ଆଜି କାହିଁ ଇଚ୍ଛା ହୁଏ ?
ପ୍ରଜାପତି ଧରିବାକୁ, ବାଲି ଘର ତୋଳିବାକୁ
ଶାମୁକା ସାଉଁଟିବାକୁ ଦରିଆ କୂଳରୁ…
ଜହ୍ନ ସାଥେ ଖେଳିବାକୁ, ପକ୍ଷୀ ହୋଇ ଉଡିବାକୁ
ତାରା ଫୁଲ ତୋଳିବାକୁ ନୀଳ ଗଗନରୁ ।
ଆଜି କାହିଁ ଇଚ୍ଛା ହୁଏ ?
ଚପଳାମୀ କରିବାକୁ , ରାହା ଧରି କାନ୍ଦିବାକୁ
ଦୁନିଆ ଦେଖିବାକୁ ପଣତ ତଳରୁ ।
ଗାଁ ତୋଟା ବୁଲିବାକୁ, ମାଟି କଣ୍ଢେଇ ଗଢିବାକୁ
ଚୂନା ମାଛ ଧରିବାକୁ ଦରିଆକୂଳରୁ ।
ଆଜି କାହିଁ ଇଚ୍ଛା ହୁଏ ?
ବୋହୁ ଚୋରି ଖେଳିବାକୁ , କାହାଣୀ ଟେ ଶୁଣିବାକୁ
ପାଳ ଭୁତ ସାଜିବାକୁ ମୁହଁ ଅନ୍ଧାରରୁ ।
ପୁଣି ପଛକୁ ଫେରିବାକୁ, ଛୋଟ ଶିଶୁ ସାଜିବାକୁ
ମୁକୁଳି ଯିବାକୁ ଏଇ ଜୀବନ ବନ୍ଧନରୁ ।
