆଖୁ ଖାଇବା ଲାଗି
ପାଣୁଆ ଲକ୍ଷ୍ୟ କରିକି ସ୍ଥିର
ବନ୍ଧୁ ଦେଲା ଦାବି ।
ବୁଲି ପଡ଼ିଲା ପାଗଳା ହାତୀ
ସତେବା ଅମା ଅନ୍ଧାର ରାତି
ଝୁଙ୍କାଇ ଡାଳ ସତେବା କାଳ
ପକାଇ ଦେଲା ତଳେ
ପାଣୁଆ ଦେଲା ଲାଛି ତା’ ଗୁଳି
ହାତୀର କାନ ମୂଳେ ।
ରାଗରେ ପାଚି ଶୁଣ୍ଢରେ ଧରି
କଚାଡ଼ି ଦେଲା, ପଡ଼ିଲା ଝରି
ମୁଣ୍ଡରୁ ତା’ର ରକତ ଧାର
ପଳାଶ ଫୁଲ ସରି
ଗୁଳି ଆଘାତେ ପଡ଼ିଲା ହାତୀ
ଗଛ କାଟିବା ପରେ ।
ବହୁତ ଖୋଜି ଗାଁର ଲୋକେ
ବାଉଁଶ ଦୋଳା କରିଲେ ଥୋକେ
ବଞ୍ଚିବ କାଳେ ନେଲେ ତୁରନ୍ତ
ହାସପାତାଳେ ବୋହି
ପାଣୁଆ ଯୋଗୁଁ ହାତୀ ଆତଙ୍କ
ଯାଇଚି ଦୂର ହୋଇ ।
ପାଣୁଆ ଟିକେ ଖୋଲିଲା ଆଖି
ଗାଁ ଲୋକଙ୍କୁ ପାଖକୁ ଡାକି
କହିଲା ଯଦି ମିଳିବ ଟଙ୍କା
କରିବ ଇସୁକୁଲ
ସବୁରି ମୁଖେ ପ୍ରଶଂସା ତା’ର
କିଏ ହେବ ତା’ ତୁଲ ?
ସେଦିନୁ ସେଠି ହୋଇଲା ଗଢ଼ା
ଇସ୍କୁଲ ପାଠ ହେଉଛି ପଢ଼ା
ରଖିଲା ଯେଣୁ ସବୁରି ପ୍ରାଣ
ନିଜ ଜୀବନ ଦେଇ
“ପ୍ରାଣବନ୍ଧୁ” ସେଇ ଇସ୍କୁଲ ନାମ
ସେବେଠୁ ଅଛି ହୋଇ ! !