କବିତା

ହୃଦୟ, କବିତା ଲେଖୁଥିବା କେଉଁ ଏକ ତରୁଣୀର

Ritindra Panda's odia poem Hrudaya , Kabita Lekhuthiba Keun Eka Tarunira

ହୃଦୟଟି ତାର ହୋଇପାରେ ଖାଦ୍ୟକୁ ମୁସମୁସ୍
କରିବା ପାଇଁ ଦିଆଯାଉଥିବା ଘିଅ ଓ ଜୁଆଣିର ଖାସ୍ତା

ହୃଦୟଟି ତାର ଶୃଙ୍ଖଳିତ ହୋଇ ଆସୁଥିବା
କିଶୋରୀର ବେଣୀରେ ବନ୍ଧାଥିବା ନାଲିଆ ଫିତା
କି ନିଶ ରଖିଥିବା ଧୋତି ପିନ୍ଧା ଅବଧାନେଙ୍କ
ଅଲିଅଳି ସୁତା
ନା ତନୁପାତେଳି ଅଣ୍ଟାରେ ରହିଥିବା ଅଣ୍ଟିସୂତା
ଅବା ବୟସ୍କା ମହିଳା ଭକ୍ତି ଅର୍ଘ୍ୟ ଦେଇ ସଞ୍ଜେ
ଜାଳୁଥିବା ସଞ୍ଜ ବଳିତା
ହୃଦୟଟି ତାର ସଦ୍ୟ ପରିଣୀତାର ମଧୁଚନ୍ଦ୍ରିକା ରାତି
କିମ୍ବା ଝରଣା ଓ ସାଗରର ଆଦେଖା ପ୍ରୀତି
ନା କୋଣାର୍କ କାରୁକାର୍ଯ୍ୟେ ଖୋଦିତ ଏକ ମୂର୍ତ୍ତି ଶିଳା
କି ନାଲି ଧଳା ଫୁଲେ ଗୁନ୍ଥା ହୋଇଥିବା ଏକ ସୁନ୍ଦର
ଫୁଲମାଳା
ଅବା ହୃଦୟଟି ତାର ଚହଲା ପାଣି
ନଚେତ୍ ଅମୂଲ୍ୟ ଖଣିଜ ସମ୍ପଦ ଭରା ଏକ ଗୁପ୍ତ ଖଣି

ହୃଦୟଟି ତାର ହୋଇପାରେ ଖାଦ୍ୟକୁ ମୁସମୁସ୍
କରିବା ପାଇଁ ଦିଆଯାଉଥିବା ଘିଅ ଓ ଜୁଆଣିର ଖାସ୍ତା
କିମ୍ବା ଜହ୍ନ ଜୋଛନ୍ନାରେ ଭିଜି ଝାଉଁବଣ ଦେଇ ସିଧା
ଯାଇଥିବା ସମୁଦ୍ରକୂଳିଆ ଏକ ଶୁନଶାନ ରାସ୍ତା
ଅଭିମାନେ ଭରା ହୃଦୟ ତାର ଅବୁଝା ନୁହେଁ ଜମା
କେବେ ନର୍ତ୍ତକୀର ଠାଣି ପରି ଚଳଚଞ୍ଚଳ ପୁଣି
କେବେ ଦୁଃଖ ସମୟ ପରି ଭାରି ଧିମା
ହେଇପାରେ ହୃଦୟ ତାର ସ୍ଵାତୀ ନକ୍ଷତ୍ରେ ସାମୁକାରେ
ପଡ଼ିଥିବା ସେଇ ମେଘ ଟୋପା
ଅବା ପ୍ରେମପତ୍ରକୁ ଘୋଡାଇ ରଖିଥିବା ଏକ
ବେନାମୀ ଲଫାପା
ଯାହାବି ହେଉ କବିତା ଲେଖୁଥିବା ତରୁଣୀର ହୃଦୟ
ଏକଦମ ସଫା ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top